ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନ | |
---|---|
ଜନ୍ମ | ପୁରୀ ଜିଲ୍ଲା ବ୍ରହ୍ମଗିରୀ ବ୍ଳକ ଅନ୍ତର୍ଗତ ପାରିକୂଳ | ୧୦ ଜୁଲାଇ ୧୯୪୮
ମୃତ୍ୟୁ | ୧୦ ଅକ୍ଟୋବର ୨୦୧୦ ଭୁବନେଶ୍ୱର | (ବୟସ ୬୨)
ବୃତ୍ତି(ସମୂହ) | ଓଡ଼ିଶୀ ନୃତ୍ୟଗୁରୁ, ଓଡ଼ିଶୀ ନୃତ୍ୟଶିଳ୍ପୀ |
ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ,(୧୦ ଜୁଲାଇ ୧୯୪୮ - ୧୦ ଅକ୍ଟୋବର ୨୦୧୦) ପୁରୀ ଜିଲ୍ଲା ବ୍ରହ୍ମଗିରୀ ବ୍ଳକ ଅନ୍ତର୍ଗତ ପାରିକୂଳ ଗାଁରେ ୧୯୪୮ ମସିହା ଜୁଲାଇ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଗୁରୁ ଗଙ୍ଗାଧର ବାଲ୍ୟକାଳରୁ ଶାରିରୀକ ଅସୁସ୍ଥତା ମଧ୍ୟରେ ରହୁଥିବାରୁ ପିତା ମୁରଲୀଧର ପ୍ରଧାନ ଓ ମା ଦ୍ୱିତୀକା ଦେବୀ ତାଙ୍କୁ ନିକଟସ୍ଥ ଡିମିରୀସେଣା ଗ୍ରାମରେ ପୂଜା ପାଉଥିବା ବାଲୁଙ୍କେଶ୍ୱରଙ୍କୁ ସମର୍ପଣ କରିଦେଇଥିଲେ । ପୁଅ ଆରୋଗ୍ୟ ଲାଭ କଲେ ଗୋଟିପୁଅ ନୃତ୍ୟ କରିବ ବୋଲି ପିତା ମାତା ମାନସୀ ଥିଲେ । ଏହି ମାନସିକ ଗୁରୁ ଗଙ୍ଗାଧରଙ୍କ ପାଇଁ ଥିଲା ଆଦ୍ୟ ପ୍ରେରଣା । ସୁସ୍ଥ ହେବାପରେ ଗୁରୁ ଗଙ୍ଗାଧର, ଗୁରୁ ବାଞ୍ଚାନିଧି ପ୍ରଧାନ, ପଣ୍ଡିତ ଚନ୍ଦ୍ରଶେଖର ପଟ୍ଟନାୟକ ଓ ଗୁରୁ ବୀରବର ସାହୁଙ୍କଠାରୁ ଗୋଟିପୁଅ ନୃତ୍ୟ ଶିକ୍ଷା ଲାଭ କରିଥିଲେ । ପରେ ଭୁବନେଶ୍ୱରସ୍ଥ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଓଡ଼ିଶୀ ନୃତ୍ୟଶିକ୍ଷା ଲାଭ କରି ନୃତ୍ୟାଚାର୍ଯ୍ୟ ଉପାଧି ହାସଲ କରିବା ସହ ନିଜକୁ ଜଣେ ପ୍ରତିଭାବାନ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବରେ ପରିଚିତ କରାଇଥିଲେ । ଗୁରୁ ଗଙ୍ଗାଧର ପଦ୍ମଶ୍ରୀ ପଙ୍କଜ ଚରଣ ଦାସ, ଗୁରୁ କେଳୁଚରଣ ମହାପାତ୍ର, ଗୁରୁ ଦେବପ୍ରସାଦ ଦାସ, ଡ. ମିନତି ମିଶ୍ର ପ୍ରମୁଖଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷାର ତାଲିମ ନେଇ ବେଶ ପ୍ରତିଷ୍ଠା ଲାଭ କରିବା ସହ ଜଣେ ମର୍ଦ୍ଦଳ ବାଦକ ଭାବେ ମଧ୍ୟ ପରିଚିତ ହୋଇଥିଲେ । ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଓଡ଼ିଶୀ ନୃତ୍ୟରେ ଗୁରୁ ଗଙ୍ଗାଧର ଥିଲେ ଜଣେ ସଫଳ ମର୍ଦ୍ଦଳ ସହଯୋଗୀ ।
ଜୀବଦ୍ଦଶାରେ ସେ ଭୁବନେଶ୍ୱର ଡ୍ୟାନ୍ସ ଏକାଡେମୀ, କୋଣାର୍କ ନାଟ୍ୟ ମଣ୍ଡପ, ବ୍ରହ୍ମଗିରୀର ଚନ୍ଦ୍ରଶେଖର କଳାମନ୍ଦିର ପ୍ରଭୃତି ପ୍ରତିଷ୍ଠା କରାଇ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ପାଇଁ ଅହରହ ଚେଷ୍ଟା କରିଥିଲେ । ଜଣେ ଅନ୍ତର୍ରାଷ୍ଟ୍ରୀୟ ଖ୍ୟାତିମାନ୍ ଓଡ଼ିଶୀ ନୃତ୍ୟଗୁରୁ ଭାବେ ହଲାଣ୍ଡ ସ୍ପେନ, କୋରିଆ ଆଦି ୩୦ରୁ ଉର୍ଦ୍ଧ୍ୱ ବିଦେଶୀ ରାଷ୍ଟ୍ରରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଇ ସୁପରିଚିତ ହୋଇଥିଲେ । ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ ।
ଗୁରୁ ଗଙ୍ଗାଧର ୨୦୧୦ ମସିହା ଅକ୍ଟୋବର ୧୦ତାରିଖ ଦିନ ଭୁବନେଶ୍ୱରରେ ଚିକିତ୍ସାଧୀନ ଥାଇ [୧] ଇହଧାମ ତ୍ୟାଗ କରିଥିଲେ ।