ଓଡ଼ିଶା ପ୍ରଚୀନ ସମୟରେ କଳିଙ୍ଗ ନାମରେ ଜଣାଶୁଣା ଥିଲା । କଳିଙ୍ଗବାସୀଙ୍କର ସାମୁଦ୍ରିକ ବାଣିଜ୍ୟ ଖ୍ରୀଷ୍ଟପୂର୍ବ ୩୫୦ ପୂର୍ବରୁ ଆରମ୍ଭ ହୋଇସାରିଥିଲା ବୋଲି କେତେକ ପ୍ରାଚୀନ ସୂତ୍ରରୁ ଜଣାପଡେ । ଏହି ଅଞ୍ଚଳର ବ୍ୟବସାୟୀ/ସାଧବମାନେ ବଙ୍ଗୋପସାଗର ପାରକରି ଦକ୍ଷିଣ-ପୂର୍ବ ଏସିଆ ଓ ଚୀନ ସହିତ ବ୍ୟବସାୟିକ ସମ୍ବନ୍ଧ ସ୍ଥାପନ କରି ପାରିଥିଲେ । ଦକ୍ଷିଣ-ପୂର୍ବ ଏସିଆର ଅନେକ ସ୍ଥାନରେ କଳିଙ୍ଗର ସଂସ୍କୃତିର ଛାପ ଦେଖିବାକୁ ମିଳେ । ଖ୍ରୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀରେ ରଚିତ ମଞ୍ଜୁଶ୍ରୀମୂଳକଳ୍ପରେ ବଙ୍ଗୋପସାଗରକୁ “କଳିଙ୍ଗ ସାଗର” ବୋଲି କୁହାଯାଇଛି । ଏହା ସେହି ସମୟର ସାମୁଦ୍ରିକ ବାଣିଜ୍ୟରେ କଳିଙ୍ଗର ଏକଛତ୍ର ପ୍ରଭାବର ସୂଚନା ଦିଏ ।[୧] ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ପାଳିତ ହେଉଥିବା ବାଲି ଯାତ୍ରା, ବୋଇତ ବନ୍ଦାଣ ଏହି ମହାନ ଇତିହାସର ଜୀବନ୍ତ ସାକ୍ଷୀ ।
ଭାରତୀୟ ଉପମହାଦ୍ୱୀପର ପୂର୍ବ ଭୂଖଣ୍ଡରେ ଅବସ୍ଥିତ କଳିଙ୍ଗ ପ୍ରାଚୀନ ସମୟରେ ଗଙ୍ଗା ନଦୀର ଦକ୍ଷିଣ ତଟରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଏହା ବର୍ତ୍ତମାନ ସମୟର ପଶ୍ଚିମ ବଙ୍ଗ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁର ଉତ୍ତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା । ଅନେକ ନଦୀ ଯଥା ମହାନଦୀ, ବଂଶଧାରା, ଗୋଦାବରୀ ଓ ଗଙ୍ଗା ଚିରସ୍ରୋତା ହୋଇଥିବାରୁ ପୂର୍ବ ତଟରୁ ବହୁ ଅଭ୍ୟନ୍ତରୀଣ ଅଞ୍ଚଳ ପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରୁଥିଲା । ଦନ୍ତୁରିତ ଉପକୂଳ ଓ ନଦୀଗୁଡିକର ମୁହାଣରେ ଗଢ଼ି ଉଠିଥିବା ଅନେକ ସାମୁଦ୍ରିକ ପୋତ ଯୋଗୁଁ ସିଂହଳ, ବର୍ମା, ଦକ୍ଷିଣ-ପୂର୍ବ ଏସିଆ, ଚୀନ ସହ ବାଣିଜ୍ୟ ଅତି ସହଜରେ ହୋଇପାରୁଥିଲା ।
ସାଧାରଣତଃ ଉପକୂଳ ଅଞ୍ଚଳର ଭୌଗୋଳିକ କାୟା ସର୍ବଦା ପରିବର୍ତ୍ତିତ ହେଉଥାଏ ।[୨] ଦକ୍ଷିଣ-ପୂର୍ବ ମୌସୁମୀ ପ୍ରଭାବରେ ଓ ନଦୀମାନଙ୍କରେ ପ୍ରବାହିତ ବାଲି ଚରିଯାଇ ମୁହାଣ ନିକଟରେ ବହୁ ପରିବର୍ତ୍ତନ କରନ୍ତି। କେବେ ନଦୀ ଗତିପଥ ବଦଳାଇ ନୂଆ ମୁହଁ ଖୋଲେ ତ ପୁଣି କେବେ ଜୁଆର ଭଟ୍ଟାକୁ ବହୁତ ଭିତର ଯାଏଁ ଛାଡିଦିଏ । ଏହି କାରଣରୁ ପ୍ରଚୀନ ବନ୍ଦରମାନଙ୍କ ମଧ୍ୟରୁ ଅନେକ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହୋଇଯାଇଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଲା ଚିଲିକା ଯାହା ବହୁ କାଳ ପର୍ଯ୍ୟନ୍ତ ବୋଇତ ଯାତାୟତ ପାଇଁ ଉପଯୁକ୍ତ ଥିଲା ।[୩] କିନ୍ତୁ କ୍ରମାଗତ ଭାବେ ପୋତି ହୋଇ ଏହା କୌଣସି ପ୍ରକାରର ବଡ଼ ଯାହାଜ ଚଳାଚଳ ପାଇଁ ଏବେ ଅସମର୍ଥ ।
ପ୍ରାଚୀନ ଭୂଗୋଳ-ବିତ୍ ଟୋଲେମି ଖ୍ରୀଷ୍ଟାବ୍ଦ ଦ୍ୱିତୀୟ ଶତାବ୍ଦୀରେ ଉଲ୍ଲେଖ କରିଥିବା କିଛି ବନ୍ଦରର ନାମ ହେଲା ନାନିଗାଇନ (ପୁରୀ), କନ୍ନଗାର (କୋଣାର୍କ), କଟିକର୍ଦାମ (କଟକ) । ଟୋଲେମିଙ୍କ ଲେଖାରେ କିନ୍ତୁ ଅନେକ ମୂଖ୍ୟ ବନ୍ଦର ଯଥା ମାଣିକପାଟଣା, କଳିଙ୍ଗପାଟଣା, ପାଲୁର, ପିଥୁଣ୍ଡ, ଚେଲିତାଲୋ, ଖଳକଟ୍ଟପାଟଣା ଆଦିର ଉଲ୍ଲେଖ ନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ, ଅର୍ଥାତ୍ ଖ୍ରୀଷ୍ଟାବ୍ଦ ନବମ ଓ ଦଶମ ଶତାବ୍ଦୀରେ ଆରବମାନଙ୍କଦ୍ୱାରା ଲିଖିତ ବିବରଣୀରେ ଓଡ଼ିଶା, ଗଞ୍ଜାମ, କଳିଙ୍ଗନଗର, କେଳକଣ, ଅଲ୍-ଲାଭା, ନୁବିନ୍ ଆଦି ସ୍ଥାନର ଉଲ୍ଲେଖ ରହିଛି । ପୁଣି ଖ୍ରୀଷ୍ଟାବ୍ଦ ପଞ୍ଚଦଶ ଶତାବ୍ଦୀରେ ବାଲେଶ୍ୱର, ପିପିଲି, ଗଞ୍ଜାମ, ହରିଶପୁର, ଚାନ୍ଦବାଲି ଓ ଧାମରା ମୂଖ୍ୟ ବନ୍ଦର ଭାବେ ଜଣାଶୁଣା ଥିଲେ । [୨]
ଗୋଳବାଇ ଶାସନରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରସ୍ତର ଯୁଗ (ପ୍ରାୟ ଖ୍ରୀଷ୍ଟପୂର୍ବ ୨୩୦୦), ତା’ ପରବର୍ତ୍ତୀ ସମୟ ବା ତାମ୍ରଯୁଗ ଓ ତା’ ପରବର୍ତ୍ତୀ ଲୌହଯୁଗ (ପ୍ରାୟ ଖ୍ରୀଷ୍ଟପୂର୍ବ ୯୦୦) ସମୟର ଅନେକ ଅବଶେଷାଂଶ ପ୍ରାପ୍ତ ହୋଇଛି । ଏଠାରେ ଆବିଷ୍କୃତ ପୁରାତନ ଉପକରଣରୁ ଜଣାପଡେ ଯେ ଏହା ଏକ ପ୍ରାଚୀନ ବୋଇତ ନିର୍ମାଣ କେନ୍ଦ୍ର ଥିଲା ।[୪] ମାଛକଣ୍ଟା, ବନିଶୀ କଣ୍ଟା ଓ ମାଛ ଧରିବାରେ ବ୍ୟବହୃତ ଅନ୍ୟ ଉପକରଣର ଅବଶେଷାଂଶ, ସେ ସମୟରେ ମାଛ ମାରିବା ଏକ ପ୍ରମୁଖ ଜୀବିକା ଥିଲା ବୋଲି ଇଙ୍ଗିତ କରନ୍ତି । ତାମ୍ରଯୁଗୀୟ ସାମଗ୍ରୀମାନଙ୍କ ସହିତ ଭିଏତ୍ନାମରୁ ମିଳିଥିବା ତତ୍କାଳୀନ ସାମଗ୍ରୀମାନଙ୍କର ସାମଞ୍ଜସ୍ୟ ଥିବାରୁ ଏହି ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ଥିଲା ବୋଲି ଅନୁମାନ କରାଯାଏ । [୪]
ପ୍ରାୟ ଖ୍ରୀଷ୍ଟପୂର୍ବ ୩୬୨ ସମୟରେ କଳିଙ୍ଗ ମଗଧର ଶାସନାଧୀନ ଥିଲା । ଖ୍ରୀଷ୍ଟପୂର୍ବ ୩୨୦ରେ ଏହା ସ୍ୱାଧୀନତା ପ୍ରାପ୍ତ କରିଥିଲା । କିନ୍ତୁ ପୁଣି ଖ୍ରୀଷ୍ଟପୂର୍ବ ୨୬୧ ବେଳକୁ ମୌର୍ଯ୍ୟବଂଶୀ ରାଜା ଅଶୋକଙ୍କଦ୍ୱାରା ଅଧିକୃତ ହେଲା ।[୫] ପ୍ରାୟ ଖ୍ରୀଷ୍ଟପୂର୍ବ ୩୦୦ରୁ ଖ୍ରୀଷ୍ଟାବ୍ଦ ୪୦୦ ପର୍ଯ୍ୟନ୍ତ ଶିଶୁପାଳଗଡ ତୋଷାଳି ନାମରେ ଓ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ଅଳ୍ପ ସମୟ ପାଇଁ କଳିଙ୍ଗନଗର ନାମରେ ଅଭିହିତ ହେଉଥିଲା ବୋଲି କେତେକ ଐତିହାସିକ ମତ ପୋଷଣ କରିଛନ୍ତି । ଏହା ଏକ ସମୟରେ ଅଶୋକଙ୍କର ପ୍ରାନ୍ତୀୟ ରାଜଧାନୀ ମଧ୍ୟ ଥିଲା । ତା’ ପରବର୍ତ୍ତୀ ସମୟର ଇତିହାସ ପ୍ରମାଣ ଅଭାବରୁ ଅଧିକ ସ୍ପଷ୍ଟ ନୁହଁ । କେବେ ଉତ୍ତର କଳିଙ୍ଗ ଓ ଦକ୍ଷିଣ କଳିଙ୍ଗ ଭଳି ଦୁଇଟି ରାଜ୍ୟର ଗଠନ ହୋଇଥିଲା ତ କେବେ ଦୁଇଟି ରାଜ୍ୟ ମିଳିତ ହୋଇ କଳିଙ୍ଗ ନାମରେ ଅଭିହିତ ହେଉଥିଲେ । କେବେ କଳିଙ୍ଗ ସ୍ୱାଧୀନ ରାଜ୍ୟଭାବେ ପରିଗଣିତ ହେଉଥିଲା ତ ପୁଣି କେବେ ପଡୋଶୀ ରାଜ୍ୟଦ୍ୱାରା ଶାସିତ ହେଉଥିଲା ।
ପ୍ରାୟ ୭୦୦ରୁ ୧୦୦୦ ଯାଏଁ ଓଡ଼ିଶାର ଉତ୍ତର-ପୂର୍ବ ପ୍ରାନ୍ତ ଉତ୍କଳ ନାମରେ ଜଣାଯାଉଥିଲା । ଏହି ସମୟରେ ଉତ୍କଳ ଭୌମକର ବଂଶଦ୍ୱାରା ଶାସିତ ହେଉଥିଲା ।[୫] ଏହି ଶାସକମାନେ ଖ୍ରୀଷ୍ଟାବ୍ଦ ୮୧୦ରୁ ୮୫୦ ପର୍ଯ୍ୟନ୍ତ ବଙ୍ଗର ପାଳବଂଶୀୟ ଶାସକ ଦେବପାଳଙ୍କ ଅଧୀନରେ ରହିଥିଲେ କିନ୍ତୁ ଉତ୍କଳ ଦେବପାଳଙ୍କ ପରବର୍ତ୍ତୀ ଶାସକମାନଙ୍କ କବଳରୁ ନିଜର ସ୍ୱାଧୀନତା ହାସଲ କରିଥିଲା ।[୫] କିଛି ବର୍ଷ ପାଇଁ (୧୦୧୨-୧୦୪୪) ଉତ୍କଳ ତାମିଲ୍ ଚୋଳ ସାମ୍ରାଜ୍ୟର ରାଜା ରାଜେନ୍ଦ୍ର ଚୋଳଙ୍କ ଅଧୀନକୁ ଆସିଥିଲା । ସ୍ୱାଧୀନତା ପ୍ରାପ୍ତି ପରେ ଅନନ୍ତ ବର୍ମନ୍ ଚୋଡ଼ଗଙ୍ଗଦେବ ୧୦୭୮ରୁ ୧୧୯୧ ମଧ୍ୟରେ ଏହି ଅଞ୍ଚଳକୁ ନିଜ କବ୍ଜାକୁ ଆଣିଥିଲେ । ସେ ନିଜ ରାଜଧାନୀ କଳିଙ୍ଗ ନଗରରୁ କଟକକୁ ସ୍ଥାନାନ୍ତରିତ କରିଥିଲେ । ଓଡ଼ିଶାର ରାଜନୈତିକ ଓ ସାମରିକ ଶକ୍ତି ସବୁ ସମୟରେ ସ୍ଥିର ନଥିଲା । 1568 ରେ ଓଡ଼ିଶା ପୁଣି ତାର ସ୍ଵାଧୀନତା ହରାଇଲା। ଶେଷ ସ୍ୱାଧୀନ ରାଜା ଥିଲେ ମୁକୁନ୍ଦ ଦେବ।
ବୋଇତ ନିର୍ମାଣର ନିୟମାବଳୀ ସମ୍ବନ୍ଧରେ ସଂସ୍କୃତ ଭାଷାରେ ଲିଖିତ ଯୁକ୍ତିକଳ୍ପତରୁରେ ବିବରଣୀ ରହିଛି । ରାଜା ଭୋଜ ନିଜ ସମୟରେ ସେ ସ୍ଥାନରେ ମିଳୁଥିବା କାଠ ବ୍ୟବହାର କରି ଅନେକ ବୋଇତ ନିର୍ମାଣ କରାଇଥିଲେ ବୋଲି ମାଦଳାପାଞ୍ଜିରେ ଉଲ୍ଲିଖିତ ।[୬] ଚିଲିକା ନିକଟବର୍ତ୍ତୀ ଗୋଳବାଇରୁ ମିଳିଥିବା ବଢ଼େଇମାନଙ୍କଦ୍ୱାରା ବ୍ୟବହୃତ ଉପକରଣର ଅବଶେଷାଂଶ ଗୋଳବାଇଠାରେ ଅନେକ ବୋଇତ ନିର୍ମିତ ହେବାର ପ୍ରମାଣ ଦିଏ ।
ମକାରେ ଲଦା ବୋଇତମାନଙ୍କର ଚିତ୍ର ଅଙ୍କିତ ହୋଇଥିବା ପୋଡାମାଟିର ସିଲ୍-ମୋହର ବନଗଡ ଓ ଚନ୍ଦ୍ରକେତୁଗଡରୁ ଉଦ୍ଧାର କରାଯାଇଛି । ଓଡ଼ିଶାରେ ମିଳିଥିବା ଅନ୍ୟାନ୍ୟ ବୋଇତ ସମ୍ବନ୍ଧୀୟ ଚିହ୍ନ ହେଲା ବୋଇତ ଚିତ୍ରଯୁକ୍ତ କଳାକୃତି (୨ଟି ବୋଇତ ଥିବା ଏହି କଳାକୃତି ପ୍ରଥମେ ବ୍ରହ୍ମେଶ୍ୱର ମନ୍ଦିର ନିକଟରୁ ମିଳିଥିଲା ଯାହାକୁ ବର୍ତ୍ତମାନ ଓଡ଼ିଶାର ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷଣ କରି ରଖାଯାଇଛି) । ଏହି ବୋଇତଗୁଡିକ ଗୋଟିଏ ମାସ୍ତୁଲ୍-ବିଶିଷ୍ଟ ଓ ଏମାନଙ୍କର ପାଲଗୁଡିକ ବର୍ଗାକାର ।ଗୋଟିଏ ବୋଇତରେ ହାତୀ ବୁହା ହେଉଥିବା ବେଳେ ସେଥିରେ ନାବିକ ଓ ଅନ୍ୟ ଯାତ୍ରୀମାନେ ବସିଥିବା ମଧ୍ୟ ପ୍ରଦର୍ଶିତ ହୋଇଛି ।
ଜୁନ୍ ମାସରୁ ସେପ୍ଟେମ୍ବର୍ ମାସ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶ୍ରୀଲଙ୍କାରୁ କଳିଙ୍ଗ ଦିଗରେ ପ୍ରବାହିତ ହୁଏ ।[୭] ଡିସେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ମୌସୁମୀ ବାୟୁ ବିପରୀତ ଦିଗରେ ପ୍ରବାହିତ ହୋଇଥାଏ । ଦକ୍ଷିଣ-ପୂର୍ବ ଏସିଆରେ ମଧ୍ୟ ସମାନ ଭାବେ ମୌସୁମୀ ବାୟୁ ପ୍ରବାହିତ ହୋଇଥାଏ । ଇଣ୍ଡୋନେସିଆରେ ଜୁଲାଇ ଓ ଅଗଷ୍ଟ ମାସରେ ଅଷ୍ଟ୍ରେଲିଆ ପଟରୁ ଉତ୍ତର-ପଶ୍ଚିମ ଦିଗକୁ ପ୍ରବାହିତ ହୁଏ ଏବଂ ବିଷୁବ ବୃତ୍ତ ପାର କଲା ପରେ ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗକୁ ପ୍ରବାହିତ ହୁଏ । ଜାନୁଆରୀ ଓ ଫେବୃଆରୀ ମାସରେ ଏହାର ଠିକ୍ ବିପରୀତ ପ୍ରକାରର ବାୟୁପ୍ରବାହ ପରିଲକ୍ଷିତ ହୋଇଥାଏ । ପୂର୍ବ କାଳରେ ନାବିକମାନେ ଏହି ମୌସୁମୀ ପ୍ରବାହ, ନକ୍ଷତ୍ରମାନଙ୍କ ଅବସ୍ଥିତି, ପାଣିର ରଙ୍ଗ, ପାଣିରେ ସାମୁଦ୍ରିକ ସର୍ପମାନଙ୍କର ଅବସ୍ଥିତି, ସାମୁଦ୍ରିକ ପକ୍ଷୀମାନଙ୍କର ଗମନାଗମନର ଦିଗର ଉପଯୋଗ କରି ନୌବାଣିଜ୍ୟ ଓ ନୌକାଯାତ୍ରା କରୁଥିବା ଅନୁମାନ କରାଯାଏ ।
କଳିଙ୍ଗର ବୋଇତମାନ ଏହି ଲମ୍ବା ଯାତ୍ରା ସମୟରେ ବାଟରେ ଅନେକ ସ୍ଥାନରେ ଖାଦ୍ୟ ଓ ପିଇବା ପାଣିପାଇଁ ରହୁଥିବେ । ତାମ୍ରଲିପ୍ତରୁ ବାହାରୁଥିବା ବୋଇତମାନ ବର୍ମା ଉପକୂଳ ପାରହେଲା ପରେ ନିକୋବର୍ ଦ୍ୱୀପଠାରେ ଏକ ମାସର ଦୀର୍ଘ ଯାତ୍ରାପରେ ପହଞ୍ଚୁଥିବେ । ସେଠାରୁ ପୁଣି ଦକ୍ଷିଣ-ପୂର୍ବ ଦିଗରେ ମାଳୟ, ଜାଭା, ବାଲି, ଇଣ୍ଡୋନେସିଆ ଓ ଚୀନକୁ ଯାତ୍ରା କରୁଥିବେ । ଅନ୍ୟ ଏକ ସାମୁଦ୍ରିକ ପଥ ସିଂହଳ ଓ ସୁମାତ୍ରାକୁ ସଂଯୋଗ କରୁଥିଲା । [୨]
ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ ମୁହାଣରେ ଥିବା ପାଲୁର ଦ୍ୱିତୀୟ ଶତାବ୍ଦୀର ଏକ ମହତ୍ତ୍ୱପୂର୍ଣ୍ଣ ବନ୍ଦର । ପ୍ରତ୍ନତାତ୍ତ୍ୱିକ ଖନନ ପରେ ପାଲୁରରୁ ମିଳିଥିବା ଚାଇନାମାଟିର ପାତ୍ର ଓ ତତ୍କାଳୀନ ରୋମରେ ନିର୍ମିତ ପାତ୍ରର ଭଗ୍ନାବଶେଷ ଏହା ଏକ ପ୍ରମୁଖ ଅନ୍ତର୍ଜାତୀୟ ବନ୍ଦର ହୋଇଥିବାର ସଙ୍କେତ ଦେଇଥାଏ । ପ୍ରତ୍ନତାତ୍ତ୍ୱିକ ଖନନରୁ ଅନେକ ମୋହର ମଧ୍ୟ ମିଳିଛି । ତନ୍ମଧ୍ୟରୁ ଏକ ଅଦ୍ଭୁତ ମୋହରର ଏକ ପାର୍ଶ୍ୱରେ କୁଷାଣ ରାଜାଙ୍କ ଚିତ୍ର, ବ୍ରାହ୍ମି ଲିପିରେ ଲେଖା ରହିଛି ଓ ଅପର ପାର୍ଶ୍ୱରେ ରୋମାନ ପରି ମୁଣ୍ଡ, ରୋମାନ ଭାଷାର ଲେଖା ରହିଛି । ରୋମାନ ସମ୍ରାଟ ତାଇବେରିୟସଙ୍କ ସମୟର ଏକ ମୁଦ୍ରା ଶାଳିହୁନ୍ଦମ୍ ପାଖରେ ଓ ଅନ୍ୟ ସ୍ଥାନମାନଙ୍କରେ ମିଳିଥିବା ରୋମାନ ମୁଦ୍ରାରୁ ରୋମ୍ ସାମ୍ରାଜ୍ୟ ସହିତ ଥିବା ବାଣିଜ୍ୟିକ ସମ୍ପର୍କ ସ୍ପଷ୍ଟ ପ୍ରତିଫଳିତ ହୁଏ । [୨]
ଦକ୍ଷିଣ-ପୂର୍ବ ଏସିଆ ସହ ବାଣିଜ୍ୟିକ ସମ୍ପର୍କର ସ୍ଥାପନା ପ୍ରଥମ ଶତାବ୍ଦୀରୁ କିମ୍ବା ତା’ର ବହୁ ପୂର୍ବରୁ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ । ପରବର୍ତ୍ତୀ ସମୟରେ ମିଳିଥିବା ତଥ୍ୟରେ ଦ୍ୱାଦଶ ଶତାବ୍ଦୀର ସିଂହଳୀ ମୁଦ୍ରା ଓ ଚତୁର୍ଦ୍ଦଶ ଶତାବ୍ଦୀର ଚୀନି ମୁଦ୍ରା ମଧ୍ୟ ଉଲ୍ଲେଖଯୋଗ୍ୟ । ସୁମାତ୍ରାର କୋଚିନାଠାରେ ମିଳିଥିବା ଏକା ପ୍ରକାରର ମୁଦ୍ରା ସୁମାତ୍ରା, ସିଂହଳ ଓ କଳିଙ୍ଗ ମଧ୍ୟରେ ଥିବା ତ୍ରିକୋଣୀୟ ବ୍ୟବସାୟିକ ସମ୍ପର୍କର ସୂଚନା ଦିଏ । ସାମୁଦ୍ରିକ ବ୍ୟବସାୟରେ ଅନେକ ଜୀବନ ଓ ଧନହାନିର ଆଶଙ୍କା ଲାଗିରହିଥାଏ । ତତ୍କାଳୀନ ସମୟରେ କଳିଙ୍ଗ, ସିଆମ୍ ଓ ଜାଭାର ରାଜାମାନେ ସାମୁଦ୍ରିକ ତସ୍କରମାନଙ୍କୁ ଦମନ କରିବା ପାଇଁ ସମୟ ସମୟରେ ସାମରିକ ନିରୀକ୍ଷକ ଦଳମାନଙ୍କୁ ନିୟୋଜିତ କରୁଥିଲେ ।
ବହୁ ପୁରାତନ କାଳରୁ ଚିଲିକା ତଟସ୍ଥିତ ମାଣିକପାଟଣା ବନ୍ଦର ବିକାଶର ଚରମ ସୀମାରେ ପହଞ୍ଚିଥିଲା ଓ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା । ପ୍ରତ୍ନତାତ୍ତ୍ୱିକ ଖନନରୁ ବିଭିନ୍ନ ପ୍ରକାରର ମାଟି ନିର୍ମିତ ପାତ୍ର, ସିଂହଳ ଓ ଚୀନର ମୁଦ୍ରା ଇତ୍ୟାଦି ଆବିଷ୍କାର ହୋଇଛି । ନୂତନ ଯୁଗର ବସ୍ତୁମାନଙ୍କ ମଧ୍ୟରେ ଚୀନର ନୀଳ ରଙ୍ଗରେ ଚିତ୍ରିତ ହୋଇଥିବା ଚାଇନାମାଟି (ଇଂରାଜୀରେ Porcelain)ର ପାତ୍ର ଓ ଆରବର ଚିକ୍କଣ ମାଟିପାତ୍ର ଅନ୍ୟତମ । ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ଏକ ମସଜିଦର ଅଭିଲେଖ କୁହେ ଯେ ସେଠାରେ ନାବିକ ଓ ବ୍ୟବସାୟୀମାନେ ସମୁଦ୍ରଯାତ୍ରା ପୂର୍ବରୁ ପ୍ରାର୍ଥନା କରୁଥିଲେ ।
ଖୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀର ବିଭିନ୍ନ ଅଭିଲେଖରୁ ଜଣାଯାଏ ଯେ ଏକଦା କଳିଙ୍ଗର ହାତୀ, ବହୁମୂଲ୍ୟ ପ୍ରସ୍ତର, ହାତୀଦାନ୍ତ, ଗୋଲମରିଚ, ଗୁଆ, ବସ୍ତ୍ରାଦି ପାଇଁ ସିଂହଳ ବଜାରରେ ଖୁବ୍ ଚାହିଦା ଥିଲା । ବଦଳରେ କଳିଙ୍ଗ ମୁକ୍ତା ଓ ରୁପା ଆମଦାନୀ କରୁଥିଲା । କଳିଙ୍ଗ ବିଭିନ୍ନ ସ୍ଥାନକୁ ମକା ଓ ଧାନ ମଧ୍ୟ ରପ୍ତାନୀ କରୁଥିଲା । କଳିଙ୍ଗର ବ୍ୟବସାୟୀମାନେ ଭୂମଧ୍ୟସାଗର ଅଞ୍ଚଳରେ ଚାହିଦା ଥିବା ମସଲା ଜାତୀୟ ଜିନିଷ ଓ ଚନ୍ଦନ କାଠ ମଧ୍ୟ ଆମଦାନୀ କରି କିଛି ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ ଓ ଏକ ବଡ଼ ଅଂଶ ଭୂମଧ୍ୟସାଗର ପାର୍ଶ୍ୱବର୍ତ୍ତୀ ଦେଶମାନଙ୍କୁ ରପ୍ତାନୀ କରୁଥିଲେ । ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କୋଣାର୍କରେ ଏକ ପ୍ରସ୍ତର ଖୋଦିତ ଚିତ୍ରରେ ଡଙ୍ଗା ଉପରେ ଏକ ଜିରାଫର ଚିତ୍ର ଅଛି । ଅନୁମାନ କରାଯାଏ ଯେ କଳିଙ୍ଗ ଆରବ ବଣିକଙ୍କ ସହାୟତାରେ ଆଫ୍ରିକା ସହିତ ବାଣିଜ୍ୟ କାରବାର କରୁଥିଲା ।
ଖ୍ରୀଷ୍ଟପୂର୍ବ ସମୟରୁ ମହାନଦୀର ମୁହାଣ ଦେଶରେ ମନ୍ନଦ ନାମକ ବନ୍ଦର ବିଶ୍ୱ ପ୍ରସିଦ୍ଧ ଥିଲା। କଳିଙ୍ଗର ସମୁଦ୍ର ତଟରେ ମନ୍ନଦ, କୋଣାଗାର, କଟିକର୍ଦମ, ପାଲୁର, ଆଫେତାରିଆନ୍, ତାମ୍ରଲିପ୍ତି ପ୍ରଭୃତି ବନ୍ଦର ନୌବାଣିଜ୍ୟ କ୍ଷେତ୍ରରେ ପ୍ରସିଦ୍ଧିଲାଭ କରିଥିଲା ବୋଲି ବିଶ୍ୱପ୍ରସିଦ୍ଧ ଭୌଗୋଳିକ ଓ ନୌବିତ୍ ଜି.ଇ. ଜେରିନି ସ୍ୱରଚିତ ରିସର୍ଚେସ୍ ଅନ୍ ଟଲେମିକ୍ ଜିଓଗ୍ରାଫିରେ ବର୍ଣ୍ଣନା କରିଛନ୍ତି। ମହାନଦୀ ମୁହାଣରେ ଖ୍ରୀଷ୍ଟପୂର୍ବ ସମୟରୁ ଏକ ପ୍ରତିଷ୍ଠିତ ବନ୍ଦର ଥିଲା ବୋଲି ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଭୂଗୋଳବିତ୍ ଟଲେମି ବର୍ଣ୍ଣନା କରିଯାଇଛନ୍ତି ସେହି ବନ୍ଦରର ନାମ ମନ୍ନଦ ଥିଲା। ମହାନଦୀ ମୁହାଣରେ ରହିଥିବା ଯୋଗୁଁ ତାହାର ନାମ ମନ୍ନଦ ରଖାଯାଇଥିଲା। ଚୀନ ଦେଶର ରାଜକନ୍ୟା ବୌଦ୍ଧତନ୍ତ୍ର ବିଷୟରେ ଜ୍ଞାନ ଆହାରଣ କରିବା ନିମନ୍ତେ ନୌଯାନରେ କଳିଙ୍ଗ ସାଗରରେ ଆସି ଏକ ବୃହତ୍ ନଦୀରେ ପ୍ରବେଶ କରି ଚେଳିତୋଳ ବନ୍ଦର ପର୍ଯ୍ୟନ୍ତ ଆସିଥିଲେ। ସେଠାରୁ ସେ ପାଲିଙ୍କିଦ୍ୱାରା ତତ୍କାଳୀନ ବୌଦ୍ଧ ବିଶ୍ୱବିଦ୍ୟାଳୟ ପୁଷ୍ପଗିରି ଯାତ୍ରା କରି ତନ୍ତ୍ରଶିକ୍ଷା ଲାଭ କରିଥିଲେ ଓ ସେହି ମାର୍ଗରେ ଚୀନକୁ ନୌଯାନରେ ପ୍ରତ୍ୟାବର୍ତ୍ତନ କରିଥିଲେ। ମନ୍ନଦ ବନ୍ଦର ଦେଇ ଚୀନର ରାଜକୁମାରୀ ମହାନଦୀରେ ପ୍ରବେଶ କରି ଚେଳିତୋଳ ବନ୍ଦରରେ ପହଞ୍ଚିଥିଲେ ବୋଲି ବର୍ଣ୍ଣନା ରହିଛି।[୮]
ବର୍ମା ବା ବ୍ରହ୍ମଦେଶ ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀରେ କଳିଙ୍ଗରାଟ୍ (କଳିଙ୍ଗରାଷ୍ଟ୍ରର ଅପଭ୍ରଂଶ) ନାମରେ ସର୍ବବିଦିତ ଥିଲା । ବହୁ ପ୍ରାଚୀନ ସମୟରୁ ଏହାର ଦକ୍ଷିଣ ମୋନ୍ ଅଞ୍ଚଳରେ ବାହାରୁ ଆସିଥିବା ଲୋକଙ୍କଦ୍ୱାରା ଏକ ସଭ୍ୟତାର ପ୍ରତିଷ୍ଠା ହେବାର ପ୍ରମାଣ ମଧ୍ୟ ମିଳେ । ଖ୍ରୀଷ୍ଟାବ୍ଦ ଦ୍ୱିତୀୟ ଶତାବ୍ଦୀ ବେଳକୁ କାଲାଇମ୍ୟୋ, ଆରାକାନ୍ ନଦୀ ଉପତ୍ୟକାସ୍ଥ ଅଞ୍ଚଳ ଓ ମର୍ତ୍ତବାନ୍ ଚତୁଃପାର୍ଶ୍ୱର ପେଗୁ ଅଞ୍ଚଳ କଳିଙ୍ଗଦ୍ୱାରା ଶାସିତ ହେଉଥିଲା । ରେଙ୍ଗୁନ୍ ନିକଟବର୍ତ୍ତୀ ତାନ୍ତେ ଅଞ୍ଚଳର ଭୂଖନନରୁ ଆବିଷ୍କୃତ ଯାହାଜର ଭଗ୍ନାବଶେଷରୁ ଏହି ଅଞ୍ଚଳ ମଧ୍ୟ କଳିଙ୍ଗର ବଣିକଙ୍କ ଅଧୀନରେ ଥିବାର ଅନୁମାନ କରାଯାଏ । ସ୍ଥାନମାନଙ୍କ ନାମ ଓ ସ୍ଥାପତ୍ୟ କଳାରେ ସମାନତା ସାଗର ପାରି ଦେଶର ଲୋକଙ୍କ ସହିତ ସମ୍ପର୍କ ବିଷୟରେ ସଙ୍କେତ ଦିଏ । ବ୍ରହ୍ମଦେଶର ଧର୍ମାଭିଲେଖ ବୁଦ୍ଧାଗତରେ ମଧ୍ୟ ପ୍ରଥମେ କଳିଙ୍ଗର ବୌଦ୍ଧ ଧର୍ମାବଲମ୍ବୀ ବଣିକଙ୍କ ସହ ବ୍ୟବସାୟ, ବୌଦ୍ଧ ଧର୍ମପ୍ରଚାରକଙ୍କ ବ୍ରହ୍ମଦେଶରେ ବୌଦ୍ଧ ଧର୍ମର ପ୍ରଚାର ଓ ପରବର୍ତ୍ତୀ ସମୟରେ ଖ୍ରୀ. ୪ର୍ଥରୁ ୭ମ ଶତାବ୍ଦୀ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ବର୍ମାରେ କଳିଙ୍ଗର ରାଜନୈତିକ ପ୍ରଭାବ ବିସ୍ତାର ସମ୍ପର୍କରେ ବର୍ଣ୍ଣନା ରହିଛି । ପେଗୁରୁ ପ୍ରାପ୍ତ ହିନ୍ଦୁ ଧର୍ମର ଚିହ୍ନ ଥିବା ମୁଦ୍ରାମାନ ମଧ୍ୟ ଏହି ସମ୍ପର୍କର ପୁଷ୍ଟି କରିଥାନ୍ତି ।
ଆର୍. ଡି. ବାନାର୍ଜୀଙ୍କ ମତରେ କଳିଙ୍ଗର ହିନ୍ଦୁମାନେ ଜାଭା ଦ୍ୱୀପରେ ହିନ୍ଦୁ ସଂସ୍କୃତିର ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କଳିଙ୍ଗରୁ ବାହାରିଥିବା ଏକ ବଣିକଦଳ ଖ୍ରୀ.ପୂ. ୭୫ରେ ଏଠାରେ ଏକ ଜନବସତି ସ୍ଥାପନ କରିଥିଲେ । କେତେକ ଲୋକକଥା ଅନୁସାରେ ଏହି ସମୟରେ ପ୍ରାୟ ୨୦,୦୦୦ ଲୋକଙ୍କ ଜନବସତି ରହିଥିବା ଅତ୍ୟୁକ୍ତି ପରି ଲାଗିପାରେ । ସମଗ୍ର ଜାଭା ଦ୍ୱୀପରେ ଖ୍ରୀ. ୪ର୍ଥ ଶତାବ୍ଦୀ ବେଳକୁ ଏହି ବିଦେଶୀମାନଙ୍କଦ୍ୱାରା ହିନ୍ଦୁ ଧର୍ମର ପ୍ରତିଷ୍ଠା ଓ ପ୍ରଚାର ଘଟିଥିଲା । ଚୀନର ଐତିହାସିକମାନେ ଚୀନରେ ତାଙ୍ଗ୍ ରାଜବଂଶର ଶାସନ ବେଳେ (ଖ୍ରୀ. ୬1୮-୯୦୬) ଜାଭାରେ ରାଜୁତି କରୁଥିବା ବଂଶର ନାମ ହୋ-ଲିଙ୍ଗ୍ (“କଳିଙ୍ଗ” ଶବ୍ଦର ଆଉ ଏକ ଅପଭ୍ରଂଶ) ବୋଲି କହିଛନ୍ତି । ଜାଭାର ଏହି ରାଜବଂଶ ସେ କାଳର କଳିଙ୍ଗର ଲୋକଙ୍କଦ୍ୱାରା ପ୍ରତିଷ୍ଠିତ ବୋଲି ଅନୁମାନ କରାଯାଇପାରେ । ଆରବର ଐତିହାସିକମାନେ ଖ୍ରୀ. ୮ମ ଶତାବ୍ଦୀରେ ଜାଭାରେ ଶାସନ କରୁଥିବା ଓ କାମ୍ବୋଡିଆ, ଚମ୍ପାରେ ପ୍ରଭାବ ବିସ୍ତାର କରିଥିବା ଶୈଳେନ୍ଦ୍ର ବଂଶ କଳିଙ୍ଗରୁ ବୋଲି କହିଛନ୍ତି । ରାଜା କୁଟିଙ୍କର ପ୍ରାସାଦରେ ଥିବା ସେବକମାନଙ୍କୁ ଚମ୍ପା ଓ କଳିଙ୍ଗରୁ ଅଣାଯାଇଥିଲା ବୋଲି ଖ୍ରୀ. ୮୪୦ର ଏକ ତାମ୍ରଫଳକରେ ଲିଖିତ ଅଛି । ଖ୍ରୀ. ୧୦୧୯ରୁ ୧୦୪୨ ପର୍ଯ୍ୟନ୍ତ ଜାଭାରେ ଶାସନ କରିଥିବା ରାଜା ଐରଲଙ୍ଗଙ୍କ ସମୟରେ ତାଙ୍କ ରାଜ୍ୟକୁ ଆସିଥିବା ଲୋକଙ୍କ ମଧ୍ୟରେ କିଛି ଲୋକ କ୍ଲିଙ୍ଗ (“କଳିଙ୍ଗ” ଶବ୍ଦର ଆଉ ଏକ ଅପଭ୍ରଂଶ)ରୁ ଥିଲେ ବୋଲି ଏକ ଅଭିଲେଖରୁ ଜଣା ପଡିଛି ।
ବାଲି ସହ ବାଣିଜ୍ୟ ଖ୍ରୀଷ୍ଟଯୁଗର ପୂର୍ବରୁ ଆରମ୍ଭ ହୋଇସାରିଥିଲା । ବାଲିର ଡାଲଚିନି, ଲମ୍ବା ଗୋଲମରିଚ, ଧଳା ଗୋଲମରିଚ, ଅଳେଇଚ, ମୁକ୍ତା ଓ ମୂଲ୍ୟବାନ୍ ପଥର, ରେଶମ, ଗନ୍ଧକର୍ପୁର, ମହୁମାଛି ଫେଣାର ମହମ ଓ ଚନ୍ଦନ କାଠ କଳିଙ୍ଗର ବ୍ୟବସାୟୀମାନଙ୍କୁ ଆକୃଷ୍ଟ କରୁଥିଲା । କଳିଙ୍ଗର ବ୍ୟବସାୟୀମାନେ ମଲମଲ ବସ୍ତ୍ର, ଜରୀ ବସ୍ତ୍ର, ଗାଲିଚା, ଅସ୍ତ୍ରଶସ୍ତ୍ର, ସୁନା ଓ ଗହଣାମାନ ବାଲିକୁ ରପ୍ତାନୀ କରୁଥିଲେ । ପ୍ରାୟ ଖ୍ରୀ. ୬୦୦ ସମୟରେ କୌନ୍ଦିନ୍ୟ ନାମକ ଜଣେ ଭାରତୀୟ ବାଲିର ପ୍ରଥମ ଶାସକ ହୋଇଥିଲେ ଓ ପରମ୍ପରାଗତ ଭାବେ ବାଲିର ସମସ୍ତ ଶାସକ ଏହି ଉପାଧି ବହନ କରନ୍ତି । ଓଡ଼ିଶାର ଜଣେ ଶାସକ ବଳୀଙ୍କ ନାମରେ ବାଲି ଦ୍ୱୀପର ନାମକରଣ ମଧ୍ୟ ହୋଇଥାଇପାରେ । ପାପର ବିନାଶ ଓ ଭାଗ୍ୟ ପରିବର୍ତ୍ତନ ପାଇଁ ଓଡ଼ିଶା ଓ ବାଲିରେ କରାଯାଉଥିବା ଲୋକନୃତ୍ୟ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି ଓ ଏହା ପ୍ରାଚୀନ ସଂସ୍କୃତିର ସମ୍ମିଶ୍ରଣରେ ହୋଇଥାଇପାରେ । ଆରବମାନେ ଖ୍ରୀ. ୮ମ ଶତାବ୍ଦୀ ବେଳକୁ ଏକ ମହାନ ସାମୁଦ୍ରିକ ଶକ୍ତି ଭାବେ ଉଭାନ୍ ହେବାରୁ କଳିଙ୍ଗର ବାଣିଜ୍ୟରେ ଭଟ୍ଟା ପଡିଆସିଥିଲା । ବାଲି ସହିତ ଥିବା ଏହି ପୁରାତନ ନୌବାଣିଜ୍ୟ ସମ୍ପର୍କକୁର ସ୍ମୃତିରେ ଉପକୂଳ ଓଡ଼ିଶାରେ ବାଲିଯାତ୍ରା (ବାଲି ଅଭିମୁଖେ ଯାତ୍ରା) ଉତ୍ସବ ବହୁ ଆଡମ୍ବରରେ ପାଳିତ ହୁଏ ।
ଜାଭାର ରାଜା ଶୈଳେନ୍ଦ୍ର କିଛି ବର୍ଷର ସାମୁଦ୍ରିକ ନୌବାଣିଜ୍ୟ ପରେ ମାଳୟ ଉପଦ୍ୱୀପ ଓ ଥାଇଲାଣ୍ଡ୍ର ଦକ୍ଷିଣ ଭାଗକୁ ନିଜ ଅଧୀନକୁ ଆଣିଥିଲେ । ଏହି ରାଜାମାନେ ଭାରତରୁ ଆସିଥିବା ବୌଦ୍ଧଗୁରୁମାନଙ୍କର ଆଦରସତ୍କାର କରୁଥିଲେ ଓ ସେମାନଙ୍କଦ୍ୱାରା ପ୍ରଚାରିତ ମହାଯାନ ବୌଦ୍ଧଧର୍ମର ଶିକ୍ଷା ଗ୍ରହଣ କରୁଥିଲେ । କିନ୍ତୁ ଥାଇଲାଣ୍ଡ୍ର ମଧ୍ୟ ଓ ଉତ୍ତର-ପୂର୍ବରେ ଅଶୋକଙ୍କ ପ୍ରେରିତ ଧର୍ମଗୁରୁମାନେ ହୀନଯାନ ପନ୍ଥା ଅନୁସରଣର ଶିକ୍ଷା ଦେଉଥିଲେ । ଅନ୍ୟ ଏକ ମତ ଅନୁଯାୟୀ କଳିଙ୍ଗ ଖ୍ରୀ. ୮ମ ଶତାବ୍ଦୀରେ ବ୍ରହ୍ମଦେଶର ଦକ୍ଷିଣାଞ୍ଚଳ ଅଧିକାର କରିବା ପରେ ମାଳୟରେ ବୌଦ୍ଧ ଧର୍ମର ବିସ୍ତାର ହୋଇଥିଲା । ମାଳୟୁ ଭାଷାର ଅନେକ ଶବ୍ଦ ଓଡ଼ିଆ ଭାଷାରୁ ଉଦ୍ଧୃତ । ବର୍ତ୍ତମାନର ମାଲେସିଆରେ ଭାରତୀୟମାନେ କେଲିଙ୍ଗ୍ ନାମରେ ଜଣାଶୁଣା, ଯାହା “କଳିଙ୍ଗ”ର ପ୍ରଭାବର ସୂଚନା ଦେଇଥାଏ ।
ଅଶୋକଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ କଳିଙ୍ଗରୁ ଅନେକ ଲୋକ ପ୍ରାୟ ଖ୍ରୀ.ପୂ. ୩ୟ ଶତାବ୍ଦୀରେ କାମ୍ବୋଡିଆ ଆସିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଚଣ୍ଡାଶୋକ ଧର୍ମାଶୋକରେ ପରିବର୍ତ୍ତିତ ହୋଇଥିଲେ । ସେ କାମ୍ବୋଡିଆକୁ ପଠାଇଥିବା ଧର୍ମଗୁରୁଙ୍କୁ କାମ୍ବୋଡିଆର ଜନତା ସ୍ୱାଗତ କରିବା ସହ ସେମାନଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ । ଖମେରର କଳାକୃତିର ଉତ୍ସ ଆନ୍ଧ୍ର । ଅଙ୍ଗକୋର୍ ୱତରେ ଥିବା ଅଭିଲେଖରେ କେତେକ ସଂସ୍କୃତରେ ଓ କେତେକ କଳିଙ୍ଗ ଲିପିରେ ଲେଖା ହୋଇଛି । ଅଙ୍ଗକୋର୍ ୱତର ମନ୍ଦିର ନିର୍ମାଣ ଶୈଳୀରେ ଓଡ଼ିଶା ଓ ତାମିଲନାଡୁର ଚୋଳମାନଙ୍କର ପ୍ରଭାବ ଦେଖାଯାଏ । [୯]
ଚୀନ ସହିତ ନୌବାଣିଜ୍ୟର ପ୍ରଥମ ଉଲ୍ଲେଖ ଫା-ହିଏନ୍ (ଖ୍ରୀ. ୩୯୯ରୁ ୪୧୧)ଙ୍କ ଲେଖାରୁ ମିଳେ । ଫା-ହିଏନ୍ ଏକ ବାଣିଜ୍ୟ ନିମନ୍ତେ ଉଦ୍ଦିଷ୍ଟ ବୋଇତରେ ତାମ୍ରଲିପ୍ତିରୁ ଚୀନକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଚୀନ ତୀର୍ଥଯାତ୍ରୀ ହ୍ୟୁଏନ୍-ସାଂ (ଖ୍ରୀ. ୬୪୫)ଙ୍କ ବର୍ଣ୍ଣନା ଅନୁସାରେ ବୋଇତମାନ ତାମ୍ରଲିପ୍ତିରୁ ଚେଲିତାଲୋ ଓ ସିଂହଳ ଦେଇ ଚୀନ ଅଭିମୁଖେ ଯାତ୍ରା କରୁଥିଲା । ଓଡ୍ର ଦେଶର ରାଜା ଶୁଭକରଋଷ ସାଧୁ ହେବାପାଇଁ ୭୧୬ ମସିହାରେ ଚୀନଯାତ୍ରା କରିଥିଲେ ଓ ଚୀନରେ ତାନ୍ତ୍ରିକ ବୌଦ୍ଧଧର୍ମର ଆରମ୍ଭ କରାଇଥିଲେ । ଖ୍ରୀ. ୭୯୪ରେ ଓଡ୍ର ଦେଶର ରାଜା ଚୀନର ସମ୍ରାଟଙ୍କୁ ଏକ ବୋଇତରେ ଉପହାରମାନ ପଠାଇଥିବାର ବିବରଣୀ ମଧ୍ୟ ରହିଛି । ଓଡ଼ିଶା ଚୀନରୁ ରେଶମ ଆମଦାନି କରୁଥିଲା ଓ ଶିରପୁର ନିକଟରେ ୮ମ ଶତାବ୍ଦୀର ଚୀନି ମୁଦ୍ରା ଉଦ୍ଧାର କରାଯାଇଛି । ୮୧୩ରୁ ୮୧୮ ମଧ୍ୟରେ ଜାଭାର କଳିଙ୍ଗ ବଂଶଜ ରାଜା ସିଏନ୍-ତୁଂଗ୍ଙ୍କ ପାଖକୁ ଏକ ନୌକାଦଳ ପଠାଇଥିଲେ । ଏହି ଦଳ ଜୀବନ୍ତ ଗଣ୍ଡା, ପଞ୍ଚରଙ୍ଗି ଶୁଆ, କୃଷ୍ଣକାୟ ପ୍ରଜାତିର ବାଳକ ଓ ବାଳିକାଙ୍କୁ ନେଇ ଫେରିଥିଲା ।
କଳିଙ୍ଗର ସିଂହଳ (ଆଧୁନିକ ଶ୍ରୀଲଙ୍କା) ସହିତ ଅତି ଘନିଷ୍ଠ ବ୍ୟବସାୟିକ ସମ୍ପର୍କ ରହିଥିଲା । କେତେକ ଐତିହାସିକଙ୍କ ମତରେ ସିଂହଳର ପ୍ରଥମ ରାଜା ବିଜୟ ତତ୍କାଳୀନ ପୂର୍ବ ଭାରତୀୟ ରାଜ୍ୟ କଳିଙ୍ଗର ରାଜଧାନୀ ସିଂହପୁରରୁ ଆସିଥିଲେ । ବିଜୟଙ୍କ ଜେଜେମା କଳିଙ୍ଗ ରାଜାଙ୍କ ଝିଅ ଥିଲେ । କଳିଙ୍ଗ ଅଧିକାର କରିଥିବା ସମ୍ରାଟ ଅଶୋକ ପରବର୍ତ୍ତୀ ସମୟରେ ମଧ୍ୟ ନିଜ ପୁତ୍ର ଓ କନ୍ୟା ସଂଘମିତ୍ରାଙ୍କୁ ବୌଦ୍ଧ ଧର୍ମର ପ୍ରଚାର ପାଇଁ ସିଂହଳ ପଠାଇଥିଲେ । ସାମନ୍ତପାସଦିକରେ ବର୍ଣ୍ଣିତ ଅଛି ଯେ କଳିଙ୍ଗର ଆଠଟି ପରିବାର ସଂଘମିତ୍ରାଙ୍କ ସହଯାତ୍ରୀ ହୋଇଥିଲେ । ଦତବଂଶରେ କଳିଙ୍ଗ ରାଜା ଗୂହଶିବ ଓ ସିଂହଳ ରାଜା ମହାସେନାଙ୍କ (୨୭୭-୩୦୪ ଖ୍ରୀ.) ମିତ୍ରତାର ବିବରଣୀ ରହିଛି । କଳିଙ୍ଗ ରାଜା ନିଜ କନ୍ୟାର ବିବାହରେ ଗୌତମ ବୁଦ୍ଧଙ୍କ ଦନ୍ତାବଶେଷ ନିଜ ଜାମାତା ଦନ୍ତକୁମାରଙ୍କୁ ଯୌତୁକ ଭାବେ ଦେଇଥିଲେ ଓ ଦନ୍ତକୁମାର ଏହାକୁ ସିଂହଳର ଏକ ସ୍ତୁପରେ ସ୍ଥାପନା କରିଥିଲେ ।
ସିଂହଳରେ ଖ୍ରୀଷ୍ଟପର ଚତୁର୍ଥ ଓ ପଞ୍ଚମ ଶତାବ୍ଦୀରେ ହୀନଯାନ ବୌଦ୍ଧଧର୍ମର ବିକାଶ ଘଟିଥିଲା । ଏହିଠାରୁ ବିଭିନ୍ନ ଧର୍ମଶାସ୍ତ୍ରୀଙ୍କଦ୍ୱାରା ବର୍ମା, ସିଆମ୍, କାମ୍ବୋଡିଆ ପ୍ରଭୃତି ଦେଶରେ ବୌଦ୍ଧ ଧର୍ମର ପ୍ରଚାର, ପ୍ରସାର ଓ ପ୍ରଭାବ ବିସ୍ତାର ଘଟିଥିଲା । ସିଂହଳର ତୀର୍ଥଯାତ୍ରୀମାନେ ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ ବେଳେ କଳିଙ୍ଗର ବନ୍ଦରମାନଙ୍କରେ ଭାରତୀୟ ଭୂଖଣ୍ଡକୁ ପ୍ରବେଶ କରୁଥିବାରୁ କଳିଙ୍ଗ ମଧ୍ୟ ସିଂହଳର ସଂସ୍କୃତି; ବିଶେଷ କରି ବୁଦ୍ଧଘୋଷଙ୍କ ତେରବାଦଦ୍ୱାରା ପ୍ରଭାବିତ ହୋଇଥିଲା । କଳିଙ୍ଗର ତୀର୍ଥଯାତ୍ରୀମାନେ ବୌଦ୍ଧସ୍ତୁପ ଓ ଦନ୍ତାବଶେଷର ଦର୍ଶନ କରିବା ପାଇଁ ସିଂହଳ ଅଭିମୁଖେ ଯାତ୍ରା କରୁଥିଲେ । ଚୀନର ପରିବ୍ରାଜକ ହୁଏନ୍-ସାଂ ତାମ୍ରଲିପ୍ତିରୁ ଚେଲିତାଲୋ ଅତିକ୍ରମ କରି ସିଂହଳ ଅଭିମୁଖେ କରିଥିବା ଯାତ୍ରାର ବିବରଣୀ ଲେଖିଛନ୍ତି ।
ଚୂଳବଂଶ ଅନୁଯାୟୀ କଳିଙ୍ଗର ରାଜା ଅଗ୍ରବୋଧି ଦ୍ୱିତୀୟଙ୍କ(ଖ୍ରୀ. ୬୧୦-୬୧୧) ସମୟରେ ସିଂହଳ ଭ୍ରମଣ କରିଥିଲେ । ସଂହଳର ରାଜା ବିଜୟବାହୁ (ଖ୍ରୀ. ୧୦୫୫-୧୧୧୦) କଳିଙ୍ଗ ରାଜକନ୍ୟାଙ୍କୁ ବିବାହ କରିଥିଲେ । କଳିଙ୍ଗର ଗପରାଜାଙ୍କ ପୁତ୍ର ନିଶାଙ୍କମଲ୍ଲ ଖ୍ରୀ. ୧୧୮୭ରୁ ୧୧୯୬ ପର୍ଯ୍ୟନ୍ତ ସିଂହଳର ରାଜା ହୋଇଥିଲେ । କଳିଙ୍ଗର ରାଜକୁମାର ମାଘ ୨୪୦୦୦ ସୈନ୍ୟବିଶିଷ୍ଟ ନୌସେନା ନେଇ ସିଂହଳକୁ ଆକ୍ରମଣ କରିଥିଲେ ଓ ଖ୍ରୀ.୧୨୧୪ରୁ ୧୨୩୫ ପର୍ଯ୍ୟନ୍ତ ଏହି ଦ୍ୱୀପ ଉପରେ ରାଜୁତି କରିଥିଲେ ।
ଖ୍ରୀ. ୧୧ଶରୁ ୧୬ଶ ଶତାବ୍ଦୀ ମଧ୍ୟରେ କଳିଙ୍ଗର ନାମ ପରିବର୍ତ୍ତିତ ହୋଇ କ୍ରମଶଃ ଓଡ୍ର ଦେଶ, ଉଡିଶା ଓ ଓଡ଼ିଶା ନାମରେ ଅଭିହିତ ହେଲା । ଖ୍ରୀ. ୧୪୩୫ରୁ ୧୪୬୬ ମଧ୍ୟରେ, କପିଳେନ୍ଦ୍ରଦେବଙ୍କ ରାଜୁତି ସମୟରେ ଓଡ଼ିଶା ଏକ ମହାନ ରାଜନୈତିକ ଶକ୍ତିକେନ୍ଦ୍ର ଭାବେ ପରିଗଣିତ ହେଉଥିଲା । ଗଙ୍ଗାଠାରୁ ଆର୍କୋଟ ପର୍ଯ୍ୟନ୍ତ ବ୍ୟାପ୍ତ ଏହାର ସୀମା ବର୍ତ୍ତମାନ ଓଡ଼ିଶାର ଭୌଗୋଳିକ ସୀମାଠାରୁ ବଡ଼ ଥିଲା । ତାଙ୍କର ପରବର୍ତ୍ତୀ ରାଜାମାନେ ଲମ୍ବା ସମୟ ଯାଏଁ ଏହି ବିଶାଳ ସାମ୍ରାଜ୍ୟ ନିଜ ଅଧୀନରେ ରଖିବାକୁ ସମର୍ଥ ହୋଇଥିଲେ । ଖ୍ରୀ. ୧୪୯୭ରୁ ୧୫୪୧ ମଧ୍ୟରେ ପ୍ରତାପରୁଦ୍ରଦେବଙ୍କ ଶାସନ କାଳରେ ହୁଗୁଳି ଓ ମେଦିନୀପୁର ଅଞ୍ଚଳରୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର୍ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା ।
ଆରବି ନାବିକମାନେ ବଙ୍ଗୋପସାଗର ଅଞ୍ଚଳରେ ଖ୍ରୀ. ୮ମ ଶତାବ୍ଦୀର ପ୍ରାରମ୍ଭ ବେଳକୁ ନିଜର ଆଧିପତ୍ୟ ବିସ୍ତାର କରିଥିଲେ । ତା’ପରେ ପର୍ତ୍ତୁଗୀଜ, ଓଲନ୍ଦାଜ, ଇଂରାଜୀ ଓ ଫରାସୀମାନେ ଏହି ଅଞ୍ଚଳରେ ବ୍ୟାପକଭାବେ ବ୍ୟବସାୟ କରିବା ଆରମ୍ଭ କଲେ । ଓଡ଼ିଶାର ନାବିକମାନଙ୍କର ସୀମା କ୍ରମଶଃ ସଂକୁଚିତ ହେବାରେ ଲାଗିଲା । ୧୫୮୬ ମସିହାରେ ବଙ୍ଗର ମୁସଲମାନ ଶାସକ ସୁଲେମାନ୍ ଖାନ୍ କର୍ରଣି ଓଡ଼ିଶା ଅଧିକାର କରିବା ଫଳରେ ଓଡ଼ିଶାର ସ୍ୱାଧୀନତା କ୍ଷୁଣ୍ଣ ହେଲା । ପରେ ମରହଟ୍ଟାମାନେ ୧୭୫୧ରେ ଓ ବ୍ରିଟିଶମାନେ ୧୮୦୩ରୁ ୧୮୦୫ ମଧ୍ୟରେ ହୋଇଥିବା ଯୁଦ୍ଧମାନଙ୍କରେ ମରହଟ୍ଟା ବାହିନୀଙ୍କୁ ପରାସ୍ତ କରି ଓଡ଼ିଶା ଅଧିକାର କରିଥିଲେ ।
ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ କଟକର ଜୋବ୍ରାଠାରେ ୨୦୧୩ ମସିହାରେ ଉଦ୍ଘାଟିତ ହୋଇଥିଲା । ଓଡ଼ିଶାର ସମ୍ଭ୍ରାନ୍ତ ସାମୁଦ୍ରିକ ନୌବାଣିଜ୍ୟର ଇତିହାସ ଓ ସଂସକୃତିକୁ ଲୋକଲୋଚନକୁ ଆଣିବା ପାଇଁ ଏହି ସଂଗ୍ରହାଳୟ ବଦ୍ଧ ପରିକର । ପ୍ରାଚୀନ ସମୟରେ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାନଙ୍କ ସହାୟତାରେ ନାବିକମାନେ ଦିଗ ନିରୂପଣ କରୁଥିଲେ । ବିଜ୍ଞାନର ବିକାଶ ପରେ ଦିଗବାରେଣୀ ଯନ୍ତ୍ର ଓ ଅନ୍ୟ ଯନ୍ତ୍ରାଦିର ଉଦ୍ଭାବନ ହୋଇଥିଲା । ଏହି ସଂଗ୍ରହାଳୟରେ ଥିବା ତଥ୍ୟାବଳୀ ନୌବାଣିଜ୍ୟର କ୍ରମନ୍ୱୟ ବିକାଶ ଓ ଇତିହାସ ସମ୍ପର୍କରେ ଆଲୋକପାତ କରିଥାନ୍ତି । ମଧ୍ୟକାଳରୁ ନେଇ ବ୍ରିଟିଶ୍ ଶାସନ ସମୟ ଯାଏଁ ବ୍ୟବହୃତ ବୋଇତର ବର୍ଣ୍ଣନା, ସେମାନଙ୍କ ଚିତ୍ର, ଅନ୍ୟାନ୍ୟ ଲେଖା, କଳିଙ୍ଗର କାରୁକାର୍ଯ୍ୟ, ଡଙ୍ଗା ତିଆରି କରିବାର ପ୍ରଣାଳୀ ଆଦି ଏହି ସଂଗ୍ରହାଳୟରେ ପ୍ରଦର୍ଶିତ ।
{{cite web}}
: Unknown parameter |lastauthoramp=
ignored (|name-list-style=
suggested) (help)
{{cite web}}
: Unknown parameter |lastauthoramp=
ignored (|name-list-style=
suggested) (help)
{{cite web}}
: Check date values in: |date=
(help)[permanent dead link]
{{cite book}}
: Unknown parameter |lastauthoramp=
ignored (|name-list-style=
suggested) (help)