ଗୋକ୍ୟୋ ହ୍ରଦ ସମୂହ | |
---|---|
ଅବସ୍ଥାନ | ସୋଲୁଖୁମ୍ବୁ ଜିଲ୍ଲା |
ଦିଗବାରେଣି | 27°58′49″N 86°40′07″E / 27.98028°N 86.66861°E |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | ନେପାଳ |
କ୍ଷେତ୍ରଫଳ | ୧୯୬.୨ ହେକ୍ଟର୍ |
ଭୂମି ଉଚ୍ଚତା | ୪୭୦୦-୫୦୦୦ ମିଟର |
Official name | ଗୋକ୍ୟୋ ଓ ସମ୍ବନ୍ଧୀୟ ହ୍ରଦ ସମୂହ |
Designated | ୧୩ ସେପ୍ଟେମ୍ବର, ୨୦୦୭ |
Reference no. | ୧୬୯୨[୧] |
ଗୋକ୍ୟୋ ହ୍ରଦ ସମୂହ (ମୂଳ ନେପାଳୀ ନାମ गोक्यो ताल) ନେପାଳର ସାଗରମଥା ଜାତୀୟ ଉଦ୍ୟାନରେ ସମୁଦ୍ର ପତନରୁ ୪୭୦୦-୫୦୦୦ ମିଟର ଉଚ୍ଚତାରେ ଅବସ୍ଥିତ ହ୍ରଦ ସମୂହ । ବିଶ୍ୱର ଉଚ୍ଚତମ ମଧୁରଜଳବିଶିଷ୍ଟ ଗୋକ୍ୟୋ ହ୍ରଦସମୂହ ପ୍ରକୃତରେ ୬ଟି ମୁଖ୍ୟ ହ୍ରଦର ସମାହାରରେ ଗଠିତ । ତନ୍ମଧ୍ୟରୁ ଥୋନାକ ହ୍ରଦ ବୃହତ୍ତମ ।[୨] ୨୦୦୭ ମସିହା ସେପ୍ଟେମ୍ବର ମାସରେ ୭୭୭୦ ହେକ୍ଟର୍ ପରିମିତ ଗୋକ୍ୟୋ ଓ ନିକଟସ୍ଥ ହ୍ରଦମାନଙ୍କୁ ରାମ୍ସାର୍ ଆର୍ଦ୍ରଭୂମି ଭାବେ ବିବେଚିତ କରାଯାଇଥିଲା ।[୩]
ଉତ୍ତର-ପୂର୍ବ ନେପାଳର ସାଗରମଥା ଅଞ୍ଚଳର ସୋଲୁଖୁମ୍ବୁ ଜିଲ୍ଲାସ୍ଥିତ ଖୁମଜୁଂଗ୍ ଗ୍ରାମ ବିକାଶ ସମିତିର ଭୌଗୋଳିକ କ୍ଷେତ୍ରରେ ଗୋକ୍ୟୋ ହ୍ରଦ ଅବସ୍ଥିତ । ଗୋକ୍ୟୋ ହ୍ରଦକୁ ଦୁଧ ପୋଖରୀ ବୋଲି ମଧ୍ୟ କୁହାଯାଏ । ୪୨.୯ ହେକ୍ଟର୍ କ୍ଷେତ୍ରଫଳ ବିଶିଷ୍ଟ ଗୋକ୍ୟୋ ଚୋ ଏହି ସମୂହର ମୁଖ୍ୟ ହ୍ରଦ ଓ ଏହାର ପୂର୍ବ ତଟରେ ଗୋକ୍ୟୋ ନାମକ ଗ୍ରାମ ଅବସ୍ଥିତ । ୬୫.୦୭ ହେକ୍ଟର ପରିମିତ ଥୋନାକ ଚୋ ଏହି ହ୍ରଦ ସମୂହର ସର୍ବବୃହତ ହ୍ରଦ । ହ୍ରଦ ବ୍ୟବସ୍ଥାର ଅନ୍ୟ କ୍ଷୁଦ୍ର ହ୍ରଦଗୁଡ଼ିକ ହେଲେ – ଗ୍ୟାଜୁମ୍ପା ଚୋ (୨୯ ହେକ୍ଟର୍), ତାଞ୍ଜଂଗ୍ ଚୋ (୧୬.୯୫ ହେକ୍ଟର୍), ଙ୍ଗୋଜୁମ୍ବା ଚୋ (୧୪.୩୯ ହେକ୍ଟର୍) । ମଧୁର ଜଳର ହ୍ରଦ ହୋଇଥିବାରୁ ଏହି ହ୍ରଦଗୁଡ଼ିକର ଜଳବୌଜ୍ଞାନିକ ମାନ ଉଚ୍ଚ । ଙ୍ଗୋଜୁମ୍ପା ହିମସ୍ରୋତ ତରଳି ନିଷ୍କାସିତ ଜଳ, ଉତ୍ତର-ପୂର୍ବ ଦିଗରେ ରେଞ୍ଜୋ ଲା ଗିରିପଥରୁ ପ୍ରବାହିତ ଏକ ଜଳ ସ୍ରୋତ ଓ ଙ୍ଗୋଜୁମ୍ପା ହିମସ୍ରୋତର ପୂର୍ବରୁ ବାହାରିଥିବା ଅନ୍ୟ ଏକ ଜଳ ସ୍ରୋତ ଏହି ହ୍ରଦ ସମୂହକୁ ଜଳ ଯୋଗାଇଥାନ୍ତି । ଏହି ହିମସ୍ରୋତରୁ ଉତ୍ପନ୍ନ ହୋଇ ହ୍ରଦରେ ସଂଗୃହୀତ ଏହି ମଧୁର ଜଳ ତୌଜୋନ୍ ହ୍ରଦ ଓ ଲୋଙ୍ଗାବଙ୍ଗା ହ୍ରଦଦ୍ୱାରା ଦୁଧ କୋଶୀର ଉପରମୁଣ୍ଡକୁ ଜଳ ଯୋଗାଇଥାନ୍ତି । ପୂର୍ବେ ଗବେଷକମାନେ ଏହି ହ୍ରଦମାନଙ୍କ ଗଭୀରତା ସମ୍ପର୍କରେ ଯାହା ଅନୁମାନ କରିଥିଲେ, ଏଗୁଡ଼ିକ ପ୍ରକୃତରେ ତାହାଠାରୁ ଗଭୀରତର । ୬୨.୪ ମିଟର୍ ଗଭୀର ଥୋନାକ ଚୋ ଗଭୀରତମ ଓ ତା’ ପରେ ଗୋକ୍ୟୋ ହ୍ରଦ ୪୩ ମିଟର ଗଭୀର ।[୪] ଭୂପୃଷ୍ଠ ଉପରେ ଥୋନାକ ହ୍ରଦର ଉପରାଂଶ, ଗ୍ୟୋକୋ ହ୍ରଦ ଓ ଙ୍ଗୋଜୁମ୍ପା ଚୋ ପରସ୍ପର ସହିତ ସଂଯୁକ୍ତ ଥିବା ଦେଖାଯାଇନାହିଁ କିନ୍ତୁ ଏମାନେ ଭୂତଳରେ ସଂଯୁକ୍ତ ହୋଇ ରହିଥିବା ସମ୍ଭବପର । ଭୂବିଜ୍ଞାନ ଦୃଷ୍ଟିକୋଣରୁ ଏହି ଅଞ୍ଚଳର ଭୂଗଠନ ଅସ୍ଥିର ଓ ପରିବର୍ତ୍ତନଶୀଳ ହୋଇଥିବାରୁ ଏହି ହ୍ରଦଗୁଡ଼ିକ ପ୍ରାକୃତିକ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଙ୍ଗୋଜୁମ୍ପା ହିମସ୍ରୋତ ତରଳି ବନ୍ୟା ହେବା ଏହି ହ୍ରଦଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିପାରେ ।[୫]
ଗୋକ୍ୟୋ ହ୍ରଦ ସମୂହରେ ସର୍ବମୋଟ ୧୯ଟି ଛୋଟ ବଡ଼ ହ୍ରଦ ୧୯୬.୨ ହେକ୍ଟର୍ ଅଞ୍ଚଳରେ ବ୍ୟାପି ରହିଛନ୍ତି । ଏହି ହ୍ରଦଗୁଡ଼ିକ ସମୁଦ୍ର ପତନରୁ ୪୬୦୦-୫୧୦୦ ମିଟର ଉଚ୍ଚତା ମଧ୍ୟରେ ଅବସ୍ଥିତ । ଚୋ ଓୟୁ ପର୍ବତରୁ ନିଃସୃତ ଦୁଧ କୋଶୀ ନଦୀର ଉପରମୁଣ୍ଡରେ ଏହି ଆର୍ଦ୍ରଭୂମି ଓ ହ୍ରଦପୁଞ୍ଜ ରହିଛି ।[୬]
ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀମାନେ ଗୋକ୍ୟୋ ହ୍ରଦସମୂହଙ୍କୁ ଅତି ପବିତ୍ର ବୋଲି ମାନନ୍ତି । ଜନାଇ ପୂର୍ଣ୍ଣିମା ଦିନ ପ୍ରାୟ ୫୦୦ ହିନ୍ଦୁ ଭକ୍ତ ଏହି ହ୍ରଦରେ ବୁଡ଼ ପକାଇଥାନ୍ତି । ପ୍ରତିବର୍ଷ ହାରାହାରି ୭୦୦୦ ପର୍ଯ୍ୟଟକ ଗୋକ୍ୟୋ ହ୍ରଦକୁ ଭ୍ରମଣ ପାଇଁ ଆସିଥାନ୍ତି ।[୫] ଏହି ସ୍ଥାନ ନାଗ ଦେବତାଙ୍କ ବାସସ୍ଥାନ ବୋଲି ବିଶ୍ୱାସ ରହିଛି । ହ୍ରଦର ପଶ୍ଚିମ ପାର୍ଶ୍ୱରେ ହିନ୍ଦୁ ଦେବତା ବିଷ୍ଣୁ ଓ ଶିବଙ୍କ ମନ୍ଦିର ରହିଛି । ଏହି ଅଞ୍ଚଳରେ ଜୀବ ଓ ପକ୍ଷୀଙ୍କୁ ହତ୍ୟା ନ କରିବା ପାଇଁ ଧାର୍ମିକ ପ୍ରଥା ରହିଥିବାରୁ ଏଠାକାର ଜୀବଜନ୍ତୁ କିଛି ମାତ୍ରାରେ ସଂରକ୍ଷିତ ରହିଛନ୍ତି ।[୨]
ଗୋକ୍ୟୋ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ । ଏହିଠାରୁ ସାଗରମଥା ବେସ୍ କ୍ୟାମ୍ପ୍ ଓ ଅନ୍ୟ ବିଭିନ୍ନ ସ୍ଥାନକୁ ରାସ୍ତା ରହିଛି ।[୨] ଗୋକ୍ୟୋ ଗ୍ରାମ ସମୁଦ୍ର ପତନରୁ ୪୭୯୦ ମିଟର ଉଚ୍ଚତାରେ ଅବସ୍ଥିତ ଓ ଏହି ଅଞ୍ଚଳର ମୁଖ୍ୟ ଜନବସତି । ନାମଚେ ବଜାରରୁ ଉପରକୁ ଚଢ଼ିଲେ ଦୁଇ ଦିନରେ ଗୋକ୍ୟୋରେ ପହଞ୍ଚି ହେବ ।[୭] ଏହି ସ୍ଥାନରେ ପହଞ୍ଚିବା ପାଇଁ ଗୋକ୍ୟୋ ରିର ଆରୋହଣ କରିବାକୁ ପଡ଼େ ।
ଏଭେରେଷ୍ଟ୍ ବେସ୍ କ୍ୟାମ୍ପରେ ହେଉଥିବା ଏକ ସଂପ୍ରସାରିତ ଟ୍ରେକିଂ ମାର୍ଗର ଏକ ଅଂଶ ଗୋକ୍ୟୋ ହ୍ରଦସମୂହ ପାର୍ଶ୍ୱ ଦେଇ ଯାଇଥାଏ । ଏହାକୁ ଇବିସି ଟ୍ରେକ୍ ଭାୟା ଗୋକ୍ୟୋ ଲେକ୍ସ୍ (EBC trek via Gokyo Lakes) ବୋଲି କୁହାଯାଏ । ଏହି ସଂପ୍ରସାରିତ ମାର୍ଗରେ ସାଧାରଣ ଇବିସି ଟ୍ରେକ୍ ଅପେକ୍ଷା ୪ ଦିନ ଅଧିକ ସମୟ ଲାଗେ । ଇବିସି ଟ୍ରେକ୍ ସମୟରେ ଏକା ରାସ୍ତାରେ ଯିବା ଆସିବା ହେଉଥିବା ବେଳେ ଗୋକ୍ୟୋ ଟ୍ରେକ୍ ବେଳେ ଏକ କୁଣ୍ଡଳାକାର ପଥରେ ଯିବାକୁ ହୁଏ ।
{{cite book}}
: Cite uses deprecated parameter |authors=
(help)
{{cite web}}
: CS1 maint: multiple names: authors list (link)