ଉତ୍ତର ଭାରତରେ ଲୋକମାନଙ୍କ ଦ୍ୱାରା(ବିଶେଷ କରି ପଞ୍ଜାବ , ହରିୟାଣା ,ଗୁଜରାଟ ଆଦି ଅଞ୍ଚଳରେ ) ପାଦରେ ପିନ୍ଧା ଯାଉଥିବା ଜୋତାକୁ ଆଞ୍ଚଳିକ ଭାଷାରେ ଲୋକମାନେ ଜୁତି ବୋଲି କହିଥାନ୍ତି । ସାଧାରଣତଃ ଏଗୁଡ଼ିକୁ ପାରମ୍ପରିକ ଢଙ୍ଗରେ ଚମଡା କିମ୍ବା ରବର ଉପରେ ସୁନେଲି ,ରୁପେଲି ରଙ୍ଗର ପତଳା ତାର ଓ ସୂତାରେ ବାନ୍ଧେଣୀ କାମ କରି ବଡ଼ ସୁନ୍ଦର ଭାବରେ ତିଆରି କରାଯାଇଥାଏ । ଭାରତରେ ଏହି ଜୁତିର ବ୍ୟବହାରକୁ କହିଲେ ମୁଖ୍ୟତଃ ପଞ୍ଜାବରେ ଲୋକମାନେ ବ୍ୟବହାର କରୁଥିବା ଜୁତିକୁ ବୁଝାଏ । କିନ୍ତୁ ପଞ୍ଜାବ ଛଡା ଅମୃତସର ଓ ପଟିଆଲା ଅଞ୍ଚଳରେ ମଧ୍ୟ ବିଭିନ୍ନ ପ୍ରକାରର ତଥା ବିଭିନ୍ନ ଢଙ୍ଗର ଓ ଉନ୍ନତ ମନର ଜୁତି ପ୍ରସ୍ତୁତ କରାଯାଇଥାଏ । ସେଠାରେ ଲୋକମାନେ ଜୁତିର ପ୍ରସ୍ତୁତିରେ ବିଭିନ୍ନ ଛୋଟ ମୋଟ ଯନ୍ତ୍ରପାତିର ବ୍ୟବହାର କରିଥାନ୍ତି , କିନ୍ତୁ ଅଧିକାଂଶ କମ ହାତରେ କରାଯାଇଥାଏ । ସେସବୁ ସ୍ଥାନରେ ଅଧିକାଂଶ ଲୋକ ଏହି ଜୁତିର ତିଆରିକୁ ନିଜର କୌଳିକ ବୃତ୍ତି ଭାବରେ ମଧ୍ୟ ଆଦରି ନେଇଛନ୍ତି , ତେଣୁକରି ଏଠାରେ ଏହି ହସ୍ତଶିଳ୍ପର ଉତ୍ପାଦ ଭାବରେ ବହୁଳ ମାତ୍ରାରେ ଓ ଉତ୍ତମ ମାନର ଜୁତି ତିଆରି କରାଯାଇଥାଏ । ଏଗୁଡିକ କାରିଗରମାନଙ୍କଦ୍ୱାରା ଆଞ୍ଚଳିକ ବଜାରରେ ସୁଲଭ ମୂଲ୍ୟରେ ବିକ୍ରି କରାଯାଇଥାଏ ଓ ଦେଶ ବିଦେଶକୁ ମଧ୍ୟ ରପ୍ତାନି କରାଯାଇଥାଏ ।[୧][୨] ବିଭିନ୍ନ ଅଞ୍ଚଳର ଭିନ୍ନତା ଅନୁସାରେ ସେଠାରେ ବ୍ୟବହୃତ ଜୁତିର ଆକାର ପ୍ରକାରରେ ମଧ୍ୟ ଭିନ୍ନତା ଦେଖା ଦେଇଥାଏ । ଏପରିକି କାରିଗରମାନଙ୍କର ନିଜସ୍ୱ ଢାଞ୍ଚାରେ ତିଆରି ହୋଇଥିବା ଜୁତିଗୁଡିକ ମଧ୍ୟ ବିଭିନ୍ନ ଜାଗାରେ ପ୍ରସିଦ୍ଧି ଲାଭ କରିଛନ୍ତି । ଗଠନ ଓ ବ୍ୟବହାର ଅନୁଯାୟୀ ଉଭୟ ପୁରୁଷ ଓ ମହିଳା ମାନଙ୍କ ପାଇଁ ଅଲଗା ଅଲଗା ପ୍ରକାରର ଜୁତି ତିଆରି କରାଯାଇଥାଏ । ଉଭୟ ପ୍ରକାରର ଜୁତିର ତଳ ଭାଗ ସମତଳ ହୋଇଥାଏ । କିନ୍ତୁ ମହିଳା ମାନଙ୍କ ପାଇଁ ବ୍ୟବହୃତ ଜୁତିର ଅଗ୍ରଭାଗ ଅପେକ୍ଷା ପୁରୁଷ ମାନଙ୍କ ଜୁତିର ଅଗ୍ରଭାଗ ଟିକେ ଅଧିକା ଉପରକୁ ଉଠିକରି କିମ୍ବା ବଙ୍କା ହୋଇ ରହିଥାଏ ।