ଅନୁ ଚୌଧୁରୀ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ସିନେମା ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୯-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ ସିନେମା ଅଭିନେତ୍ରୀ |
ଅନୁ ଚୌଧୁରୀ (ଜନ୍ମ, ୩୦ ଅଗଷ୍ଟ ୧୯୭୯) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ[୧] । ସେ ୫୦ରୁ ଅଧିକ ଓଡ଼ିଆ ଓ ବଙ୍ଗଳା କଥାଚିତ୍ରରେ କାମ କରିଛନ୍ତି । ପ୍ରଥମେ ବଧୂ ନିରୁପମାରେ ଶିଶୁକଳାକାର ଭାବେ[୨] ଓ ପରେ ୧୯୯୯ ମସିହାରେ ମା ଗୋଜବାୟାଣୀ କଥାଚିତ୍ରରେ ଅଭିନେତ୍ରୀ ଭାବେ ସେ ଅଭିନୟ ଆରମ୍ଭ କରିଥିଲେ[୩] । ଅନୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ମଧ୍ୟ ଅଭିନୟ କରିଛନ୍ତି ।[୪]
ଅନୁ ଚୌଧୁରୀ ଓଡ଼ିଶାରେ ଭୁବନେଶ୍ୱରଠାରେ ଜନ୍ମ ଗ୍ରହଣ କରିଥିଲେ[୫] । ସେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରୁ ବିଜ୍ଞାନରେ ଉଚ୍ଚଶିକ୍ଷା ଓ ରମାଦେବୀ ମହିଳା ମହାବିଦ୍ୟାଳୟରୁ ଗୃହବିଜ୍ଞାନରେ ସ୍ନାତକ ଉପାଧି ହାସଲ କରିବା ପରେ ସେ ଅଭିନୟକୁ ପେଶା ଭାବେ ଆରମ୍ଭ କରିଥିଲେ ।
ଚୌଧୁରୀ ଜଣେ ଶିଶୁ କଳାକାର ଭାବେ ଓଡ଼ିଆ ସିନେମାରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ବଧୂ ନିରୁପମା ଓ ମମତା ମାଗେ ମୂଲ । ୧୯୯୯ରେ ମୁକ୍ତିଲାଭ କରିଥିବା ମା ଗୋଜବାୟାଣୀ କଥାଚିତ୍ରରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଅଭିନୟ ନିମନ୍ତେ ସେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ତାଙ୍କ ଅଭିନୀତ ପ୍ରାମାଣିକ କଥାଚିତ୍ର ବିଶ୍ୱପ୍ରକାଶ ଇଣ୍ଡିଆନ ପାନୋରାମାରେ ପୁରସ୍କୃତ ହୋଇଥିଲା ।[୬] ସେ ତାଙ୍କ ଅଭିନୟ ଜୀବନ ଏକ ତେଲୁଗୁ ଚଳଚ୍ଚିତ୍ର ଶୁଭବେଳାରୁ ଆରମ୍ଭ କରିଥିଏ, ଯାହା ୨୦୦୦ ମସିହାରେ ବିବାଦକୁ ଆସିଥିଲା[୭] । ସେ ୨୦୧୧ରେ ମଧ୍ୟ ହିନ୍ଦୀ ଚଳଚ୍ଚିତ୍ର ନିର୍ବାଣ ୧୩ରେ ଅଭିନୟ କରିଥିଲେ[୮] ।
ଅନୁ ଚୌଧୁରୀ ୨୦୦୫ରେ ଶାଶୁଘର ଚାଲିଯିବି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।[୧୦] କାଦମ୍ବିନୀ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ୍ ପ୍ରଯୋଜନା ସଂସ୍ଥାର କଥାନ୍ତର ଚଳଚ୍ଚିତ୍ରରେ ପୂର୍ବ ବଙ୍ଗଳାର ଦ୍ୱିତୀୟ ପିଢୀ ଶରଣାର୍ଥୀ ଚରିତ୍ର ପାଇଁ ଚତୁର୍ଥ ସିନେ ଇଣ୍ଡିଆ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୧୧]
୩୦ ଡିସେମ୍ବର ୨୦୦୭ରେ, ଲାଲ ଟୁକୁ ଟୁକୁ ସାଧବ ବୋହୂ ଚଳଚ୍ଚିତ୍ର ପାଇଁ ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ- ୨୦୦୭ରେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଥିଲେ ।[୧୨] ସେ ଚାରିଥର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ବିଜେତା । ସେ ନିଜର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ନିର୍ବାଣ ୧୩ ପାଇଁ ଲସ ଏଞ୍ଜେଲସଠାରେ ଶ୍ରେଷ୍ଠା ଅଭିନେତ୍ରୀ ପୁରସ୍କାର ପାଇଥିଲେ । ୨୦୧୧ରେ ଏହି ପୁରସ୍କାର ପାଇଁ ସେ ଏକମାତ୍ର ଅଭିନେତ୍ରୀ ଥିଲେ ।
ସେ ଚାରିଥର ସମ୍ମାନଜନକ ଶ୍ରେଷ୍ଠ ଅଭିନେତ୍ରୀ କ୍ଷେତ୍ରରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ପାଇଛନ୍ତି