ଲକ୍ଷ୍ମୀନାରାୟଣ ସାହୁ | |
---|---|
ଜନ୍ମ | ମଣିଖମ୍ବ, ବାଲେଶ୍ୱର | ୩ ଅକ୍ଟୋବର ୧୮୯୦
ମୃତ୍ୟୁ | ୧୮ ଜାନୁଆରୀ ୧୯୬୩ | (ବୟସ ୭୨)
ଜାତୀୟତା | ଭାରତୀୟ |
ବୃତ୍ତି | ଶିକ୍ଷକତା |
ପିତାମାତା | କ୍ଷେତ୍ରମୋହନ ସାହୁ |
ଲକ୍ଷ୍ମୀନାରାୟଣ ସାହୁ (୩ ଅକ୍ଟୋବର ୧୮୯୦–୧୮ ଜାନୁଆରୀ ୧୯୬୩)[୧] ଜଣେ ଓଡ଼ିଆ ଲେଖକ, କବି, ସାମ୍ବାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଥିଲେ [୨][୩]।
ଲକ୍ଷ୍ମୀନାରାୟଣ ବାଲେଶ୍ୱର ନିକଟସ୍ଥ ମଣିଖମ୍ବ ଗ୍ରାମର କ୍ଷେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ [୩]। ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ [୨]। ପୁରୀର ଭିକ୍ଟୋରିଆ କ୍ଳବ ହୋଟେଲରେ ଜଣେ ପରିଚାଳକ ଭାବେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଅଳ୍ପ କିଛି ଦିନ ପରେ ସେ ଚାକିରି ଛାଡି, ଶିକ୍ଷକତା କରିଥିଲେ । [୩]। ସେ ତାଙ୍କର ଜନଜାତି ସମ୍ପର୍କୀୟ ଲେଖା ଯୋଗୁ ଖ୍ୟାତିପ୍ରାପ୍ତ ହୋଇଥିଲେ । ଜନଜାତିଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା ମୂଖନିସୃତ କାହାଣୀରେ ସ୍ୱର୍ଗ, ନର୍କ, ସୃଷ୍ଟି ଓ ମୃତ୍ୟୁ ବିଷୟରେ ସେ ଲେଖିଚାଲିଥିଲେ [୪]।
ଓଡ଼ିଶାର ଗ୍ରାମ୍ୟ ନାଚ, ସଙ୍ଗୀତ, ଓ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ସହ ଜଡ଼ିତ ଥିଲେ ଓ ତାହାର ଉନ୍ନତି ଓ ସ୍ଥାୟୀତ୍ୱ ନିମନ୍ତେ କାମ କରିଥିଲେ [୫]। ଓଡ଼ିଆ ଛଡା ହିନ୍ଦୀ, ବଙ୍ଗଳା ଓ ସଂସ୍କୃତରେ ମଧ୍ୟ ଲେଖା ଲେଖି କରୁଥିଲେ । ଗଳ୍ପ ମଧ୍ୟରେ ବୀଣା, ସୁଲତା, କଣ୍ଟ୍ରୋଲ ରୁମ୍, କବିତା ମଧ୍ୟରେ ପଶର ଓ ସାମାଜିକ ଗଳ୍ପ ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍ ତାଙ୍କୁ ପ୍ରସିଦ୍ଧି ଆଣିଥିଲା । ଓଡ଼ିଆ ଖବରକାଗଜ ସହକାର ଓ ଇଂରାଜୀ ଖବରକାଗଜ ଷ୍ଟାର ଅଫ୍ ଉତ୍କଳରେ ଲେଖୁଥିଲେ [୩]। ଅସ୍ପୃଶ୍ୟପ୍ରଥା ଓ ମହିଳାମାନଙ୍କ ଦୁର୍ଗତି ବିରୁଦ୍ଧରେ ସେ ସମାଜ ସଂସ୍କାରକ ଭାବେ କାମ କରୁଥିଲେ । ସେ ଓଡ଼ିଶା ବିଧାନ ସଭାକୁ ୧୯୪୭ ମସିହାରେ ନିର୍ବାଚିତ ହୋଇଥିଲେ ଓ ଭାରତୀୟ କନ୍ଷ୍ଟିଚୁଏଣ୍ଟ ଆସେମ୍ବ୍ଲିର ସଭ୍ୟ ଥିଲେ [୨][୬]। ସେ ନିଜ ଭାଷଣରେ ଭାରତର ସମ୍ବିଧାନର ଚିଠା ପ୍ରସ୍ତୁତ ବେଳେ ଯୁକ୍ତିକରି କହିଥିଲେ ଯେ ତାହା ବିପଦଜନକ ଓ ବିପରୀତଧର୍ମୀ ଥିଲା ଯାହାକୁ ବାହାର ନ କଲେ ଭାରତକୁ ଭବିଷ୍ୟତରେ ଖଣ୍ଡ ବିଖଣ୍ଡ କରିଦେବ ଓ ଏହି ଯୁକ୍ତିକୁ ବି. ଆର୍. ଆମ୍ବେଦକର ମଧ୍ୟ ମାନିଥିଲେ ।[୭] ସେ ଛାତ୍ରାବସ୍ଥାରୁ ଜାତିପ୍ରଥାକୁ ବିରୋଧ କରି ସମାଜ ସଂସ୍କାର ପାଇଁ କାର୍ଯ୍ୟ କରିଥିଲେ । ସେ ଏସିଆଟିକ୍ ସୋସାଇଟିର ସଭ୍ୟ, ଓଡ଼ିଆ ସାହିତ୍ୟ ଏକାଡେମିର ସଭାପତି ଓ ସର୍ଭାଣ୍ଟ ଅଫ ଇଣ୍ଡିଆ ସୋସାଇଟିର ସଭ୍ୟ ଥିଲେ ।
କଟକସ୍ଥିତ ଜଗତପୁରରେ ତାଙ୍କ ନାମରେ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ ସ୍ଥାପିତ ହୋଇଛି [୮]।
ସନ ୧୯୫୫ ମସିହାରେ ସାହିତ୍ୟ ଓ ଶିକ୍ଷା ବିଷୟରେ ତାଙ୍କର ଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ଇତିହାସ ଉପରେ ତାଙ୍କର କାମ ନିମନ୍ତେ ତାଙ୍କୁ ଇତିହାସ ରଥ କୁହାଯାଉଥିଲା ।[୧୦]