କମଳା ଭାସିନ | |
---|---|
![]() ଢାକା ସାହିତ୍ୟ ଉତ୍ସବ ୨୦୧୭ରେ | |
ଜନ୍ମ ଓ ଜନ୍ମସ୍ଥାନ | Shaheedanwali ସହିଦାଁୱାଲି, ମଣ୍ଡି ବହାଉଦ୍ଦିନ, ପଞ୍ଜାବ, ବ୍ରିଟିଶ ଭାରତ[୧] | ୨୪ ଅପ୍ରେଲ ୧୯୪୬
ମୃତ୍ୟୁ | ୨୫ ସେପ୍ଟେମ୍ବର ୨୦୨୧ ଦିଲ୍ଲୀ, ଭାରତ | (ବୟସ ୭୫)
ବୃତ୍ତି | ନାରୀବାଦ କର୍ମୀ, ସାହିତ୍ୟିକ |
ଭାଷା | ହିନ୍ଦୀ, ଇଂରାଜୀ |
ଶିକ୍ଷା | କଳାରେ ସ୍ନାତକୋତ୍ତର |
ଶିକ୍ଷାନୁଷ୍ଠାନ | ରାଜସ୍ଥାନ ବିଶ୍ୱବିଦ୍ୟାଳୟ, ମଂଷ୍ଟର ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | ବର୍ଡ଼ର୍ସ ଆଣ୍ଡ ବାଉଣ୍ଡେରିଜ : ଓମେନେ ଇନ ଇଣ୍ଡିଆ'ସ ପାର୍ଟିସନ (ବହି) |
କମଳା ଭାସିନ (୨୪ ଅପ୍ରେଲ ୧୯୪୬ - ୨୫ ସେପ୍ଟେମ୍ବର ୨୦୨୧) ଜଣେ ଭାରତୀୟ ନାରୀବାଦ କର୍ମୀ ଓ ସାହିତ୍ୟିକା ଥିଲେ । ୧୯୭୦ ମସିହାରୁ କମଳା ଲିଙ୍ଗବାଦ, ଶିକ୍ଷା, ମାନବ ବିକାସ ଓ ମିଡ଼ିଆ ଉପରେ ଲେଖାଲେଖି କରି ଆସୁଥିଲେ ।[୨][୩] ସେ ଦିଲ୍ଲୀରେ ବସବାସ କରୁଥିଲେ । ନାରୀବାଦୀ ଅନୁଷ୍ଠାନ ସଙ୍ଗତ ସହିତ ସେ ସଂଶ୍ଳୀଷ୍ଠ ଥିଲେ । ତାଙ୍କ କବିତା କ୍ୟୁଁ କି ମେଁ ଲଡ଼କି ହୁଁ, ମୁଝେ ପଢ଼ନା ହେ ପାଇଁ ସେ ପରିଚିତ ଥିଲେ ।[୪] ୱାନ ବିଲିୟନ ରାଇଜିଂ କାର୍ଯ୍ୟକ୍ରମ ପାଇଁ ସେ ଦକ୍ଷିଣ ଏସିଆର ପ୍ରତିନିଧି ଥିଲେ ।
୨୦୦୨ ମସିହାରେ କମଳା ମିଳିତ ଜାତିସଂଘରେ କରୁଥିବା ଚାକିରୀରୁ ଇସ୍ତଫା ଦେଇ ସଙ୍ଗତ ଅନୁଷ୍ଠାନ ସହିତ ଯୋଡ଼ି ହୋଇଥିଲେ । ସେ ଥିଲେ ଏହି ଅନୁଷ୍ଠାନର ଅନ୍ୟତମ ପ୍ରତିଷ୍ଠାତା ଓ ପରାମର୍ଶକ ।[୫] ସେ ସାମାଜିକ ସୁବିଧାଠାରୁ ବଞ୍ଚିତ ଆଦିବାସୀ ଓ ଅନ୍ୟ କର୍ମଜୀବି ମହିଳାମାନଙ୍କ ପାଇଁ କାମ କରୁଥିଏଲ୍ । ନାଟକ, ପୋଷ୍ଟର ଏବଂ ଅନ୍ୟାନ୍ୟ ମାଧ୍ୟମ ସହିତ ସେ ଏହି ଅଶିକ୍ଷିତ ବା ଅଳ୍ପଶିକ୍ଷିତ ମହିଳାମାନଙ୍କୁ ଜାଗ୍ରତ କରୁଥିଲେ ।[୫][୬]
ଭାରତକୁ ମଧ୍ୟରାତ୍ରରେ ସ୍ୱାଧୀନତା ପ୍ରାପ୍ତ ହୋଇଥିବାରୁ ଓ ନିଜେ ସେହି ସମୟର ପାଖାପାଖି ଜନ୍ମଗ୍ରହଣ କରିଥିବାରୁ, କମଳା ନିଜକୁ "ଦ ମିଡ଼ନାଇଟ ଜେନେରେସନ" ବା ମଧ୍ୟରାତ୍ର ପିଢ଼ୀ ଭାବରେ ପରିଚିତ କରାଉଥିଲେ ।[୭] ତାଙ୍କ ପିତା ରାଜସ୍ଥାନର ଜଣେ ଡାକ୍ତର ଥିଲେ । ଛଅ ଜନ ଭାଇ ଭଉଣୀଙ୍କ ମଧ୍ୟରେ କମଳାଙ୍କ ସ୍ଥାନ ଥିଲା ଚତୁର୍ଥ ।[୭][୮] ଗ୍ରାମୀଣ ପରିବେଶରେ ସେ ବଢ଼ିଥିବାରୁ ସେଠାକର ମହିଳାମାନଙ୍କ ସମସ୍ୟା ବିଷୟରେ ସେ ଭଲଭାବରେ ଅବଗତ ଥିଲେ ।[୫]
ରାଜସ୍ଥାନରେ ସେବା ମନ୍ଦିରରେ କାମ କରୁଥିବା ସମୟରେ କମଳା ତାଙ୍କ ଭାବି-ପତିଙ୍କୁ ଭେଟିଥିଲେ । ନିଜ ପତିଙ୍କୁ ସେ ଜଣେ ନାରୀବାଦୀ ପୁରୁଷ ଭାବରେ ବର୍ଣ୍ଣନା କରୁଥିଲେ ଓ ନାରୀମାନଙ୍କ ମଙ୍ଗଳ ପାଇଁ ସ୍ୱାମୀଙ୍କଠାରୁ ତାଙ୍କୁ ଅନେକ ପ୍ରଗତିଶୀଳ ଉପଦେଶ ମିଳୁଥିଲା । ପରେ ଅବଶ୍ୟ ତାଙ୍କ ସ୍ୱାମୀଙ୍କ ସହ କମଳାଙ୍କର ସମ୍ପର୍କ ଖରାପ ହୋଇଥିଲା । ନିଜ ସାବାଳିକ ଝିଅର ମୃତ୍ୟୁ ତାଙ୍କୁ ଗଭିର ଦୁଃଖ ଦେଇଥିଲା । ତାଙ୍କ ପୁତ୍ର ମଧ୍ୟ ଏକ ଟିକାର ପ୍ରତିକୁଳ ପ୍ରତିକ୍ରିୟା ଯୋଗୁ ବିକଳାଙ୍ଗ ହୋଇଯାଇଥିଲେ ।[୭][୮]
କମଳା, ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ପଶ୍ଚିମ ଜର୍ମାନୀର ମଂଷ୍ଟର ବିଶ୍ୱବିଦ୍ୟାଳୟରୁ ସମାଜଶାସ୍ତ୍ରରେ ଅଧିକ ଅଧ୍ୟୟନ କରିଥିଲେ । ଶିକ୍ଷା ସମାପ୍ତ କରି ସେ ଜର୍ମାନୀରେ କିଛିଦିନ ଅଧ୍ୟାପନା କରିଥିଲେ ।[୭][୬] ତାପରେ ସେ ଭାରତ ଫେରି "ସେବା ମନ୍ଦିର"ରେ କାର୍ଯ୍ୟରମ୍ଭ କରିଥିଲେ । ଭାରତରେ କାମ କରି, ସେ ବର୍ଣ୍ଣବୈଷମ୍ୟ ଓ ନାରୀବାଦ ପରିପୂରକ ବୋଲି ବୁଝିପାରିଥିଲେ ।[୭] ସେ ପରେ ଜାତିସଂଘରେ କାମ କରିବା ଆରମ୍ଭ କରିଥିଲେ । ୧୯୭୬ ମସିହାରେ ସେ ବଙ୍ଗଳାଦେଶକୁ ଯାଇ ସେଠାରେ ଗଣସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରିଥିଲେ ।[୯] ଏଠାରେ ସେ ଜଫରୁଲ୍ଲା ଚୌଧୁରୀଙ୍କ ସଂସ୍ପର୍ଶରେ ଆସିଥିଲେ ଓ ତାଙ୍କୁ ସେ ନିଜର ଗୁରୁ ଭାବରେ ଗ୍ରହଣ କରିଥିଲେ ।[୫] "ସଙ୍ଗତ" ଅନୁଷ୍ଠାନ ସହିତ ସେ ସବୁବେଳେ ଜଡ଼ିତ ଥିଲେ କିନ୍ତୁ ୨୦୦୨ ମସିହାରେ ସେ ଜାତିସଂଘର ଚାକିରୀରୁ ଇସ୍ତଫା ଦେଇ "ସଙ୍ଗତ" ଅନୁଷ୍ଠାନ ସହିତ ପୂର୍ଣ୍ଣ ଭାବରେ କାମ କରିବା ଆରମ୍ଭ କରିଥିଲେ । ୱାନ ବିଲିୟନ ରାଇଜିଂ କାର୍ଯ୍ୟକ୍ରମ ସହିତ ସେ ଓତଃପ୍ରୋତଃ ଭାବରେ ଜଡ଼ିତ ରହିଥିଲେ । ୨୦୧୭ରେ ସେ ଏହି କାର୍ଯ୍ୟକ୍ରମକୁ ନେପାଳର କାଠମାଣ୍ଡୁ ସହରରେ ମଧ୍ୟ ଆରମ୍ଭ କରିଥିଲେ ।[୧୦]
ପିତୃତତ୍ତ୍ୱ ଓ ଲିଙ୍ଗବୌଷମ୍ୟ ବାବଦରେ ସେ ଲେଖିଥିବା ବହି ସବୁ ୩୦ଟି ବିଭିନ୍ନ ଭାଷାରେ ଅନୁବାଦିତ ହୋଇଛି ଓ ବିଭିନ୍ନ ଏନଜିଓ ଏହି ପୁସ୍ତକ ଗୁଡ଼ିକୁ ନିଜ କାମରେ ବ୍ୟବହାର କରିଛନ୍ତି ।
କର୍କଟ ରୋଗରେ ପୀଡ଼ିତ ହୋଇ, କମଳା ୨୦୨୧ ମସିହା ସେପ୍ଟେମ୍ବର ୨୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧୩][୧୪]