ଘୁଙ୍ଗୁର ହେଉଛି ଏକ ପ୍ରକାରର ଅଳଙ୍କାର ଯାହାକି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବାବେଳେ ନୃତ୍ୟକାରମାନେ ଗୋଡ଼ଗଣ୍ଠିରେ ପରିଧାନ କରନ୍ତି ।[୧] ଏହା ଏକ ପ୍ରକାର ଧାତୁ ନିର୍ମିତ ଘଣ୍ଟି, ଯେଉଁଥିରୁ ଏକ ପ୍ରକାର ସଙ୍ଗୀତ ବାହାରେ ଏବଂ ଏକାଧିକ ଘୁଙ୍ଗୁରର ସମ୍ମିଶ୍ରଣରେ ଏକ ଘୁଙ୍ଗୁର ମାଳା ପ୍ରସ୍ତୁତ ହୋଇଥାଏ, ଯାହାକୁ ପରିଧାନ କରାଯାଏ । ଘୁଙ୍ଗୁର ମାଳାର ଆକାର ଓ ଏଥିରେ ବନ୍ଧାଯାଇଥିବା ଘଣ୍ଟିର ଆକାର ଅନୁସାରେ ଏଥିରୁ ବାହାରୁଥିବା ଶବ୍ଦର ପ୍ରକାର ବଦଳିଥାଏ । ଘୁଙ୍ଗୁର ପରିଧାନଦ୍ୱାରା ନୃତ୍ୟର କିଛି ତାଳ ପରିବେଷଣ କରାଯାଇଥାଏ । ଏହାକୁ ପାଦ ଉପରେ ଥିବା ବାଳଗଣ୍ଠିକୁ ଲାଗି ପିନ୍ଧାଯାଇଥାଏ । ଘୁଙ୍ଗୁରର ମାଳା ୫୦ଟି ଘଣ୍ଟିରୁ ଆରମ୍ଭ ହୋଇ ୨୦୦ କିମ୍ବା ତଦୁର୍ଦ୍ଧ୍ୱ ହୋଇଥାଏ । ଛୋଟ ପିଲାମାନେ ୫୦ ଘଣ୍ଟି ବିଶିଷ୍ଟ ଘୁଙ୍ଗୁର ପିନ୍ଧିବା ଆରମ୍ଭ କରିଥାନ୍ତି ଏବଂ ବୟସାନୁସାରେ ନୃତ୍ୟ ଶୈଳୀର ଆବଶ୍ୟକତା ଅନୁସାରେ ଏହାର ସଂଖ୍ୟା ଓ ଆକାର ବୃଦ୍ଧି ପାଇଥାଏ । ଭରତନାଟ୍ୟମ, କଥକ, କୁଚିପୁଡି, ମୋହିନୀୟାଟ୍ଟମ, ଲାବଣୀ, ଏବଂ ଓଡ଼ିଶୀ ଭଳି ଭାରତୀଯ ଶାସ୍ତ୍ରୀୟ ନୃତ୍ୟର ପାରମ୍ପାରିକ ପ୍ରଦର୍ଶନରେ ଘୁଙ୍ଗୁର ପିନ୍ଧାଯାଏ ।
ଘୁଙ୍ଗୁରକୁ ନେପାଳର ଶାସ୍ତ୍ରୀୟ ନୃତ୍ୟଶିଳ୍ପୀମାନେ ମଧ୍ୟ ବ୍ୟବହାର କରନ୍ତି, ଯାହାକୁ ସେଠାରେ ଚାଁପ ବୋଲି କୁହାଯାଏ ।[୨][୩] ଏଥିରେ ୯ରୁ ୨୭ଟି ପିତ୍ତଳ ଘଣ୍ଟି ଥାଏ, ଯାହାକି ୨୩ ସେ.ମି. ଲମ୍ବ ଓ ୭.୫ ସେ.ମି. ଓସାର ବିଶିଷ୍ଟ କପଡ଼ାରେ ଗୁନ୍ଥାଯାଇଥାଏ ଏବଂ ଏହାକୁ ଅଳଙ୍କାର ଭାବରେ ଗୋଡ଼ଗଣ୍ଠିରେ ବନ୍ଧାଯାଇଥାଏ ।[୩][୨] ଗୀତ ଅନୁଯାୟୀ ନେପାଳୀମାନେ ବିଭିନ୍ନ ପ୍ରକାରର ଛୋଟ ଘଣ୍ଟି ବିଶିଷ୍ଟ କିମ୍ବା ବଡ଼ ଘଣ୍ଟି ବିଶିଷ୍ଟ ଚାଁପ ପିନ୍ଧିବାକୁ ବାଛିଥାନ୍ତି ।[୩] ଏହି ଘଣ୍ଟିଗୁଡ଼ିକୁ ଘୁଙ୍ଗୁରା କୁହାଯାଏ ।[୨]
ଘୁଙ୍ଗୁର ବାଦନ ହେଉଛି ଏକ ପ୍ରକାର ସଙ୍ଗୀତ ଶୈଳୀ ଯାହାକି ଭାରତୀୟ କଥକ ନୃତ୍ୟଶିଳ୍ପୀ ଭି. ଅନୁରାଧା ସିଂହଙ୍କଦ୍ୱାରା ଆରମ୍ଭ କରାଯାଇଥିଲା । ଯେଉଁ କାର୍ଯ୍ୟକ୍ରମରେ ନୃତ୍ୟ କରିବାର ପରମ୍ପରା ନଥିଲା, ସେଠାରେ ସେ ଏହି ଘୁଙ୍ଗୁର ବାଦନ ଶୈଳୀର ପରିବେଷଣ କରିବା ଆରମ୍ଭ କରିଥିଲେ । ଏହା କେବଳ ପାଦର ଗତିବିଧି ଉପରେ ନିର୍ଭର କରିଥାଏ ।
{{cite book}}
: CS1 maint: unrecognized language (link)