ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଅଛନ୍ତି । ଓଡ଼ିଆ ଓଡ଼ିଶାର ସରକାରୀ ଓ ବହୁଳତମ କଥିତ ଭାଷା ଏବଂ ୨୦୦୧ ଜନଗଣନା ଅନୁସାରେ ୩.୩୨ କୋଟି (୩୩.୨ ନିୟୁତ) ଲୋକ ଏଥିରେ କଥାହୁଅନ୍ତି ।[୧] ଆଧୁନିକ ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତରିଖରେ ବ୍ରିଟିଶ ଶାସିତ ଭାରତର ଏକ ପ୍ରଦେଶ ଭାବରେ ମୁଖ୍ୟତଃ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ।[୨] ଏପ୍ରିଲ ୧ ତାରିଖକୁ ଓଡ଼ିଶା ଦିବସ ଭାବେ ପାଳନ କରାଯାଏ ।[୩] ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ହୋଇଥିଲା । ଖ୍ରୀ.ପୂ. ପ୍ରଥମ ସହସ୍ରାଦ୍ଧରେ କଳିଙ୍ଗ ରାଜ୍ୟରେ ନୌବାଣିଜ୍ୟ ଏକ ମୁଖ୍ୟ ବ୍ୟବସାୟ ଥିଲା । କଳିଙ୍ଗର ଅନେକାଂଶ ବର୍ତ୍ତମାନ ଆଧୁନିକ ଓଡ଼ିଶାର ଅଂଶବିଶେଷ । ଏଠାରେ ଗଢ଼଼ିଉଠିଥିବା ସଭ୍ୟତା ଓ ସଂସ୍କୃତି ମଧ୍ୟରୁ କଳା-ସ୍ଥାପତ୍ୟ, ଧର୍ମ, ସାହିତ୍ୟ, ଚିତ୍ରକଳା, ନୃତ୍ୟ-ସଙ୍ଗୀତ ଇତ୍ୟାଦି ସଂସ୍କୃତି ଅନ୍ତର୍ଭୁକ୍ତ ।
ଧଉଳି ପାହାଡ଼ରେ ଥିବା ଅଶୋକଙ୍କ ସ୍ୱତନ୍ତ୍ର କଳିଙ୍ଗ ଅନୁଶାସନ ନିକଟରେ ପଥର କାନ୍ଥରେ ଖୋଦିତ ହାତୀର ସମ୍ମୁଖ ଭାଗ ଓଡ଼ିଶାର ସର୍ବପ୍ରାଚୀନ ପ୍ରସ୍ତର କଳାକୃତି ମଧ୍ୟରୁ ଅନ୍ୟତମ । ଏହା ମୌର୍ଯ୍ୟଯୁଗୀୟ ହୋଇଥିଲେ ହେଁ ଏଥିରେ କଳିଙ୍ଗ ପ୍ରସ୍ତର କଳା ରହିଛି । ଧଉଳିଠାରୁ ପାଞ୍ଚ କି.ମି. ଦୂର ଦକ୍ଷିଣରେ ଅଶୋକଙ୍କ ସମୟର ଏକ ଭଗ୍ନ ସ୍ତୁପ ଅରାଗଡ଼ଠାରେ ଆବିଷୃତ ହୋଇଛି । ଓଡ଼ିଶାର ଅନ୍ୟାନ୍ୟ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତି ମଧ୍ୟରେ ଉଦୟଗିରି ଓ ଖଣ୍ଡଗିରିଠାରେ ଅନ୍ୟତମ । ଉଦୟଗିରିର ହାତୀଗୁମ୍ଫାରେ ଖାରବେଳଙ୍କ ରାଜତ୍ୱର ବିଶିଷ୍ଟ ଘଟଣାବଳୀ କ୍ରମାନ୍ୱୟରେ ପ୍ରସ୍ତର ଗାତ୍ରରେ ଖୋଦିତ ହୋଇଛି । ଏହା ହାତୀଗୁମ୍ଫା ଅଭିଲେଖ ନାମରେ ଖ୍ୟାତ । ଏଠାରେ ଅନ୍ୟାନ୍ୟ ଗୁମ୍ଫାଗୁଡ଼ିକ ମଧରୁ ଦ୍ୱିତଳ ବିଶିଷ୍ଟ ରାଣୀଗୁମ୍ଫା ଓ ସ୍ୱର୍ଣ୍ଣପୁରୀ-ମଞ୍ଜପୁରୀ କଳାତ୍ମକ ଦୃଷ୍ଟିରୁ ପ୍ରଧାନ । ଏହି ଉଭୟ ଗୁମ୍ଫା ଖାରବେଳଙ୍କ ସମୟରେ ଖୋଦିତ ହୋଇଥିବା ପ୍ରମାଣ ମିଳେ । ଖଣ୍ଡଗିରିର ଗୁମ୍ଫାଗୁଡ଼ିକ ମଧ୍ୟରୁ ଅନନ୍ତଗୁମ୍ଫା, ନବମୂନି ଗୁମ୍ଫା, ବାରଭୂଜି ଗୁମ୍ଫା ଓ ଲଲାଟେନ୍ଦୁକେଶରୀ ଗୁମ୍ଫା ଦଶମ-ଏକାଦଶ ଶତାବ୍ଦୀରେ ଖୋଦିତ ହୋଇଥିବା ପ୍ରମାଣ ମିଳେ । ଏହି ଗୁମ୍ଫାଗୁଡ଼ିକ ଭିତରେ ଜୈନ ତୀର୍ଥଙ୍କରମାନଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ଉଦୟଗିରି ଓ ଖଣ୍ଡଗିରି ପ୍ରାଚୀନ କାଳରେ କୁମାରୀ ଓ କୁମାର ପର୍ବତ ରୂପେ ଯଥାକ୍ରମେ ପରିଚିତ ଥିବା ହାତୀଗୁମ୍ଫା ଅଭିଲେଖରୁ ଜଣାଯାଏ ।[୪]
ଓଡ଼ିଶାରେ ବୌଦ୍ଧ ଧର୍ମର ଅଭ୍ୟୁତ୍ଥାନ ସମୟରେ ଅନେକ ବୌଦ୍ଧବିହାର ଓ ଉପାସନାଗୃହ ଗଢ଼ି ଉଠିଥିଲା । ଏଗୁଡ଼ିକ ପଞ୍ଚମ ଶତାବ୍ଦୀଠାରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ପ୍ରମାଣ ମିଳେ । ତନ୍ମଧ୍ୟରୁ ବରଗଡ଼ ଜିଲ୍ଲାର ଗଣିଆପାଲିଠାରେ ଥିବା ମୁଚଳିନ୍ଦ ବୌଦ୍ଧବିହାର ସମ୍ଭବତଃ ସର୍ବପ୍ରାଚୀନ । ସେଥିପରି ଗଞ୍ଜାମ ଜିଲ୍ଲାର ବୁଦ୍ଧଖୋଲ ଅନ୍ୟତମ ପ୍ରାଚୀନ ବୌଦ୍ଧକୀର୍ତ୍ତି ରୂପେ ପରିଚିତ । ଏତଦ୍ବ୍ୟତୀତ ରତ୍ନଗିରି, ଲଲିତଗିରି, ଉଦୟଗିରି, ଲାଙ୍ଗୁଡ଼ି ପାହାଡ଼, କାଏମା, ବଜ୍ରଗିରି, ରମେଶ୍ୱର, ସୋଲପୁର, ଖଡ଼ିପଦାରୁ ଆବିଷୃତ ବିହାର, ସ୍ତୂପ, ଚୈତ୍ୟଗୃହ, ଉପାସନା ଗୃହ ଓ ଆବାସସ୍ଥଳୀ ତଥା ବୌଦ୍ଧମୂର୍ତ୍ତି ଆଦିରୁ ଏହି ଅଞ୍ଚଳରେ ବୌଦ୍ଧଧର୍ମର ପ୍ରାଧାନ୍ୟ ବିଷୟରେ ସୂଚନା ମିଳିଛି । ବୌଦ୍ଧରୁ ପ୍ରାପ୍ତ ଏକ ପୂର୍ଣ୍ଣାବୟବ ମୂର୍ତ୍ତି ମଧ୍ୟ ଏହି ଶ୍ରେଣୀଭୁକ୍ତ ।
ଓଡ଼ିଶାରେ ଥିବା ପ୍ରାଚୀନ ମନ୍ଦିରମାନଙ୍କ ନିମନ୍ତେ ଓଡ଼ିଶା ମନ୍ଦିର ମାଳିନୀ ରାଜ୍ୟ ରୂପେ ପ୍ରସିଦ୍ଧ । ପ୍ରମୁଖ ମନ୍ଦିରଗୁଡ଼ିକର ଗଠନ ଶୈଳୀ ସ୍ୱତନ୍ତ୍ର ଓ "କଳିଙ୍ଗ ଶୈଳୀ" ନାମରେ ଖ୍ୟାତ । କଳିଙ୍ଗ ଶୈଳୀରେ ନିର୍ମିତ ଏହି ମନ୍ଦିରଗୁଡ଼ିକ ସ୍ଥାପତ୍ୟ ଦୃଷ୍ଟିରୁ ତିନି ପ୍ରକାର । ସେଗୁଡ଼ିକ ହେଲା: ରେଖା ଦେଉଳ, ପିଢ଼ା ଦେଉଳ, ଖାଖରା ଦେଉଳ । ମନ୍ଦିରର ଶିଖର ଓ ଶୀର୍ଷ ଭାଗର ଗଠନ ଶୈଳୀକୁ ଭିତ୍ତି କରି ଏଭଳି ବିଭକ୍ତିକରଣ କରାଯାଇଛି । କଳିଙ୍ଗ ଶୈଳୀର ମନ୍ଦିରଗୁଡ଼ିକ ସପ୍ତମ ଶତାବ୍ଦୀଠାରୁ ପଞ୍ଚଦଶ-ଷୋଡ଼ଷ ଶତାବ୍ଦୀ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନିର୍ମିତ ହୋଇଥିଲା ।[୫][୬] ଏସବୁ ବିଶେଷକରି ଶୈଳୋଦ୍ଭବ, ଭୌମକର, ସୋମବଂଶୀ, ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ରାଜାମାନଙ୍କ ପୃଷ୍ଠପୋଷକତାରେ ନିର୍ମିତ ହୋଇଥିଲା । ଏଗୁଡ଼ିକ ପ୍ରାଚୀନ ଏକାମ୍ରକ୍ଷେତ୍ର (ଆଧୁନିକ ଭୁବନେଶ୍ୱର ନଗର), ଶଙ୍ଖକ୍ଷେତ୍ର (ଆଧୁନିକ ପୁରୀ), ଅର୍କକ୍ଷେତ୍ର (ଆଧୁନିକ କୋଣାର୍କ), ବିରଜାକ୍ଷେତ୍ର (ଆଧୁନିକ ଯାଜପୁର), ଖିଂଚି, ବୌଦ୍ଧ, ଗନ୍ଧରାଡ଼ି, ରାଣୀପୁର ଝରିଆଲ, ନୃସିଂହନାଥ, କୂଆଳ, ବରଗାଁ, ଚଉରାଶି, ନିଆଳି ଏବଂ ପାପଡାହାଣ୍ଡିଠାରେ ଦେଖିବାକୁ ମିଳେ । ତନ୍ମଧ୍ୟରୁ ଭୁବନେଶ୍ୱରର ମୁକ୍ତେଶ୍ୱର, ରାଜାରାଣୀ ଓ ଲିଙ୍ଗରାଜ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଓ କୋଣାର୍କର ସୂର୍ଯ୍ୟମନ୍ଦିର ପ୍ରସିଦ୍ଧ । ଏତଦ୍ବ୍ୟତୀତ ଓଡ଼ିଶାର ପଶ୍ଚିମାଞ୍ଚଳରେ ପୋଡ଼ାଇଟାରେ ତିଆରି ଅନେକ ମନ୍ଦିର ଦେଖିବାକୁ ମିଳେ । ତନ୍ମଧ୍ୟରୁ ବୁଦ୍ଧିକୋମା, କୋମନା ଓ ଇନ୍ଦ୍ରଲାଧ (ରାଣିପୁର ଝରିଆଲ) ମନ୍ଦିର ଉଲ୍ଲେଖଯୋଗ୍ୟ ।
ଓଡ଼ିଶାର ମଧ୍ୟଯୁଗୀୟ ପୁରାକୀର୍ତ୍ତିଗୁଡ଼ିକ ମଧ୍ୟରୁ କଟକର ଦେୱାନ ବଜାର ମସଜିଦ, ବାଲୁବଜାର ମସଜିଦ, କଦମ ରସୁଲ, କାଳିଆବୋଦା ଗୁରୁଦ୍ୱାରା ଏବଂ ପୁରୀର ବାଉଳି ମଠ ଅନ୍ୟତମ । ଏହା ଛଡ଼ା ଚୌହାନ ରାଜାମାନଙ୍କଦ୍ୱାରା ନିର୍ମିତ ମନ୍ଦିରଗୁଡ଼ିକ ମଧ୍ୟ ଏହି ସମୟର ଓ ସ୍ୱତନ୍ତ୍ର । ଏସବୁ ପାଟଣାଗଡ଼, ସୋନପୁର ଓ ସମ୍ବଲପୁରଠାରେ ଦେଖିବାକୁ ମିଳେ ।
ଓଡ଼ିଶାର ଚିତ୍ରକଳା ମଧ୍ୟରେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସିତାବିଂଝୀର ରାବଣାଛାୟା ପ୍ରସିଦ୍ଧ ଓ ପ୍ରାଚୀନ । ମଧ୍ୟଯୁଗୀୟ ଚିତ୍ରକଳା ମଧ୍ୟରେ ପୁରୀର ଜଗନ୍ନାଥ ମନ୍ଦିର, ବିମଳା ମନ୍ଦିର ଓ ଲକ୍ଷ୍ମୀ ମନ୍ଦିର ତଥା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡାର ବିରଞ୍ଚି ନାରାୟଣ ମନ୍ଦିରର ଅଭ୍ୟନ୍ତରରେ ଅନ୍ୟତମ ।
ପ୍ରାଚୀନ କାଳରୁ ଓଡ଼ିଶାରେ ଜୈନ ଧର୍ମ ପ୍ରସାର ଲାଭ କରିଥିବା ଜଣାଯାଏ । ଜୈନ ଧର୍ମର ଶେଷ ଦୁଇଜଣ ତୀର୍ଥଙ୍କର ପାର୍ଶ୍ୱନାଥ ଓ ମହାବୀର ଓଡ଼ିଶାର କଳିଙ୍ଗ ରାଜ୍ୟରେ ଏହି ଧର୍ମର ଅଭ୍ୟୁଦୟ ଘଟାଇବାରେ ସହାୟ ହୋଇଥିଲେ । ଖ୍ରୀ.ପୂ. ପ୍ରଥମ ଶତାବ୍ଦୀରେ କଳିଙ୍ଗ ରାଜା ଖାରବେଳ ଜୈନ ଧର୍ମର ପୃଷ୍ଠପୋଷକତା କରିବା ସହିତ ଏହାର ପ୍ରସାର ଘଟାଇଥିଲେ । ପରବର୍ତ୍ତୀ ସମୟରେ ଶୈଳୋଦ୍ଭବ ବଂଶୀୟ ରାଜା ଧର୍ମରାଜ ଓ ସୋମବଂଶୀ ରାଜା ଉଦ୍ୟୋତକେଶରୀ ଓଡ଼ିଶାରେ ଜୈନ ଧର୍ମର ପୃଷ୍ଠପୋଷକା କରିଲେ । ଭୁବନେଶ୍ୱର ନିକଟସ୍ଥ ଖଣ୍ଡଗିରି ଓ ଉଦୟଗିରି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ଜୈନ ଗୁମ୍ଫା ଓ ମନ୍ଦିର ଦେଖିବାକୁ ମିଳେ ।
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରୁ ଓଡ଼ିଶାରେ ବୌଦ୍ଧ ଧର୍ମର ଅଭ୍ୟୁଦୟ ଘଟିଲା । ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ଅଶୋକ କଳିଙ୍ଗ ଯୁଦ୍ଧରେ ଜୟଲାଭ କରିବା ପରେ କଳିଙ୍ଗରେ ବୌଦ୍ଧ ଧର୍ମର ପ୍ରଚାର ପାଇଁ ମୋଗଲିପୁତ୍ତଟିସ୍ପ, ଉପଗୁପ୍ତ ଓ ମହାଦେବ ପ୍ରଭୃତି ବୌଦ୍ଧଭିକ୍ଷୁମାନଙ୍କୁ ପଠାଇଥିଲେ । ସେମାନଙ୍କଦ୍ୱାରା ଓଡ଼ିଶାରେ ବୌଦ୍ଧ ଧର୍ମର ଲୋକପ୍ରିୟତା ବୃଦ୍ଧି ପାଇଥିଲା । ପରବର୍ତ୍ତୀ ସମୟରେ କଳିଙ୍ଗ ରାଜା ଗୁହଶିବ ବୁଦ୍ଧଙ୍କ ଦନ୍ତଭସ୍ମ ଅଣାଇ ଦନ୍ତପୁରଠାରେ ଏକ ପବିତ୍ର ସ୍ତୂପ ନିର୍ମାଣ କରାଇଥିଲେ । ଅଷ୍ଟମ ଶତାବ୍ଦୀରେ ଭୌମକର ବଂଶୀୟ କେତେକ ରାଜା ବୌଦ୍ଧଧର୍ମର ପୃଷ୍ଠପୋଷକତା କରି ବିହାର ଓ ଚୈତ୍ୟଗୃହ ନିର୍ମାଣ କରାଇ ଥିଲେ । ଏହି ବଂଶର ରାଜା ଶିବକର ଦେବ ଉନ୍ମଟ୍ଟ ସିଂହ ଗଣ୍ଡବ୍ୟୁହ ନାମକ ଏକ ବୌଦ୍ଧ ଧର୍ମଗ୍ରନ୍ଥ ଚୀନ ଦେଶର ସମ୍ରାଟ ତେ-ସଙ୍ଗଙ୍କ ନିକଟକୁ ପଠାଇଥିଲେ । ଏହା ପରେ ଓଡ଼ିଶାରେ ବୌଦ୍ଧଧର୍ମର ପ୍ରାଧାନ୍ୟ ହ୍ରାସପାଇଲା ।
ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀଠାରୁ ଓଡ଼ିଶାରେ ବ୍ରାହ୍ମଣ୍ୟ ଧର୍ମର ବିକାଶ ଘଟି ବିଭିନ୍ନ ମତବାଦର ପାଇଲା । ଶୈବ, ଶାକ୍ତ, ବୈଷ୍ଣବ ମତବାଦର କ୍ରମଶଃ ବିକାଶ ସହିତ ଓଡ଼ିଶାରେ ଅନେକ ମନ୍ଦିର ନିର୍ମାଣ ହେଲା । ଶିବ, ଦୁର୍ଗା, ବିଷ୍ଣୁ, ଗଣେଶ, କାର୍ତ୍ତିକେୟ, ବରାହ, ନୃସିଂହ ଓ ବାମନ ପ୍ରଭୃତି ଦେବଦେବୀମାନେ ଏହି ମନ୍ଦିରଗୁଡ଼ିକର ଅଭ୍ୟନ୍ତରରେ ତଥା ପାର୍ଶ୍ୱରେ ପୂଜା ପାଇଲେ । ମହାନଦୀ କୂଳରେ ଓ ପ୍ରାଚୀ ନଦୀ ଉପତ୍ୟକାରେ ମାଧବ ଉପାସନା ଲୋକପ୍ରିୟ ହେଲା । ଅଷ୍ଟମ ଶତାବ୍ଦୀ ବେଳକୁ ପୁରୀରେ ପୁରୁଷୋତ୍ତମ ନୀଳମାଧବ ପ୍ରସିଦ୍ଧି ଲାଭ କଲେ । କିମ୍ବଦନ୍ତୀ ଅନୁସାରେ ନୀଳ କନ୍ଦରରେ ଶବର ରାଜା ବିଶ୍ୱାବସୁଙ୍କ ପୂଜିତ ନୀଳମାଧବ ପୁରୁଷୋତ୍ତମ ରୂପେ ପରିଚିତ ହୋଇ ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ସର୍ବଶ୍ରେଷ୍ଠ ଦେବତା ରୂପେ ଘୋଷିତ ହେଲେ । କାଳକ୍ରମେ ଶିବ-ଦୁର୍ଗା-ବିଷ୍ଣୁଙ୍କ (ପୁରୁଷୋତ୍ତମ) ସମନ୍ୱୟ ଘଟି ପୁରୀରେ ଏହି ତିନି ଦେବତା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରୂପରେ ଦାରୁବିଗ୍ରହରେ ପୂଜାପାଇଲେ । ଜଗନ୍ନାଥ ଧର୍ମ ମଧ୍ୟରେ ବିଭିନ୍ନ ଧର୍ମ ଓ ମତବାଦର ସମନ୍ୱୟ ମଧ୍ୟ ଘଟିଲା । ସାଧୁସନ୍ଥମାନେ ଜଗନ୍ନାଥ ଧାମରେ ନିଜ ନିଜ ସଂପ୍ରଦାୟର ମଠ ଓ ଉପାସନା ମନ୍ଦିର ସ୍ଥାପନାକଲେ । ତନ୍ମଧ୍ୟରୁ ଶଙ୍କର, ରାମାନୁଜ, ନିମ୍ବାର୍କ, ମାଧବାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, କବୀର, ଗୁରୁ ନାନକ, ଚୈତନ୍ୟ ଆଦି ପ୍ରଧାନ ।
ଷୋଡ଼ଶ ଶତାବ୍ଦୀରେ ଓଡ଼ିଶାରେ ଇସଲାମ ଧର୍ମାବଲମ୍ବୀମାନେ ଆସି ବସବାସ କଲେ । କାଳକ୍ରମେ ଜଳେଶ୍ୱର, ଭଦ୍ରକ, କଟକ, ପିପିଲି ଅଞ୍ଚଳରେ ମୁସଲମାନ ଲୋକସଂଖ୍ୟା ବୃଦ୍ଧିପାଇଲା । ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ ମଧ୍ୟ ଏହି ସମୟରେ ଘଟିବା ଆରମ୍ଭ ହେଲା । ମୁସଲମାନ ଫକୀର ଓ ସୁଫି ସନ୍ଥମାନଙ୍କ ଦରଘା ବା ସମାଧିପୀଠକୁ ଉଭୟ ସଂପ୍ରଦାୟର ଲୋକମାନେ ଭକ୍ତି ପ୍ରଦର୍ଶନ କଲେ । ଏହି ସଦ୍ଭାବର ପ୍ରଭାବ ମୋଗଲ ତାମସା ଅଭିନୟରେ ଦେଖିବାକୁ ମିଳିଥାଏ ।
ଅଷ୍ଟାଦଶ ଶତାବ୍ଦୀଠାରୁ ଓଡ଼ିଶାରେ ଖ୍ରୀଷ୍ଟିଆନ ଧର୍ମଯାଜକମାନଙ୍କ ଆଗମନ ଘଟି ରୋମାନ କ୍ୟାଥଲିକ, ପ୍ରୋଟେଷ୍ଟାଣ୍ଟ ଓ ବାପଟିଷ୍ଟ୍ ପ୍ରଭୃତି ଖ୍ରୀଷ୍ଟିଆନ ସଂପ୍ରଦାୟମାନଙ୍କ ସୃଷ୍ଟି ହେଲା । ଧର୍ମଯାଜକମାନେ ସ୍କୁଲ, ଡାକ୍ତରଖାନା ଇତ୍ୟାଦି ମଧ୍ୟ ସ୍ଥାପନା କଲେ । ଏହି ସମୟରେ ସ୍ଥାପିତ କଟକର ମିଶନ ପ୍ରେସ ଥିଲା ଓଡ଼ିଶାର ସର୍ବପୁରାତନ ମୁଦ୍ରଣଶାଳା ।
ଉନ୍ନବିଂଶ ଶତାବ୍ଦୀରେ ମହିମା ଗୋସାଇଁଙ୍କଦ୍ୱାରା ପ୍ରଚାରିତ ଅଲେଖ ମହିମା ଧର୍ମ କେନ୍ଦ୍ର ଓ ପଶ୍ଚିମ ଓଡ଼ିଶାର କୃଷକ ସଂପ୍ରଦାୟରେ ବିଶେଷ ଆଦୃତ ହୋଇଥିଲା । ଭୀମ ଭୋଇଙ୍କଦ୍ୱାରା ରଚିତ ଭଜନମାଳା ଓଡ଼ିଶା ଓ ଓଡ଼ିଶା ବାହାରେ ମହିମା ଧର୍ମର ପ୍ରସାର ପାଇଁ ସହାୟକ ହୋଇଥିଲା ।
ସଂସ୍କୃତ ସାହିତ୍ୟକୁ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ତନ୍ମଧ୍ୟରୁ କୃଷ୍ଣ ମିଶ୍ରଙ୍କ ପ୍ରବୋଧ ଚନ୍ଦ୍ରୋଦୟ, ଶତାନନ୍ଦଙ୍କ ଭାସ୍ୱତୀ, ଜୟଦେବଙ୍କ ଗୀତଗୋବିନ୍ଦ, ବିଦ୍ୟାଧରଙ୍କ ଏକାବଳୀ ଓ ବିଶ୍ୱନାଥ କବିରାଜଙ୍କ ସାହିତ୍ୟ ଦର୍ପଣ ଉଲ୍ଲେଖଯୋଗ୍ୟ ।
ପଞ୍ଚଦଶ ଶତାବ୍ଦୀର ସାରଳା ଦାସ ଓଡ଼ିଆ ସାହିତ୍ୟର ଆଦିକବି ରୂପେ ସ୍ୱୀକୃତ । ସେ ଥିଲେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମସାମୟିକ । ସାରଳା ଦାସଙ୍କ ରଚିତ ଓଡ଼ିଆ ମହାଭାରତ, ବିଲଙ୍କା ରାମାୟଣ, ଚଣ୍ଡୀପୁରାଣ ଆଦି ଗ୍ରନ୍ଥ ମୂଳ ବିଷୟବସ୍ତୁ ବ୍ୟାଖ୍ୟା କରିବା ସହିତ ସେ ସମୟର ସାମାଜିକ ଓ ଐତିହାସିକ ଚିତ୍ର ପ୍ରଦାନକରନ୍ତି । ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପ୍ରତାପରୁଦ୍ର ଦେବଙ୍କ ସମୟର ପଞ୍ଚସଖା (ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଅନନ୍ତ ଦାସ) ଭକ୍ତିରସାତ୍ମକ କାବ୍ୟ ରଚନା କରିଥିଲେ । ସେମାଙ୍କ କୃତି ମଧ୍ୟରୁ ବଳରାମ ଦାସଙ୍କ ଦାଣ୍ଡି ବା ଜଗମୋହନ ରାମାୟଣ, ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ଓ ଅଚ୍ୟୁତାନନ୍ଦ ଦାସଙ୍କ ଶୁନ୍ୟସଂହିତା ଆଦି ପ୍ରମୁଖ ।[୭] ପରବର୍ତ୍ତୀ ସମୟ ରୀତିଯୁଗୀୟ ସାହିତ୍ୟିକମାନଙ୍କ ମଧ୍ୟରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ଭକ୍ତ କବି ଗୋପାଳକୃଷ୍ଣ ପଟ୍ଟନାୟକ, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର, ଦୀନକୃଷ୍ଣ ଦାସ, ବ୍ରଜନାଥ ବଡ଼ଜେନା, ଗଙ୍ଗାଧର ଗୁରୁ ପ୍ରଭୃତି ପ୍ରସିଦ୍ଧ । ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ, ଲାବଣ୍ୟବତୀ, ପ୍ରେମ ସୁଧାନିଧି, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଓ ରସିକ ହାରାବଳୀ, ବଳଦେବ ରଥଙ୍କ କିଶୋର ଚନ୍ଦ୍ରାନନ ଚମ୍ପୂ, ସଙ୍ଗୀତ କଳ୍ପଲତା ଓ ଚନ୍ଦ୍ରକଳା, ଗୋପାଳକୃଷ୍ଣଙ୍କ ପଦ୍ୟାବଳୀ, ଅଭିମନ୍ୟୁଙ୍କ ବିଦଗ୍ଧ ଚିନ୍ତାମଣି, ଦିନକୃଷ୍ଣ ଦାସଙ୍କ ରସକଲ୍ଲୋଳ, ବ୍ରଜନାଥ ବଡ଼ଜେନାଙ୍କ ସମର ତରଙ୍ଗ, ଗଙ୍ଗାଧର ଗୁରୁଙ୍କ କୋଶଳାନନ୍ଦ କାବ୍ୟ ଆଦି ଏହି ସମୟର ପ୍ରସିଦ୍ଧ ରଚନାବଳୀ ।
ଉନ୍ନବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟର ନବ ଜାଗରଣ ଏବଂ ପରେ ବିଂଶ ଶତାବ୍ଦୀର ସ୍ୱାଧୀନତା ସଂଗ୍ରାମ ତଥା ଓଡ଼ିଆ ଭାଷା ଆନ୍ଦୋଳନର ପ୍ରଭାବ ସ୍ୱରୂପ ଓଡ଼ିଶାରେ ନୂତନ ସାହିତ୍ୟ ସୃଷ୍ଟି ହୋଇଥିଲା । ଏହି ସମୟର ପ୍ରମୁଖ ସାହିତ୍ୟିକମାନଙ୍କ ମଧ୍ୟରୁ ମଧୁସୂଦନ ରାଓ, ରାଧାନାଥ ରାୟ, ଫକୀର ମୋହନ ସେନାପତି, ନନ୍ଦକିଶୋର ବଳ, ଗଙ୍ଗାଧର ମେହେର ଏବଂ ସଦ୍ୟବାଦୀ ଯୁଗର ପଞ୍ଚସଖା ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, କୃପାସିନ୍ଧୁ ମିଶ୍ର ଓ ଆଚାର୍ଯ୍ୟ ହରିହର ଦାସ ଆଦି ଅନ୍ୟତମ । ଏତଦ୍ବ୍ୟତୀତ ଜଗବନ୍ଧୁ ସିଂହ, ଗୌରୀଶଙ୍କର ରାୟ, ନୀଳମଣି ବିଦ୍ୟାରତ୍ନ, ବିଶ୍ୱନାଥ କର ପ୍ରଭୃତି ସାହିତ୍ୟିକ ଗଦ୍ୟ, ପ୍ରବନ୍ଧ, ଉପନ୍ୟାସ, କବିତା, ନାଟକ ଓ ସମ୍ବାଦ ମାଧ୍ୟମରେ ଓଡ଼ିଆ ସାହିତ୍ୟର ପ୍ରସାର କରିଥିଲେ । ପ୍ରଶାନ୍ତ କୁମାର ମଙ୍ଗରାଜ ଓଡ଼ିଆ ଶିଶୁସାହିତ୍ୟର ଅନ୍ୟତମ ସ୍ରଷ୍ଟା।
ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ ଓ ପ୍ରାଚୀନ । ଖାରବେଳଙ୍କ ସମୟରେ ଖୋଦିତ ରାଣୀଗୁମ୍ଫା, ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀ ନୃତ୍ୟର ଆଧାର । ଭରତଙ୍କ ନାଟ୍ୟଶାସ୍ତ୍ରରେ କଳିଙ୍ଗ ନୃତ୍ୟ ଶୈଳୀ ଉଲ୍ଲିଖିତ । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର, ବୈତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ରାଜରାଣୀ ମନ୍ଦିର, ଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର ପ୍ରଭୃତି, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅମାନଙ୍କଦ୍ୱାରା ପରିବେଷିତ ହୋଇ ଆସୁଥିଲା । ଭାରତ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଏହାକୁ ଓଡ଼ିଶୀ ନାମରେ ନାମିତ କରାଗଲା ଓ ପରେ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା । ଏଥିରେ କାଳୀଚରଣ ପଟ୍ଟନାୟକ, ପଙ୍କଜଚରଣ ଦାସ, ଦେବପ୍ରସାଦ ଦାସ, କେଳୁଚରଣ ମହାପାତ୍ର, ସଂଯୁକ୍ତା ପାଣିଗ୍ରାହୀ ଆଦି ନୃତ୍ୟଗୁରୁମାନଙ୍କ ଭୂମିକା ଅନ୍ୟତମ । ଓଡ଼ିଶୀ ନୃତ୍ୟର ଅଙ୍ଗଭଙ୍ଗୀ ଓ ଲାଳିତ୍ୟ ଏହାର ବୈଶିଷ୍ଟ୍ୟ । ଏହି ନୃତ୍ୟର ପାଞ୍ଚଗୋଟି ପର୍ଯ୍ୟାୟ ରହିଛି: ମଙ୍ଗଳାଚରଣ, ବଟୁ, ପଲ୍ଲବୀ, ଅଭିନୟ ଓ ମୋକ୍ଷ । ନୃତ୍ୟ ଆରମ୍ଭରେ ନର୍ତ୍ତକୀ ଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳିଦ୍ୱାରା ପ୍ରଣାମ ନିବେଦନ କରନ୍ତି ଓ ଶେଷରେ ମୋକ୍ଷ ଲାଭ କାମନା କରି ପ୍ରଣତି ଜଣାନ୍ତି । ଏହି ନୃତ୍ୟରେ ପଖଉଜ, ବେହେଲା, ଗିନି, ଝାଞ୍ଜ, ବଂଶୀ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ । ଓଡ଼ିଶୀ ନୃତ୍ୟ ଭଳି ଓଡ଼ିଶୀ ସଙ୍ଗୀତ ମଧ୍ୟ ଏକ ଶାସ୍ତ୍ରୀୟ ସଙ୍ଗୀତ । ଶ୍ରୀଜଗନ୍ନାଥ ଓ ରାଧା-କୃଷ୍ଣଙ୍କର ଉପରେ ଆଧାରିତ ପାରମ୍ପାରିକ ଭକ୍ତିସଙ୍ଗୀତ ଓଡ଼ିଶୀ ସଙ୍ଗୀତ ମାଧ୍ୟମରେ ଏକ ସ୍ୱତନ୍ତ୍ର ରାଗ, ତାଳ ଓ ଗାୟନଶୈଳୀ ମାଧ୍ୟମରେ ପରିବେଷିତ ହୁଏ ।
ଆଞ୍ଚଳିକତା-ଭିତ୍ତିରେ ଓଡ଼ିଶାର ଲୋକନୃତ୍ୟ ଗୁଡ଼ିକ ମଧ୍ୟରେ ଦକ୍ଷିଣ ଓଡ଼ିଶାର ଦଣ୍ଡନାଟ, ପାଟୁଆଯାତ୍ରା, ଚଇତି ଘୋଡ଼ା ନାଚ, ପଶ୍ଚିମ ଓଡ଼ିଶାର ଡାଲଖାଇ ନାଚ, କଳହାଣ୍ଡିର ଘୁମୁରା ନାଚ, ପୁରୀର ସାହି ଯାତ, ମୟୂରଭଞ୍ଜର ଛଉ ନାଚ ଏବଂ ଶବର-ଶବରୁଣୀ, ଚଢ଼େଇଆ ନାଚ ଆଦି ପ୍ରସିଦ୍ଧ । ଓଡ଼ିଶାରେ ପାଳିତ ବିଭିନ୍ନ ପର୍ବପର୍ବାଣି ଓ ମେଳା ମହୋତ୍ସବମାନଙ୍କରେ ଏହି ନାଚସବୁ ପରିବେଷିତ ହୋଇଥାଏ । ଲୋକନୃତ୍ୟ ସହ ଲୋକସଂଗୀତ ମଧ୍ୟ ଗାନ କରାଯାଇଥାଏ ।
ଓଡ଼ିଶାର ବର୍ଷର ବିଭିନ୍ନ ସମୟରେ ନାନା ପ୍ରକାର ଯାନିଯାତ୍ରା ଓ ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ । ଯାତ୍ରାଗୁଡ଼ିକ ମୁଖ୍ୟତଃ ଜଗନ୍ନାଥଙ୍କୁ କେନ୍ଦ୍ର କରି ଅନୁଷ୍ଠିତ ହୋଇଥାଏ । ଏହି ଯାନିଯାତ୍ରାର ବିଭିନ୍ନତାକୁ ନେଇ "ବାର ମାସରେ ତେର ଯାତ" ନାମକ ଲୋକୋକ୍ତି ରହିଛି । ବୈଶାଖରେ ଅକ୍ଷୟ ତୃତୀୟାଠାରୁ ଏକୋଇଶି ଦିନ ବ୍ୟାପୀ ଚନ୍ଦନଯାତ୍ରା, ଜ୍ୟୋଷ୍ଠ ପୂର୍ଣ୍ଣିମାଦିନ ସ୍ନାନଯାତ୍ରା, ଆଷାଢ଼ ଶୁକ୍ଳ ଦ୍ୱିତୀୟାଠାରୁ ନଅଦିନ ଧରି ରଥଯାତ୍ରା ଓ ବାହୁଡ଼ା ଯାତ୍ରା, ଶ୍ରାବଣ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଝୁଲଣ ଯାତ୍ରା, ଫାଲଗୁନ ପୂର୍ଣ୍ଣିମାରେ ଦୋଳଯାତ୍ରା ଇତ୍ୟାଦି ଅନ୍ୟତମ । ଏହା ଛଡ଼ା ଭାଦ୍ରବରେ ଗଣେଶ ପୂଜା ଓ ବିଶ୍ୱକର୍ମା ପୂଜା, ଆଶ୍ୱିନରେ ଷୋହଳ ଦିନ ବ୍ୟାପୀ ଦେବୀ ପୀଠମାନଙ୍କରେ ଦୁର୍ଗା ପୂଜା ଓ ଶୁକ୍ଳ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ସାର୍ବଜନୀନ ଦୁର୍ଗା ମେଢ଼ ପୂଜା, କାର୍ତ୍ତିକରେ ଲକ୍ଷ୍ମୀ, କାଳୀ ପୂଜା ଓ କାର୍ତ୍ତିକେୟ ମେଢ଼ ପୂଜା ଓ ବାଲିଯାତ୍ରା, ମାର୍ଗଶୀରରେ ଲକ୍ଷ୍ମୀ ପୂଜା ବା ମାଣବସା ଗୁରୁବାର, ମାଘରେ ସରସ୍ୱତୀ ପୂଜା, ଫାଲଗୁନରେ ଜାଗର ଯାତ୍ରା ଓ ଚୈତ୍ରରେ ଝାମୁ ଯାତ୍ରା ଇତ୍ୟାଦି ଅନ୍ୟତମ । ଏତଦ୍ବ୍ୟତିତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନୂଆଖାଇ, ଶୀତଳ ଷଷ୍ଠୀ, ଧନୁଯାତ୍ରା, ଠାକୁରାଣୀ ଯାତ୍ରା, ଶୁଲିଆ ଯାତ୍ରା, ଗଜଲକ୍ଷ୍ମୀ ଯାତ୍ରା ଆଦି ପ୍ରଧାନ ।
ଯାନିଯାତ୍ରା ଭଳି ଓଡ଼ିଶାରେ ବର୍ଷର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପର୍ବପର୍ବାଣି ପାଳିତ ହୋଇଥାଏ । ତନ୍ମଧ୍ୟରୁ ଚଇତି ପର୍ବ, ଗହ୍ମା ପୂର୍ଣ୍ଣିମା, ଦଶହରା, ମକର ସଂକ୍ରାନ୍ତି, ଦୋଳଯାତ୍ରା, ଟୁସୁ ପରବ ଇତ୍ୟାଦି ପ୍ରଧାନ । ବିଭିନ୍ନ ଓଷା ମଧ୍ୟରେ ଷଷ୍ଠୀ ଓଷା, ଫୁଲେରା ଓଷା, କାଞ୍ଜିଅଁଳା ଓଷା, ଖୁଦୁରୁକୁଣୀ ଓଷା, ବୁଧେଇ ଓଷା, ଦ୍ୱିତୀୟା ଓଷା ଓ ବଡ଼ ଓଷା ଏବଂ ବ୍ରତ ମଧ୍ୟରେ ସୁଦଶା ବ୍ରତ, ସୋମନାଥ ବ୍ରତ, ଗୌରୀ ବା ବାଲି ତୃତୀୟା ବ୍ରତ, ଅନନ୍ତ ବ୍ରତ, ସାବିତ୍ରୀ ବ୍ରତ, କେଦାର ବ୍ରତ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ଏହି ସବୁ ପର୍ବପର୍ବାଣି ଓ ଓଷା ବ୍ରତ ଜନଜୀବନରେ ଧର୍ମୀୟ ଚେତନା ଦୃଢିଭୂତ କରିବାରେ ସହାୟକ ହୋଇଥାଏ ।
{{cite web}}
: replacement character in |title=
at position 11 (help)