ଗଞ୍ଜାମ କିଆ ଫୁଲ ବା କେୱଡା ଫୁଲ କିଆ ତେଲ ବାହାର କରିବା ପାଇଁ ବ୍ୟବହୃତ ହେଉଥିବା ସୁଗନ୍ଧିତ ସ୍କୃପାଇନ୍ (Pandanus odorifer) ବୃକ୍ଷର ଏକ ପୁରୁଷ ଫୁଲ । ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ବଢୁଥିବା ଏହି ବୃକ୍ଷଟିର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଲବଣାକ୍ତ ସାମୁଦ୍ରିକ ପରିବେଶ ପ୍ରାକୃତିକ ପର୍ଯାବରଣୀୟ କ୍ଷେତ୍ର (Natural Habitat) ଅଟେ । ଭାରତରେ ଉତ୍ପାଦନ ହେଉଥିବା କିଆ ଫୁଲର ନବେ ପ୍ରତିଶତ ଗଞ୍ଜାମ ଜିଲ୍ଲାରେ ଉତ୍ପାଦିତ ହୋଇଥାଏ । [୧] ୨୦୧୨ ମାର୍ଚ୍ଚ ୧୯ ତାରିଖରେ ଭାରତ ସରକାରଙ୍କଦ୍ୱାରା ଗଞ୍ଜାମର କିଆ ଫୁଲକୁ ଭୌଗୋଳିକ ଉପଦର୍ଶକ (Geographical Indication) ମାନ୍ୟତା ମିଳିଥିଲା ।[୨]
କିଆ ଏକ ଦ୍ୱିଲିଙ୍ଗୀୟ ବୃକ୍ଷ ହୋଇଥିବାରୁ ଏଥିରେ ଭିନ୍ନ ବୃକ୍ଷରେ ଭିନ୍ନ ଲିଙ୍ଗର ଫୁଲ ଫୁଟିଥାଏ । ସଂସ୍କୃତରେ ଏହି ଫୁଲକୁ କେତକୀ କୁହାଯାଇଥାଏ । ପୁରୁଷ ବୃକ୍ଷକୁ କେତକୀ ବିଫଳ ବା ଧୂଳିପୁଷ୍ପିକା କୁହାଯାଉଥିବା ବେଳେ ସ୍ତ୍ରୀଲିଙ୍ଗୀୟ ପୁଷ୍ପକୁ ସ୍ୱର୍ଣ୍ଣ କେତକୀ କୁହାଯାଇଥାଏ । ପୁଲିଙ୍ଗୀୟ ଗଛକୁ କେବଳ ଫୁଲ ଏବଂ ଅତର ପାଇଁ ଉତ୍ପାଦନ କରାଯାଉଥିବା ବେଳେ ସ୍ତ୍ରୀଲିଙ୍ଗୀୟ ଗଛରୁ କିଆ ଫଳ ଫଳିଥାଏ ।[୩]
ପୁରୁଷ ଫୁଲରୁ ଶହେ ପ୍ରତିଶତ ଶୁଦ୍ଧ ତେଲ ବାହାର କରାଯାଇଥାଏ । ଆୟୁର୍ବେଦରେ ଏହାକୁ ଉତ୍ତେଜକ ଦ୍ରବ୍ୟ ଭାବେ ଏବଂ ଆର୍ଥ୍ରାଇଟିସର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ ।[୪]
କିଆ ଫୁଲକୁ ଚନ୍ଦନ ତେଲରେ ମିଶାଯାଇ ଏକପ୍ରକାର ଅତର ପ୍ରସ୍ତୁତ କରାଯାଏ ଯାହା ଭାରତରେ ବହୁତ ଲୋକପ୍ରିୟ ଅଟେ । କିଆ ଅତରରେ ପ୍ରାୟ ୩-୫ ପ୍ରତିଶତ କିଆ ରସ ଏବଂ ବାକି ଚନ୍ଦନ ତେଲ ଅଟେ ।
ସୁବାସିତ ହାଇଡ୍ରୋସୋଲରେ ୦.୦୨ ପ୍ରତିଶତ କିଆଫୁଲ ତେଲ ଯାହାକୁ ରସଗୋଲା, ରସ ମଲେଇ, ଗୁଲାବଜାମୁ ପରି ମିଠାଜାତୀୟ ଖାଦ୍ୟ, ସିରପ, ଥଣ୍ଡାପାନୀୟ ଏବଂ ବିରିୟାନୀରେ ବ୍ୟବହାର କରାଯାଏ । ଏହାବ୍ୟତୀତ ପ୍ରସାଧନ ସାମଗ୍ରୀ, ଅଗରବତୀ, ତମାଖୁ ଆଦିରେ ମଧ୍ୟ ବ୍ୟବହାର କରାଯାଏ ।[୫]
କିଆଫୁଲ ଏବଂ ସେଥିରୁ ପ୍ରସ୍ତୁତ ତେଲ ଏହି ଜିଲ୍ଲା ପାଇଁ ବିଶେଷ ଅଟେ । ଗଞ୍ଜାମର ପ୍ରାୟ ଚାରୋଟି ସାମୁଦ୍ରିକ ଅଞ୍ଚଳ ଛତ୍ରପୁର, ରଙ୍ଗେଇଲୁଣ୍ଡା, ଚିକିଟି, ଗୋପାଳପୁରରେ ଏହି ଫୁଲ ଚାଷ କରାଯାଏ ।[୬] ଅତର ଶିଳ୍ପ ଛଡା ଗୁଟକା ତିଆରିରେ ମଧ୍ୟ ବ୍ୟବହାର କରାଯାଇଥାଏ । କିଆଫୁଲରୁ ରସ ବାହାର କରିବାପାଇଁ ଜିଲ୍ଲାରେ ପ୍ରାୟ ୧୩୬ଟି ଭାଟି ରହିଛି ।[୭]
{{cite news}}
: Check date values in: |date=
(help)