ଏ କେ ରାମାନୁଜନ୍ (୧୬ ମାର୍ଚ୍ଚ ୧୯୨୯ - ୧୩ ଜୁଲାଇ ୧୯୯୩) ଜଣେ ଭାରତୀୟ କବି ଓ ଶାସ୍ତ୍ରଜ୍ଞ । ଭାରତୀୟ ସାହିତ୍ୟର ଚର୍ଚ୍ଚରେ ତାଙ୍କର ଗଭୀର ପ୍ରବେଶ ଥିଲା । ସେ ଉଭୟ ଇଂରାଜୀ ଓ କନ୍ନଡ଼ ଭାଷାରେ ଲେଖାଲେଖି କରୁଥିଲେ । ସେ ଜଣେ ବହୁମୁଖି ପ୍ରତିଭା ଥିଲେ । କବିତା ଲେଖିବା ଓ ଶାସ୍ତ୍ର ଚର୍ଚ୍ଚା କରିବା ଛଡା ଭାଷାବିଜ୍ଞାନ, ଲେକସାହିତ୍ୟ, ଅନୁବାଦ ଓ ନାଟକ ରଚନା କ୍ଷେତ୍ରରେ ତାଙ୍କର ପ୍ରବେଶ ଥିଲା । ତାଙ୍କର ଏକାଡେମିକ୍ ଗବେଷଣା ପାଞ୍ଚଟି ଭାଷା ସାହିତ୍ୟ - ଇଂରାଜୀ, କନ୍ନଡ଼, ତାମିଲ, ତେଲଗୁ ଓ ସଂସ୍କୃତ -ରେ ବ୍ୟାପ୍ତ ଥିଲା । ସେ ଏହି ସାହିତ୍ୟ ଗୁଡ଼ିକର ଉଭୟ ଶାସ୍ତ୍ରୀୟ ଓ ଆଧୁନିକ ବିଭାବମାନଙ୍କର ଉପରେ ଲେଖା ପ୍ରକାଶିତ କରିଥିଲେ । ସେ ସ୍ଥାନୀୟ, ଅଣ-ମାନକ ଉପଭାଷାଗୁଡ଼ିକୁ ଉପଯୁକ୍ତ ଗୁରୁତ୍ତ୍ୱ ଦେବା ପାଇଁ ତର୍କ କରୁଥିଲେ । ଯଦିଓ ସେ ବହୁସ୍ରାବୀ ଥିଲେ ଓ ବହୁ ଜନ୍ରାରେ କାମ କରିଥିଲେ, ତାଙ୍କର କବିତାଗୁଡ଼ିକ ଏବେ ମଧ୍ୟ ନିଜର ଆଶ୍ଚର୍ଯ୍ୟଜନକ ମୌଳିକତା, ପରିଷ୍କରଣ ଓ ହୃଦୟସ୍ପର୍ଶୀ କଳାତ୍ମକତା ପାଇଁ ଆମ ସ୍ମୃତିରେ ଭାସି ବୁଲନ୍ତି । ତାଙ୍କୁ ୧୯୯୯ ମସିହାରେ କବିତା ଗ୍ରନ୍ଥ "ଦ କଲେକ୍ଟେଡ୍ ପୋଏମ୍ସ୍" ପାଇଁ ମରଣୋତ୍ତର ଭାବରେ ସାହିତ୍ୟ ଏକାଡେମୀ ସମ୍ମାନ ଦିଆଯାଇଥିଲା । [୧]
ରାମାନୁଜନ୍ ମହୀଶୁରର ମରିମଲ୍ଲପ୍ପାସ୍ ଉଚ୍ଚ ବିଦ୍ୟାଳୟ ଓ ମହାରାଜା ମହାବିଦ୍ୟାଳୟଠାରେ ଶିକ୍ଷା ଲାଭ କରିସାରିଲା ପରେ ମହୀଶୁର ବିଶ୍ୱବିଦ୍ୟାଳୟରେ ଇଂରାଜୀ ଭାଷା ସାହିତ୍ୟରେ ଉଚ୍ଚଶିକ୍ଷା ଲାଭ କଲେ । ପରେ ଯୁକ୍ତରାଜ୍ୟ ଆମେରିକାର ଇଣ୍ଡିଆନା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ଭାଷାବିଜ୍ଞାନରେ ପି.ଏଚ.ଡି. ଉପାଧି ଲାଭ କଲେ । [୨]
ରାମାନୁଜନ୍ ପ୍ରଥମେ କୁଇଲନ୍ ଓ ବେଲଗାଓଁରେ ଇଂରାଜୀର ଅଧ୍ୟାପକ ଭାବରେ କାମ କଲେ । ଏହା ପରେ ସେ ବରୋଦାର ମହାରାଜା ସୟାଜୀରାଓ ବିଶ୍ୱବିଦ୍ୟାଳୟରେ ଆଠ ବର୍ଷ କାଳ ଶିକ୍ଷାଦାନ କଲେ । ୧୯୬୨ ମସିହାରେ ସେ ଶିକାଗୋ ବିଶ୍ସବିଦ୍ୟାଳୟରେ ସହାୟକ ପ୍ରାଧ୍ୟାପକ ଭାବରେ ଯୋଗଦାନ କଲେ । ଶିକାଗୋ ଛଡ଼ା ସେ ଆମେରିକାର ଅନ୍ୟ ବିଶ୍ୱବିଦ୍ୟାଳୟ ଯଥା ହାର୍ଭାଡ୍, ୱିସ୍କନ୍ସିନ୍, ମିଶିଗାନ୍, ବର୍କ୍ଲିସ୍ଥ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ଓ କାର୍ଲଟନ୍ ମହାବିଦ୍ୟାଳୟରେ ପଢ଼ାଇଛନ୍ତି ।
ଇଂରାଜୀ
କନ୍ନଡ଼