ଓଡ଼ିଶାର ସଂସ୍କୃତି

ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଅଛନ୍ତି । ଓଡ଼ିଆ ଓଡ଼ିଶାର ସରକାରୀ ଓ ବହୁଳତମ କଥିତ ଭାଷା ଏବଂ ୨୦୦୧ ଜନଗଣନା ଅନୁସାରେ ୩.୩୨ କୋଟି (୩୩.୨ ନିୟୁତ) ଲୋକ ଏଥିରେ କଥାହୁଅନ୍ତି ।[] ଆଧୁନିକ ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତରିଖରେ ବ୍ରିଟିଶ ଶାସିତ ଭାରତର ଏକ ପ୍ରଦେଶ ଭାବରେ ମୁଖ୍ୟତଃ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ।[] ଏପ୍ରିଲ ୧ ତାରିଖକୁ ଓଡ଼ିଶା ଦିବସ ଭାବେ ପାଳନ କରାଯାଏ ।[] ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ହୋଇଥିଲା । ଖ୍ରୀ.ପୂ. ପ୍ରଥମ ସହସ୍ରାଦ୍ଧରେ କଳିଙ୍ଗ ରାଜ୍ୟରେ ନୌବାଣିଜ୍ୟ ଏକ ମୁଖ୍ୟ ବ୍ୟବସାୟ ଥିଲା । କଳିଙ୍ଗର ଅନେକାଂଶ ବର୍ତ୍ତମାନ ଆଧୁନିକ ଓଡ଼ିଶାର ଅଂଶବିଶେଷ । ଏଠାରେ ଗଢ଼଼ିଉଠିଥିବା ସଭ୍ୟତା ଓ ସଂସ୍କୃତି ମଧ୍ୟରୁ କଳା-ସ୍ଥାପତ୍ୟ, ଧର୍ମ, ସାହିତ୍ୟ, ଚିତ୍ରକଳା, ନୃତ୍ୟ-ସଙ୍ଗୀତ ଇତ୍ୟାଦି ସଂସ୍କୃତି ଅନ୍ତର୍ଭୁକ୍ତ ।

କଳା-ସ୍ଥାପତ୍ୟ

[ସମ୍ପାଦନା]

ଧଉଳି ପାହାଡ଼ରେ ଥିବା ଅଶୋକଙ୍କ ସ୍ୱତନ୍ତ୍ର କଳିଙ୍ଗ ଅନୁଶାସନ ନିକଟରେ ପଥର କାନ୍ଥରେ ଖୋଦିତ ହାତୀର ସମ୍ମୁଖ ଭାଗ ଓଡ଼ିଶାର ସର୍ବପ୍ରାଚୀନ ପ୍ରସ୍ତର କଳାକୃତି ମଧ୍ୟରୁ ଅନ୍ୟତମ । ଏହା ମୌର୍ଯ୍ୟଯୁଗୀୟ ହୋଇଥିଲେ ହେଁ ଏଥିରେ କଳିଙ୍ଗ ପ୍ରସ୍ତର କଳା ରହିଛି । ଧଉଳିଠାରୁ ପାଞ୍ଚ କି.ମି. ଦୂର ଦକ୍ଷିଣରେ ଅଶୋକଙ୍କ ସମୟର ଏକ ଭଗ୍ନ ସ୍ତୁପ ଅରାଗଡ଼ଠାରେ ଆବିଷୃତ ହୋଇଛି । ଓଡ଼ିଶାର ଅନ୍ୟାନ୍ୟ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତି ମଧ୍ୟରେ ଉଦୟଗିରି ଓ ଖଣ୍ଡଗିରିଠାରେ ଅନ୍ୟତମ । ଉଦୟଗିରିର ହାତୀଗୁମ୍ଫାରେ ଖାରବେଳଙ୍କ ରାଜତ୍ୱର ବିଶିଷ୍ଟ ଘଟଣାବଳୀ କ୍ରମାନ୍ୱୟରେ ପ୍ରସ୍ତର ଗାତ୍ରରେ ଖୋଦିତ ହୋଇଛି । ଏହା ହାତୀଗୁମ୍ଫା ଅଭିଲେଖ ନାମରେ ଖ୍ୟାତ । ଏଠାରେ ଅନ୍ୟାନ୍ୟ ଗୁମ୍ଫାଗୁଡ଼ିକ ମଧରୁ ଦ୍ୱିତଳ ବିଶିଷ୍ଟ ରାଣୀଗୁମ୍ଫା ଓ ସ୍ୱର୍ଣ୍ଣପୁରୀ-ମଞ୍ଜପୁରୀ କଳାତ୍ମକ ଦୃଷ୍ଟିରୁ ପ୍ରଧାନ । ଏହି ଉଭୟ ଗୁମ୍ଫା ଖାରବେଳଙ୍କ ସମୟରେ ଖୋଦିତ ହୋଇଥିବା ପ୍ରମାଣ ମିଳେ । ଖଣ୍ଡଗିରିର ଗୁମ୍ଫାଗୁଡ଼ିକ ମଧ୍ୟରୁ ଅନନ୍ତଗୁମ୍ଫା, ନବମୂନି ଗୁମ୍ଫା, ବାରଭୂଜି ଗୁମ୍ଫା ଓ ଲଲାଟେନ୍ଦୁକେଶରୀ ଗୁମ୍ଫା ଦଶମ-ଏକାଦଶ ଶତାବ୍ଦୀରେ ଖୋଦିତ ହୋଇଥିବା ପ୍ରମାଣ ମିଳେ । ଏହି ଗୁମ୍ଫାଗୁଡ଼ିକ ଭିତରେ ଜୈନ ତୀର୍ଥଙ୍କରମାନଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ଉଦୟଗିରି ଓ ଖଣ୍ଡଗିରି ପ୍ରାଚୀନ କାଳରେ କୁମାରୀ ଓ କୁମାର ପର୍ବତ ରୂପେ ଯଥାକ୍ରମେ ପରିଚିତ ଥିବା ହାତୀଗୁମ୍ଫା ଅଭିଲେଖରୁ ଜଣାଯାଏ ।[]

ଓଡ଼ିଶାରେ ବୌଦ୍ଧ ଧର୍ମର ଅଭ୍ୟୁତ୍ଥାନ ସମୟରେ ଅନେକ ବୌଦ୍ଧବିହାର ଓ ଉପାସନାଗୃହ ଗଢ଼ି ଉଠିଥିଲା । ଏଗୁଡ଼ିକ ପଞ୍ଚମ ଶତାବ୍ଦୀଠାରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ପ୍ରମାଣ ମିଳେ । ତନ୍ମଧ୍ୟରୁ ବରଗଡ଼ ଜିଲ୍ଲାର ଗଣିଆପାଲିଠାରେ ଥିବା ମୁଚଳିନ୍ଦ ବୌଦ୍ଧବିହାର ସମ୍ଭବତଃ ସର୍ବପ୍ରାଚୀନ । ସେଥିପରି ଗଞ୍ଜାମ ଜିଲ୍ଲାର ବୁଦ୍ଧଖୋଲ ଅନ୍ୟତମ ପ୍ରାଚୀନ ବୌଦ୍ଧକୀର୍ତ୍ତି ରୂପେ ପରିଚିତ । ଏତଦ୍‌ବ୍ୟତୀତ ରତ୍ନଗିରି, ଲଲିତଗିରି, ଉଦୟଗିରି, ଲାଙ୍ଗୁଡ଼ି ପାହାଡ଼, କାଏମା, ବଜ୍ରଗିରି, ରମେଶ୍ୱର, ସୋଲପୁର, ଖଡ଼ିପଦାରୁ ଆବିଷୃତ ବିହାର, ସ୍ତୂପ, ଚୈତ୍ୟଗୃହ, ଉପାସନା ଗୃହ ଓ ଆବାସସ୍ଥଳୀ ତଥା ବୌଦ୍ଧମୂର୍ତ୍ତି ଆଦିରୁ ଏହି ଅଞ୍ଚଳରେ ବୌଦ୍ଧଧର୍ମର ପ୍ରାଧାନ୍ୟ ବିଷୟରେ ସୂଚନା ମିଳିଛି । ବୌଦ୍ଧରୁ ପ୍ରାପ୍ତ ଏକ ପୂର୍ଣ୍ଣାବୟବ ମୂର୍ତ୍ତି ମଧ୍ୟ ଏହି ଶ୍ରେଣୀଭୁକ୍ତ ।

ଓଡ଼ିଶାରେ ଥିବା ପ୍ରାଚୀନ ମନ୍ଦିରମାନଙ୍କ ନିମନ୍ତେ ଓଡ଼ିଶା ମନ୍ଦିର ମାଳିନୀ ରାଜ୍ୟ ରୂପେ ପ୍ରସିଦ୍ଧ । ପ୍ରମୁଖ ମନ୍ଦିରଗୁଡ଼ିକର ଗଠନ ଶୈଳୀ ସ୍ୱତନ୍ତ୍ର ଓ "କଳିଙ୍ଗ ଶୈଳୀ" ନାମରେ ଖ୍ୟାତ । କଳିଙ୍ଗ ଶୈଳୀରେ ନିର୍ମିତ ଏହି ମନ୍ଦିରଗୁଡ଼ିକ ସ୍ଥାପତ୍ୟ ଦୃଷ୍ଟିରୁ ତିନି ପ୍ରକାର । ସେଗୁଡ଼ିକ ହେଲା: ରେଖା ଦେଉଳ, ପିଢ଼ା ଦେଉଳ, ଖାଖରା ଦେଉଳ । ମନ୍ଦିରର ଶିଖର ଓ ଶୀର୍ଷ ଭାଗର ଗଠନ ଶୈଳୀକୁ ଭିତ୍ତି କରି ଏଭଳି ବିଭକ୍ତିକରଣ କରାଯାଇଛି । କଳିଙ୍ଗ ଶୈଳୀର ମନ୍ଦିରଗୁଡ଼ିକ ସପ୍ତମ ଶତାବ୍ଦୀଠାରୁ ପଞ୍ଚଦଶ-ଷୋଡ଼ଷ ଶତାବ୍ଦୀ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନିର୍ମିତ ହୋଇଥିଲା ।[][] ଏସବୁ ବିଶେଷକରି ଶୈଳୋଦ୍ଭବ, ଭୌମକର, ସୋମବଂଶୀ, ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ରାଜାମାନଙ୍କ ପୃଷ୍ଠପୋଷକତାରେ ନିର୍ମିତ ହୋଇଥିଲା । ଏଗୁଡ଼ିକ ପ୍ରାଚୀନ ଏକାମ୍ରକ୍ଷେତ୍ର (ଆଧୁନିକ ଭୁବନେଶ୍ୱର ନଗର), ଶଙ୍ଖକ୍ଷେତ୍ର (ଆଧୁନିକ ପୁରୀ), ଅର୍କକ୍ଷେତ୍ର (ଆଧୁନିକ କୋଣାର୍କ), ବିରଜାକ୍ଷେତ୍ର (ଆଧୁନିକ ଯାଜପୁର), ଖିଂଚି, ବୌଦ୍ଧ, ଗନ୍ଧରାଡ଼ି, ରାଣୀପୁର ଝରିଆଲ, ନୃସିଂହନାଥ, କୂଆଳ, ବରଗାଁ, ଚଉରାଶି, ନିଆଳି ଏବଂ ପାପଡାହାଣ୍ଡିଠାରେ ଦେଖିବାକୁ ମିଳେ । ତନ୍ମଧ୍ୟରୁ ଭୁବନେଶ୍ୱରର ମୁକ୍ତେଶ୍ୱର, ରାଜାରାଣୀଲିଙ୍ଗରାଜ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଓ କୋଣାର୍କର ସୂର୍ଯ୍ୟମନ୍ଦିର ପ୍ରସିଦ୍ଧ । ଏତଦ୍‌ବ୍ୟତୀତ ଓଡ଼ିଶାର ପଶ୍ଚିମାଞ୍ଚଳରେ ପୋଡ଼ାଇଟାରେ ତିଆରି ଅନେକ ମନ୍ଦିର ଦେଖିବାକୁ ମିଳେ । ତନ୍ମଧ୍ୟରୁ ବୁଦ୍ଧିକୋମା, କୋମନା ଓ ଇନ୍ଦ୍ରଲାଧ (ରାଣିପୁର ଝରିଆଲ) ମନ୍ଦିର ଉଲ୍ଲେଖଯୋଗ୍ୟ ।

ଓଡ଼ିଶାର ମଧ୍ୟଯୁଗୀୟ ପୁରାକୀର୍ତ୍ତିଗୁଡ଼ିକ ମଧ୍ୟରୁ କଟକର ଦେୱାନ ବଜାର ମସଜିଦ, ବାଲୁବଜାର ମସଜିଦ, କଦମ ରସୁଲ, କାଳିଆବୋଦା ଗୁରୁଦ୍ୱାରା ଏବଂ ପୁରୀର ବାଉଳି ମଠ ଅନ୍ୟତମ । ଏହା ଛଡ଼ା ଚୌହାନ ରାଜାମାନଙ୍କଦ୍ୱାରା ନିର୍ମିତ ମନ୍ଦିରଗୁଡ଼ିକ ମଧ୍ୟ ଏହି ସମୟର ଓ ସ୍ୱତନ୍ତ୍ର । ଏସବୁ ପାଟଣାଗଡ଼, ସୋନପୁରସମ୍ବଲପୁରଠାରେ ଦେଖିବାକୁ ମିଳେ ।

ଚିତ୍ରକଳା

[ସମ୍ପାଦନା]

ଓଡ଼ିଶାର ଚିତ୍ରକଳା ମଧ୍ୟରେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସିତାବିଂଝୀର ରାବଣାଛାୟା ପ୍ରସିଦ୍ଧ ଓ ପ୍ରାଚୀନ । ମଧ୍ୟଯୁଗୀୟ ଚିତ୍ରକଳା ମଧ୍ୟରେ ପୁରୀର ଜଗନ୍ନାଥ ମନ୍ଦିର, ବିମଳା ମନ୍ଦିର ଓ ଲକ୍ଷ୍ମୀ ମନ୍ଦିର ତଥା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡାର ବିରଞ୍ଚି ନାରାୟଣ ମନ୍ଦିରର ଅଭ୍ୟନ୍ତରରେ ଅନ୍ୟତମ ।

ଜୈନ ଧର୍ମ

[ସମ୍ପାଦନା]

ପ୍ରାଚୀନ କାଳରୁ ଓଡ଼ିଶାରେ ଜୈନ ଧର୍ମ ପ୍ରସାର ଲାଭ କରିଥିବା ଜଣାଯାଏ । ଜୈନ ଧର୍ମର ଶେଷ ଦୁଇଜଣ ତୀର୍ଥଙ୍କର ପାର୍ଶ୍ୱନାଥମହାବୀର ଓଡ଼ିଶାର କଳିଙ୍ଗ ରାଜ୍ୟରେ ଏହି ଧର୍ମର ଅଭ୍ୟୁଦୟ ଘଟାଇବାରେ ସହାୟ ହୋଇଥିଲେ । ଖ୍ରୀ.ପୂ. ପ୍ରଥମ ଶତାବ୍ଦୀରେ କଳିଙ୍ଗ ରାଜା ଖାରବେଳ ଜୈନ ଧର୍ମର ପୃଷ୍ଠପୋଷକତା କରିବା ସହିତ ଏହାର ପ୍ରସାର ଘଟାଇଥିଲେ । ପରବର୍ତ୍ତୀ ସମୟରେ ଶୈଳୋଦ୍ଭବ ବଂଶୀୟ ରାଜା ଧର୍ମରାଜ ଓ ସୋମବଂଶୀ ରାଜା ଉଦ୍ୟୋତକେଶରୀ ଓଡ଼ିଶାରେ ଜୈନ ଧର୍ମର ପୃଷ୍ଠପୋଷକା କରିଲେ । ଭୁବନେଶ୍ୱର ନିକଟସ୍ଥ ଖଣ୍ଡଗିରି ଓ ଉଦୟଗିରି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ଜୈନ ଗୁମ୍ଫା ଓ ମନ୍ଦିର ଦେଖିବାକୁ ମିଳେ ।

ବୌଦ୍ଧ ଧର୍ମ

[ସମ୍ପାଦନା]

ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରୁ ଓଡ଼ିଶାରେ ବୌଦ୍ଧ ଧର୍ମର ଅଭ୍ୟୁଦୟ ଘଟିଲା । ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ଅଶୋକ କଳିଙ୍ଗ ଯୁଦ୍ଧରେ ଜୟଲାଭ କରିବା ପରେ କଳିଙ୍ଗରେ ବୌଦ୍ଧ ଧର୍ମର ପ୍ରଚାର ପାଇଁ ମୋଗଲିପୁତ୍ତଟିସ୍ପ, ଉପଗୁପ୍ତ ଓ ମହାଦେବ ପ୍ରଭୃତି ବୌଦ୍ଧଭିକ୍ଷୁମାନଙ୍କୁ ପଠାଇଥିଲେ । ସେମାନଙ୍କଦ୍ୱାରା ଓଡ଼ିଶାରେ ବୌଦ୍ଧ ଧର୍ମର ଲୋକପ୍ରିୟତା ବୃଦ୍ଧି ପାଇଥିଲା । ପରବର୍ତ୍ତୀ ସମୟରେ କଳିଙ୍ଗ ରାଜା ଗୁହଶିବ ବୁଦ୍ଧଙ୍କ ଦନ୍ତଭସ୍ମ ଅଣାଇ ଦନ୍ତପୁରଠାରେ ଏକ ପବିତ୍ର ସ୍ତୂପ ନିର୍ମାଣ କରାଇଥିଲେ । ଅଷ୍ଟମ ଶତାବ୍ଦୀରେ ଭୌମକର ବଂଶୀୟ କେତେକ ରାଜା ବୌଦ୍ଧଧର୍ମର ପୃଷ୍ଠପୋଷକତା କରି ବିହାର ଓ ଚୈତ୍ୟଗୃହ ନିର୍ମାଣ କରାଇ ଥିଲେ । ଏହି ବଂଶର ରାଜା ଶିବକର ଦେବ ଉନ୍ମଟ୍ଟ ସିଂହ ଗଣ୍ଡବ୍ୟୁହ ନାମକ ଏକ ବୌଦ୍ଧ ଧର୍ମଗ୍ରନ୍ଥ ଚୀନ ଦେଶର ସମ୍ରାଟ ତେ-ସଙ୍ଗଙ୍କ ନିକଟକୁ ପଠାଇଥିଲେ । ଏହା ପରେ ଓଡ଼ିଶାରେ ବୌଦ୍ଧଧର୍ମର ପ୍ରାଧାନ୍ୟ ହ୍ରାସପାଇଲା ।

ବ୍ରାହ୍ମଣ୍ୟ ଧର୍ମ

[ସମ୍ପାଦନା]

ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀଠାରୁ ଓଡ଼ିଶାରେ ବ୍ରାହ୍ମଣ୍ୟ ଧର୍ମର ବିକାଶ ଘଟି ବିଭିନ୍ନ ମତବାଦର ପାଇଲା । ଶୈବ, ଶାକ୍ତ, ବୈଷ୍ଣବ ମତବାଦର କ୍ରମଶଃ ବିକାଶ ସହିତ ଓଡ଼ିଶାରେ ଅନେକ ମନ୍ଦିର ନିର୍ମାଣ ହେଲା । ଶିବ, ଦୁର୍ଗା, ବିଷ୍ଣୁ, ଗଣେଶ, କାର୍ତ୍ତିକେୟ, ବରାହ, ନୃସିଂହବାମନ ପ୍ରଭୃତି ଦେବଦେବୀମାନେ ଏହି ମନ୍ଦିରଗୁଡ଼ିକର ଅଭ୍ୟନ୍ତରରେ ତଥା ପାର୍ଶ୍ୱରେ ପୂଜା ପାଇଲେ । ମହାନଦୀ କୂଳରେ ଓ ପ୍ରାଚୀ ନଦୀ ଉପତ୍ୟକାରେ ମାଧବ ଉପାସନା ଲୋକପ୍ରିୟ ହେଲା । ଅଷ୍ଟମ ଶତାବ୍ଦୀ ବେଳକୁ ପୁରୀରେ ପୁରୁଷୋତ୍ତମ ନୀଳମାଧବ ପ୍ରସିଦ୍ଧି ଲାଭ କଲେ । କିମ୍ବଦନ୍ତୀ ଅନୁସାରେ ନୀଳ କନ୍ଦରରେ ଶବର ରାଜା ବିଶ୍ୱାବସୁଙ୍କ ପୂଜିତ ନୀଳମାଧବ ପୁରୁଷୋତ୍ତମ ରୂପେ ପରିଚିତ ହୋଇ ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ସର୍ବଶ୍ରେଷ୍ଠ ଦେବତା ରୂପେ ଘୋଷିତ ହେଲେ । କାଳକ୍ରମେ ଶିବ-ଦୁର୍ଗା-ବିଷ୍ଣୁଙ୍କ (ପୁରୁଷୋତ୍ତମ) ସମନ୍ୱୟ ଘଟି ପୁରୀରେ ଏହି ତିନି ଦେବତା ଜଗନ୍ନାଥ, ବଳଭଦ୍ରସୁଭଦ୍ରା ରୂପରେ ଦାରୁବିଗ୍ରହରେ ପୂଜାପାଇଲେ । ଜଗନ୍ନାଥ ଧର୍ମ ମଧ୍ୟରେ ବିଭିନ୍ନ ଧର୍ମ ଓ ମତବାଦର ସମନ୍ୱୟ ମଧ୍ୟ ଘଟିଲା । ସାଧୁସନ୍ଥମାନେ ଜଗନ୍ନାଥ ଧାମରେ ନିଜ ନିଜ ସଂପ୍ରଦାୟର ମଠ ଓ ଉପାସନା ମନ୍ଦିର ସ୍ଥାପନାକଲେ । ତନ୍ମଧ୍ୟରୁ ଶଙ୍କର, ରାମାନୁଜ, ନିମ୍ବାର୍କ, ମାଧବାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, କବୀର, ଗୁରୁ ନାନକ, ଚୈତନ୍ୟ ଆଦି ପ୍ରଧାନ ।

ଇସଲାମ ଧର୍ମ

[ସମ୍ପାଦନା]

ଷୋଡ଼ଶ ଶତାବ୍ଦୀରେ ଓଡ଼ିଶାରେ ଇସଲାମ ଧର୍ମାବଲମ୍ବୀମାନେ ଆସି ବସବାସ କଲେ । କାଳକ୍ରମେ ଜଳେଶ୍ୱର, ଭଦ୍ରକ, କଟକ, ପିପିଲି ଅଞ୍ଚଳରେ ମୁସଲମାନ ଲୋକସଂଖ୍ୟା ବୃଦ୍ଧିପାଇଲା । ହିନ୍ଦୁମୁସଲମାନମାନଙ୍କ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ ମଧ୍ୟ ଏହି ସମୟରେ ଘଟିବା ଆରମ୍ଭ ହେଲା । ମୁସଲମାନ ଫକୀର ଓ ସୁଫି ସନ୍ଥମାନଙ୍କ ଦରଘା ବା ସମାଧିପୀଠକୁ ଉଭୟ ସଂପ୍ରଦାୟର ଲୋକମାନେ ଭକ୍ତି ପ୍ରଦର୍ଶନ କଲେ । ଏହି ସଦ୍ଭାବର ପ୍ରଭାବ ମୋଗଲ ତାମସା ଅଭିନୟରେ ଦେଖିବାକୁ ମିଳିଥାଏ ।

ଖ୍ରୀଷ୍ଟିଆନ ଧର୍ମ

[ସମ୍ପାଦନା]

ଅଷ୍ଟାଦଶ ଶତାବ୍ଦୀଠାରୁ ଓଡ଼ିଶାରେ ଖ୍ରୀଷ୍ଟିଆନ ଧର୍ମଯାଜକମାନଙ୍କ ଆଗମନ ଘଟି ରୋମାନ କ୍ୟାଥଲିକ, ପ୍ରୋଟେଷ୍ଟାଣ୍ଟ ଓ ବାପଟିଷ୍ଟ୍ ପ୍ରଭୃତି ଖ୍ରୀଷ୍ଟିଆନ ସଂପ୍ରଦାୟମାନଙ୍କ ସୃଷ୍ଟି ହେଲା । ଧର୍ମଯାଜକମାନେ ସ୍କୁଲ, ଡାକ୍ତରଖାନା ଇତ୍ୟାଦି ମଧ୍ୟ ସ୍ଥାପନା କଲେ । ଏହି ସମୟରେ ସ୍ଥାପିତ କଟକର ମିଶନ ପ୍ରେସ ଥିଲା ଓଡ଼ିଶାର ସର୍ବପୁରାତନ ମୁଦ୍ରଣଶାଳା ।

ମହିମା ଧର୍ମ

[ସମ୍ପାଦନା]

ଉନ୍ନବିଂଶ ଶତାବ୍ଦୀରେ ମହିମା ଗୋସାଇଁଙ୍କଦ୍ୱାରା ପ୍ରଚାରିତ ଅଲେଖ ମହିମା ଧର୍ମ କେନ୍ଦ୍ର ଓ ପଶ୍ଚିମ ଓଡ଼ିଶାର କୃଷକ ସଂପ୍ରଦାୟରେ ବିଶେଷ ଆଦୃତ ହୋଇଥିଲା । ଭୀମ ଭୋଇଙ୍କଦ୍ୱାରା ରଚିତ ଭଜନମାଳା ଓଡ଼ିଶା ଓ ଓଡ଼ିଶା ବାହାରେ ମହିମା ଧର୍ମର ପ୍ରସାର ପାଇଁ ସହାୟକ ହୋଇଥିଲା ।

ସାହିତ୍ୟ

[ସମ୍ପାଦନା]

ସଂସ୍କୃତ ସାହିତ୍ୟ

[ସମ୍ପାଦନା]

ସଂସ୍କୃତ ସାହିତ୍ୟକୁ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ତନ୍ମଧ୍ୟରୁ କୃଷ୍ଣ ମିଶ୍ରଙ୍କ ପ୍ରବୋଧ ଚନ୍ଦ୍ରୋଦୟ, ଶତାନନ୍ଦଙ୍କ ଭାସ୍ୱତୀ, ଜୟଦେବଙ୍କ ଗୀତଗୋବିନ୍ଦ, ବିଦ୍ୟାଧରଙ୍କ ଏକାବଳୀବିଶ୍ୱନାଥ କବିରାଜଙ୍କ ସାହିତ୍ୟ ଦର୍ପଣ ଉଲ୍ଲେଖଯୋଗ୍ୟ ।

ଓଡ଼ିଆ ସାହିତ୍ୟ

[ସମ୍ପାଦନା]

ପଞ୍ଚଦଶ ଶତାବ୍ଦୀର ସାରଳା ଦାସ ଓଡ଼ିଆ ସାହିତ୍ୟର ଆଦିକବି ରୂପେ ସ୍ୱୀକୃତ । ସେ ଥିଲେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମସାମୟିକ । ସାରଳା ଦାସଙ୍କ ରଚିତ ଓଡ଼ିଆ ମହାଭାରତ, ବିଲଙ୍କା ରାମାୟଣ, ଚଣ୍ଡୀପୁରାଣ ଆଦି ଗ୍ରନ୍ଥ ମୂଳ ବିଷୟବସ୍ତୁ ବ୍ୟାଖ୍ୟା କରିବା ସହିତ ସେ ସମୟର ସାମାଜିକ ଓ ଐତିହାସିକ ଚିତ୍ର ପ୍ରଦାନକରନ୍ତି । ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପ୍ରତାପରୁଦ୍ର ଦେବଙ୍କ ସମୟର ପଞ୍ଚସଖା (ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସଅନନ୍ତ ଦାସ) ଭକ୍ତିରସାତ୍ମକ କାବ୍ୟ ରଚନା କରିଥିଲେ । ସେମାଙ୍କ କୃତି ମଧ୍ୟରୁ ବଳରାମ ଦାସଙ୍କ ଦାଣ୍ଡି ବା ଜଗମୋହନ ରାମାୟଣ, ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ଓ ଅଚ୍ୟୁତାନନ୍ଦ ଦାସଙ୍କ ଶୁନ୍ୟସଂହିତା ଆଦି ପ୍ରମୁଖ ।[] ପରବର୍ତ୍ତୀ ସମୟ ରୀତିଯୁଗୀୟ ସାହିତ୍ୟିକମାନଙ୍କ ମଧ୍ୟରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ଭକ୍ତ କବି ଗୋପାଳକୃଷ୍ଣ ପଟ୍ଟନାୟକ, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର, ଦୀନକୃଷ୍ଣ ଦାସ, ବ୍ରଜନାଥ ବଡ଼ଜେନା, ଗଙ୍ଗାଧର ଗୁରୁ ପ୍ରଭୃତି ପ୍ରସିଦ୍ଧ । ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ, ଲାବଣ୍ୟବତୀ, ପ୍ରେମ ସୁଧାନିଧି, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀରସିକ ହାରାବଳୀ, ବଳଦେବ ରଥଙ୍କ କିଶୋର ଚନ୍ଦ୍ରାନନ ଚମ୍ପୂ, ସଙ୍ଗୀତ କଳ୍ପଲତାଚନ୍ଦ୍ରକଳା, ଗୋପାଳକୃଷ୍ଣଙ୍କ ପଦ୍ୟାବଳୀ, ଅଭିମନ୍ୟୁଙ୍କ ବିଦଗ୍ଧ ଚିନ୍ତାମଣି, ଦିନକୃଷ୍ଣ ଦାସଙ୍କ ରସକଲ୍ଲୋଳ, ବ୍ରଜନାଥ ବଡ଼ଜେନାଙ୍କ ସମର ତରଙ୍ଗ, ଗଙ୍ଗାଧର ଗୁରୁଙ୍କ କୋଶଳାନନ୍ଦ କାବ୍ୟ ଆଦି ଏହି ସମୟର ପ୍ରସିଦ୍ଧ ରଚନାବଳୀ ।

ଉନ୍ନବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟର ନବ ଜାଗରଣ ଏବଂ ପରେ ବିଂଶ ଶତାବ୍ଦୀର ସ୍ୱାଧୀନତା ସଂଗ୍ରାମ ତଥା ଓଡ଼ିଆ ଭାଷା ଆନ୍ଦୋଳନର ପ୍ରଭାବ ସ୍ୱରୂପ ଓଡ଼ିଶାରେ ନୂତନ ସାହିତ୍ୟ ସୃଷ୍ଟି ହୋଇଥିଲା । ଏହି ସମୟର ପ୍ରମୁଖ ସାହିତ୍ୟିକମାନଙ୍କ ମଧ୍ୟରୁ ମଧୁସୂଦନ ରାଓ, ରାଧାନାଥ ରାୟ, ଫକୀର ମୋହନ ସେନାପତି, ନନ୍ଦକିଶୋର ବଳ, ଗଙ୍ଗାଧର ମେହେର ଏବଂ ସଦ୍ୟବାଦୀ ଯୁଗର ପଞ୍ଚସଖା ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, କୃପାସିନ୍ଧୁ ମିଶ୍ରଆଚାର୍ଯ୍ୟ ହରିହର ଦାସ ଆଦି ଅନ୍ୟତମ । ଏତଦ୍‌ବ୍ୟତୀତ ଜଗବନ୍ଧୁ ସିଂହ, ଗୌରୀଶଙ୍କର ରାୟ, ନୀଳମଣି ବିଦ୍ୟାରତ୍ନ, ବିଶ୍ୱନାଥ କର ପ୍ରଭୃତି ସାହିତ୍ୟିକ ଗଦ୍ୟ, ପ୍ରବନ୍ଧ, ଉପନ୍ୟାସ, କବିତା, ନାଟକ ଓ ସମ୍ବାଦ ମାଧ୍ୟମରେ ଓଡ଼ିଆ ସାହିତ୍ୟର ପ୍ରସାର କରିଥିଲେ । ପ୍ରଶାନ୍ତ କୁମାର ମଙ୍ଗରାଜ ଓଡ଼ିଆ ଶିଶୁସାହିତ୍ୟର ଅନ୍ୟତମ ସ୍ରଷ୍ଟା।

ନୃତ୍ୟ ଓ ସଙ୍ଗୀତ

[ସମ୍ପାଦନା]

ମାହାରୀ, ଗୋଟିପୁଅ ଓ ଓଡ଼ିଶୀ

[ସମ୍ପାଦନା]

ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ ଓ ପ୍ରାଚୀନ । ଖାରବେଳଙ୍କ ସମୟରେ ଖୋଦିତ ରାଣୀଗୁମ୍ଫା, ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀ ନୃତ୍ୟର ଆଧାର । ଭରତଙ୍କ ନାଟ୍ୟଶାସ୍ତ୍ରରେ କଳିଙ୍ଗ ନୃତ୍ୟ ଶୈଳୀ ଉଲ୍ଲିଖିତ । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର, ବୈତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ରାଜରାଣୀ ମନ୍ଦିର, ଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର ପ୍ରଭୃତି, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅମାନଙ୍କଦ୍ୱାରା ପରିବେଷିତ ହୋଇ ଆସୁଥିଲା । ଭାରତ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଏହାକୁ ଓଡ଼ିଶୀ ନାମରେ ନାମିତ କରାଗଲା ଓ ପରେ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା । ଏଥିରେ କାଳୀଚରଣ ପଟ୍ଟନାୟକ, ପଙ୍କଜଚରଣ ଦାସ, ଦେବପ୍ରସାଦ ଦାସ, କେଳୁଚରଣ ମହାପାତ୍ର, ସଂଯୁକ୍ତା ପାଣିଗ୍ରାହୀ ଆଦି ନୃତ୍ୟଗୁରୁମାନଙ୍କ ଭୂମିକା ଅନ୍ୟତମ । ଓଡ଼ିଶୀ ନୃତ୍ୟର ଅଙ୍ଗଭଙ୍ଗୀ ଓ ଲାଳିତ୍ୟ ଏହାର ବୈଶିଷ୍ଟ୍ୟ । ଏହି ନୃତ୍ୟର ପାଞ୍ଚଗୋଟି ପର୍ଯ୍ୟାୟ ରହିଛି: ମଙ୍ଗଳାଚରଣ, ବଟୁ, ପଲ୍ଲବୀ, ଅଭିନୟ ଓ ମୋକ୍ଷ । ନୃତ୍ୟ ଆରମ୍ଭରେ ନର୍ତ୍ତକୀ ଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳିଦ୍ୱାରା ପ୍ରଣାମ ନିବେଦନ କରନ୍ତି ଓ ଶେଷରେ ମୋକ୍ଷ ଲାଭ କାମନା କରି ପ୍ରଣତି ଜଣାନ୍ତି । ଏହି ନୃତ୍ୟରେ ପଖଉଜ, ବେହେଲା, ଗିନି, ଝାଞ୍ଜ, ବଂଶୀ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ । ଓଡ଼ିଶୀ ନୃତ୍ୟ ଭଳି ଓଡ଼ିଶୀ ସଙ୍ଗୀତ ମଧ୍ୟ ଏକ ଶାସ୍ତ୍ରୀୟ ସଙ୍ଗୀତ । ଶ୍ରୀଜଗନ୍ନାଥ ଓ ରାଧା-କୃଷ୍ଣଙ୍କର ଉପରେ ଆଧାରିତ ପାରମ୍ପାରିକ ଭକ୍ତିସଙ୍ଗୀତ ଓଡ଼ିଶୀ ସଙ୍ଗୀତ ମାଧ୍ୟମରେ ଏକ ସ୍ୱତନ୍ତ୍ର ରାଗ, ତାଳ ଓ ଗାୟନଶୈଳୀ ମାଧ୍ୟମରେ ପରିବେଷିତ ହୁଏ ।

ଲୋକନୃତ୍ୟ

[ସମ୍ପାଦନା]

ଆଞ୍ଚଳିକତା-ଭିତ୍ତିରେ ଓଡ଼ିଶାର ଲୋକନୃତ୍ୟ ଗୁଡ଼ିକ ମଧ୍ୟରେ ଦକ୍ଷିଣ ଓଡ଼ିଶାର ଦଣ୍ଡନାଟ, ପାଟୁଆଯାତ୍ରା, ଚଇତି ଘୋଡ଼ା ନାଚ, ପଶ୍ଚିମ ଓଡ଼ିଶାର ଡାଲଖାଇ ନାଚ, କଳହାଣ୍ଡିର ଘୁମୁରା ନାଚ, ପୁରୀର ସାହି ଯାତ, ମୟୂରଭଞ୍ଜର ଛଉ ନାଚ ଏବଂ ଶବର-ଶବରୁଣୀ, ଚଢ଼େଇଆ ନାଚ ଆଦି ପ୍ରସିଦ୍ଧ । ଓଡ଼ିଶାରେ ପାଳିତ ବିଭିନ୍ନ ପର୍ବପର୍ବାଣି ଓ ମେଳା ମହୋତ୍ସବମାନଙ୍କରେ ଏହି ନାଚସବୁ ପରିବେଷିତ ହୋଇଥାଏ । ଲୋକନୃତ୍ୟ ସହ ଲୋକସଂଗୀତ ମଧ୍ୟ ଗାନ କରାଯାଇଥାଏ ।

ପର୍ବପର୍ବାଣି

[ସମ୍ପାଦନା]

ଓଡ଼ିଶାର ବର୍ଷର ବିଭିନ୍ନ ସମୟରେ ନାନା ପ୍ରକାର ଯାନିଯାତ୍ରା ଓ ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ । ଯାତ୍ରାଗୁଡ଼ିକ ମୁଖ୍ୟତଃ ଜଗନ୍ନାଥଙ୍କୁ କେନ୍ଦ୍ର କରି ଅନୁଷ୍ଠିତ ହୋଇଥାଏ । ଏହି ଯାନିଯାତ୍ରାର ବିଭିନ୍ନତାକୁ ନେଇ "ବାର ମାସରେ ତେର ଯାତ" ନାମକ ଲୋକୋକ୍ତି ରହିଛି । ବୈଶାଖରେ ଅକ୍ଷୟ ତୃତୀୟାଠାରୁ ଏକୋଇଶି ଦିନ ବ୍ୟାପୀ ଚନ୍ଦନଯାତ୍ରା, ଜ୍ୟୋଷ୍ଠ ପୂର୍ଣ୍ଣିମାଦିନ ସ୍ନାନଯାତ୍ରା, ଆଷାଢ଼ ଶୁକ୍ଳ ଦ୍ୱିତୀୟାଠାରୁ ନଅଦିନ ଧରି ରଥଯାତ୍ରା ଓ ବାହୁଡ଼ା ଯାତ୍ରା, ଶ୍ରାବଣ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଝୁଲଣ ଯାତ୍ରା, ଫାଲଗୁନ ପୂର୍ଣ୍ଣିମାରେ ଦୋଳଯାତ୍ରା ଇତ୍ୟାଦି ଅନ୍ୟତମ । ଏହା ଛଡ଼ା ଭାଦ୍ରବରେ ଗଣେଶ ପୂଜାବିଶ୍ୱକର୍ମା ପୂଜା, ଆଶ୍ୱିନରେ ଷୋହଳ ଦିନ ବ୍ୟାପୀ ଦେବୀ ପୀଠମାନଙ୍କରେ ଦୁର୍ଗା ପୂଜା ଓ ଶୁକ୍ଳ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ସାର୍ବଜନୀନ ଦୁର୍ଗା ମେଢ଼ ପୂଜା, କାର୍ତ୍ତିକରେ ଲକ୍ଷ୍ମୀ, କାଳୀ ପୂଜାକାର୍ତ୍ତିକେୟ ମେଢ଼ ପୂଜା ଓ ବାଲିଯାତ୍ରା, ମାର୍ଗଶୀରରେ ଲକ୍ଷ୍ମୀ ପୂଜା ବା ମାଣବସା ଗୁରୁବାର, ମାଘରେ ସରସ୍ୱତୀ ପୂଜା, ଫାଲଗୁନରେ ଜାଗର ଯାତ୍ରାଚୈତ୍ରରେ ଝାମୁ ଯାତ୍ରା ଇତ୍ୟାଦି ଅନ୍ୟତମ । ଏତଦ୍‌ବ୍ୟତିତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନୂଆଖାଇ, ଶୀତଳ ଷଷ୍ଠୀ, ଧନୁଯାତ୍ରା, ଠାକୁରାଣୀ ଯାତ୍ରା, ଶୁଲିଆ ଯାତ୍ରା, ଗଜଲକ୍ଷ୍ମୀ ଯାତ୍ରା ଆଦି ପ୍ରଧାନ ।

ଯାନିଯାତ୍ରା ଭଳି ଓଡ଼ିଶାରେ ବର୍ଷର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପର୍ବପର୍ବାଣି ପାଳିତ ହୋଇଥାଏ । ତନ୍ମଧ୍ୟରୁ ଚଇତି ପର୍ବ, ଗହ୍ମା ପୂର୍ଣ୍ଣିମା, ଦଶହରା, ମକର ସଂକ୍ରାନ୍ତି, ଦୋଳଯାତ୍ରା, ଟୁସୁ ପରବ ଇତ୍ୟାଦି ପ୍ରଧାନ । ବିଭିନ୍ନ ଓଷା ମଧ୍ୟରେ ଷଷ୍ଠୀ ଓଷା, ଫୁଲେରା ଓଷା, କାଞ୍ଜିଅଁଳା ଓଷା, ଖୁଦୁରୁକୁଣୀ ଓଷା, ବୁଧେଇ ଓଷା, ଦ୍ୱିତୀୟା ଓଷାବଡ଼ ଓଷା ଏବଂ ବ୍ରତ ମଧ୍ୟରେ ସୁଦଶା ବ୍ରତ, ସୋମନାଥ ବ୍ରତ, ଗୌରୀ ବା ବାଲି ତୃତୀୟା ବ୍ରତ, ଅନନ୍ତ ବ୍ରତ, ସାବିତ୍ରୀ ବ୍ରତ, କେଦାର ବ୍ରତ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ଏହି ସବୁ ପର୍ବପର୍ବାଣି ଓ ଓଷା ବ୍ରତ ଜନଜୀବନରେ ଧର୍ମୀୟ ଚେତନା ଦୃଢିଭୂତ କରିବାରେ ସହାୟକ ହୋଇଥାଏ ।

  1. "Indiaspeak: English is our 2nd language". The Times of India. 14 March 2010. Retrieved 3 February 2015.
  2. "Detail History of Orissa". Government of Odisha. Archived from the original on 12 November 2006.
  3. "Utkala Dibasa hails colours, flavours of Odisha". The Times of India. 2 April 2014. Retrieved 1 February 2015.
  4. "Tour Operators in Odisha - Tours in Odisha - Trips in Odisha". Heritage Tours Orissa (in ଆମେରିକୀୟ ଇଂରାଜୀ). Retrieved 2022-01-17.
  5. Vidya Dehejia, Early Stone Temples of Orissa,1979.
  6. "Hindu temple architecture". onelight.com. Archived from the original on 2019-06-02. Retrieved 2022-01-17.
  7. [http://www.oocities.org/garoiashram/english/panchasakha.html "Panchasakh� - 5 saintly friends - Shri Achyuta, SishuAnanta, Jasobanta, Balarama, & Jagannatha"]. www.oocities.org. Retrieved 2022-01-17. {{cite web}}: replacement character in |title= at position 11 (help)

ବାହାର ତଥ୍ୟ

[ସମ୍ପାଦନା]