ଖାରବେଳଙ୍କ ସାମ୍ରାଜ୍ୟ ଐର ମହାମେଘବାହନ | |
---|---|
୧୯୩ ଖ୍ରୀ.ପୂ.(ସମ୍ବତ ପୂର୍ବ ୧୩୬)–୧୭୦ ଖ୍ରୀ.ପୂ.(ସମ୍ବତ ପୂର୍ବ ୧୧୩) | |
ରାଜଧାନୀ | ସିଂହପୁର |
ଧର୍ମ | ଜୈନ ଧର୍ମ |
Government | ରାଜତନ୍ତ୍ର |
ସମ୍ରାଟ | |
History | |
• Established | ୧୯୩ ଖ୍ରୀ.ପୂ.(ସମ୍ବତ ପୂର୍ବ ୧୩୬) |
• Disestablished | ୧୭୦ ଖ୍ରୀ.ପୂ.(ସମ୍ବତ ପୂର୍ବ ୧୧୩) |
Today part of | ଭାରତ ବଙ୍ଗଳାଦେଶ ପାକିସ୍ତାନ |
ମହାମେଘବାହନ ଐର ଖାରବେଳ (IAST: Khārabeḷa) (୧୯୩ ଖ୍ରୀ.ପୂ. – ୧୭୦ ଖ୍ରୀ.ପୂ. ପରେ) କଳିଙ୍ଗର ଚେଦି ରାଜବଂଶର ଜଣେ ପରାକ୍ରମୀ ରାଜା ଥିଲେ । ଖାରବେଳଙ୍କ ସମ୍ପର୍କିତ ସବିଶେଷ ତଥ୍ୟ ଅଧୁନା ଭୁବନେଶ୍ୱରସ୍ଥିତ ଉଦୟଗିରିରେ ଥିବା ହାତୀଗୁମ୍ଫା ଶିଳାଲେଖରୁ ମିଳିଥାଏ ।
ଚେଦି ରାଜବଂଶ ଖାରବେଳଙ୍କ ଶାସନ କାଳରେ କ୍ଷମତାର ଶୀର୍ଷରେ ପହଞ୍ଚିଥିଲା । କଳିଙ୍ଗର ପୁରୁଣା ଗୌରବ ତାଙ୍କ ଯୋଗୁ ଫେରିଆସିଥିଲା । ତାଙ୍କ ଶାସନକାଳ ମଧ୍ୟରେ କଳିଙ୍ଗର ନୌବାଣିଜ୍ୟ ସେତେ ବେଳର ସିଂହଳ (ଶ୍ରୀଲଙ୍କା), ବର୍ମା (ମିଆଁମାର), ସିଆମ (ଥାଇଲାଣ୍ଡ), ଭିଏତନାମ, କାମ୍ବୋଜ (କାମ୍ବୋଡ଼ିଆ), ବୋର୍ଣିଓ, ବାଲି, ସମୁଦ୍ର (ସୁମାତ୍ରା) ଏବଂ ଜାଭାଦ୍ୱୀପ (ଜାଭା) ପର୍ଯ୍ୟନ୍ତ ବ୍ୟାପିଥିଲା । ଏହା ବ୍ୟତୀତ ମଗଧ, ଅଙ୍ଗ, ସାତବାହନ ତଥା ବିଭିନ୍ନ ଦକ୍ଷିଣ ଭାରତୀୟ ପ୍ରଦେଶ ଯେପରି ପାଣ୍ଡ୍ୟ ସାମ୍ରାଜ୍ୟ (ଅଧୁନା ତାମିଲନାଡୁ) ଜୟ କରି କଳିଙ୍ଗର ପରିସୀମା ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ବ୍ୟାପ୍ତ କରିଥିଲେ । ସେ ଜୈନଧର୍ମ ଗ୍ରହଣ କରିଥିଲେ ।[୧][୨]
ଖାରବେଳ ଚେଦି ରାଜବଂଶର ବଂଶଧର ଥିଲେ । ସେ ଏହି ରାଜବଂଶର ତୃତୀୟ ରାଜା ଥିଲେ ।
ସେ କେବଳ ୧୩ ବର୍ଷ ରାଜତ୍ୱ କରିଥିଲେ । ତାଙ୍କ ସାମ୍ରାଜ୍ଯ ମୌର୍ଯ୍ୟ ରାଜବଂଶ ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସାମ୍ରାଜ୍ଯଠାରୁ ମଧ୍ଯ ବଡ଼ ଥିଲା । ଐତିହାସିକମାନଙ୍କ ମତରେ ତାଙ୍କର ପ୍ରାୟ ୬ ଲକ୍ଷ ବା ତତୋଧିକ ସୈନ୍ଯ ଥିଲେ ।[ଆଧାର ଲୋଡ଼ା]
ଖାରବେଳଙ୍କର ଅନେକ ରାଣୀ ଥିଲେ । ତାଙ୍କର ପାଟରାଣୀଙ୍କ ନାମ ଥିଲା ଧୂସି ଓ ସେ ହସ୍ତୀ ସାହ ବା ହସ୍ତୀ ସିଂହ ନାମକ ଲାଲରାଜ୍ୟର ଅଧିପତିଙ୍କ କନ୍ଯା ଥିଲେ । ଲାଲରାଜ୍ୟ ରାଢ଼ (ପଶ୍ଚିମବଙ୍ଗ) ବା ଲାଟ (ଗୁଜରାଟ) ବୋଲି ଅନୁମାନ କରାଯାଏ ।[ଆଧାର ଲୋଡ଼ା] ଉଦୟଗିରିରେ ମଞ୍ଚପୁରୀ, ଯମପୁରୀ ଓ ଛୋଟ ହାତୀ ଗୁମ୍ଫାରେ ଥିବା ବ୍ରାହ୍ମୀ ଲେଖମାନଙ୍କରୁ ତାଙ୍କ ଦୁଇଟି ପୁତ୍ର କନ୍ଦର୍ପଶ୍ରୀ ଓ ବରେଷଶ୍ରୀଙ୍କ ନାମ ମିଳେ । କନ୍ଦର୍ପଶ୍ରୀ ପାଟରାଣୀ ଧୂସିଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ଏବଂ ସମ୍ରାଟ ଖାରବେଳଙ୍କ ପରେ କଳିଙ୍ଗ ସାମ୍ରାଜ୍ୟର ଉତ୍ତରାଧିକାରୀ ହୋଇଥିଲେ ।
ବରେଷଶ୍ରୀ (ବା କୁୁୁମାର ବଡୁଖ) ଯମପୁରୀ ଗୁମ୍ଫା ଖୋଦିତ କରାଇଥିଲେ । ନୌବାଣିଜ୍ୟରେ ସମୃଦ୍ଧ ଥିବାରୁ କଳିଙ୍ଗର ବିଶାଳ ସୈନ୍ଯବାହିନୀ (୬ ଲକ୍ଷରୁ ଉର୍ଦ୍ଧ୍ବ) ଥିଲା । ପାଣ୍ଡ୍ୟରାଜା, ବାସୁକୀ (ନାଗବଂଶୀୟ ରାଜା), ବିଦ୍ୟାଧର ଇତ୍ୟାଦି ସମ୍ରାଟ ଖାରବେଳଙ୍କ ସାମନ୍ତ ରାଜା ଥିଲେ ।
ଖାରବେଳଙ୍କ ସମ୍ପର୍କିତ ମୁଖ୍ୟ ତଥ୍ୟଗୁଡ଼ିକ ଆଧୁନିକ ଭୁବନେଶ୍ୱର ନିକଟରେ ଥିବା ଉଦୟଗିରିର ହାତୀଗୁମ୍ଫା ଶିଳାଲେଖରୁ ମିଳିଥାଏ । ସେହି ଶିଳାଲେଖ ଅନୁଯାୟୀ ଖାରବେଳ ଚେଦି ବଂଶର ରାଜା ଥିଲେ ଏବଂ ମହର୍ଷି ବାସୁଙ୍କର ବଂଶଜ ଥିଲେ। ଏହି ଲୋକକଥା ଜନିତ ତଥ୍ୟ ଓ ଲିଖିତ ପ୍ରମାଣର ଅଭାବ ଫଳରୁ ଅନେକ ଐତିହାସିକ ଖାରବେଳଙ୍କୁ ଓଡ଼ିଆ ବଂଶର ବୋଲି ଦାବି କରିଆସିଛନ୍ତି ।
ଉତ୍ତରପୂର୍ବ ଭାରତରେ ଖାରବେଳ ନାମରେ ଏକ ଜାଠ ବଂଶ ନିଜକୁ ସମ୍ରାଟ ଖାରବେଳଙ୍କ ବଂଶଧର ବୋଲି ଦାବି କରିଥାନ୍ତି। ସେହିପରି, ଐର ନାମଟି ଏକ ନାଗବଂଶୀ ରାଜା ଐରାବତରୁ ଆସିଥିବା ଜଣାଯାଏ।[୩] କିନ୍ତୁ ଏବେ ମଧ୍ୟ ଖାରବେଳଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ଏକ ବହୁବିଧ ଗବେଷଣାର ଆବଶ୍ୟକତା ରହିଛି ।
|
|
|
ଏହି ଶିଳାଲେଖଟି ଉଦୟଗିରି ପାହାଡ଼ରେ ଥିବା ହାତୀଗୁମ୍ଫା ନାମକ ଏକ ପ୍ରାକୃତିକ ଗୁମ୍ଫାରେ ବ୍ରାହ୍ମୀ ଲିପିରେ ପଥରେ ଖୋଦେଇ କରି ସତର ଧାଡ଼ିରେ ଲେଖା ହୋଇଛି । ଏହା ଭୁବନେଶ୍ୱର ନିକଟବର୍ତ୍ତୀ ଉଦୟଗିରିର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ । ଏହା ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀର ବୋଲି ଜଣାଯାଏ ଓ ଏହା ଧଉଳିସ୍ଥିତ ଅଶୋକ ଶିଳାଲେଖ ଆଡ଼କୁ ମୁହଁକରି ରହିଛି, ଯାହାକି ପାଖାପାଖି ଛଅ ମାଇଲ ଦୂରରେ ଅବସ୍ଥିତ । ଖଣ୍ଡଗିରିି-ଉଦୟଗିରିର ପ୍ରାଚୀନ ନାମ ଯଥାକ୍ରମେ କୁମାର ଓ କୁମାରୀ ପର୍ବତ ।
କଥିତ ଶିଳାଲେଖଟି ପ୍ରଥମେ ୧୮୨୦ ମସିହାରେ ଏ. ଷ୍ଟର୍ଲିଙ୍ଗଦ୍ୱାରା ଆବିଷ୍କୃତ ହୋଇଥିଲା ଯାହାକି ସେ "ଏସିଆଟିକ ରିସର୍ଚ୍ଚ"ର ୧୫ତମ ସଂଖ୍ୟା ତଥା ତାଙ୍କରି ବହି "ଆନ ଏକାଉଣ୍ଟ, ଜିଓଗ୍ରାଫିକାଲ, ଷ୍ଟାଟିଷ୍ଟିକାଲ ଏଣ୍ଡ ହିଷ୍ଟୋରିକାଲ ଅଫ ଓରିସା ଅର କଟକ"ରେ ପ୍ରକାଶ କରିଥିଲେ। ଏହାପରେ, ଭାଷାବିତ ଜେମ୍ସ ପ୍ରିନସେପ ଏହାକୁ ପଢ଼ିବା ତଥା ବିଶ୍ଳେଷଣ କରିବାରେ ସକ୍ଷମ ହୋଇଥିଲେ। ପୁଣି ପ୍ରିନସେପଙ୍କ ପଢ଼ା ତଥା କିଟୋଏଙ୍କ ପ୍ରସ୍ତୁତ ଏକ ଫାକ୍ସକୁ ମିଶାଇ ଏହା ୧୮୩୭ରେ "ଜର୍ଣାଲ ଅଫ ଦି ଏସିଆଟିକ ସୋସାଇଟି ବେଙ୍ଗଲ"ର ଷଷ୍ଠ ସଂଖ୍ୟାରେ ପ୍ରକାଶିତ ହୋଇଥିଲା ।
ପ୍ରିନସେପଙ୍କ ଅନୁସାରେ, ଶିଳାଲେଖରେ ଐର ନାମକ ବ୍ୟକ୍ତିଙ୍କ ଉଲ୍ଲେଖ ରହିଛି । ୧୮୭୧ ଖ୍ରୀଷ୍ଟାବ୍ଦର ଶେଷ ଆଡ଼କୁ ଏଚ. ଲୋକେଙ୍କଦ୍ୱାରା ପ୍ରସ୍ତୁତ ଏକ ଅବିକଳ ପ୍ଲାଷ୍ଟର ପ୍ରତିରୂପ ବର୍ତ୍ତମାନ ଭାରତୀୟ ସଂଗ୍ରହାଳୟ(ଇଣ୍ଡିଆନ ମ୍ୟୁଜିୟମ), କଲିକତାରେ ଶୋଭା ପାଉଛି। ଏହାପରେ, ୧୮୭୭ରେ ଆଲେକଜାଣ୍ଦର କନିଙ୍ଗହାମ ଏହାକୁ "କର୍ପସ ଇନସ୍କ୍ତିପସନମ ଇଣ୍ଡିକାରମ-ପ୍ରଥମ ଭାଗ" ଏବଂ ୧୮୮୦ରେ ଆର. ଏଲ. ମିତ୍ରା ଏକ ସ୍ୱଳ୍ପ ପରିବର୍ତ୍ତିତ ଲେଖା "ଆଣ୍ଟିକୁଇଟିଜ ଅଫ ଓଡ଼ିଶା-ଦ୍ୱିତୀୟ ଭାଗ"ରେ ପ୍ରକାଶ କରିଥିଲେ ।
ଶିଳାଲେଖର ପ୍ରଥମ ପ୍ରାମାଣିକ ପଠନର ଶ୍ରେୟ ଐତିହାସିକ ଭଗବାନ ଲାଲ ଇନ୍ଦ୍ରଜୀଙ୍କୁ ଦିଆଯାଏ। ଇନ୍ଦ୍ରଜୀ ୧୮୮୫ରେ ଅନୁଷ୍ଠିତ ଷଷ୍ଠ ଆନ୍ତର୍ଜାତୀୟ ଓରିଏଣ୍ଟାଲିଷ୍ଟ ମହାସଭାରେ ଏକ ଅଭିନବ ଉପାୟ ଉପସ୍ଥାପିତ କରିଥିଲେ, ଯାହା ବହୁ ଲୋକଙ୍କଦ୍ୱାରା ଗୃହୀତ ହୋଇଥିଲା। ପଣ୍ଡିତ ଇନ୍ଦ୍ରଜୀ ପ୍ରଥମ ଗବେଷକ ଭାବେ ଘୋଷଣା କରିଥିଲେ ଯେ ହାତୀଗୁମ୍ଫା ଶିଳାଲେଖରେ ଥିବା ଅଭିଲେଖ ଖାରବେଳ, ଏବଂ ଐର ଏକ ନୁହେଁ । କିନ୍ତୁ ସମୟ କ୍ରମେ ଶିଳାଲେଖରେ ବହୁ ଅବକ୍ଷୟ ଘଟିଥିବାରୁ, ଏହାର ସଠିକ ପଠନ ହୋଇପାରିନାହିଁ ଏବଂ ବହୁ ତଥ୍ୟଗତ ବିବାଦ ଜନ୍ମ ନେଇଛି।
ଏଥିରେ ୧୭ଟି ଧାଡ଼ି ରହିଛି । ପାଖାପାଖି ୧୯୦୦ ବର୍ଷ ପରେ ଏହା ଆବିଷ୍କାର ହୋଇଥିବାରୁ ଏହି ଶିଳାଲେଖର କିଛି ଅକ୍ଷର ନଷ୍ଟ ବା ଅସ୍ପଷ୍ଟ ହୋଇ ଯାଇଛି । ତେଣୁ ଭିନ୍ନ ଭିନ୍ନ ଐତିହାସିକକାରୀଙ୍କ ପୁନରୁଦ୍ଧାର ଓ ବାଖ୍ୟାରେ ଅନେକ ପ୍ରଭେଦ ଦେଖିବାକୁ ମିଳେ ।
ଐତିହାସିକ କାଶୀପ୍ରସାଦ ଜୟସ୍ୱାଲ ଓ ରାଖାଲ ଦାସ ବାନାର୍ଜୀଙ୍କ ଅନୁସାରେ ୧୭ ଧାଡି ବିଶିଷ୍ଟ ହାତୀଗୁମ୍ଫା ଶିଳାଲେଖର ପାଲି/ସଂସ୍କୃତାନୁବାଦ ଅଭିଲେଖ ଏହିପରି —
ଧାଡ଼ି ସଂଖ୍ୟା | ଲେଖ | ଓଡ଼ିଆ ଅନୁବାଦ[ଟୀକା ୧] |
---|---|---|
୧ମ | ନମୋ ଅରାହଂତାନଂ । ନମୋ ସବସିଧାନଂ । ଐରେଣ ମହାରାଜେନ ମହାମେଘବାହନେନ ଚେତିରାଜ ବସ ବଧନେନ ପଥସସୁଭ ଲଖନେନ ଚତୁରଂତ - ଲୁଠିତ - ଗୁଣୋପହିତେନ କଲିଂଗାଧିପତିନା ସିରିଖାରବେଲେନ । | ଅର୍ହତମାନଙ୍କୁ ନମସ୍କାର । ସକଳ ସିଦ୍ଧମାନଙ୍କୁ ନମସ୍କାର । ଆର୍ଯ୍ୟ ମହାରାଜ , ମହାମେଘବାହାନ 'ଚେତ' ରାଜବଂଶ ବର୍ଦ୍ଧନ । ପ୍ରଶସ୍ତ ଶୁଭଲକ୍ଷଣ । ଅସମୁଦ୍ର କ୍ଷିତିର ଶାସକ ହେବା ପାଇଁ ସକଳ ଗୁଣରେ ଭୂୂୂଷିିିତ ଶ୍ରୀଧରଙ୍କ ପରି ରୂପସମ୍ପନ୍ନ , କଳିଙ୍ଗର ରାଜା ଶ୍ରୀ ଖାରବେଳ ପଞ୍ଚଦଶ ବର୍ଷ ପର୍ଯ୍ୟନ୍ତ କୁମାର ରୂପେ କ୍ରୀଡ଼ା କୌତୁକରେ କଟାଇଥିଲେ । ତାହା ପରେ ଲେଖ (ଲିଖନ) , ରୂପ (ମୁଦ୍ରାତତ୍ତ୍ୱ),ଗଣନା (ଆୟବ୍ୟୟ ସମୀକ୍ଷଣ),ବ୍ୟବହାର (ନ୍ୟାୟ ବିଚାର), ବିଧି (ରାଜ୍ଯ ଶାସନ ନିୟମମାନ ) ପ୍ରଭୃତି ସର୍ବବିଦ୍ୟାରେ ନିପୁଣ ହୋଇ ନଅବର୍ଷ କାଳ ଯୁବରାଜ ରୂପେ ଶାସନ କରିଥିଲେ । ଚତୁର୍ବିଂଶତି ବର୍ଷ ଉପଗତ ହୁଅନ୍ତେ ,ସେ କଳିଙ୍ଗ ରାଜବଂଶର 'ତୃତୀୟ ପୁରୁଷ ଯୁଗ'(ପଞ୍ଚମ ପୁରୁଷ) ମହାରାଜ ରୂପେ ଅଭିଷିକ୍ତ ହୋଇଥିଲେ ଓ ଜୀବନର ଅବଶିଷ୍ଟାଂଶ ଦିଗବିଜୟ ଓ ଶାସନ କର୍ଯ୍ୟରେ କଟାଇଥିଲେ । |
୨ୟ | ପଂଦରସବସାନି ସୀରି-କଡାର-ସରୀରବତା କୀଡିତା କୁମାର କୀଡିକା । ତତୋ ଲେଖ-ରୂପ-ଗଣନା-ବବହାର-ବିଧି-ବିସାରଦେନଜସବ-ବିବଦାତେନ ନବ-ବସାନିି ଯୋବରଜଂ ପସାସିତଂ । ସଂପୁଶ-ଚତୁବୀସତି-ବସୋ ତଦାନି ବଧମାନ ସେସୟୋ ବେନା-ଭିିିିବିଜୟୋ ତତିୟେ । | ଅଭିଷିକ୍ତ ହେବା ମାତ୍ରେ ସେ ରାଜତ୍ବର ପ୍ରଥମ ବର୍ଷରେ (କଳିଙ୍ଗର ରାଜଧାନୀ) କଳିଙ୍ଗ ନଗରର ପ୍ରବଳ ବାୟୁ-ପ୍ରବାହଦ୍ୱାରା ନଷ୍ଟ ହୋଇଥିବା ଗୋପୁର ପ୍ରାକାର ଓ ନିବେଶନ(ପ୍ରାସାଦ)ମାନଙ୍କର ସଂସ୍କାର କରିଥିଲେ । ଗଭୀର ଓ ଶୀତଳ ପୋଖରୀ ଓ ପ୍ରଣାଳୀମାନଙ୍କୁ ବନ୍ଧାଇଥିଲେ । ଉଦ୍ୟାନ ସକଳର ପୁନଃ ନିର୍ମାଣ କରିଥିଲେ । ଏଥିରେ ପଞ୍ଚତ୍ରିଂଶ ଲକ୍ଷ ମୁଦ୍ରା ବ୍ୟୟିତ ହୋଇଥିଲା । ସେ ପ୍ରଜାମାନଙ୍କୁ ରଞ୍ଜନ କରିଥିଲେ ବା ନାନା ପ୍ରକାର ସୁଖ ଦେଇଥିଲେ । |
୩ୟ | କଲିଂଙ୍ଗ-ରାଜ-ବଂସେ ପୁରିସ-ଯୁଗେ ମହାରାଜା-ଭିସେଚନଂ ପାପୁନାତି । ଅଭିସିତ-ମପେ ଚ ପଧମେ ବସେ, ବାତ-ବିହତ-ଗୋପୁର-ପାକାର-ନିବେସନଂ ପଟିସଂଖାରୟତି,କଲିଂଗ-ନଗରି-ଖିବୀର-ଇସି-ତାଲ-ତଡାଗ-ପାଡିୟୋ ଚ ବଂଧାପୟତି; ସବୂୟାନ-ପ(ଟି)ସଂଥପନଂଚ | ରାଜତ୍ବର ଦ୍ୱିତୀୟ ବର୍ଷରେ ହୟ-ଗଜ-ନର ରଥଯୁକ୍ତ ଚତୁରଙ୍ଗ ବଳ(ଦଣ୍ଡ) ପଶ୍ଚିମ ଦିଗକୁ ଚଳାଇ ଅତର୍କିତ ଭାବରେ ସାତକର୍ଣିଙ୍କୁ(ଆନ୍ଧ୍ରରାଜା) ଆକ୍ରମଣ କରିଥିଲେ । କଳିଙ୍ଗରୁୁ ପରେ ଆସିଥିବା ସେନାଦ୍ୱାରା ଅସିକ ବା ଅସ୍ମକ ନଗର ଆକ୍ରମଣ କରିଥିଲେ । |
୪ର୍ଥ | କାରୟତି ପନତିସାହି ସତ-ସହସେହି ପକତିୟୋ ଚ ରଂଜୟତି । ଦୁତିୟେ ଚ ବସେ ଅଚିତୟିତା ସାତଙ୍କନିଂ ପଛିମ-ଦିସଂ ହୟ-ଗଜ-ନର-ରଧ-ବହୁଲଂ ଦଂଡଂ ପଠାପୟତି ; କହ୍ନବେଂଣା-ଗତାୟ ଚ ସେନାୟ ବିତାସିତଂ ମୁସିକ-ନଗରଂ । ତତିୟେ ପୁନ ବସେ । | ରାଜତ୍ବର ତୃତୀୟ ବର୍ଷରେ ଗନ୍ଧର୍ବ ବେଦରେ ବିଶାରଦ(ଶ୍ରୀ ଖାରବେଳ) ଦର୍ପ(ପଶୁଯୁଦ୍ଧ) , ନୃତ୍ୟ , ଗୀତଗୋବିନ୍ଦର , ବାଦିତ୍ର(ବାଇଦ) ଇତ୍ୟାଦି ଦେଖାଇ ଉତ୍ସବ ଓ ସମାଜ ପ୍ରଭୃତି କରାଇ କଳିଙ୍ଗ ନଗରର ଲୋକମାନଙ୍କ ଆନନ୍ଦ ବିଧାନ କରିଥିଲେ । |
୫ମ | ଗଂଧବ-ବେଦ-ବୁଧୋ ଦପ-ନତ-ଗୀତ-ବାଦିତ-ସଂଦଂସ-ନାହି ଉତ୍ସବ-ସମାଜ-କାରାପନାହି ଚ କୀଡାପୟତି ନଗରିଂ । ତଥା ଚବୁଥେ ବସେ ବିଜାଧରାଧିବାସଂ ଅହତ-ପୁବଂ କଲିଂଗ-ଯୁବରାଜ ନିବେସିତଂ ବିତଧ-ମକୁଟ-ସବିଲମଧିତେ ଚ ନଖିତଛତ-ଭୃଙ୍ଗାରାନ୍ | ଭିଂଗାରେ ହିତ-ରତନ-ସାପତେୟେ ସବ-ରଠିକ-ଭୋଜକେ ପାଦେ ବଂଦାପୟତି । ପଂଚମୀ ଚ ଦାନୀ ବସେ ନଂଦ-ରାଜ-ତିବସ-ସତ-ଓଘାଟିତଂ ତନସୁଲିୟବାଟା ପଣାଡିଂ ନଗରଂ ପବେସ-(ୟ)ତି । ସୋ...ଭିସିତୋ ଚ ରାଜସୁୟଂ ସଂଦସୟଂତୋ ସବ-କର-ବଣଂ |
୬ଷ୍ଠ | ଅନୁଗ୍ରହ-ଅନେକାନି ସତସହସାନି ବିସଜତି ପୋରଂ ଜାନପଦଂ । ସତମଂ ଚ ବସଂ ପସାସତୋ ବଜିରଘର-ବତି-ଘୁସିତ-ଘରିନି ସ ମତୁକ-ପଦ-ପୁନର୍ବାର....(କୁ)ମ.... । ଅଠମେ ଚ ବସେ ମହତା ସେନା ଗୋରଧଗିରିଂ | ରାଜତ୍ବର ପଞ୍ଚମ ବର୍ଷରେ 'ନନ୍ଦରାଜା'ଙ୍କଦ୍ୱାରା ୩୦୦ ବର୍ଷ ବା ୧୦୩ ବର୍ଷ ପୂର୍ବେ ଖୋଦିତ ହୋଇଥିବା ପ୍ରଣାଳୀକୁ ତଉଶୂଳୀ ବାଟରେ ନଗର ଭିତରକୁ ଅଣାଇଥିଲେ । ଏଥିରେ ଏକ ଲକ୍ଷ ମୁଦ୍ରା ବ୍ୟୟିତ ହୋଇଥିଲା । |
୭ମ | ଅନୁଗ୍ରହ-ଅନେକାନି ସତସହସାନି ବିସଜତି ପୋରଂ ଜାନପଦଂ । ସତମଂ ଚ ବସଂ ପସାସତୋ ବଜିରଘର-ବତି-ଘୁସିତ-ଘରିନି ସ ମତୁକ-ପଦ-ପୁନର୍ବାର....(କୁ)ମ.... । ଅଠମେ ଚ ବସେ ମହତା ସେନା ଗୋରଧଗିରିଂ | ରାଜତ୍ବର ଷଷ୍ଠ ବର୍ଷରେ ନିଜର ବିପୁଳ ଐଶ୍ୱର୍ଯ୍ୟ ଦେଖାଇବା ପାଇଁ କର (ଖଜଣା), ପଣ (ମହାସୁଲ) ପ୍ରଭୃତି ରାଜସ୍ବ ଛାଡି ଦେଇଥିଲେ ଏବଂ ନଗର ଓ ଗ୍ରାମର ଲୋକମାନଙ୍କୁ ନାନା ପ୍ରକାର ଅନୁଗ୍ରହ ଦେଖାଇଥିଲେ । |
୮ମ | ଘାତାପୟିତା ରାଜଗହଂ ଉପପୀଡାପୟତି । ଏତି(ନା) ଚ କଂମପଦାନ-ସଂନାଦେନ ସଂବିତ-ସେନ-ବାହନେ ବିପମୁଂଚିତୁଂ ମଧୁରଂ ଅପୟାତୋ ଯବନ-ରାଜା .... ଦିମିତ.... ଯଛତି.... ପଲବ... | ସପ୍ତମ ବର୍ଷରେ ସହସ୍ର ସହସ୍ର ମୁଦ୍ରା ବ୍ୟୟ କରି ଅସି,ଛତ୍ର,ଧ୍ବଜ,ରଥ,ରକ୍ଷୀ,ତୁରଙ୍ଗ,ଘଟ ପ୍ରଭୃତି ପ୍ରଦର୍ଶନଦ୍ୱାରା ସମାଜ ଓ ମଙ୍ଗଳ ବା ବିଜୟ ଉତ୍ସବ ଇତ୍ୟାଦି କରିଥିଲେ । |
୯ମ | କପରୁଖେ ହୟ-ଗଜ-ରଧ-ସହ-ଯଂତେ ସବ-ଘରା ବାସ-ପରିବସେନ ଅଗିସଥିୟା ସବ-ଗହନଂ ଚ କାରୟତୁଂ ବଂହଣାନଂ ଜାତିଂ-ପରିହରଂ ଦଦାତି । ଅରହତୋ (ବ ?) (ଗି) ୟ (ତୋ) | ଅଷ୍ଟମ ବର୍ଷରେ ବିପୁଳ ବାହିନୀ ସଙ୍ଗରେ ନେଇ ମଥୁରା ଯାଇଥିଲେ । ସେଠାରୁ ଯୁଦ୍ଧଯାତ୍ରା କରି ଗୋରଖଗିରିର ରାଜାଙ୍କୁ ପରାସ୍ତ କରି ମଗଧର ରାଜଧାନୀ ରାଜଗୃହକୁ ଅବରୋଧ କରିଥିଲେ । ଶତ୍ରୁ ସୈନ୍ଯମାନଙ୍କର ପ୍ରତିରୋଧ ଜନିତ କ୍ଲାନ୍ତିିି ଓ ଅବସାଦ ଦୂର କରିବା ପାଇଁଁ ସେ ନିଜ ସୈନ୍ଯମାନଙ୍କୁ ପୁଣି ମଥୁରା ନେଇଯାଇଥିଲେ । ସେଠାରେ ଉପଗତ ହୋଇ ସେ (ଶ୍ରୀ ଖାରବେଳ) ସମସ୍ତ ଗୃହବାସୀ,ଗୃହପତି,ବ୍ରାହ୍ମଣ , ଶ୍ରମଣମାନଙ୍କୁ ପାନ ଭୋଜନଦ୍ୱାରା ସନ୍ତୁଷ୍ଟ କରିଥିଲେ । ହୟ,ଗଜ,ନର,ରଥ ବେଷ୍ଟିତ ପଲ୍ଲବଭାର କଳ୍ପବୃକ୍ଷ ସହିତ ସେ କଳିଙ୍ଗକୁ ଫେରି ଆସିଥିଲେ । (ପଲ୍ଲବଭାର କଳ୍ପବୃକ୍ଷଦ୍ୱାରା ତାଙ୍କର ବିଜଅନେକ ସୂଚିତ ହୁଏ ।) ଏଠାରେ ପହଞ୍ଚି ସେ ଶତ ସହସ୍ର ମୁଦ୍ରା ବ୍ୟୟ କରି ଗୃହବାସୀ ରାଜଭୃତ୍ୟ, ଗୃହପତି,ବ୍ରାହ୍ମଣ,ଅର୍ହତ ଓ ଶ୍ରମଣମାନଙ୍କୁ ପାନ ଭୋଜନରେ ସନ୍ତୁଷ୍ଟ କରିଥିଲେ । |
୧୦ମ | ....କ.ଇ ମାନ (ତି) ରାଜ-ସଂନିବାସଂ ମହାବିଜୟ ପାସାଦଂ କାରୟତି ଅଠତିସାୟ ସତ-ସହସେହି । ଦସମେ ଚ ବସେ ଦଂଡ-ସଂଧୀ-ସା(ମ)-ମୟୋ ଭରଧବସ-ପଠାନଂ ମହୀଜୟନଂ... କାରାପୟତି.... ପାୟାତାନଂ ଚ ମଣିରତନାନି ଉପଲଭତେ । | ନବମ ବର୍ଷରେ ଅଷ୍ଟତ୍ରିଂଶ ଲକ୍ଷ ମୁଦ୍ରା ବ୍ୟୟ କରି ସେ ବୈଦୁର୍ଯ୍ୟଖଚିତ 'ମହାବିଜୟ ପ୍ରାସାଦ' ନାମକ କଳିଙ୍ଗ ରାଜନିବାସ ନିର୍ମାଣ କରିଥିଲେ । |
୧୧ଶ | (ମଂଡଂ) ଚ ଅବ-ରାଜ-ନିବେସିତଂ ପୀଥୁଡଂ ଗଦଭ-ମଂଗଲେନ କାସୟତି ଜନସ ଦଭାବନ ଚ ତେରସ ବସ-ସତିକଂ ଆଭିଂଦତି ତ୍ରମିର-ଦେଶ-ସଂଘାତଂ । ବାରସମେ ଚ ବସେ.... ହସ କେ (ସହ) ସେହି ବିତାସୟତି ଉତ୍ତରାପଧ-ରାଜାନୋ.... | ଦଶମ ବର୍ଷରେ କଳିଙ୍ଗ ରାଜବଂଶର 'ତୃତୀୟ ଯୁଗସର୍ଗ'ର ଅବସାନ ହୁଅନ୍ତେ ସେ ବହୁସଂଖ୍ୟକ ମୁଦ୍ରା ବ୍ୟୟ କରି କଳିଙ୍ଗର ପୂର୍ବ ରାଜାମାନଙ୍କର ଯଶଃ ସଂସ୍କାର କରିଥିଲେ । |
୧୨ଶ | ମଗଧାନଂ ଚ ବିପୁଲଂ ଭୟଂ ଜନେତୋ ହଥି ସୁଗଂଗୀୟଂ ପାୟ-ୟତି ; ମ(ଗ)ଧଂ ଚ ରାଜାନଂ ବହ(ସ)ତିି ମିତଂ ପାଦେ ବଂଦାପୟତି । ନଂଦ-ରାଜ-ନୀତଂ ଚ କା(ଲିିଂ)ଗ-ଜିନଂ ସଂନିବେ(ଶଂ)... (ଗହ)-ରତ(ନା)ନଂ ପଡିହାରେହିି ଅଂଗ-ମଗଧବସୁୁଂ ଚ ନେୟାତି । | ଏକାଦଶ ବର୍ଷରେ ମଣିରତ୍ନ ବିମଣ୍ଡିତ ପଟୁଆରରେ ବହିର୍ଗତ ହୋଇଥିଲେ । କଳିଙ୍ଗର ପୂର୍ବ ରାଜାମାନଙ୍କଦ୍ୱାରା ସ୍ଥାପିତ ବହୁ ଭଦକପୂର୍ଣ୍ଣ ଖାତ ଓ ଘନକୁଶାଛ୍ଛାଦିତ ନଗରକୁ ପରିଷ୍କାର କରି 'ଜୀନପଦ ଭବନ' ବାହାର କରିଥିଲେ । ଏକ ଶତ ତେର ବର୍ଷ କାଳ ପରିତ୍ଯକ୍ତ ହୋଇଥିବାରୁ ସେଠାରେ ଅନେକ ଦହି ସୃଷ୍ଟି ହୋଇଥିଲା । ସେଗୁଡ଼ିକ ମଧ୍ଯ ପରିଷ୍କାର କରାଇଥିଲେ । |
୧୩ଶ | ...(କ)ତୁଂ ତ ଜଠାର-(ଲି)ଖିଲ ବରାନି ସହରାନପୁର ନିବେସୟତି ସତ ବିସିକନଂ (ପ)ରିହାରେହି । ଅଦ୍ଭୁତମଛରିୟଂ ଚ ରଥି-ନିବାସୀ (ସ)-ପରିସରଂ... ହୟ-ହାଥୀ-ରତନା-(ମାନିକାଂ) ପଂଡ-ରାଜା (ଚଏଦାନି ଅନେକାନି) ମୁତ-ମଣି-ରତନାନି ଅହରାପୟତି ଇଧ ସ ତ । | ଦ୍ବାଦଶ ବର୍ଷରେ ଅସଂଖ୍ଯ ମୁଦ୍ରା ବ୍ୟୟ (କୌଣସି ଏକ ଅନୁଷ୍ଠାନରେ) କରିଥିଲେ । ଉତ୍ତରାପଥ ରାଜାମାନଙ୍କର ଭ୍ରମଣ ଉତ୍ପାଦନ କରିଥିଲେ । ମଗଧବାସୀଙ୍କ ମଧ୍ଯରେ ବିପୁଳ ଭୟ ଜାତ କରାଇ ହସ୍ତୀ ଓ ଅଶ୍ବମାନଙ୍କୁ ଗଙ୍ଗାଜଳ ପିଆଇଥିଲେ ଅର୍ଥାତ୍ ମଗଧ ଆକ୍ରମଣ କରି ସୈନ୍ଯମାନଙ୍କୁ ଗଙ୍ଗା କୂଳରେ ରଖାଇଥିଲେ । ମଗଧରାଜ ବୃହସ୍ପତି ମିତ୍ରଙ୍କୁ ପରାସ୍ତ କରିଥିଲେ । ବହୁବର୍ଷ ପୂର୍ବେ କଳିଙ୍ଗରୁ ନନ୍ଦରାଜାଙ୍କଦ୍ୱାରା ନୀତ 'କଳିଙ୍ଗ ଜିନାସନ'କୁ ଅଙ୍ଗ ମଗଧ ଦେଶରୁୁ ବିଜୟର ସ୍ମାରକ ସ୍ବରୂପ ଅସଂଖ୍ଯ ଅଶ୍ବ-ଗଜ-ରଥାରୋହୀ ସୈନ୍ଯବାହିନୀଙ୍କ ପଟୁଆର ମଧ୍ଯରେ କଳିଙ୍ଗକୁ ଘେନି ଆସିଥିଲେ । ଅଙ୍ଗ ଓ ମଗଧର ଲୋକମାନଙ୍କୁ ପଦଦଳିତ କରିଥିଲେ । ଶତ ବାସୁକି ତାଙ୍କ ନିକଟକୁ ମଣିମୁକ୍ତାଦି ମୂଲ୍ଯବାନ ରତ୍ନ ଏବଂ ଦୁର୍ଲଭ ବିସ୍ମୟୋତ୍ପାଦକ ହସ୍ତୀ,ଅଶ୍ବ,କୃଷ୍ଣସାର ପ୍ରଭୃତି ନାନବିଧ ଜନ୍ତୁ ଉପଢୌକନ ସ୍ବରୂପ ପଠାଇଥିଲେ । ପାଣ୍ଡ୍ୟରାଜ କଳିଙ୍ଗ ନଗରର ସୌନ୍ଦର୍ଯ୍ୟ ବୃଦ୍ଧି ନିମିତ୍ତ ନାନବିଧ ଅଭରଣ ମଣିମୁକ୍ତାଦି ରତ୍ନମାନ ଉପହାର ଦେଇଥିଲେ । ଅନେକ... ଦମନ କରିଥିଲେ । |
୧୪ଶ | ....ସିନୋ ବସୀକରୋତି । ତେରସମେ ଚ ବସେ ସୁପବତ-ବିଜୟ-ଚକ-କୁମାରୀ-ପବତେ ଅରହୟତେ ପଖିଣ-ସଂସିତେହି କାୟ ନିସୀଦିୟାୟ ଯାପନାବକେହି ରାଜଭିତିନି ଚିନ-ବତାନି ବାସାସିତାନି ; ପୂଜାନୁରତନୁବା ସଗ-ଖା ରବେଲ ସିରିନା ଜୀବ-ଦେହ-(ସିରି) କା ପରିଖିତା । | ରାଜତ୍ବର ତ୍ରୟୋଦଶ ବର୍ଷରେ ସୁପ୍ରବର୍ତ୍ତ-ବିଜୟ-ଚକ୍ର ବା ବିଜୟ ରାଜ୍ୟରେ ଅବସ୍ଥିତ କୁମାରୀ ପର୍ବତ ବା ଉଦୟଗିରିରେ ଶ୍ରୀ ଖାରବେଳ ଓ ତାଙ୍କର ମହିଷୀ,ପୁତ୍ର,ଭ୍ରାତା,ବନ୍ଧୁ ଓ ରାଜଭୃତ୍ୟମାନେ ଅର୍ହତ ବା ଜୈନ ଶ୍ରମଣଙ୍କର ନିବାସ ନିମିତ୍ତ ୧୧୭ଟି ଗୁମ୍ଫା ଖୋଳାଇଥିଲେ । |
୧୫ଶ | ...ସୁକତା-ସମଣ-ସୁବିହିତାନଂ ଚ ସତଦିସାନଂ ଞ୍ଜାନିନଂ ତପସି-ଇସିନଂ ସଂଘୟନଂ । ଅରହତ-ନିସୀଦିୟା ସମୀପେ ପାଭାରେ ବରାକାର-ସମୁଥାପିତାହି ଅନେକ-ଯୋଜନାହି-ତାହି ପ ସି ଓ... ସିଲାହି ସିଂହପଥ ରଞ୍ଜୀ ସିଂଧୁଳାୟ ନିସୟାନି | ଚତୁର୍ଦ୍ଦଶ ବର୍ଷରେ ସମ୍ରାଟ ଖାରବେଳ ଲବ୍ଧପ୍ରତିଷ୍ଠ ଶ୍ରମଣ ଓ ଶତଦିଗାଗତ ବ୍ରାହ୍ମଣ୍ୟ ଧର୍ମାବଲମ୍ବୀ ଯତି,ତାପସ ଓ ଋଷିମାନଙ୍କ ନିମିତ୍ତ ଗୋଟିଏ ବିଶାଳ ଗୁମ୍ଫା ଖୋଳାଇଥିଲେ । ଏହି ଗୁମ୍ଫାଟି ପାହାଡର କ୍ରମନିମ୍ନ ପ୍ରଦେଶରେ ଅର୍ହତମାନଙ୍କ ବାସସ୍ଥାନ ବା ସମାଧିସ୍ଥଳ (କାୟନିଷୀଦି) ନିକଟରେ ଖୋଦିତି ହୋଇଥିଲା । ଏଥିରେ ବା ଏହା ନିକଟର ଚତୁର୍ଦ୍ଦିଗରେ ଥିବା ଶ୍ରେଷ୍ଠ ଖଣିମାନଙ୍କରୁ ଖୋଦିତ ଲକ୍ଷ ଲକ୍ଷ ପଥରଦ୍ୱାରା ଶିଳାସ୍ତମ୍ଭ ଓ ଚୈତ୍ୟ ସମୂହ ନିର୍ମାଣ କରିଥିଲେ । ନାନା ଭରଣମଣ୍ଡିତ ତଳ ଓ ଛାତ ଥିବା ଏକ ବିଶାଳ ଗୃହରେ ୭୫ ଲକ୍ଷ ମୁଦ୍ରା ବ୍ୟୟ କରି ବୈଦୁର୍ଯ୍ୟାଛ୍ଛାଦିତ ସ୍ତମ୍ଭକାର ସ୍ଥାପନ କରିଥିଲେ । ଏକାନ୍ତର ଭାବରେ ବୈଦୁର୍ଯ୍ୟ ଓ ନୀଳ ଖଚିତ ଅର୍ଦ୍ଧଶତ ଚୈତ୍ୟଯଷ୍ଟି ବା ଛତ୍ରଯଷ୍ଟି ସ୍ଥାପନ କରିଥିଲେ । |
୧୬ଶ | ....ପଟାଲକୋ ଚତୁରୋ ଚ ବେଡୁରିୟ-ଗଭେ ଥଂଭେ ପତିଠାପୟତି , ପାନତରିୟ ସତ-ସହସେହି ; ମୁରିୟ-କାଲ-ବୋଛିନଂ ଚ-ଚୋୟଠି ଅଂଗ-ସତିକଂ ତୁରୀୟଂ ଉପାଦୟତି । ଖେମ-ରାଜା ସ ବଢରାଜା ସ ଭିଖୁ-ରାଜା ଧମ-ରାଜା ପସଂତୋ ସୁନତୋ ଅନୁଭବତୋ କଲାଣାନି | ସେ (ଶ୍ରୀ ଖାରବେଳ) କ୍ଷେମରାଜ (ମଙ୍ଗଳକାରକ) , ବର୍ଦ୍ଧରାଜ (ଦାନଶୀଳ),ଇନ୍ଦ୍ରରାଜ(ପରାକ୍ରମଶାଳୀ),ଧର୍ମରାଜ(ନ୍ୟାୟ ଓ ସତ୍ଯପାଳକ),ନିଜର ଦୃଷ୍ଟି, ଶ୍ରୁତି ଓ ଅନୁଭବ ସାହାଯ୍ୟରେ(ପ୍ରଜାମାନଙ୍କର) ବିବିଧ କଲ୍ୟାଣ ସର୍ବଦା କରିବାକୁ ଚେଷ୍ଟା କରିଥିଲେ । ଶ୍ରୀ ଖାରବେଳ ନାନାବିଧ ଗୁଣରେ ଭୂଷିତ ଅଟନ୍ତି । ସେ ସକଳ ଧର୍ମାବଲମ୍ବୀମାନଙ୍କର ପୂଜକ ଓ ଆଶ୍ରୟଦାତା; ସେ ଦେବମନ୍ଦିରମାନଙ୍କର ସଂସ୍କାରକାରକ ଅଟନ୍ତି । ସେ ଅପ୍ରତିହତ ଚକ୍ରବାହନ ବଳ ଚକ୍ରଧର ଶୁକଚକ୍ର, ପ୍ରବର୍ତ୍ତଚକ୍ର,ରାଜର୍ଷି ବଂଶକୁଳ ବିନିସୃତ ମହାବିଜୟୀ ଅଟନ୍ତି । |
୧୭ଶ | ...ଗୁଣ-ବିସେସ-କୁସଲୋ ସବ-ପାସଂଡ-ପୂଜକୋ ସବ-ଦେବାୟତନ ସଂଖାର-କାରକୋ ଅପତିହତ-ଚକିବାହିନି-ବଲୋ ଚକ-ଧୁର-ଗୁତ-ଚକୋ ପବତ-ଚକୋ ରାଜସି-ବସୁ-କୁଲ-ବିନିସ୍ରିତୋ ମହାବିଜୟୋ ରାଜା-ଖାରବେଲ-ସିରି । | ଏହି ରୂପେ ରାଜ୍ୟ ଶାସନ କରି ସେହି କ୍ଷେମରାଜ,ବୁଦ୍ଧିରାଜା,ଭିକ୍ଷୁରାଜ,ଧର୍ମରାଜ, ରାଜର୍ଷିବସୁଙ୍କ ଦାୟାଦ,ମହାବିଜୟୀ ଶ୍ରୀ ଖାରବେଳ,ଯେ ବିଶେଷ ଗୁଣରହିବା ଆଧାର,ସର୍ବଧର୍ମର ପୂଜକ, ସର୍ବଦେବାୟତନ ସଂସ୍କାରକ,ଅପ୍ରତିହତ ସେନାବଳର ଅଧିକାରୀ ଏବଂ ତତସହ ଯେ ଶାସନ ଚକ୍ରଧାରକ,ନୀଳମଣି ଶୃଙ୍ଖଳାରକ୍ଷକ ଓ ନୀତିନିୟମ ପ୍ରବର୍ତ୍ତକ,ସେ ସର୍ବ ବିଷୟ ଦେଖି,ଶୁଣି ଏବଂ ଅନୁଭବ କରି ବହୁ କଲ୍ୟାଣମୟ କାର୍ଯ୍ୟ ସମ୍ପାଦନ କରନ୍ତି । |
ହାତୀଗୁମ୍ଫା ଶିଳାଲେଖ ଅନୁସାରେ ଖାରବେଳ ୧୬ ବର୍ଷ ବୟସରେ ଯୁବରାଜ ଘୋଷିତ ହୋଇଥିଲେ ଏବଂ ସେହି ପଦବୀରେ ୯ ବର୍ଷ ପର୍ଯ୍ୟନ୍ତ ରହିଥିଲେ । ଏହି ସମୟରେ ସେ ରାଜ୍ୟ ଶାସନ ସମ୍ବନ୍ଧୀୟ ବିଭିନ୍ନ ତାଲିମ ପାଇଥିଲେ । ସେ ପତ୍ର ବିନିମୟ, ମୁଦ୍ରା, ଧାର୍ମିକ ରୀତି, ଅର୍ଥନୀତି ଇତ୍ୟାଦି ସମ୍ପର୍କରେ ତାଲିମ ପାଇଥିଲେ ।
ଖାରବେଳ ୨୪ ବର୍ଷ ବୟସରେ କଳିଙ୍ଗ ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ହାତୀଗୁମ୍ଫା ଶିଳାଲେଖ ତାଙ୍କ ଶାସନର ୧୩ ବର୍ଷର ବର୍ଣ୍ଣନା କରିଥାଏ |
ବାତ୍ୟାଦ୍ୱାରା ଧ୍ୱଂସ ହୋଇ ଯାଇଥିବା ତୋରଣ ଓ ଘର ସବୁର ପୁନର୍ଗଠନ କଲେ, ଅନେକ ପୋଖରୀ ଆଦି ଖୋଳାଇଲେ ଓ ବଗିଚା ସବୁ ଆଉଥରେ ତିଆରି କଲେ । ଶିଳାଲେଖ ଏହି ବିଷୟରେ ଏକ ସଂଖ୍ୟା ଉଲ୍ଲେଖ କରିଛି, ଯାହାର ବିଭିନ୍ନ ଅର୍ଥ କରାଯାଏ । କେତେକଙ୍କ ମତରେ ଏହା ରାଜ୍ୟର ଜନସଂଖ୍ୟାକୁ ସୂଚାଏ, ଆଉ କେତେକଙ୍କ ମତରେ, ଏହା ପୁନରୁଦ୍ଧାର କାର୍ଯ୍ୟରେ ଖର୍ଚ୍ଚ ହୋଇଥିବା ଅର୍ଥର ପରିମାଣକୁ ବୁଝାଏ ।
ଶିଳାଲେଖ ସାତକର୍ଣ୍ଣୀ ନାମକ ଏକ ରାଜାଙ୍କ ବିଷୟରେ ଉଲ୍ଲେଖ କରେ । ଖାରବେଳ ତାଙ୍କ ସୈନ୍ୟ ବାହିନୀକୁ ପଠେଇଥିବା କଥା ବି ଉଲ୍ଲେଖ କରେ ।
ଗାନ୍ଧର୍ବ ବିଦ୍ୟାରେ ପାରଙ୍ଗମ ଖାରବେଳ ନଗରୀ ବାସୀଙ୍କୁ ନୃତ୍ୟ, ଗୀତ, ଆଦି ଉତ୍ସବଦ୍ୱାରା ନଗରୀ ବାସୀଙ୍କୁ ଆପ୍ୟାୟିତ କଲେ ।