ଗୋବିନ୍ଦ ବିଦ୍ୟାଧର (ଖ୍ରୀ:୧୫୩୩-ଖ୍ରୀ:୧୫୪୯)ମଧ୍ୟ ଯୁଗୀୟ ଓଡ଼ିଶା ଇତିହାସର ଗଙ୍ଗବଂଶୀୟ ରାଜା ପ୍ରତାପରୁଦ୍ର ଦେବଙ୍କ ଶାସନ କାଳରେ ଜଣେ ମନ୍ତ୍ରୀ ଓ ବାରବାଟୀ ଦୁର୍ଗର ପ୍ରଧାନ ସେନାପତି ଥିଲେ। ମାଦଳା ପାଞ୍ଜିରେ ବର୍ଣିତ ତଥ୍ୟ ଅନୁଯାୟୀ, ସେ ଓଡ଼ିଶା ଇତିହାସରେ ଏକ ନୂତନ ଭୋଇ ରାଜବଂଶର ପ୍ରତିଷ୍ଠା କରିଥିଲେ । କିନ୍ତୁ ନିଜର କେତେକ ଦୁର୍ଗୁଣ ଯଥା ଅତ୍ୟନ୍ତ ଉଚ୍ଚାଭିଳାଷୀ ମନୋଭାବ ଯୋଗୁଁ ଓଡ଼ିଶା ଇତିହାସରେ ସେ ଜଣେ ସ୍ୱାର୍ଥାନ୍ଧ, କ୍ଷମତାଲିପ୍ସୁ, କୁଚକ୍ରୀ ଓ ହୀନମନା ଖଳ ଶାସକ ରୂପେ ଚିତ୍ରିତ ହୋଇଛନ୍ତି ।[୧][୨][୩] ସିଂହାସନ ଆରୋହଣର ଲାଳସା ତାଙ୍କର ଏତେ ପ୍ରବଳ ଥିଲା ଯେ ସେ ବିଶ୍ୱସଘାତକ ଓ ଚକ୍ରାନ୍ତ କରିବାକୁ ପଛଘୁଞ୍ଚା ଦେଇନଥିଲେ । ପ୍ରତାପରୁଦ୍ର ଦେବଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ନାବାଳକ ପୁତ୍ରଦ୍ୱୟ କାଳୁଆଦେବ ଓ କଖାରୁଦେବଙ୍କୁ ଅତି ଅମାନୁଷିକ ଭାବେ ହତ୍ୟାକରି ୧୫୩୩-୩୪ ଖ୍ରୀଷ୍ଟାବ୍ଦରେ ରାଜ୍ୟର ପ୍ରକୃତ କ୍ଷମତା ହସ୍ତଗତ କଲେ ଓ ଖୋର୍ଦ୍ଧାରେ ଭୋଇବଂଶ ସ୍ଥାପନା କଲେ ।[୪] ସେ ନିଜର ଦକ୍ଷତା ବଳରେ ଓଡ଼ିଶାର ଶାସନଭାର ଗ୍ରହଣ କରି ନିଜକୁ "ସୁବର୍ଣ୍ଣ କେଶରୀ" ରୂପେ ପରିଚିତ କରାଇଥିଲେ ।