ଖରସୁଆଁ ରାଜ୍ୟ, ଖରସୁଆ ବା ଖରସ୍ୱାନ ଭାବରେ ମଧ୍ୟ ପରିଚିତ ,[୧] ବ୍ରିଟିଶ ରାଜ ସମୟର ଏକ ରାଜକୀୟ ରାଜ୍ୟ ଥିଲା । ଏହା ବ୍ରିଟିଶ ରାଜ [୨]ସମୟର ବେଙ୍ଗଲ ପ୍ରେସିଡେନ୍ସି ଅନ୍ତର୍ଗତ ଛୋଟନାଗପୁର ଡିଭିଜନର ୯ଟି ରାଜକୀୟ ରାଜ୍ୟ ମଧ୍ୟରୁ ଅନ୍ୟତମ ରହିଥିଲା । ଏଠାରେ ମୁଖ୍ୟ ଭାଷା ଓଡ଼ିଆ ରହିଥିବା ବେଳେ ଏହାକୁ ଭାରତର ଓଡ଼ିଆ ରାଜକୀୟ ରାଜ୍ୟ କୁହାଯାଉଥିଲା ।
ଖରସୁଆଁ ସହର ଏହି ରାଜ୍ୟର ରାଜଧାନୀ ରହିଥିଲା । ସ୍ୱାଧୀନତା ପରେ ଏହା ଝାଡଖଣ୍ଡ ରାଜ୍ୟର ଅଂଶ ଭାବରେ ଖରସୁଆଁ ଜିଲ୍ଲା ହେଇ ରହିଛି ।ପରେ ଏହା ସଢେଇକେଲା ଖରସୁଆଁ ଜିଲ୍ଲା ଭାବରେ ପୁନରନାମିତ ହେଇଥିଲା ।
ଖରସୁଆଁ ଇଷ୍ଟେଟ ୧୬୫୦ ମସିହାରେ ସ୍ଥାପିତ ହେଇଥିଲା । ନିକଟସ୍ଥ ସଢେଇକେଲା ରାଜ୍ୟର ପ୍ରଥମ ଶାସକ ପୋରାହାଟର କୁଆଁର ବିକ୍ରମ ସିଂହଙ୍କ ଦ୍ୱିତୀୟ ପୁତ୍ର କୁଆଁର ପଦମ୍ ସିଂହଙ୍କୁ ଖରସୁଆଁର ପ୍ରତିଷ୍ଠାତା କୁହାଯାଏ । ୧୮୫୭ ମସିହାରେ ଏହି ଇଷ୍ଟତେ ରାଜ୍ୟ ମାନ୍ୟତା ପ୍ରାପ୍ତ ହେଇଥିଲା ।
୧୯୧୨ ମସିହାରେ ବଙ୍ଗ ଭଙ୍ଗ ହେଇ ପୂର୍ବାଞ୍ଚଳ ଜିଲ୍ଲା ସମୂହକୁ ନେଇ ବିହାର ଓ ଓଡ଼ିଶା ପ୍ରଭିନ୍ସ[୩] ସୃଷ୍ଟି କରାଗଲା ପରେ ଖରସୁଆଁ ବିହାର ଓ ଓଡ଼ିଶା ପ୍ରଭିନ୍ସ ଅଧୀନକୁ ଆସିଥିଲା । ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଭିନ୍ସ ସୃଷ୍ଟି ହେଲାପରେ ଏହା ଓଡ଼ିଶା ପ୍ରଭିନ୍ସ ଅଧୀନରେ ରହିଲା । ୧ ଜାନୁୟାରୀ , ୧୯୪୮ରେ ସଢେଇକେଲା ସମେତ ପୂର୍ବାଞ୍ଚଳ ରାଜ୍ୟ ଏଜେନ୍ସିର ୨୪ଟି ରାଜକୀୟ ରାଜ୍ୟ ଓଡ଼ିଶା ରାଜ୍ୟ ସହ ମିଶ୍ରଣ ପାଇଁ ସମ୍ମତି ସହ ଭାରତୀୟ ସରକାରଙ୍କୁ ରାଜ୍ୟ ସମର୍ପଣ ପାତ୍ର ଦେଇଥିଲେ ।
ଏହି ଅନୁସାରେ ୧୯୪୮ ମସିହାରେ ଉଭୟ ସଢେଇକେଲା ଓ ଖରସୁଆଁର ଓଡ଼ିଶା ରାଜ୍ୟ ସହ ସମ୍ମିଶ୍ରଣ ହେଇଥିଲା ।[୪] [୫] ତେବେ ଏହି ଦୁଇ ରାଜ୍ୟରେ ଥିବା ସଂଖ୍ୟା ଗରିଷ୍ଠ ରହିଥିବା ଆଦିବାସୀ ସଂପ୍ରଦାୟ ଏହି ମିଶ୍ରଣ ବିରୁଦ୍ଧ ରେ ବିଦ୍ରୋହ କରିଥିଲେ । ସେମାନଙ୍କୁ ପଟାୟତ ସାହେବ ମହାରାଜ କୁମାର ଭୂପେନ୍ଦ୍ର ନାରାୟଣ ସିଂହଦେଓ ସମର୍ଥନ ଯୋଗେଇ ଗିରଫ ହେଇଥିଲେ । କେନ୍ଦ୍ର ସରକାର ଶ୍ରୀ ବଉଦକରଙ୍କୁ କମିଶନର ଭାବରେ ନିଯୁକ୍ତ ଦେଇ ଏହି ବିଷୟରେ ତର୍ଜମା କରିଥିଲେ । ତାଙ୍କର ରିପୋର୍ଟ ଅନୁସାରେ ସଢେଇକେଲା ଓ ଖରସୁଆଁକୁ ୧୮ ମେ , ୧୯୪୮ ମସିହାରେ ବିହାର ରାଜ୍ୟ ସଙ୍ଗେ ମିଶ୍ରଣ କରାଗଲା । ପରେ ଏହି ଦୁଇ ରାଜକୀୟ ରାଜ୍ୟ ନଭେମ୍ବର , ୨୦୦୦ ମସିହାର ବିହାର[୬] ବିଭାଜନ ସମୟରେ ଖରଖଣ୍ଡ ରାଜ୍ୟ ଅଧୀନରେ ରହିଲା ।ତେବେ ୧୮ ମେ , ୧୯୪୮ର ବିଭାଜନ ପରେ ଏହି ଅଞ୍ଚଳ ଅଣ-ଆଦିବାସୀ ଓଡ଼ିଆମାନେ ଓଡ଼ିଶା ରାଜ୍ୟକୁ ସ୍ଥାନାନ୍ତର ହେଇ ସ୍ଥାୟୀ ଭାବରେ ରହିଲେ ।
ରଠୋରେ ବଂଶ ରାଜପୁତମାନେ ଖରସୁଆଁକୁ ଶାସନ କରୁଥିଲେ । ୧୯୧୭ ମସିହା ଯାଏ ସେମାନଙ୍କ ଉପାଧି " ଠାକୁର " ରହୁଥିବା ବେଳେ ୧୯୧୨ ମସିହାରୁ ସେମାନଙ୍କୁ " ରାଜା " କୁହାଗଲା । ରାମ ଚନ୍ଦ୍ର ସିଂହ ଦେଓ[୭] ପ୍ରଥମ ରାଜା ଉପାଧି ପ୍ରାପ୍ତ ଶାସକ ଥିଲେ ।