କାକବିନ ରାମାୟଣ (ଇଂରାଜୀ ଭାଷାରେ Kakawin Ramayana) ପ୍ରାଚୀନ ଜାଭା ଭାଷାରେ ଓ କାକବିନ ଛନ୍ଦରେ ଲିଖିତ ସଂସ୍କୃତ ରାମାୟଣର ଆଉ ଏକ ସାହିତ୍ୟିକ ପରିପ୍ରକାଶ ।
କେନ୍ଦ୍ରୀୟ ଜାଭା ବା ଆଧୁନିକ ଇଣ୍ଡୋନେସିଆରେ ପ୍ରାୟ ୮୭୦ ଖ୍ରୀଷ୍ଟାବ୍ଦ ସମୟରେ ମେଦାଙ୍ଗ ସାମ୍ରାଜ୍ୟର ରାଜା ମ୍ପୁ ସିଣ୍ଡୋକଙ୍କ ରାଜୁତି କାଳରେ ଏହାର ରଚନା ହୋଇଥିଲା ବୋଲି ଅନୁମାନ କରାଯାଏ ।[୧]:128 କାକବିନ ରାମାୟଣ ଏକ କାକବିନ (କାବ୍ୟର ଜାଭା ରୂପ) ଏବଂ ଏହି କବିତାବଳୀ ପାରମ୍ପରିକ ସଂସ୍କୃତ ଛନ୍ଦକୁ ଅନୁସରଣ କରି ରଚିତ ।
ଜାଭାରେ କାକବିନ ରାମାୟଣକୁ କଳାତ୍ମକ ପରିପ୍ରକାଶର ଉତ୍କୃଷ୍ଟ ଉଦାହରଣ ବୋଲି ବିବେଚନା କରାଯାଇଥାଏ । କାକବିନ ରାମାୟଣର ପୁରୁଣା ପାଣ୍ଡୁଲିପି ଓ ପୋଥିକୁ ଯେପରି ସଂରକ୍ଷିତ କରି ରଖାଯାଇଛି ସେଥିରୁ ଏହାର ଲୋକପ୍ରିୟତା ଓ ଆଦୃତି କେତେ ଅଧିକ ଥିଲା ତାହାର ସମ୍ୟକ ଧାରଣା ମିଳିଥାଏ । ଜାଭାର ହିନ୍ଦୁ-ବୌଦ୍ଧ ଯୁଗରେ ପ୍ରାଚୀନ ଜାଭା ଭାଷାରେ ଲିଖିତ ସମସ୍ତ କାକବିନ ମଧ୍ୟରୁ ଏହି ରାମାୟଣ ଦୀର୍ଘତମ ।
ମୂଳ ହିନ୍ଦୁ ଗ୍ରନ୍ଥଠାରୁ ଜାଭାର ରାମାୟଣରେ କିଛି ଭିନ୍ନତା ରହିଛି । ଏହି ଜାଭା ରାମାୟଣର ପ୍ରଥମାର୍ଦ୍ଧର ମୂଳ ସଂସ୍କୃତ କାବ୍ୟ ସହିତ ଅନେକ ସାମଞ୍ଜସ୍ୟ ରହିଛି । କିନ୍ତୁ ଶେଷାର୍ଦ୍ଧର ଅନେକ ଚରିତ୍ର ମୂଳ କାବ୍ୟଠାରୁ ଯଥେଷ୍ଟ ଭିନ୍ନ ଏବଂ ଭାରତୀୟ ରାମୟଣ ଶାସ୍ତ୍ରଜ୍ଞମାନେ ମଧ୍ୟ ଏହାକୁ ରାମାୟଣର ଅଂଶ ବୋଲି ଚିହ୍ନନ୍ତି ନାହିଁ । ଜାଭାର ପରମ୍ପରାରେ ସର୍ବଶକ୍ତିମାନ ଦେବ ସେମାର (ବାଲି ସାହିତ୍ୟର ତ୍ୱାଲେନ), ତାଙ୍କ ବିକୃତ ପୁତ୍ର ଗାରେଂଗ, ପେତ୍ରୁକ ଏବଂ ବାଗୋଂଗ ପ୍ରଭୃତି ଚରିତ୍ର ମୂଳ କଥାରୁ ଯଥେଷ୍ଟ ଅଲଗା । କାକବିନ ରାମାୟଣର ଏହି ଶେଷାର୍ଦ୍ଧ ଜାଭାରେ ଅତି ଲୋକପ୍ରିୟ ଏବଂ ସେମାନଙ୍କ ଅଧିକାଂଶ ୱାୟାଂଗ ନାଟକ ପ୍ରଦର୍ଶନରେ ଏହି ଅଂଶର ଅଭିନୟ କରାଯାଏ ।[୨][୩][୪][୫][୬][୭][୮][୯][୧୦][୧୧][୧୨][୧୩]
ସାହିତ୍ୟ ବିଦୂଷୀମାନେ ସଂସ୍କୃତ ଭାଷାରେ ରଚିତ ଏକ ପୁରାତନ କାବ୍ୟ ରାବଣବଧ କିମ୍ବା ଭଟ୍ଟିକାବ୍ୟକୁ କାକବିନ ରାମାୟଣର ଉତ୍ସ ବୋଲି ମତ ଦେଇଛନ୍ତି । ଭଟ୍ଟି କାବ୍ୟ ଭାରତର ଜଣେ ସଂସ୍କୃତ କବି ଭଟ୍ଟିଙ୍କଦ୍ୱାରା ଖ୍ରୀଷ୍ଟାବ୍ଦ ୬ଷ୍ଠରୁ ୭ମ ଶତାବ୍ଦୀ ମଧ୍ୟରେ ରଚନା କରାଯାଇଥିଲା । କାକବିନ ରାମାୟଣର ପ୍ରଥମାଂଶ ପ୍ରାୟ ଭଟ୍ଟିକାବ୍ୟ ପରି ।
ଅଯୋଧ୍ୟାର ଦଶରତଙ୍କର (ଦଶରଥ) ଚାରୋଟି ପୁତ୍ର ଥିଲେ : ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଗ୍ନ (ଶତ୍ରୁଘ୍ନ) । ଥରେ ଋଷି ୱିଶ୍ୱାମିତ୍ର (ବିଶ୍ୱାମିତ୍ର) ତାଙ୍କ ଆଶ୍ରମକୁ ଆକ୍ରମଣ କରୁଥିବା ଏକ ରାକ୍ଷସକୁ ବିତାଡ଼ିତ କରିବା ପାଇଁ ଦଶରଥଙ୍କ ସାହାଯ୍ୟ ଲୋଡ଼ିଲେ । ରାମ ଓ ଲକ୍ଷ୍ମଣ ଏହି କାର୍ଯ୍ୟ ପାଇଁ ଋଷିଙ୍କ ଆଶ୍ରମକୁ ଗଲେ ।
ଆଶ୍ରମରେ ରାମ ଓ ଲକ୍ଷ୍ମଣ ରାକ୍ଷସମାନଙ୍କର ବିନାଶ କରିବା ପରେ ମିଥିଳା ଦେଶ ଅଭିମୁଖେ ଯାତ୍ରା କଲେ ଯେଉଁଠାରେ ଏକ ସ୍ୱୟମ୍ବର ଆୟୋଜିତ ହେଉଥିଲା । ଏହି ସ୍ୱୟମ୍ବରର ବିଜେତାଙ୍କ ବିବାହ ରାଜାଙ୍କ କନ୍ୟା ସୀନ୍ତା (ସୀତା) ସହିତ ହେବାର ନିଶ୍ଚିତ ହୋଇଥିଲା । ପ୍ରତିଯୋଗୀମାନଙ୍କୁ ଏକ ଧନୁ ଉଠାଇବାକୁ କୁହାଗଲା ଯାହା ସୀନ୍ତାଙ୍କ ଜନ୍ମ ସମୟରୁ ତାଙ୍କ ସାଥୀ ଥିଲା । ରାମଙ୍କ ବ୍ୟତୀତ କେହି ଏହି ଧନୁକୁ ଉଠାଇବାରେ ସଫଳ ହୋଇନଥିଲେ । ରାମ ଓ ସୀନ୍ତା ବିବାହ କରି ଅଯୋଧ୍ୟା ଫେରି ଆସିଲେ । ଜ୍ୟେଷ୍ଠତମ ପୁତ୍ର ହୋଇଥିବାରୁ ଅଯୋଧ୍ୟାରେ ରାମଙ୍କ ରାଜ୍ୟାଭିଷେକର ପ୍ରସ୍ତୁତି ଚାଲିଲା ।
କିନ୍ତୁ ଦଶରଥଙ୍କ ଆଉ ଜଣେ ରାଣୀ କୈକେୟୀ ରାଜାଙ୍କୁ ଏକ ପୁରୁଣା ଶପଥ ମନେ ପକାଇ ନିଜ ପୁତ୍ର ଭରତଙ୍କ ରାଜ୍ୟାଭିଷେକ କରାଇବାକୁ ବାଧ୍ୟ କଲେ । ଦୁଃଖିତ ଦଶରଥ ଭରତଙ୍କୁ ରାଜା କରାଇଲେ । ରାମ, ସୀତା ଓ ଲକ୍ଷ୍ମଣଙ୍କୁ ରାଜ ପ୍ରାସାଦ ଛାଡ଼ିବାକୁ ପଡ଼ିଲା ଓ ଏହି ଦୁଃଖରେ ଦଶରଥ ପ୍ରାଣତ୍ୟାଗ କଲେ ।
ନୂଆ ରାଜା ଭରତ ରାମଙ୍କ ଅନ୍ୱେଷଣରେ ବାହାରିଲେ । ରାମଙ୍କୁ ଅଯୋଧ୍ୟା ଫେରାଇ ନେବାକୁ ଓ ରାଜ ପଦରେ ବସାଇବାକୁ ସେ ଚେଷ୍ଟା କଲେ । କିନ୍ତୁ ରାମ ମନା କରି ଭରତଙ୍କୁ ନିଜର ପ୍ରତୀକ ସଦୃଶ ପାଦୁକାମାନ ପ୍ରଦାନ କଲେ । ଭରତ ପାଦୁକା ଧରି ଅଯୋଧ୍ୟା ଫେରି ଆସିଲେ । ରାମ, ସୀତା ଓ ଲକ୍ଷ୍ମଣ ବଣରେ ରହିବା ପାଇଁ ଚାଲିଗଲେ । ସେମାନଙ୍କ ବନବାସ ସମୟରେ ସୂର୍ପଣକା (ସୂର୍ପଣଖା) ନାମକ ଏକ ରାକ୍ଷସୀ ଲକ୍ଷ୍ମଣଙ୍କ ପ୍ରେମରେ ପଡ଼ିଗଲେ ଓ ଏକ ସୁନ୍ଦର ସ୍ତ୍ରୀ ବେଶରେ ଲକ୍ଷ୍ମଣଙ୍କୁ ପ୍ରେମ ନିବେଦନ କଲେ । ଲକ୍ଷ୍ମଣ ତା’ଦ୍ୱାରା ଆକର୍ଷିତ ନ ହେବାରୁ ରାକ୍ଷସୀ ବଳ ପୂର୍ବକ ବିବାହ ନିବେଦନ କଲେ ଓ ଲକ୍ଷ୍ମଣ ତାଙ୍କର ନାସାଗ୍ର ଛେଦନ କଲେ । ରାକ୍ଷସୀ ରାଗରେ ନିଜ ଭାଇ ଲଙ୍କାର ରାକ୍ଷସ ରାଜା ରାବଣଙ୍କୁ ଜଣାଇଲେ ଏବଂ ତାଙ୍କ ଆଗରେ ସୀନ୍ତାଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନା କରି ତାଙ୍କୁ ଅପହରଣ କରିବାକୁ ପ୍ରରୋଚିତ କଲେ ।
ଥରେ ସୀନ୍ତା ଏକ ସୁନ୍ଦର ହରିଣ ଦେଖି ରାମଙ୍କୁ ତାହା ଆଣିଦେବାକୁ କହିଲେ । ଲକ୍ଷ୍ମଣଙ୍କୁ ସୀତାଙ୍କ ସୁରକ୍ଷା ଦାୟିତ୍ୱ ଦେଇ ରାମ ହରିଣ ଧରିବାକୁ ବାହାରିଲେ । ରାମ ବହୁ ସମୟ ଧରି ନ ଫେରିବାରୁ ସୀତା ଲକ୍ଷ୍ମଣଙ୍କୁ ରାମଙ୍କୁ ଖୋଜିବା ପାଇଁ କହିଲେ । ଏହି ସମୟରେ ରାବଣ ସୀନ୍ତାଙ୍କ ଅପହରଣ କରି ତାଙ୍କୁ ଲଙ୍କା ନେଇ ଆସିଲେ ।
ରାମ ଓ ଲକ୍ଷ୍ମଣ ସୀତାଙ୍କୁ ଫେରି ପାଇବାକୁ ଚେଷ୍ଟା କଲେ । ସେମାନଙ୍କୁ ଏହି ଚେଷ୍ଟାରେ ବାନରମାନଙ୍କ ରାଜା ହନୁମାନଙ୍କ ସହାୟତା ମିଳିଲା । ଶେଷରେ ରାବଣଙ୍କୁ ବଧ କରି ରାମ ଓ ସୀନ୍ତା ଅଯୋଧ୍ୟା ଫେରିଲେ ଓ ରାମଙ୍କୁ ରାଜପଦରେ ଅଭିଷିକ୍ତ କରାଗଲା ।
ପ୍ରମ୍ବନନ ରାମାୟଣ ନାଟକ ଏହି କାକବିନ ରାମାୟଣର କଥା ଚିତ୍ରର ନାଟ୍ୟ ରୂପାନ୍ତର । ଏହି ନାଟକ ଇଣ୍ଡୋନେସିଆର ପ୍ରମ୍ବନନ ମନ୍ଦିରରେ ପ୍ରଦର୍ଶିତ ହୁଏ ।[୧୪] ଯଦିଓ ଇଂରାଜୀ ଭାଷାରେ ଏହାକୁ ପ୍ରମ୍ବନନ ରାମାୟଣ ବାଲେ (Prambanan Ramayana Ballet) ବୋଲି କୁହନ୍ତି କିନ୍ତୁ ପ୍ରମ୍ବନନ ରାମାୟଣ ନାଟକ ପାଶ୍ଚାତ୍ୟର ବାଲେ ନୃତ୍ୟ ଶୈଳୀରେ ନୁହଁ ବରଂ ସ୍ଥାନୀୟ ୱାୟାଂଗ୍ ୱୋଂଗ୍ ଶୈଳୀରେ ପ୍ରଦର୍ଶନ କରାଯାଏ ।
ସମ୍ପୂର୍ଣ୍ଣ ରାମାୟଣ କାହାଣୀ ୪ଟି ଅଧ୍ୟାୟରେ ୪ଟି ରାତିରେ ପ୍ରଦର୍ଶିତ ହୋଇଥାଏ । ମଇରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାରିଟି ପୂର୍ଣ୍ଣିମା ଦିନ ନିର୍ମଳ ଆକାଶ ତଳେ ଏହି ନାଟକ ପ୍ରଦର୍ଶିତ ହୁଏ । (୧) ଦେୱୀ (ସୀନ୍ତା)ଙ୍କ ଅପହରଣ, (୨) ଜ୍ୱଳନ୍ତ ହନୁମାନ, (୩) କୁମ୍ବକର୍ଣ୍ଣ (କୁମ୍ଭକର୍ଣ୍ଣ) ବଧ ଓ (୪) ରାମ ଓ ସୀନ୍ତାଙ୍କ ମିଳନ ଏହି ନାଟକର ଚାରି ଅଧ୍ୟାୟ ।[୧୫]
{{cite web}}
: CS1 maint: archived copy as title (link)
http://www.joglosemar.co.id/semar.html Archived 2009-07-11 at the Wayback Machine.