ଓଡ଼ିଆ ବାହାଘର ବଂଶ ରକ୍ଷା ଓ ସମାଜ ରକ୍ଷା ସକାଶେ ପୁରୁଷ ଓ ସ୍ତ୍ରୀର ମିଳନ ବା ପରିଣୟ ବିବାହ ଭାବେ ପରିଚିତ । ଏହା ପରସ୍ପର ସହ ଉପଯୁକ୍ତ ମେଳ ଖାଉଥିବା ଦୁଇଟି ଭିନ୍ନ ବ୍ୟକ୍ତିବିଶେଷଙ୍କୁ ନେଇ ସମ୍ପନ୍ନ ହୋଇଥାଏ । ଓଡ଼ିଆ ବାହାଘର ମୂଖ୍ୟତଃ ଓଡ଼ିଆ ହିନ୍ଦୁମାନଙ୍କ ମଧ୍ୟରେ ଘଟିଥାଏ । ଓଡ଼ିଆ ବାହାଘରର ବହୁତ ରୀତି ଓ ପରମ୍ପରା ଅଛି। ପାରମ୍ପରିକ ଦୃଷ୍ଟିରୁ ଏହା ସଂସ୍କୃତ ଏବଂ ଓଡ଼ିଆ ଭାଷାରେ ବୋଲା ଯାଉଥିବା ମନ୍ତ୍ରକୁ ନେଇ ପରିଚାଳିତ ହେଇଥାଏ । ଏହାର ପ୍ରସ୍ତୁତି କେବଳ ବାହାଘର ଦିନ ନୁହେଁ, ବରଂ ବହୁଦିନ ପୂର୍ବରୁ ଚାଲିଥାଏ।
ବେଦ ଅନୁସାରେ ଏକ ସୁଗମ ତଥା ଆନନ୍ଦମୟ ଜୀବନ ଯାପନ ପାଇଁ, ଏକ ସଫଳ ଦାମ୍ପତ୍ୟ ଜୀବନ ନିହାତି ଲୋଡା ଏବଂ ସେଥିରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଆପୋଷ ବୁଝାମଣା, ଖୁସିର ଆବଣ୍ଟନ ଓ ଅନ୍ତରଙ୍ଗତା ରହିବା ଉଚିତ । ତେଣୁ, କୌଣସି ବାହାଘର କେବଳ ନିଜର ଭୋଗବିଳାସ ପାଇଁ କରା ଯାଏନି, ବରଂ ଏହା ଏକ ସାମାଜିକ ତତସହିତ ଏକ ଆଧ୍ୟାତ୍ମିକ ଦାୟିତ୍ୱ ବହନ କରିବାର ମାଧ୍ୟମ ଅଟେ । ସାଧାରଣ ସ୍ୱାମୀ-ସ୍ତ୍ରୀ ଯୋଡିକୁ "ଜୀବନସାଥି"ରେ ପରିଣତ କରାଇବାରେ ଏକ ସୁସଙ୍ଗଠିତ ଦାମ୍ପତ୍ୟ ଜୀବନ ସହାୟ ହୋଇଥାଏ । [୧]
ବାହା-ପୁଆଣିରେ ଗୁଆ ଦେଇ ଆମନ୍ତ୍ରଣ କରି ବନ୍ଧୁଙ୍କୁ ଡାକିବା ଓଡ଼ିଆ ଘରର ଏକ ନିଆରା ଚଳଣି । ଗୁଆ ମଙ୍ଗୁଳା ସରିଲେ ପହିଲେ ଗାଁ ଠାକୁରାଣୀ ପାଖକୁ ଯାଏ ଗାଏ (ପାଞ୍ଚଗୋଟି) ଗୁଆ, ତା'ପରେ ଯାଏ ମଉଳା (ମାମୁ) ଘରକୁ । ମାମୁଙ୍କର ଗାଏ, ମାଇଙ୍କର ଗାଏ ଓ ବନ୍ଧୁଭାବେ ଗାଏ ଏମିତି ମିଶି ପନ୍ଦରଗୋଟି ଗୁଆପଡ଼େ ।ଏସବୁ ପରେ ବାକି ବନ୍ଧୁଘରେ ଗୁଆ ପଡ଼େ ।