ଓଡ଼ିଆ କଥାଚିତ୍ର ଜଗତ ବା ଓଲିଉଡ଼ ଭୁବନେଶ୍ୱର ଓ କଟକରେ ଥିବା ଓଡ଼ିଆ କଥାଚିତ୍ର ଜଗତକୁ ବୁଝାଇଥାଏ ।[୧] ୨୦୨୨ ମସିହା ନଭେମ୍ବରରେ ଓଡ଼ିଶାରେ କେବଳ ୬୦ଟି ଚଳଚ୍ଚିତ୍ର ପ୍ରେକ୍ଷାଳୟ ଥିଲା ।[୨]
୧୯୩୬ରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ନିର୍ମିତ ହୋଇଥିଲା। ରାମାୟଣ ଉପରେ ଆଧାରିତ ଏହି କଥାକୁହା କଥାଚିତ୍ରର ନିର୍ଦ୍ଦେଶକ ଥିଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ। ଏହା କାମପାଳ ମିଶ୍ରଙ୍କ ରଚିତ ଏକ ନାଟକ ଉପରେ ଆଧାରିତ ଥିଲା । ମାତ୍ର ୩୦,୦୦୦ ଟଙ୍କାରେ ତିଆରି ଏହି କଥାଚିତ୍ରରେ ୧୪ଟି ଗୀତ ଥିଲା । ଏଥିରେ ମୁଖ୍ୟ ଭୂମିକାରେ ମାଖନଲାଲ୍ ବାନାର୍ଜୀ, ଆଦିତ୍ୟ ବଲ୍ଲଭ ମହାନ୍ତି, ପ୍ରଭାବତୀ ଦେବୀ ପ୍ରମୁଖ ଅଭିନୟ କରିଥିଲେ। ଏହା ୧୯୩୬ ଏପ୍ରିଲ୍ ୨୮ ତାରିଖରେ ମୁକ୍ତି ଲାଭ କରିଥିଲା। ପ୍ରଥମ ଓଡ଼ିଆ କଥାଚିତ୍ର ହୋଇଥିବାରୁ ଅନେକ ଭୁଲ ଭଟକା ଥିବା ସତ୍ତ୍ୱେବି ଏକ ବହୁଳ ଭାବରେ ଆଦୃତ ହୋଇଥିଲା । ଏହା ଲକ୍ଷ୍ମୀ ଟକିଜଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଏହା ଓଡ଼ିଆ କଥାଚିତ୍ରକୁ ଆଗକୁ ଦିଗ ଦେଖାଇଥିଲା ।[୩]
୧୯୪୯ରେ ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ଲଳିତା ମୁକ୍ତି ଲାଭ କରିଥିଲା। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ମୁଖ୍ୟ ଭୂମିକାରେ ଲୋକନାଥ, ଉମା ପ୍ରମୁଖ ଅଭିନୟ କରିଥିଲେ। ୧୯୫୦ରେ ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ସପ୍ତଶଯ୍ୟା ମୁକ୍ତି ଲାଭ କରିଥିଲା। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ବ୍ୟୋମକେଶ ତ୍ରିପାଠି, ଅନିମା ପ୍ରମୁଖ ଅଭିନୟ କରିଥିଲେ। ୧୯୫୦ରେ ଚତୁର୍ଥ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀ ଜଗନ୍ନାଥ ମୁକ୍ତି ଲାଭ କରିଥିଲା। ଚିତ୍ତ ରଞ୍ଜନ ମିତ୍ର ଏହାର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ମୁଖ୍ୟ ଭୂମିକାରେ ଗୋପାଳ, ଗ୍ଲୋରିୟା ମହାନ୍ତି ପ୍ରମୁଖ ସୁନ୍ଦର ଅଭିନୟ କରିଥିଲେ। ୧୯୫୧ରେ ପଞ୍ଚମ ଓଡ଼ିଆ ଚଳଚ୍ଚିତ୍ର ରୋଲେସ୍ ଟୁ ଏଇଟ୍ ବା ଆକା ରୋଲସ୍-୨୮ ମୁକ୍ତି ଲାଭ କରିଥିଲା। ଇଂଲିଶ୍ ନାମ ଥିବା ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ମୁଖ୍ୟ ଭୂମିକାରେ ରତିକାନ୍ତ, କମଳା ପ୍ରମୁଖ ଅଭିନୟ କରିଥିଲେ।[୪] ପ୍ରଫୁଲ ସେନଗୁପ୍ତାଙ୍କଦ୍ୱାରା ନିର୍ଦ୍ଦେଶିତ ୧୧ତମ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀଲୋକନାଥକୁ ଜାତୀୟ ଫିଲ୍ମ ପୁରସ୍କାର ହାସଲ କରିଥିଲା। ପରେ ପରେ ୧୯୬୦-୭୦ରେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ନୂଆ ବୋଉ, ମାଟିର ମଣିଷ, ଅଦିନ ମେଘ ପରି ଚଳଚ୍ଚିତ୍ର ସବୁ ଜାତୀୟ ଫିଲ୍ମ ପୁରସ୍କାର ଲାଭ କରିଥିଲା। ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ଗପ ହେଲେ ବି ସତ। ଏହି ଚଳଚ୍ଚିତ୍ରରେ ସଙ୍ଗୀତଜ୍ଞ ଅକ୍ଷୟ ମହନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓଡ଼ିଆ ସିନେ ଜଗତରେ ନୂତନତ୍ୱ ଭରିଦେଇଥିଲା।[୫] ମହମ୍ମଦ୍ ମହସିନ୍ ଓଡ଼ିଶାର ତତକାଳୀନ ସମାଜରେ ଘଟଣାକୁ ନେଇ ଫୁଲ ଚନ୍ଦନ ପରି ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାଣ କଲେ। ଏହି ସମୟରେ ସଂପୂର୍ଣ୍ଣ ଓଡ଼ିଆ କଥାବସ୍ତୁ ସହ ନିଜସ୍ୱ କହାଣୀକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଉଥିଲା। ୧୯୯୦ ପର୍ଯ୍ୟନ୍ତ ସମୟକୁ ଓଡ଼ିଆ ଚଳଚ୍ଚିତ୍ରର "ସୁବର୍ଣ୍ଣ ଯୁଗ" ବୋଲି କୁହଯାଏ।[୬] ଅମୀୟ ରଂଜନ ପଟ୍ଟନାୟକ ପ୍ରଥମ ଅନେକ କଳାକାର ତଥା ମୁମ୍ବାଇରୁ ଟେକ୍ନିସିଆନ୍, କଣ୍ଠଶିଳ୍ପୀ, ମ୍ଯୁଜିସିଆନ୍ଙ୍କୁ ନେଇ ଅଧିକ ବଜେଟ ଯୁକ୍ତ ଚଳଚ୍ଚିତ୍ର ନିର୍ମାଣ କରି ନୂଆ ଅଧ୍ୟ୍ୟାୟର ଆରମ୍ଭ କଲେ। ତଙ୍କଦ୍ୱାରା ୧୯୮୫ରେ ନିର୍ମିତ ହାକିମ୍ ବାବୁକୁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା। ତାଙ୍କ ଚଳଚ୍ଚିତ୍ରକୁ ସେ ତିନଟି ଭଷା ଯଥା: ଓଡ଼ିଆ, ବାଙ୍ଗ୍ଲା ଓ ବାଙ୍ଗ୍ଳାଦେଶୀରେ ଚଳଚ୍ଚିତ୍ରକୁ ମୁକ୍ତି ଲାଭକରିଥିଲେ।
ଓଡ଼ିଆ ଚଳଚ୍ଚିତ୍ରରେ ଅନେକ ପ୍ରତିଭାସଂପର୍ଣ୍ଣ କଳାକରଙ୍କ ଅବଦାନ ରହିଛି।
ଅନେକ ଓଡ଼ିଆ କଥାଚିତ୍ର ଉପନ୍ୟାସର ବିଷୟବସ୍ତୁକୁ ଆଧାର କରି ନିର୍ମାଣ କରାଯାଇଛି, ସେଥିମଧ୍ୟରୁ କେତୋଟି ହେଲା:[୭] [୮]
୧୯୭୪ ମସିହାରେ ଓଡ଼ିଶା ସରକାର ଫିଲ୍ମ ନିର୍ମାଣ ଓ ଚଳଚ୍ଚିତ୍ର ପ୍ରଦର୍ଶନ ଭବନ ନିର୍ମାଣକୁ ଏକ ଶିଳ୍ପ ଭାବରେ ସ୍ୱୀକୃତି ପ୍ରଦାନ କରିଥିଲେ ।[୧୩] ଓଡ଼ିଶା ସରକାର ଓଡ଼ିଶାରେ ଚିତ୍ର ନିର୍ମାଣ ଶିଳ୍ପର ଉନ୍ନତି ପାଇଁ କଟକଠାରେ କାର୍ଯ୍ୟାଳୟ ଥାଇ " ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ " ସ୍ଥାପନ କରିଛନ୍ତି ।