କାହ୍ନୁ ଚରଣ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ନାଗବଳି, କଟକ | ୧୧ ଅଗଷ୍ଟ ୧୯୦୬
ମୃତ୍ୟୁ | ୬ ଅପ୍ରେଲ ୧୯୯୪ | (ବୟସ ୮୭)
ବୃତ୍ତି | ଲେଖକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ପ୍ୟାରୀମୋହନ ଏକାଡେମୀ |
ସମ୍ପର୍କୀୟ | ଗୋପୀନାଥ ମହାନ୍ତି (ସାନ ଭାଇ), ଗୁରୁ ପ୍ରସାଦ ମହାନ୍ତି (ପୁତୁରା)[୧] |
କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬[୨]–୬ ଅପ୍ରେଲ ୧୯୯୪[୩]) ଜଣେ ଭାରତୀୟ ଓଡ଼ିଆ ଔପନ୍ୟାସିକ ଥିଲେ ।[୪] ୧୯୩୦ରୁ ୧୯୮୫ ପର୍ଯ୍ୟନ୍ତ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ସେ ୫୬ଟି ଉପନ୍ୟାସ ରଚନା କରିଥିଲେ । ତାଙ୍କର କେତେକ ଜଣାଶୁଣା ଉପନ୍ୟାସ ମଧ୍ୟରେ କା, ବାଲିରାଜା, ଶାସ୍ତି, ହା' ଅନ୍ନ, ଝଞ୍ଜା, ଶର୍ବରୀ, ତମସା ତୀରେ ଅନ୍ୟତମ । ୧୯୫୬ ମସିହାରେ ପ୍ରକାଶିତ ଉପନ୍ୟାସ କା ପାଇଁ ସେ ୧୯୫୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ସେ ସାହିତ୍ୟ ଏକାଡେମୀର ଫେଲୋ ମଧ୍ୟ ହୋଇଥିଲେ । ତାଙ୍କୁ "ଓଡ଼ିଶୀର ଅନ୍ୟତମ ଲୋକପ୍ରିୟ ଉପନ୍ୟାସକାର" ଭାବରେ ବିବେଚନା କରାଯାଏ ।[୫] ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।
କାହ୍ନୁଚରଣ ମହାନ୍ତି କଟକ ଜିଲ୍ଲାସ୍ଥିତ ନାଗବଳି ଗାଆଁରେ ୧୯୦୬ ମସିହା ଅଗଷ୍ଟ ୧୧ତାରିଖରେ ଜନ୍ମ ହୋଇଥିଲେ । ତାଙ୍କ ମାତାଙ୍କ ନାମ ଦୁର୍ଗାଦେବୀ ଓ ପିତାଙ୍କ ନାମ ସୂର୍ଯ୍ୟମଣି । ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ ଓ ତାଙ୍କ ବଡ଼ ଦୁଇ ଭାଇଙ୍କ ନାମ ଥିଲା ଗିରିଧାରୀ ଓ ଯଦୁନାଥ ଏବଂ ଜଣେମାତ୍ର ଭଉଣୀ ନିଶାମଣି ଥିଲେ । କଟକର ପ୍ୟାରୀମୋହନ ଏକାଡେମୀରୁ ଶିକ୍ଷାଗ୍ରହଣ କରିଥିଲେ । ଓଡ଼ିଆ କବି ଗୁରୁପ୍ରସାଦ ମହାନ୍ତି ଥିଲେ ତାଙ୍କ ଦାଦା ଦିବ୍ୟସିଂହ ମହାନ୍ତିଙ୍କ ପୁଅ । କାହ୍ନୁଚରଣ ମହାନ୍ତିଙ୍କ ଜେଜେବାପା ଧର୍ମୁ ମହାନ୍ତି ଥିଲେ ଜଣେ ଚାଷୀ ଓ ଏକ ଜମିଦାର ପରିବାରର ବଂଶଜ ।[୬]
ଶୈଶବରୁ କାହ୍ନୁଚରଣ ମହାନ୍ତି ସାହିତ୍ୟପ୍ରତି ଆକୃଷ୍ଟ ଥିଲେ ଓ ଫକୀର ମୋହନ ସେନାପତିଙ୍କ ରଚନାରୁ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ । ପ୍ୟାରୀମୋହନ ଏକାଡେମୀରେ ପାଠ ପଢିବାବେଳେ ତାଙ୍କର କେତୋଟି କବିତା ବିଦ୍ୟାଳୟ ପତ୍ରିକାରେ ପ୍ରକାଶିତ ହୋଇଥିଲେ ମଧ୍ୟ ସେ କବିତା ଲେଖିବା ଜାରୀ ରଖିନଥିଲେ । ସେ ପରେ ଗଳ୍ପ ଓ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଉପନ୍ୟାସ ଥିଲା ୧୯୨୩-୧୯୨୪ରେ ପ୍ରକାଶିତ ଉତ୍ସବେ ବ୍ୟସନ । ୧୯୮୫ରେ ରଚିତ ଯକ୍ଷ ତାଙ୍କର ଶେଷ ଉପନ୍ୟାସ ହୋଇଥିଲେ ମଧ୍ୟ ୧୯୮୪ରେ ରଚିତ ମେଲାଣି ମାଗୁଣିକୁ ସମାଲୋଚକମାନେ ଶେଷ ରଚନା ବୋଲି ଗ୍ରହଣକରିଥାନ୍ତି ।[୭]
କାହ୍ନୁଚରଣ ମହାନ୍ତିଙ୍କ ଗଳ୍ପ ଓ ଉପନ୍ୟାସ ରଚନାର ଆରମ୍ଭ ଭାରତୀୟ ସ୍ୱାଧୀନତା ପାଇବା ସମୟର ଏବଂ ତାଙ୍କ ରଚନାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ସାମାଜିକ ପ୍ରଭାବ, ବ୍ରିଟିଶ ଶାସନର ଶେଷ, ଓ ନୂଆ ଗଣତାନ୍ତ୍ରିକ ଭାରତ ଗଠନ ସମୟର ସାମାଜିକ ଚିତ୍ର ଚିତ୍ରଣ ହୋଇଛି । ତାଙ୍କ ରଚନାର ଭାଷା ସରଳ ଓ ଓଡ଼ିଶାର ଗ୍ରାମ୍ୟ ଜୀବନ ଓ ବ୍ୟକ୍ତିତ୍ୱମାନଙ୍କୁ ଭିତ୍ତିକରି । ସେ ଉପନ୍ୟାସ ରଚନା କରିବା ଆରମ୍ଭ କରିବା ବେଳକୁ ଫକୀର ମୋହନ ସେନାପତିଙ୍କ ବ୍ୟତୀତ ଓଡ଼ିଆ ସାହିତ୍ୟରେ ଆଧୁନିକ ଗଦ୍ୟସାହିତ୍ୟ ଖୁବ କମ ଥିଲା । ପ୍ରଶାନ୍ତ ମହାନ୍ତି ତାଙ୍କର ଔପନ୍ୟାସିକ କାହ୍ନୁଚରଣ ପୁସ୍ତକରେ କାହ୍ନୁଚରଣ ଏହି ଶୂନ୍ୟସ୍ଥାନ ପୂରଣ କରିଥିଲେ ବୋଲି ଉଲ୍ଲେଖ କରିଛନ୍ତି । ତାଙ୍କର ଏକ ବହୁଚର୍ଚ୍ଚିତ ଉପନ୍ୟାସ ହା' ଅନ୍ନରେ ଦୈବୀ ଦୁର୍ଯୋଗ ସମୟରେ ମଣିଷର ଅସହାୟତାର ବର୍ଣ୍ଣନା ରହିଛି । ତାଙ୍କର ପ୍ରାୟ ରଚନାରେ ମଣିଷପଣିଆ ଓ ସମାଜରେ ବିଭିନ୍ନ ବର୍ଗର ଲୋକଙ୍କ ସହାବସ୍ଥାନ ଓ ଗ୍ରାମୀଣ ଓଡ଼ିଶାର ପୃଷ୍ଠଭୂମି ଚିତ୍ରିତ ।[୭]
Kanhu Charan Mohanty (1906-94) is the most prolific and indeed the most popular novelist of the post-independence period.
In 1958 for his novel 'Kaa', he was awarded by Kendra Sahitya Akademi.