ଅଳତା ଏକ ପ୍ରକାର ତରଳ ନାଲି ରଙ୍ଗ । ଏହି ଦ୍ରବ୍ୟ ହାତପାପୁଲି ଏବଂ ପାଦକୁ ସଜାଇବା ପାଇଁ ବ୍ୟବହାର କରାଯାଏ । ଏହା କେବଳ ପାଦର ସୌନ୍ଦର୍ଯ୍ୟ ବୃଦ୍ଧି କରାଏନାହିଁ ବରଂ ଶରୀରକୁ ଶୀତଳତା ମଧ୍ୟ ପ୍ରଦାନ କରିଥାଏ ।
ଯଦିଓ ଅଳତାର ଉତ୍ପତ୍ତି ସମ୍ପର୍କରେ ତଥ୍ୟ ବର୍ତ୍ତମାନ ଉପଲବ୍ଧ ନାହିଁ, ହିନ୍ଦୁ ଉପନିଷଦମାନଙ୍କ ଅନୁସାରେ ଭାରତୀୟ ବିବାହ ପରମ୍ପରାର ଏକ ଅଭିନ୍ନ ଅଙ୍ଗ ।[୧] 'ଷୋହଳ ଶୃଙ୍ଗାର' ପ୍ରକ୍ରିୟାର ଅଳତା ଏକ ମୁଖ୍ୟ ପ୍ରସାଧନ ସାମଗ୍ରୀ । ଶ୍ରୀକୃଷ୍ଣ ରାଧାଙ୍କ ପାଦରେ ଅଳତା ଲଗାଇଦେଉଥିବାର ଦୃଶ୍ୟ ମଧ୍ୟ ପୌରାଣିକ ଆଖ୍ୟାନମାନଙ୍କରେ ବର୍ଣ୍ଣିତ ।
ଅଳତାର ରଙ୍ଗ ରକ୍ତର ରଙ୍ଗ ସହିତ ସମାନ, ଯାହାକି ପ୍ରଜନନ ଶକ୍ତି ଏବଂ ସମୃଦ୍ଧିର ସୂଚକ ଅଟେ । ଇସଲାମୀୟ ଶାସନ ପ୍ରଭାବରେ ପ୍ରସାଧନସାମଗ୍ରୀ ହିସାବରେ ମେହେନ୍ଦୀ କ୍ରମେ ଅଳତାର ସ୍ଥାନ ନେଇଥିଲା ।
ପାରମ୍ପରିକ ଭାବେ ଅଳତା ପାନପତ୍ରରୁ ପ୍ରସ୍ତୁତ କରାଯାଏ । କିନ୍ତୁ ବର୍ତ୍ତମାନ ସିନ୍ଦୂର ଏବଂ କୁଙ୍କୁମର ମିଶ୍ରଣରେ କୃତ୍ରିମ ଅଳତା ପ୍ରସ୍ତୁତ କରାଯାଉଛି । ଏବେ ବଜ଼ାରରେ ଉପଲବ୍ଧ ଅଳତା ଲାଖ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥରେ ତିଆରି ।
ଓଡ଼ିଶାରେ ପ୍ରାୟ ସବୁ ପର୍ବପର୍ବାଣି ଓ ଉତ୍ସବରେ ସ୍ତ୍ରୀଲୋକମାନେ ପ୍ରସାଧନ ସାମଗ୍ରୀ ଭାବେ ବ୍ୟବହାର କରିଥାନ୍ତି । ବିବାହିତ ମହିଳାମାନେ ନିଜ ନିଜ ସ୍ୱାମୀଙ୍କ ମଙ୍ଗଳ ପାଇଁ ଅଳତା ଲଗାଇଥାନ୍ତି । ବିବାହରେ ପ୍ରସାଧନ ଦ୍ରବ୍ୟ ବ୍ୟତୀତ ବିବାହ ପରବର୍ତ୍ତୀ ଏକ ନୀତିରେ ମଧ୍ୟ ଅଳତାର ବ୍ୟବହାର କରାଯାଇଥାଏ । ନବବଧୂ ନିଜ ଶାଶୁଘରେ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଅଳତାଥିବା ଏକ ପାତ୍ରରେ ପାଦ ରଖନ୍ତି, ତା'ପରେ ଗୃହପ୍ରବେଶ କରନ୍ତି । ଏହାଦ୍ୱାରା ନୂଆବୋହୁଟିର ପାଦଚିହ୍ନ ଭୂମିରେ ପଡେ, ଯାହାକୁ ଘରକୁ ଲକ୍ଷ୍ମୀଙ୍କ ପ୍ରବେଶ ହେଲା ବୋଲି ଗ୍ରହଣ କରାଯାଏ ।
ଶାସ୍ତ୍ରୀୟ ନୃତ୍ୟ ଯେପପରିକି ଓଡ଼ିଶୀ, ଭରତନାଟ୍ୟମ, କଥକ, ମୋହିନୀନାଟ୍ୟମ, ମଣିପୁରୀ ଆଦି ନୃତ୍ୟଶୈଳୀରେ ନୃତ୍ୟଶିଳ୍ପୀମାନେ ଅଳତାକୁ ପ୍ରସାଧନରେ ବ୍ୟବହାର କରିଥାନ୍ତି । ପାପୁଲିରେ ସୁନ୍ଦରଭାବେ ଅଳତା ଲଗେଇବାଦ୍ୱାରା ନୃତ୍ୟର ହସ୍ତମୁଦ୍ରାଗୁଡିକ ଚମତ୍କାର ଦେଖାଯାଏ ।