କୁମାୟୁଁର ନରଖାଦକ ଜିମ୍ କର୍ବେଟଙ୍କ ୧୯୪୪ ମସିହାରେ ଲିଖିତ ମୂଳ ଇଂରାଜୀ ପୁସ୍ତକ Man-Eaters of Kumaonର ଓଡ଼ିଆ ଅନୁବାଦ ।[୧] ଡକ୍ଟର ପ୍ରଫୁଲ୍ଲ କୁମାର କର ଏହି ଅନୁବାଦଟି ରଚନା କରିଛନ୍ତି ।[୨] ମୂଳ ଇଂରାଜୀ ପୁସ୍ତକର ଲେଖକ ହେଉଛନ୍ତି ପ୍ରସିଦ୍ଧ ଶିକାରୀ ଓ ପରିବେଶବିତ୍ ଜିମ୍ କର୍ବେଟ୍ । ଏହି ପୁସ୍ତକରେ କର୍ବେଟ୍ କୁମାଓନ୍ ଅଞ୍ଚଳରେ (୧୯୦୦ ମସିହାରୁ ୧୯୩୦ ମସିହା ପର୍ଯ୍ୟନ୍ତ) ମହାବଳ ବାଘ ଓ ଉପମହାଦେଶୀୟ କଲରା ପତରିଆ ବାଘମାନଙ୍କର ଶିକାର ସମୟର ନିଜେ ଅଙ୍ଗେ ନିଭେଇଥିବା ଘଟଣାମାନଙ୍କର ବର୍ଣ୍ଣନା କରିଛନ୍ତି ।[୩][୪] ତନ୍ମଧ୍ୟରୁ ଏକ ବାଘ ୪୦୦ଟି ନରହତ୍ୟା ପାଇଁ ଦାୟୀ ଥିଲା । କର୍ବେଟଙ୍କ ଲିଖିତ ପୁସ୍ତକ ମାନଙ୍କ ମଧ୍ୟରେ ଏହା ସବୁଠାରୁ ଅଧିକ ଜନପ୍ରିୟ । ଏହି ପୁସ୍ତକରେ ଲିଖିତ ୧୦ଟି କାହାଣୀରେ କିପରି ନରଖାଦକମାନଙ୍କୁ ଗୋପନରେ ଅନୁସରଣ କରି ହତ୍ୟା କରାଯାଇଥିଲା ତାହାର ସବିଶେଷ ବର୍ଣ୍ଣନା ରହିଛି । ତା' ଛଡା ହିମାଳୟର ପାଦଦେଶର ଅନ୍ୟ ଜୀବଜନ୍ତୁ, ଉଦ୍ଭିଦ ଜଗତ ଓ ତତ୍କାଳୀନ ଗ୍ରାମ୍ୟ ଜୀବନର ଏକ ସରସ ଚିତ୍ର ଏହି ପୁସ୍ତକରେ ପ୍ରଦତ୍ତ ।
ମୂଳ ଭାଷା - ଇଂରାଜୀ
ପରିବାର ଏବଂ ବନ୍ଧୁବାନ୍ଧବଙ୍କ ବାରମ୍ବାର ଅନୁରୋଧ ପରେ, ୧୯୩୫ ମସିହାରେ କର୍ବେଟ୍ ୭ଟି କାହାଣୀ ଲେଖିଥିଲେ । ପ୍ରଥମେ ଏହାର ୧୦୦ ଖଣ୍ଡ ବହି ମୁଦ୍ରଣ କରାଯାଇ ବନ୍ଧୁ ବାନ୍ଧବଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ପ୍ରଥମେ ପ୍ରକାଶିତ ଏହି ପୁସ୍ତକର କାହାଣୀସବୁ ଥିଲା : "Wild Life in the Village: An Appeal (ଗ୍ରାମରେ ବନ୍ୟଜନ୍ତୁ - ଏକ ଅନୁନୟ)", "The Pipal Pani Tiger (ପିପଲ୍ ପାନୀ ବାଘ)", "The Fish of My Dreams (ମୋ ସ୍ୱପ୍ନର ମାଛ)", "A Lost Paradise (ହୃତ ସ୍ୱର୍ଗ)", "The Terror that Walks by Night (ନିଶାଚର ଆତଙ୍କ)", "Purna Girl and Its Mysterious Lights (ପୂର୍ଣାର ଝିଅ ଓ ରହସ୍ୟମୟୀ ଆଲୋକ)" ଓ "The Chowgarh Tigers (ଚୌଗଡ୍ ବାଘସମୂହ)" ।
୧୯୪୩ ମସିହାରେ କର୍ବେଟ୍ ଟାଏଫଏଡ୍ ଜ୍ୱରରେ ପୀଡ଼ିତ ହୋଇ ଚଲାବୁଲା କରିବାର କ୍ଷମତା ହରାଇଲେ । ସେହି ସମୟରେ ତା'ଙ୍କ ଘନିଷ୍ଠ ବନ୍ଧୁ ଓ ଅକ୍ସ୍-ଫୋର୍ଡ୍ ପ୍ରେସ୍ର ଭାରତୀୟ ଶାଖାର ପ୍ରବନ୍ଧକ ଆର୍. ଇ. ହକିନ୍ସ୍ଙ୍କ ଅନୁରୋଧକ୍ରମେ, ୧୯୩୫ର ଜଙ୍ଗଲ କାହାଣୀମାନଙ୍କୁ ଆଧାର କରି କର୍ବେଟ୍ ଏହି ପୁସ୍ତକଟିକୁ ଲେଖିଥିଲେ । ଅକ୍ସ୍-ଫୋର୍ଡ୍ ବିଶ୍ୱ ବିଦ୍ୟାଳୟ ପ୍ରେସ୍ଦ୍ୱାରା ୧୯୪୪ରେ ଏହାର ପ୍ରଥମ ସଂସ୍କରଣର ମୁଦ୍ରଣ ହୋଇଥିଲା ।[୫]
୧୯୪୪ - ପ୍ରଥମ ପ୍ରକାଶନ - ଅକ୍ସ୍-ଫୋର୍ଡ୍ ବିଶ୍ୱବିଦ୍ୟାଳୟ ପ୍ରେସ୍ - ୮ଟି କଳା-ଧଳା ଚିତ୍ର ସହିତ
୧୯୪୬ - ଯୁକ୍ତରାଷ୍ଟ୍ର ଆମେରିକା ଓ ଇଂଲଣ୍ଡ - ଅକ୍ସ୍-ଫୋର୍ଡ୍ ବିଶ୍ୱବିଦ୍ୟାଳୟ ପ୍ରେସ୍ - ୫ଟି କଳା-ଧଳା ଚିତ୍ର ସହିତ
୧୯୪୮ - "ମୋହାନ୍ ନରଖାଦକ ଓ ଅନ୍ୟାନ୍ୟ କାହଣୀ" ନାମରେ ବିଦ୍ୟାଳୟ ପାଠ୍ୟକ୍ରମୋପଯୋଗୀ ସଂସ୍କରଣ - ସି. ଏଚ୍. ଜି. ମୁର୍ ହାଉସ୍ଙ୍କଦ୍ୱାରା ସଚିତ୍ର ବ୍ୟାଖ୍ୟା
୧୯୫୨ - ଇଂଲଣ୍ଡରେ ଅକ୍ସ୍-ଫୋର୍ଡ୍ ବିଶ୍ୱବିଦ୍ୟାଳୟ ପ୍ରେସ୍ଦ୍ୱାରା ପ୍ରକାଶିତ - ରେମଣ୍ଡ ଶେଫର୍ଡ୍ଙ୍କଦ୍ୱାରା ବ୍ୟାଖ୍ୟା (ବିନା କୌଣସି ଚିତ୍ର ବିଶିଷ୍ଟ)
୧୯୫୩ - ଯୁକ୍ତରାଷ୍ଟ୍ର ଆମେରିକାରେ ପେନ୍ନାଣ୍ଟ୍ ପେପର୍ବ୍ୟାକ୍ସ୍ଦ୍ୱାରା ପ୍ରକାଶିତ
୧୯୫୫ - ପେଙ୍ଗ୍ୱିନ୍ଦ୍ୱାରା ପ୍ରକାଶିତ
୧୯୬୨ - ବାନ୍ତାମ୍ଦ୍ୱାରା ପ୍ରକାଶିତ
୧୯୯୦ - ୧୯୯୫ - ଜନ୍ କ୍ୟୁଲ୍ଲର୍ ଏଣ୍ଡ୍ ସନ୍ସ୍ଦ୍ୱାରା ପ୍ରକାଶିତ
ଏକାଧିକ ଇଉରୋପୀୟ ଓ ଭାରତୀୟ ଭାଷାରେ ଏହି ପୁସ୍ତକର ଅନୁବାଦ ହୋଇଛି ।
ଓଡ଼ିଆ ଭାଷାରେ ମଧ୍ୟ ଏହାର ଅନୁବାଦ ଉପଲବ୍ଧ । ଏହି ପୁସ୍ତକର ଓଡ଼ିଆ ଅନୁବାଦ ଗ୍ରନ୍ଥ ମନ୍ଦିରଦ୍ୱାରା ପ୍ରକାଶିତ ଓ ତାହାର ଅନୁବାଦକ ହେଲେ ଡକ୍ଟର୍ ପ୍ରଫୁଲ୍ଲ କୁମାର କର ।
ପୁସ୍ତକର ଲୋକପ୍ରିୟତା - ୧୯୪୬ ମଇ ମାସ ସୁଦ୍ଧା ଏହି ବହିଟିର ୫ ଲକ୍ଷରୁ ଉର୍ଦ୍ଧ୍ୱ ଖଣ୍ଡ ବିକ୍ରି ହୋଇସାରିଥିଲା । ୧୯୮୦ ମସିହା ସୁଦ୍ଧା ଏହାର ବିକ୍ରି ୪୦ ଲକ୍ଷ ଖଣ୍ଡ ଅତିକ୍ରମ କରି ସାରିଥିଲା ।
ଛିନ୍ଦ୍-ୱାରା ହତ୍ୟା ମାମଲା - ୧୯୪୯ ମସିହାରେ ଛିନ୍ଦ୍-ୱାରା ନ୍ୟାୟାଳୟରେ ଏକ ନରହତ୍ୟା ମାମଲାର ଶୁଣାଣି ହୋଇଥିଲା । ଜଙ୍ଗଲରୁ ତୋଡାଲ ନାମକ ଏକ ବ୍ୟକ୍ତିର ମୃତ ଶରୀର ମିଳିଥିଲା । ପୁଲିସ୍ ଅନୁସାରେ ଅଭିଯୁକ୍ତ ମୃତକର ସ୍ତ୍ରୀକୁ ପ୍ରେମ କରୁଥିବାରୁ ତା'ର ହତ୍ୟାର ଷଡଯନ୍ତ୍ର କରିଥିଲା । ମୁଦାଲା ପକ୍ଷର ଯୁକ୍ତି ଥିଲା ଯେ ମୃତକକୁ ନରଖାଦକ ହତ୍ୟା କରିଛି । ମୁଦାଲା ପକ୍ଷ କର୍ବେଟଙ୍କ ପୁସ୍ତକରେ ବର୍ଣ୍ଣିତ ମୃତକଙ୍କ ଶରୀରର କ୍ଷତଚିହ୍ନ ଓ ଆକ୍ରମଣ ସମୟର ପରିସ୍ଥିତି ବୁଝାଇବା ପାଇଁ ଏହି ପୁସ୍ତକର କିଛି ପରିଛ୍ଛେଦ ପଢ଼ିଥିଲେ । ପରବର୍ତ୍ତୀ ସମୟରେ ସମସ୍ତ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ୍ ହୋଇଥିଲା ।
ଚଳଚ୍ଚିତ୍ର - ୧୯୪୬ ମସିହାରେ ୟୁନିଭର୍ସାଲ୍ ପିକ୍ଚର୍ସ୍ ଏହି ପୁସ୍ତକର ନାଟ୍ୟଚିତ୍ର ରୂପାନ୍ତରଣର ଅଧିକାର କିଣି, ୧୯୪୮ ମସିହାରେ କୁମାଓନ୍ ନରଖାଦକ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । କିନ୍ତୁ ଚଳଚ୍ଚିତ୍ରର କାହାଣୀ ସହ ବହିରେ ଲିଖିତ କାହାଣୀର କୌଣସି ସାମଞ୍ଜସ୍ୟ ନଥିଲା । ଚଳଚ୍ଚିତ୍ରର କାହାଣୀରେ ଆମେରିକୀୟ ଅଭିନେତା ୱେଣ୍ଡେଲ୍ କୋରେ ମୂଖ୍ୟ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିରେ ସେ ଏକ ବାଘକୁ ଗୁଳି କରି ଆହତ କରିଥିଲେ ଓ ଶେଷରେ ନିଜେ ବାଘଦ୍ୱାରା ନିହତ ହୋଇଥିଲେ । କର୍ବେଟ୍ ଚଳଚ୍ଚିତ୍ର ଦେଖିଲା ପରେ ବାଘ ହିଁ ଶ୍ରେଷ୍ଠ ଅଭିନେତା ବୋଲି ତାଛ୍ଛଲ୍ଲ୍ୟ କରି କହିଥିଲେ । ୧୯୮୬ ମସିହାରେ ବି. ବି. ସି.ଦ୍ୱାରା ପ୍ରଯୋଜିତ ଚଳଚ୍ଚିତ୍ରରେ ଫ୍ରେଡେରିକ୍ ଟ୍ରେଭ୍ସ୍ ଜିମ୍ କର୍ବେଟଙ୍କ ଭୂମିକାରେ ଦେଖା ଦେଇଥିଲେ । ୨୦୦୨ରେ "ଭାରତ : ବାଘଙ୍କ ସାମ୍ରାଜ୍ୟ (India: Kingdom of the Tiger)" ନାମକ ଏକ ଚଳଚ୍ଚିତ୍ର ଆଇମ୍ୟାକ୍ସ୍ଦ୍ୱାରା ପ୍ରଯୋଜିତ ହୋଇଥିଲା । କର୍ବେଟଙ୍କ ପୁସ୍ତକ ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ରରେ ଖ୍ରୀଷ୍ଟୋଫର୍ ହେୟେର୍ଦାଲ୍ କର୍ବେଟଙ୍କ ଭୂମିକା ନିର୍ବାହ କରିଥିଲେ ।
{{cite web}}
: Invalid |ref=harv
(help)CS1 maint: multiple names: authors list (link)
{{cite web}}
: Invalid |ref=harv
(help)