କୁଞ୍ଜ ବିହାରୀ ମେହେର | |
---|---|
ଜନ୍ମ | ୧୯୨୮ |
ମୃତ୍ୟୁ | ୩୦ ଜୁନ ୨୦୦୮ |
ବୃତ୍ତି(ସମୂହ) | ବୁଣାକାର |
ପ୍ରସିଦ୍ଧି | ନଟ ସଂକୀର୍ତ୍ତନ |
ପୁରସ୍କାର | ହସ୍ତଶିଳ୍ପ ନିମନ୍ତେ ପଦ୍ମଶ୍ରୀ ଜାତୀୟ ପୁରସ୍କାର ପାଇଥିଲେ |
କୁଞ୍ଜ ବିହାରୀ ମେହେର(୧୯୨୮-୨୦୦୮) ଓଡ଼ିଶାର ଜଣେ ପ୍ରବୀଣ ତନ୍ତି ଥିଲେ ।[୧] ସେ ଇକ୍କତ ପରମ୍ପରାର (ବାନ୍ଧ ଓ ରଙ୍ଗ) ବିଶିଷ୍ଟ ଓଡ଼ିଶାର ସମ୍ବଲପୁରୀ ଲୁଗା ବୁଣା ନିମନ୍ତେ ଜଣାଶୁଣା ଥିଲେ ।[୨] ତାଙ୍କୁ ସମ୍ବଲପୁରୀ ଶାଢ଼ୀ ହସ୍ତତନ୍ତ ଶିଳ୍ପ ପ୍ରତିଷ୍ଠାତାର ସମ୍ମାନ ଦିଆଯାଏ । [୩] ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।[୪] ସନ ୨୦୦୯ରେ ସେ ହ୍ୟାଣ୍ଡିକ୍ରାଫ୍ଟ ଅଫ ନ୍ୟାସନାଲ ସେଣ୍ଟର ଫର ଟେକ୍ସଟାଇଲ ଡିଜାଇନର ଜାତୀୟ ପୁରସ୍କାର ପାଇଥିଲେ ।[୫]
କୁଞ୍ଜ ବିହାରୀ ୧୯୨୮ ମସିହାରେ ବରଗଡ଼ ଜିଲ୍ଲାର ବିଜେପୁର ଥାନା ଅନ୍ତର୍ଗତ ଚୁଡାପାଲିଠାରେ ଏକ ଭୁଲିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୬] ମାତ୍ର ୨ୟ ଶ୍ରେଣୀ ପର୍ଯ୍ୟନ୍ତ ସେ ଶିକ୍ଷାଲାଭ କରିଥିଲେ । ସୂତା କାଟି, ଲୁଗା ବୁଣିବା ଥିଲା ସେମାନଙ୍କର କୌଳିକ ବ୍ୟାପାର । ନିଜ ପିତାଙ୍କଠାରୁ ସେ ଏହି ବିଦ୍ୟା ଶିକ୍ଷା କରିଥିଲେ । ଏହି କାମରେ ଅଧିକ ଗବେଷଣା କରି ସେ ଅନେକ ନୂତନ ପରମ୍ପରା ସୃଷ୍ଟି କରି ପାରିଥିଲେ । ତାଙ୍କଦ୍ୱାରା ବୁଣାଯାଇଥିବା କିଛି ବିଶିଷ୍ଟ ଶାଢ଼ୀ ଥିଲା : ନବଗୁଞ୍ଜର, ବାପୁଜୀଙ୍କ ଅବଦାନ, ଭାରତ ରତ୍ନ, ଭକ୍ତବତ୍ସଳ ଭଗବାନ, ଭାରତୀ କୁସୁମ ଇତ୍ୟାଦି । ସେ ଶାଢ଼ୀ ଉପରେ ଲେନିନଙ୍କ ଛବି ମଧ୍ୟ ବୁଣିଥିଲେ । ଏହା ଋଷିଆ ସରକାରଙ୍କୁ ଉପହାର ଦିଆଯାଇଥିଲା । କୋଣାର୍କ ଚକ ଥିବା ଏକ ଶାଢ଼ୀ ସେ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ମଧ୍ୟ ଉପହାର ଦେଇଥିଲେ । ମହାରାଣୀଙ୍କଦ୍ୱାରା ପୁରସ୍କୃତ ହୋଇଥିବା ସେ ଥିଲେ ପ୍ରଥମ ଭାରତୀୟ ବୁଣାକାର । ତାଙ୍କ ସୁପୁତ୍ର ସୁରେନ୍ଦ୍ର ମେହେର ମଧ୍ୟ ଜଣେ ଜଣାଶୁଣା ବୁଣାକାର ।[୭] ୨୦୦୮ ଜୁନ ୩୦ତାରିଖରେ ୯୦ ବର୍ଷ ବୟସରେ ତାଙ୍କର ତିରୋଧାନ ଘଟିଥିଲା ।[୮]