ଭାରତ ହେଉଛି ବିଶ୍ୱର ସର୍ବ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ।[୧] ଗଣତନ୍ତ୍ରରେ ସରକାରର ୩ଟି ଅଙ୍ଗ ବା ଶାଖା ଥାଏ, ଯଥା ବ୍ୟବସ୍ଥାପକ ସଭା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା । ବ୍ୟବସ୍ଥାପକ ସଭା ଆଇନ ପ୍ରଣୟନ କରୁଥିବାବେଳେ କାର୍ଯ୍ୟପାଳିକା ଏହାକୁ କାର୍ଯ୍ୟକାରୀ କରେ । ସେହିପରି ବିଚାରବିଭାଗ ଏହି ଆଇନ ଗୁଡିକର ତର୍ଜମା, ବ୍ୟାଖ୍ୟା ଓ ସମୀକ୍ଷା କରେ ତଥା ଦୋଷୀକୁ ଦଣ୍ଡବିଧାନ କରେ ।
ଭାରତ ପରି ରାଷ୍ଟ୍ରସଂଘୀୟ ସମ୍ବିଧାନରେ ଏକ ସୁଚିନ୍ତିତ ସ୍ୱାଧୀନ ଓ ନିରପେକ୍ଷ ବିଚାର ବ୍ୟବସ୍ଥା କରାଯାଇଛି । ଭାରତରେ ବିଚାର ବିଭାଗ ଓ ନ୍ୟାୟ ପଦ୍ଧତି ପ୍ରଶାସନର ଏକ ପ୍ରଧାନ ଅଙ୍ଗ ହୋଇଥିଲେ ମଧ୍ୟ ସେମାନଙ୍କର ସ୍ୱାଧୀନତା ରହିଛି । ଭାରତୀୟ ବିଚାର ବିଭାଗର ଅନନ୍ୟ ବିଶେଷତ୍ୱ ହେଉଛି ଏହା ଏକ ଉତ୍ତମ ରୂପେ ଗଢାଯାଇଥିବା ଢଞ୍ଚାରେ କାର୍ଯ୍ୟ କରେ । ସମ୍ବିଧାନ ତଥା ଏହାର ପ୍ରାବଧାନ ଅନୁସାରେ କାର୍ଯ୍ୟକାରୀ ହୋଇଥିବା ସମସ୍ତ ବିଧିବିଧାନର ତର୍ଜମା କରନ୍ତି ବିଚାରପତିମାନେ । ପାର୍ଲିଆମେଣ୍ଟର ସାର୍ବଭୌମତ୍ୱ ଥିଲେ ମଧ୍ୟ, ଭାରତରେ ନ୍ୟାୟାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।[୨]
ପ୍ରାରମ୍ଭିକ ଅବସ୍ଥାରେ କେନ୍ଦ୍ର କ୍ୟାବିନେଟଦ୍ୱାରା ସୁପାରିଶ କରାଯାଇଥିବା ତାଲିକାରୁ ବିଚାରପତିମାନଙ୍କ ନିଯୁକ୍ତି କରାଯାଉଥିଲା । ତେବେ, Supreme Court Advocates-on Record Association vs Union of India - 1993[୩] ମାମଲା ବଳରେ ନ୍ୟାୟତନ୍ତ୍ରଦ୍ୱାରା ସୁପାରିଶ କରାଯାଇଥିବା ତାଲିକାରୁ ମଧ୍ୟ କାର୍ଯ୍ୟପାଳିକା ଆବଶ୍ୟକ ସ୍ଥଳେ ଅନୁପଯୁକ୍ତ ପ୍ରାର୍ଥିଙ୍କ ନାମ ବାଦ ଦେଇପାରିବେ ବୋଲି ଏକ ବେଶେଷ ଅଧିକାର ପ୍ରଦତ୍ତ ହେଲା । କେତେକଙ୍କ ମତରେ କାର୍ଯ୍ୟପାଳିକା ଏହି ବିଶେଷ ଅଧିକାରକୁ .ନ୍ୟାୟପୂର୍ଣ୍ଣ ଭାବେ ବିନିଯୋଗ କରିପାରିଲେ ନାହିଁ । [୪][୫][୬] ଫଳରେ ୧୯୯୮ ମସିହାର ଆଉ ଏକ ଫଇସଲା ପରେ ଏକ ନୂତନ ବ୍ୟବସ୍ଥାର ସୂତ୍ରପାତ ହେଲା । ବର୍ତ୍ତମାନ ଭାରତର ନ୍ୟାୟୀକ ବ୍ୟବସ୍ଥାରେ ଉଚ୍ଚତମ ତଥା ଉଚ୍ଚ ନ୍ୟାୟାଳୟଗୁଡିକରେ ବିଚାରପତିଙ୍କ ନିଯୁକ୍ତି ନିମିତ୍ତ କଲିଜିୟମ ବ୍ୟବସ୍ଥାର ପ୍ରଚଳନ ଅଛି । କଲିଜିୟମ ଅର୍ଥାତ ଉଚ୍ଚତମ ଅଦାଲତର ମୁଖ୍ୟ ନ୍ୟାୟାଧୀଶ ଏବଂ ଅନ୍ୟ ଚାରିଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ଏକ କମିଟିଦ୍ୱାରା ସୁପାରିଶ କରାଯାଇଥିବା ତାଲିକାରୁ ଭାରତର ରାଷ୍ଟ୍ରପତି ବିଚାରପତିମାନଙ୍କର ନିଯୁକ୍ତି କରିଥାଆନ୍ତି । ଏହି ପ୍ରକ୍ରିୟା ଉଚ୍ଚତମ ନ୍ୟାୟାଳୟର ନିମ୍ନ ତିନିଗୋଟି ଫଇସଲା ଉପରେ ଆଧାରିତ । ଏହା ମଧ୍ୟ ତିନି ନ୍ୟାୟାଧୀଶଙ୍କ ମାମଲା ବା Three Judges' Cases ନାମରେ ବେଶ ଜଣାଶୁଣା ।
ପରବର୍ତ୍ତୀ ସମୟରେ ଭାରତ ସରକାର କଲିଜିୟମ୍ ବ୍ୟବସ୍ଥାରେ ସୁଧାର ଆଣିବା ଉଦ୍ଦେଶ୍ୟରେ ସମ୍ବିଧାନର ୯୯ତମ ସଂଶୋଧନଦ୍ୱାରା ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ ବା 'National Judicial Appointments Commission (NJAC) Act' ସଂସଦରେ ଆଗତ କରିଥିଲେ । ଏହି ବିଲ ସଂସଦର ଉଭୟ ଗୃହରେ ପାରିତ ହେବାପରେ ୩୧ ଡିସେମ୍ବର ୨୦୧୪ରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କରି ଆଇନରେ ପରିଣତ ହେଲା । ତେବେ ଭାରତ ଉଚ୍ଚତମ ନ୍ୟାୟାଳୟ ଏହି ଅଧିନିୟମକୁ ଅସାମ୍ବିଧାନିକ ଦର୍ଶାଇ ୨୦୧୬ ମସିହାରେ ଖାରଜ କରିଦେବା ପରେ ବର୍ତ୍ତମାନ ପୁଣି କଲିଜିୟମ ବ୍ୟବସ୍ଥା ବଳବତ୍ତର ରହିଛି ।[୯]
ଅଧିକ ତଥ୍ୟ ପାଇଁ ମୂଳ ଲେଖା ମହାଭିଯୋଗ ଦେଖନ୍ତୁ
ମହାଭିଯୋଗ ହେଉଛି ଭାରତୀୟ ସମ୍ବିଧାନର ଏକ ଆଇନଗତ ପ୍ରକ୍ରିୟା ଯଦ୍ୱାରା ଭାରତର ରାଷ୍ଟ୍ରପତି, ଉଚ୍ଚତମ ନ୍ୟାୟାଳୟ ତଥା ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କୁ ବିଭିନ୍ନ ସାମ୍ବିଧାନିକ ନିୟମ ଉଲ୍ଲଙ୍ଘନ ଭଳି ଅଭିଯୋଗ ଆଧାରରେ ସେମାନଙ୍କର କାର୍ଯ୍ୟ ଅବଧି ପୂରଣ ପୂର୍ବରୁ ବହିଷ୍କାର କରାଯାଇପାରିବ ।
ଭାରତୀୟ ସମ୍ବିଧାନର ଧାରା ୧୨୪ ଏବଂ ଉପଧାରା ୪ରେ ଉଚ୍ଚତମ ନ୍ୟାୟାଳୟର ବିଚାରପତିଙ୍କ ବିରୁଦ୍ଧରେ ମହାଭିଯୋଗ ବିଷୟରେ ଉଲ୍ଲେଖ ଅଛି ।[୧୦] ଏହି ଧାରା ଅନୁଯାୟୀ ଭାରତୀୟ ପାର୍ଲିଆମେଣ୍ଟର ଯେ କୌଣସି ଗୃହରେ ଏହି ପ୍ରସ୍ତାବ ଆଗତ କରାଯାଇପାରିବ । ତେବେ ଏହି ପ୍ରସ୍ତାବଟି ରାଜ୍ୟ ସଭା ଏବଂ ଲୋକ ସଭାରେ ଦୁଇ-ତୃତୀୟାଂଶ ସଭ୍ୟଙ୍କ ଉପସ୍ଥିତିରେ ବହୁମତରେ ପାରିତ ହେବା ଦରକାର ।[୧୧]
ଭାରତୀୟ ବିଚାର ବିଭାଗ ବ୍ୟବସ୍ଥାରେ ସର୍ବୋଚ୍ଚ ନ୍ୟାୟାଳୟ ହେଉଛି ସୁପ୍ରିମ କୋର୍ଟ । ସମ୍ବିଧାନର ୧୨୪ ଧାରାରେ ସୁପ୍ରିମକୋର୍ଟ ବା ଉଚ୍ଚତମ ନ୍ୟାୟାଳୟ ଗଠନ ବିଷୟରେ ବର୍ଣ୍ଣନା କରାଯାଇଛି । ଏହାର ମୁଖ୍ୟଙ୍କୁ ଭାରତର ପ୍ରଧାନ ବିଚାରପତି କୁହାଯାଏ । ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥାନ୍ତି । ସମ୍ବିଧାନର ଅଭିଭାବକ ଓ ସଂରକ୍ଷକ ହିସାବରେ କ୍ଷମତାଧାରୀ ସଂସ୍ଥାକୁ ସୀମିତ କରି ସମ୍ବିଧାନର ସାର୍ବଭୌମତ୍ୱ ପ୍ରତିଷ୍ଠା କରିବା ହେଲା ସର୍ବୋଚ୍ଚ ନ୍ୟାୟାଳୟର ଧର୍ମ ।[୧୨] କୌଣସି ଆଇନ ବା ହୁକୁମନାମା ସମ୍ବିଧାନର ବିରୁଦ୍ଧାଚରଣ କଲେ, ନ୍ୟାୟାଳୟମାନେ ତାକୁ ନାକଚ କରିଦେବାର କ୍ଷମତା ରହିଛି । ସମ୍ବିଧାନର ବ୍ୟବସ୍ଥାକୁ ମାପକାଠି ରୂପେ ବ୍ୟବହାର କରି ସର୍ବୋଚ୍ଚ ଓ ଉଚ୍ଚ ନ୍ୟାୟାଳୟମାନ ଆଇନ ବା ହୁକୁମନାମାକୁ ପୁନରାବଲୋକନ କରନ୍ତି ଓ ବିରୁଦ୍ଧାଚରଣ ହୋଇଥିଲେ ତାହା ନାକଚ ବା ରଦ୍ଦ କରିଦିଅନ୍ତି । ଏହି କ୍ଷମତାକୁ ଜୁଡ଼ିସିଆଲ ରିଭ୍ୟୁ ବା ନ୍ୟାୟାଳୟ ପୁନରାବଲୋକନ କ୍ଷମତା କୁହାଯାଏ ।
ରାଜ୍ୟ ସ୍ତରରେ ବିଚାର ବ୍ୟବସ୍ଥାର ସର୍ବୋଚ୍ଚ ଅନୁଷ୍ଠାନ ହେଓଛି ହାଇକୋର୍ଟ ବା ଉଚ୍ଚନ୍ୟାୟଳୟ । ସମ୍ବିଧାନର ୨୧୪ ଅନୁଚ୍ଛେଦରେ ପ୍ରତ୍ୟେକରାଜ୍ୟରେ ଗୋଟିଏ ଲେଖାଏଁ ହାଇକୋର୍ଟ ରହିବ ବୋଲି ବ୍ୟବସ୍ଥା ରହିଛି । ୨୩୧ ଅନୁଚ୍ଛେଦ ଅନୁସାରେ ସଂସଦରେ ଆଇନ କରି ଦୁଇ ବା ତତୋଧିକ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଗୋଟିଏ ହାଇକୋର୍ଟ ପ୍ରତିଷ୍ଠା କରାଯାଇପାରିବ । ଓଡ଼ିଶା ହାଇକୋର୍ଟ ୧୯୪୮ ମସିହାରେ କଟକଠାରେ ପ୍ରତିଷ୍ଠା ହୋଇଥିଲା ।
ସାମ୍ବିଧାନିକ ବ୍ୟବସ୍ଥାରେ ଉଚ୍ଚ ନ୍ୟାୟାଲୟର ମୌଳିକ ଅଧିକାର କ୍ଷେତ୍ର (Jurisdiction)ସବୁ ହେଉଛି ଏହିଭଳି:[୧୩]
ରାଜ୍ୟ ଉଚ୍ଚ ନ୍ୟାୟାଳୟ ଏହା ଅଧିନସ୍ଥ ସମସ୍ତ ଅଧସ୍ତନ ଅଦାଲତ ତଥା ଟ୍ରିବୁନାଲର କାର୍ଯ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଭାବେ ନିରୀକ୍ଷଣ କରିପାରିବେ ତଥା ଆବଶ୍ୟକ ସ୍ଥଳେ କୌଣସି ମାମଲାକୁ ଗୋଟିଏ ଅଦାଲତରୁ ଅନ୍ୟ ଏକ ଅଦାଲତକୁ ସ୍ଥାନାନ୍ତର କରିପାରିବେ । ସମସ୍ତ ଅଧସ୍ତନ ଅଦାଲତର ବିଚାରପତିଙ୍କ ନିଯୁକ୍ତି ତଥା ବଦଳି ମଧ୍ୟ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ହୁଏ ।
ରାଜ୍ୟରେ ହାଇକୋର୍ଟ ବ୍ୟତୀତ ଜିଲ୍ଲାସ୍ତରରେ ଅଧସ୍ତନ ବା ନିମ୍ନ ଅଦାଲତ ରହିଛି । ଅଧସ୍ତନ ବିଚାରରାଳୟକୁ ମୁଖ୍ୟତଃ ୨ ଭାଗରେ ବିଭକ୍ତ କରାଯାଇଛି । ଯଥା : (୧) ଦେବାନୀ ଅଦାଲତ ଓ (୨) ଫୌଜଦାରୀ ଅଦାଲତ ଏହି ଅଦାଲତଗୁଡିକ ହାଇକୋର୍ଟର ତତ୍ତ୍ୱାବଧାନରେ ପରିଚାଳିତ ହୋଇଥାନ୍ତି । ଦେବାନୀ ଓ ଫୌଜଦାରୀ ମକଦ୍ଦମା ପାଇଁ ଯଥାକ୍ରମେ ଦେୱାନୀ କାର୍ଯ୍ୟବିଧି ସଂହିତା ଓ ଫୌଜଦାରୀ କାର୍ଯ୍ୟବିଧି ସଂହିତା ଅନୁସରଣ କରାଯାଏ । ରାଜ୍ୟ ହାଇକୋର୍ଟର ସୁପାରିଶ କ୍ରମେ ରାଜ୍ୟପାଳ ଜିଲ୍ଲା ଜଜଙ୍କୁ ନିଯୁକ୍ତି ଦେଇଥାନ୍ତି ।
ଯେଉଁ ଅଦାଲତରେ ଜମିବାଡି, ଧନ ସଂପତ୍ତି, ସୀମା ଓ ଚୁକ୍ତି ଜନିତ ମକଦ୍ଦମା ବିଚାର କରାଯାଏ, ତାହାକୁ ଦେୱାନୀ ଅଦାଲତ କୁହାଯାଏ ।
ଏହି ଅଦାଲତରେ ବିଚାରପତିମାନେ ସାଧାରଣତଃ ଦେୱାନୀ ଆଇନ ସମ୍ବନ୍ଧୀୟ ମକଦ୍ଦମାଗୁଡିକୁ ବିଚାର କରିଥାନ୍ତି । ଉକ୍ତ ଅଦାଲତ ଗଠନ ନିମ୍ନ ପ୍ରକାରର ।
(କ) ଜିଲ୍ଲା ଜଜ୍- ଜିଲ୍ଲାର ମୁଖ୍ୟ ବିଚାରପତିଙ୍କୁ ଜିଲ୍ଲା ଜଜ୍ କୁହାଯାଏ । ଜିଲ୍ଲା ମୁଖ୍ୟାଳୟରେ ଏହି ଅଦାଲତ ଅବସ୍ଥିତ । ସମସ୍ତ ଦେୱାନୀ ମକଦ୍ଦମାର ପ୍ରଥମ-ଅପିଲ୍ ଏହି ଜିଲ୍ଲା ଜଜ୍ ଅଦାଲତରେ ହୁଏ । ହତ୍ୟା ଭଳି ସଂଗୀନ ମାମଲାକୁ ବିଚାର କରୁଥିବାରୁ,ତାକୁ ମଧ୍ୟ ଦୌରାଜଜ୍ ଅଦାଲତ କୁହାଯାଏ ।
(ଖ) ସିନିୟର୍ ସିଭିଲ୍ ଜଜ୍-ଟ.୫୦,୦୦୦ଙ୍କାରୁ ଅଧିକ ମୁଲ୍ୟର ସମ୍ପତ୍ତି ସଂକ୍ରାନ୍ତ ବିବାଦଗୁଡ଼ିକ ବରିଷ୍ଠ ଦେୱାନୀ ବିଚାରପତି (ସିନିୟର୍ ସିଭିଲ୍ ଜଜ୍)ଙ୍କ ଅଦାଲତରେ ବିଚାର କରାଯାଏ ।
(ଗ) ସିଭିଲ୍ ଜଜ୍-ଟ.୫୦,୦୦୦ଙ୍କା ପର୍ଯ୍ୟନ୍ତ ମୁଲ୍ୟ ସମ୍ପତ୍ତି ସଂକ୍ରାନ୍ତ ମାମଲା ଗୁଡିକର ବିଚାର ସିଭିଲ୍ ଜଜ୍ଙ୍କ ଅଦାଲତରେ କରାଯାଏ ।
ଯେଉଁ ଅଦାଲତରେ ଡକାୟତି, ନରହତ୍ୟା ଓ ମାଡପିଟ ଇତ୍ୟାଦି ମକଦ୍ଦମା ବିଚାର କରାଯାଏ, ତାହାକୁ ଫୌଜଦାରୀ ଅଦାଲତ କୁହାଯାଏ ।
ଏହି ଅଦାଲତରେ ଫୌଜଦାରୀ ସଂକ୍ରାନ୍ତ ତଥା ମାନବ ଶରୀରରେ ଆଘାତ, ସମ୍ପତ୍ତି ଜନିତ ଫୌଜଦାରୀ, ଆର୍ଥିକ ଅପରାଧ, ଯୌନ ଅପରାଧ, ହତ୍ୟା ଜନିତ ଅପରାଧର ବିଚାର କରାଯାଏ ।
(କ) ଦୌରା ଜଜ୍/ଅତିରିକ୍ତ ଦୌରାଜଜ୍- ଭାରତୀୟ ଦଣ୍ଡବିଧି ଆଇନରେ ବର୍ଣ୍ଣିତ ସର୍ବୋଚ୍ଚ ଦଣ୍ଡଯୁକ୍ତ ଅପରାଧ ଯଥା- ନରହତ୍ୟା, ଧର୍ଷଣ, ଲୁଣ୍ଠନ ତଥା ନିଶାଦ୍ରବ୍ୟ ଚାଲାଣ ଭଳି ଅପରାଧର ବିଚାର ଏହି ଅଦାଲତରେ ହୁଏ । ଏହି ଅଦାଲତ ଆଜୀବନ କାରାଦଣ୍ଡ ତଥା ଫାଶି ଦଣ୍ଡ ଦେଇପାରିବେ । ତେବେ ଫାଶି ଦଣ୍ଡ ଉଚ୍ଚ ନ୍ୟାୟାଳୟଙ୍କଦ୍ୱାରା ପୁଷ୍ଟିକରଣ ହେବା ଦରକାର ।
(ଖ) ସହକାରୀ ଦୌରା ଜଜ୍-ଦଣ୍ଡବିଧି ଆଇନ ଅନୁସାରେ ଅଧିକ ଦଣ୍ଡ ଓ ମଧ୍ୟମ ଧରଣର ଅପରାଧ ଏହି କୋର୍ଟରେ ବିଚାର ହୁଏ । ଏହି ଅଦାଲତ ସର୍ବାଧିକ ଦଶ ବର୍ଷ କାରାଦଣ୍ଡ ତଥା ଜୋରିମାନା ଭଳି ଦଣ୍ଡ ଦେଇପାରିବେ ।
(ଖ) ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧୀକାରୀ-ଏହି ଅଦାଲତ ସର୍ବାଧିକ ସାତ ବର୍ଷ କାରାଦଣ୍ଡ ତଥା ଜୋରିମାନା ଭଳି ଦଣ୍ଡ ଦେଇପାରିବେ ।
(ଗ) ଅନୁବିଭାଗୀୟ ବିଚାର ବିଭାଗୀୟ ଦଣ୍ଡାଧୀକାରୀ/ବିଚାର ବିଭାଗୀୟ ଦଣ୍ଡାଧୀକାରୀ ପ୍ରଥମ ଶ୍ରେଣୀ-ସବଡିଭିଜନାଲ୍ ମାଜିଷ୍ଟ୍ରେଟ୍ ଅତିବେଶୀରେ ୩ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଭଳି ଦଣ୍ଡ ବିଧାନ କରିପାରନ୍ତି ।
(ଘ) ବିଚାର ବିଭାଗୀୟ ଦଣ୍ଡାଧୀକାରୀ ଦ୍ୱିତୀୟ ଶ୍ରେଣୀ-ଅତିବେଶୀରେ ୧ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଭଳି ଦଣ୍ଡ ବିଧାନ କରିପାରନ୍ତି ।
କେଉଁ ସବୁ ଅପରାଧ କେଉଁ ଅଦାଲତରେ ବିଚାର ହେବ ତାହାର ଏକ ତାଲିକା ଫୌଜଦାରୀ କାର୍ଯ୍ୟବିଧି ସଂହିତାର ତଫସିଲରେ ଉଲ୍ଲେଖ ଅଛି ।[୧୪]
ଏହା ବ୍ୟତୀତ ସ୍ୱତନ୍ତ୍ର ନ୍ୟାୟାଳୟ, ପାରିବାରିକ ନ୍ୟାୟାଳୟ, ଶ୍ରମ ଅଦାଲତ, ପ୍ରଶାସନିକ ନ୍ୟାୟଳୟ ଏବଂ କର ସମ୍ବନ୍ଧୀୟ ନ୍ୟାୟଳୟ ମାନ ମଧ୍ୟ ଅଛି । ରାଜସ୍ୱ ସମ୍ବନ୍ଧୀୟ ବିବାଦ ଓ ମାମଲା ତହସିଲଦାର, ଉପ ଜିଲ୍ଲାପାଳ, ଜିଲ୍ଲା ମାଜିଷ୍ଟ୍ରେଟ/ଜିଲ୍ଲପାଳ, ରାଜସ୍ୱ ଆୟୋଗ, ବନ୍ଦୋବସ୍ତ ଆୟୋଗ, ଭୂସଂସ୍କାର ଆୟୋଗ, ଚକବନ୍ଦୀ ଆୟୋଗ, ରାଜସ୍ୱ ପାର୍ଷଦ ସଦସ୍ୟଙ୍କ ଦପ୍ତର ଗୁଡିକରେ ବିଚାର କରାଯାଏ ।
ପିଡୀତ ବ୍ୟକ୍ତି ବିଶେଷଙ୍କୁ ତ୍ୱରିତ ନ୍ୟାୟପ୍ରଦାନ କ୍ଷେତ୍ରରେ ଆଉ ଏକ ଅଭିନବ ନ୍ୟାୟିକ ବ୍ୟବସ୍ଥା ଅନ୍ତର୍ଗତ ଗ୍ରାମ ନ୍ୟାୟାଳୟ ଅଧିନିୟମ, ୨୦୦୮ [୧୫]ଅନ୍ତର୍ଗତ ଗ୍ରାମ ନ୍ୟାୟାଳୟ ସବୁ ପ୍ରତିଷ୍ଠା ହୋଇଛି ।[୧୬] ଏହି ବ୍ୟବସ୍ଥାରେ ଭ୍ରାମ୍ୟମାଣ ଅଦାଲତ ପଞ୍ଚାୟତ ତଥା ବ୍ଳକ ସ୍ତରରେ ପହଞ୍ଚି ଅଭିଯୋଗର ତ୍ୱରିତ ବିଚାର କରି ନ୍ୟାୟ ପ୍ରଦାନ କରିଥାଏ । ତେବେ ଏହି ବ୍ୟବସ୍ଥା ପ୍ରତି ବ୍ଳକ ସ୍ତରରେ ଅଦ୍ୟାବଧି ଲାଗୁ ହୋଇପାରିନାହିଁ ।
ଭାରତୀୟ ବିଚାର ବିଭାଗରେ ସୂଚନା ଏବଂ ସଂଚାର ଟେକ୍ନୋଲୋଜିର (ICT) ବ୍ୟବହାର ପୂର୍ବକ ବିଚାର ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ନିମନ୍ତେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଗଠିତ କମିଟିର (National Policy and Action Plan for Implementation of Information and communication Technology in the Indian Judiciary-2005) କାର୍ଯ୍ୟ ଯୋଜନା ମୁତାବକ ଇ-ଅଦାଲତ ପରିଯୋଜନା ଲାଗୁହୋଇଛି । ଇ-ଅଦାଲତ ପରିଯୋଜନାର ପରିକଳ୍ପନା ୨୦୦୫ ମସିହାରେ ହୋଇଥିଲେ ସୁଦ୍ଧା ପ୍ରାଥମିକ ଭାବେ ୯୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ଇ-ଅଦାଲତ ପରିଯୋଜନା ଅନ୍ତର୍ଗତ ମିଶନ୍ ମୋଡ୍ ପ୍ରୋଜେକ୍ଟ (Mission Mode Project-Phase-1)ରେ ଦେଶର ୧୪,୨୪୯ ଉଚ୍ଚ ନ୍ୟାୟାଳୟ ତଥା ଜିଲ୍ଲା ଓ ନିମ୍ନ ଅଦାଲତ ଗୁଡିକର କମ୍ପ୍ୟୁଟରୀକରଣ କରାଗଲା ।[୧୭] ଇତିମଧ୍ୟରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଇ-କମିଟି ଇ-ଅଦାଲତ ପରିଯୋଜନାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରିତା ପାଇଁ ଅନୁମତି ପ୍ରଦାନ କରିସାରିଛନ୍ତି ।[୧୮] ଏହି ପରିଯୋଜନାର ମୂଳ ଲକ୍ଷ୍ୟ ହେଲା :
ଇ-ଅଦାଲତ ପରିଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଅଦାଲତ ପରିସରରେ ଏକ ନ୍ୟାୟୀକ ସେବା କେନ୍ଦ୍ର ଖୋଲାଯାଇଛି । ଏଠାରେ ସାଧାରଣ ଲୋକେ ମାମଲା ଦାଖଲ କରିବା ସହ ମାମଲା ସମ୍ପର୍କିତ ଆବଶ୍ୟକୀୟ ତଥ୍ୟ ଯଥା ପରବର୍ତ୍ତୀ ତାରିଖ, ରେଜିଷ୍ଟ୍ରେସନ ସଂଖ୍ୟା ଇତ୍ୟାଦି ତଥ୍ୟ ପାଇଥାଆନ୍ତି । ଏହି ସବୁ ସେବା ନିଃଶୁଳ୍କ ଯୋଗାଇ ଦିଆ ଯାଇଥାଏ । ଏହି ସେବା ମାଧ୍ୟମରେ ଆବେଦନକାରୀଙ୍କ ମୋବାଇଲ ମାଧ୍ୟମରେ ମାମଲାର ପରବର୍ତ୍ତୀ ତାରିଖ ମଧ୍ୟ ଜଣାଇଦିଆଯାଇଥାଏ ।[୧୯]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |