ବିଜୟ ଧୋଣ୍ଡୁପନ୍ତ ତେନ୍ଦୁଲକର (୬ ଜାନୁଆରୀ ୧୯୨୮–୧୯ ମଇ ୨୦୦୮) ଜଣେ ମରାଠୀ ଲେଖକ, ନାଟ୍ୟକାର, ତଥା ଚିତ୍ରନାଟ୍ୟ ଲେଖକ ଥିଲେ । ସେ ଶାନ୍ତତା! କୋର୍ଟ ଚାଲୂ ଆହେ, ସଖାରାମ ବାଈଣ୍ଡର, ଓ ଘାଶୀରାମ କୋତଓ୍ବାଲ ଆଦି ନାଟକ ରଚନା ଲାଗି ପ୍ରସିଦ୍ଧ । ସେ କେତେକ ଆମେରିକୀୟ ବିଶ୍ୱବିଦ୍ୟାଳୟରେ ମଞ୍ଚନାଟକ ରଚନା ଶିକ୍ଷାଦାନ କରୁଥିଲେ । ସେ ପଚାଶ ବର୍ଷରୁ ଅଧିକ କାଳ ଧରି ମହାରାଷ୍ଟ୍ରର ଜଣେ ପ୍ରସିଦ୍ଧ ନାଟ୍ୟକାର ତଥା ମଞ୍ଚ ବ୍ୟକ୍ତିତ୍ୱ ଭାବରେ ଜଣାଶୁଣା ଥିଲେ ।
୧୯୨୮ ମସିହା ଜାନୁୟାରୀ ୬ ତାରିଖରେ ମୁମ୍ବାଇର ଗୁରୁଗାଓଁସ୍ଥିତ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ବିଜୟ ତେନ୍ଦୁଲକର। ତାଙ୍କ ବାପା କିରାଣି ଚାକିରି କରିଥିଲେ। ତାଙ୍କର ମଧ୍ୟ ଏକ ବହି ପ୍ରକାଶନ ସଂସ୍ଥା ଥିଲା। ବାପା ବହି ପ୍ରକାଶନ କରୁଥିବାରୁ ତାଙ୍କ ଘରେ ସବୁବେଳେ ଲେଖକମାନଙ୍କର ଭିଡ଼ ଲାଗିରହୁଥିଲା। ପ୍ରଚୁର ବହି ମଧ୍ୟ ଥିଲା। ମୋଟାମୋଟି ଭାବରେ ଘରେ ଏକ ସମାନ୍ତରାଳ ସାରସ୍ବତ ପରିବେଶ ସୃଷ୍ଟି ହେଉଥିଲା। ଏଭଳି ଏକ ପରିବେଶରେ ବଢ଼ିଥିବା ହେତୁ କିଶୋର ବିଜୟ ତେନ୍ଦୁଲକରଙ୍କ ଭିତରେ ସାହିତ୍ୟ ପ୍ରତି ରୁଚି ବଢ଼ିବାକୁ ଲାଗିଲା। ସେ ଖୁବ୍ କମ୍ ବୟସରେ ବହି ସଂସ୍ପର୍ଶରେ ଆସିଲେ ଓ ତାହାକୁ ପଢ଼ିଲେ। ଏହା ହିଁ ତାଙ୍କୁ ପ୍ରକାରାନ୍ତରେ ଲେଖକ ହେବା ପାଇଁ ପ୍ରଚୋଦିତ କଲା। ପାଶ୍ଚାତ୍ୟ ନାଟକ ଦେଖିଦେଖି ତାଙ୍କର ପିଲାବେଳ ଅତିବାହିତ ହୋଇଥିଲା। ମାତ୍ର ୧୧ବର୍ଷ ବୟସରେ ସେ ତାଙ୍କର ପ୍ରଥମ ନାଟକ ଲେଖିଥିଲେ। କେବଳ ନାଟକ ଲେଖି ନ ଥିଲେ; ଅଧିକନ୍ତୁ ସେ ତାହାର ନିର୍ଦ୍ଦେଶନା ଦେଇଥିଲେ ଓ ନିଜେ ମଧ୍ୟ ସେଥିରେ ଅଭିନୟ କରିଥିଲେ। [୧]
ବିଜୟ ତେନ୍ଦୁଲକର ନାଟକ ରଚନା ସହିତ ଚଳଚ୍ଚିତ୍ର ତଥା ଟେଲିଭିଜନ ଜଗତ ସହିତ ସଂଶ୍ଳିଷ୍ଟ ଥିଲେ ଏବଂ ସେ ଜଣେ ପ୍ରାବନ୍ଧିକ ତଥା ରାଜନୈତିକ ଖବରଦାତା । ତାଙ୍କର ନାଟକଗୁଡ଼ିକ ମଧ୍ୟରେ ସାନ୍ତାନ୍ତା! କୋର୍ଟ ଚାଲୁ ଆହେ (ଚୁପ୍! କୋର୍ଟ ଚାଲିଛି), ଘାସିରାମ୍ କୋଟଓ୍ବାଲ, ସଖାରାମ୍ ବିନ୍ଦର ଆଦି ପ୍ରମୁଖ । ସାହିତ୍ୟ ସମାଲୋଚକଙ୍କମାନେ ତାଙ୍କୁ ଜଣେ ବାସ୍ତବବାଦୀ ଲେଖକ ଭାବରେ ବର୍ଣ୍ଣନା କରନ୍ତି । ସେ ତାଙ୍କ ରଚନା ନିମନ୍ତେ ବାସ୍ତବ ଜୀବନରୁ ଉପାଦାନ ସଂଗ୍ରହ କରୁଥିଲେ ।[୨]
{{cite book}}
: Check date values in: |date=
(help)