ଏକ ପ୍ଲେଟ୍ ଚପଲି କବାବ ଓ କଟା ପରିବା | |
ଅନ୍ୟ ନାମ | Peshawari Chapli kabab |
---|---|
ପ୍ରକାର | କବାବ |
ପରଷା | ପ୍ରାକ୍-ଖାଦ୍ୟ, ପାର୍ଶ୍ୱ ବ୍ୟଞ୍ଜନ |
ମୂଳ ସ୍ଥାନ | ଦକ୍ଷିଣ ଏସିଆ[୧] |
ସମ୍ବନ୍ଧିତ ଜାତୀୟ ଖାଦ୍ୟ | ପାକିସ୍ତାନୀ[୧], ଆଫଗାନୀ[୧], ବଙ୍ଗଳାଦେଶୀ[୨], ଭାରତୀୟ[୧] |
ମୁଖ୍ୟ ଉପାଦାନ | ଅତି ଛୋଟ ବା ଗୁଣ୍ଡ କୁକୁଡ଼ା ମାଂସ, ଛେଳି ମାଂସ, ମେଣ୍ଢା ମାଂସ କିମ୍ବା ଗୋମାଂସ |
ଅନ୍ୟ ଉପାଦାନ | ବିଭିନ୍ନ ମସଲା ଓ ପତ୍ର ଇତ୍ୟାଦି |
|
ଚପଲି କବାବ (ଉର୍ଦ୍ଦୁ ଭାଷାରେ چپلی کباب ଓ ହିନ୍ଦୀ ଭାଷାରେ चपली कबाब) ପସ୍ତୁନ୍ ରାନ୍ଧଣାରେ ପ୍ରସ୍ତୁତ ଏକ ବ୍ୟଞ୍ଜନ । ଅତି ଛୋଟ କଟାଯାଇଥିବା (ଚୁନା) ମାଂସରୁ ଏହି କବାବ ପ୍ରସ୍ତୁତ ହୁଏ । ଏହି କବାବ ପ୍ରସ୍ତୁତ କରିବା ପାଇଁ କୁକୁଡ଼ା ମାଂସ, ଛେଳି ମାଂସ, ମେଣ୍ଢା ମାଂସ କିମ୍ବା ଗୋମାଂସ ବ୍ୟବହାର କରାଯାଏ । ଏହି କବାବର ଆକାର ପିଠା ପରି । ଆଫଗାନିସ୍ତାନରୁ ସୃଷ୍ଟ ଏହି ଖାଦ୍ୟକୁ ପେଶାୱର ଅଞ୍ଚଳରେ ପେଖାୱରୀ ଚପଲି କବାବ ବା ପେଶାୱରୀ ଚପଲି କବାବ ବୋଲି ମଧ୍ୟ କୁହାଯାଇଥାଏ । [୩][୧]
ପେଶାୱରୀ ଚପଲି କବାବ ମୁଖ୍ୟତଃ ଗୋମାଂସରୁ ପ୍ରସ୍ତୁତ ହୁଏ ଏବଂ ଖାଇବର୍-ପଖ୍ତୁନ୍ଖ୍ୱା ଅଞ୍ଚଳରେ ଏହା ଏକ ଅତି ଲୋକପ୍ରିୟ ଗଳି ଖାଦ୍ୟ (ଠେଲା ଖାଦ୍ୟ ବା ଷ୍ଟ୍ରିଟ୍ ଫୁଡ଼୍) । ପାକିସ୍ତାନର ଅନ୍ୟ ସ୍ଥାନମାନଙ୍କରେ, ପୂର୍ବ ଆଫଗାନିସ୍ତାନ, ବଙ୍ଗଳାଦେଶର କିଛି ସ୍ଥାନ[୨] ଓ ଭାରତରେ[୧] ଏହା ଏକ ଲୋକପ୍ରିୟ ଗଳି ଖାଦ୍ୟ ।
ପେଶାୱରରେ ପ୍ରଥମେ ଏହା ଗୋମାଂସରେ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଗୋମାଂସ ଆହରଣ କରୁନଥିବା ଲୋକଙ୍କ ପାଇଁ କୁକୁଡ଼ା, ମେଣ୍ଢା ଓ ଛେଳି ମାଂସରେ ଚପଲି କବାବ ପ୍ରସ୍ତୁତ କରାଯାଉଛି । ସ୍ଥାନ ଅନୁସାରେ ସ୍ଥାନୀୟ ମସଲାର ବ୍ୟବହାରକୁ ଆଖି ଆଗରେ ରଖି ଚପଲି କବାବର ପ୍ରସ୍ତୁତିରେ ପରିବର୍ତ୍ତନ ଦେଖାଦେଇପାରେ । ଏହି ସନ୍ଦର୍ଭରେ ପେଶାୱରୀ ଚପଲି କବାବରେ ସର୍ବନିମ୍ନ ଉପାଦାନ ଓ ମସଲା ବ୍ୟବହାର ହେଉଥିବାରୁ ତାହାକୁ ଚପଲି କବାବର ମୌଳିକ ରୂପ ବୋଲି କହିହେବ ।
ବଙ୍ଗଳାଦେଶରେ ଢାକା ସହରରେ ଚପଲି କବାବ ଅଧିକ ଆହରଣ କରାଯାଏ । ଇଦ୍ ଉଲ୍-ଅଝା ଓ ରମଜାନ ଅବସରରେ ଆୟୋଜିତ ଇଫ୍ତାର ଭୋଜିରେ ଚପଲି କବାବ ବେଶ୍ ଚାହିଦାରେ ରହିଥାଏ ।[୨][୪]
ଭାରତରେ ଇସଲାମ ଧର୍ମାବଲମ୍ବୀ ବସବାସ କରୁଥିବା ସହର ଯଥା : ଭୋପାଳ, ଲକ୍ଷ୍ନୌ, ଦିଲ୍ଲୀ, ହାଇଦ୍ରାବାଦ ପ୍ରଭୃତିରେ ଚପଲି କବାବ ଏକ ସାମାନ୍ୟ ଗଳି ଖାଦ୍ୟ ।[୫]
ଚପଲି କବାବକୁ ଗରମ ନାନ୍ ରୁଟି ସହିତ କିମ୍ବା ସାଣ୍ଡୱିଚ ଓ ବନ୍ କବାବ ପରି ଦୁଇଟି ପାଉଁରୁଟି ମଧ୍ୟରେ ରଖି ଖାଇହେବ ।[୧]
ମୋଗଲ ରାନ୍ଧଣାର ପ୍ରଭାବରେ ଦକ୍ଷିଣ ଏସିଆରେ କବାବ ପରି ଖାଦ୍ୟ ଖୁବ୍ ଜନାଦୃତ ହୋଇଥିଲା ଓ ଚପଲି କବାବ ପରି ସ୍ଥାନୀୟ ଭିନ୍ନତାବିଶିଷ୍ଟ ବ୍ୟଞ୍ଜନର ସୃଷ୍ଟି ହୋଇଥିଲା ।[୧] ଏହି କବାବର ନାମରେ ରହିଥିବା ଚପଲି ଶବ୍ଦ ଏକ ପସ୍ତୋ ଶବ୍ଦ ଚପ୍ରିଖ୍ରୁ ଉଦ୍ଧୃତ ଯାହାର ଶବ୍ଦାର୍ଥ ହେଲା ଚଟକାକାର । କବାବର ଗୋଲ ଓ ଚଟକା (ଇଂରାଜୀରେ flat) ଆକାରକୁ ଦେଖି ଏହି ନାମ ରଖାଯାଇଛି ।[୧] ଏହି କବାବର ନାମକରଣ ପଛରେ ଥିବା ଆଉ ଏକ ସିଦ୍ଧାନ୍ତ ହେଲା ପେଶାୱରୀ ଚପଲର ସୋଲ୍ର ଅଗ୍ରଭାଗ ପରି ଆକାରର ହୋଇଥିବାରୁ ଏହାର ନାମ ଚପଲି କବାବ ରଖାଯାଇଛି ।[୬]
ପେଶାୱର ସହରରେ ପ୍ରାୟ ୨୦୦୦ରୁ ଅଧିକ ଭୋଜନାଳୟରେ ଏହି ଚପଲି କବାବ ପ୍ରସ୍ତୁତ ହୁଏ ଓ ଗ୍ରାହକଙ୍କୁ ପରଷା ଯାଏ ।[୭] ଏପରି ଭୋଜନାଳୟ ଅନ୍ୟ ସହରମାନଙ୍କରେ ମଧ୍ୟ ଖୋଲି ସାରିଲେଣି । ବର୍ତ୍ତମାନ ସମୟରେ ବିଶ୍ୱର ଯେକୌଣସି ସ୍ଥାନରେ ଦକ୍ଷିଣ ଏସୀୟ ଖାଦ୍ୟ ପରଷୁଥିବା ଭୋଜନାଳୟର ଭୋଜନ ତାଲିକାରେ ଚପଲି କବାବ ଏକ ଜଣାଶୁଣା ନାମ ।[୭]
କଞ୍ଚା ଚୁନା ମସଲାମିଶ୍ରିତ (ମ୍ୟାରିନେଟ୍ କରାଯାଇଥିବା) ମାଂସ ଚପଲି କବାବର ପ୍ରମୁଖ ଉପାଦାନ । ଗହମ ଚୁନା, ଲାଲ୍ ମରିଚ ଗୁଣ୍ଡ, ଧନିଆ ପତ୍ର, ପିଆଜ, ବିଲାତି ବାଇଗଣ, ଅଣ୍ଡା, ଅଦା, ଧନିଆ, ଜୀରା, କଞ୍ଚା ଲଙ୍କା, ମକା ଗୁଣ୍ଡ, ଲୁଣ, ଗୋଲମରିଚ ଗୁଣ୍ଡ, ବେକିଂ ପାଉଡର, ଡାଳିମ୍ବ ମଞ୍ଜି ଓ ଲେମ୍ବୁ ରସ ପ୍ରଭୃତି ମଧ୍ୟ ଏହାର ଅନ୍ୟ ଆବଶ୍ୟକୀୟ ଉପାଦାନ ।[୩][୧]
ମଧ୍ୟମ ଜାଳରେ ଗରମ ହେଉଥିବା ତେଲରେ ଏହି କବାବକୁ କଡ଼ା ବା ନରମ ଭାବେ ଛଣାଯାଏ । କିଛି ରୋଷେୟା ବିଶେଷ ସ୍ୱାଦ ପାଇଁ କାଠ ଚୁଲି ଉପରେ ଜୀବଙ୍କ ମେଦରୁ (ସ୍ନେହସାର) ବାହାରିଥିବା ତେଲରେ ଏହି କବାବକୁ ଛାଣିଥାନ୍ତି । ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଏପରି ମେଦଜାତ ତୈଳରେ କବାବ ପ୍ରସ୍ତୁତ କରିବା ଠିକ୍ ପ୍ରଣାଳୀ ନୁହେଁ ।[୮]
ପ୍ରସ୍ତୁତ ହୋଇସାରିବା ପରେ ଚପଲି କବାବକୁ ପର୍ସଲେ ପତ୍ର, କଟା ପିଆଜ, କଟା ବିଲାତି ବାଇଗଣ ଇତ୍ୟାଦି ସହ ଥାଳିରେ ସଜାଇ ପରଷାଯାଏ । ଏହା ସହିତ ବିଭିନ୍ନ ପ୍ରକାରର ଚଟଣୀ, ସସ୍, ଦହି, ଆଚାର କିମ୍ବା ବାଦାମ ମଧ୍ୟ ବଢ଼ାଯାଏ ।[୯][୧୦][୧୧] ସାମାନ୍ୟ ଆର୍ଦ୍ର ଓ ଗରମ ଚପଲି କବାବ ସୁଗନ୍ଧିତ ଓ ମସଲାଯୁକ୍ତ ହୋଇଥିଲେ ତାହା ଅତି ଉତ୍ତମ ।[୧୨] ପସ୍ତୁନ ରନ୍ଧନ ଶୈଳୀରେ ଚପଲି କବାବ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ସେଠାରେ ଅତିଥିମାନଙ୍କୁ ଚପଲି କବାବ ଦେବାର ପ୍ରଥା ମଧ୍ୟ ରହିଛି ।[୧୩] ଭୋଜନ ବେଳେ ମୁଖ୍ୟତଃ ନାନ୍ ରୁଟି, କାବୁଲି ପଲଉ ପରି ଖାଦ୍ୟ ସହ ଚପଲି କବାବକୁ ପାର୍ଶ୍ୱ ବ୍ୟଞ୍ଜନ ଭାବେ ପରଷାଯାଏ । ଏହାକୁ ରୁଟିଦ୍ୱାରା ଗୁଡ଼ାଇ ଏକ ରାପ୍ (wrap) ଆକାରରେ ମଧ୍ୟ ବଢ଼ାଯାଇପାରିବ ।[୭] ଶୀତ ଋତୁରେ କାୱାଃ ବା ଅନ୍ୟ ଚା’ ସହିତ ଚପଲି କବାବ ପରଷାଯାଏ । ଗ୍ରୀଷ୍ମ ଋତୁରେ ଥଣ୍ଡା ପାନୀୟ ସହିତ ଚପଲି କବାବକୁ ଉପଭୋଗ କରିହେବ ।[୭]
The province formerly known as NWFP and the eastern region of Afghanistan can proudly lay claim to the spicy flat meat beef patty, however, it stands as a favourite throughout Pakistan and India.