ପଦ୍ମଶ୍ରୀ ଜୟନ୍ତ ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | କଟକ | ୨୨ ଅକ୍ଟୋବର ୧୯୨୮
ମୃତ୍ୟୁ | ୨୭ ଅଗଷ୍ଟ ୨୦୨୩ କଟକ | (ବୟସ ୯୪)
ବୃତ୍ତି | ପଦାର୍ଥ ବିଜ୍ଞାନ ଅଧ୍ୟାପକ, ସାହିତ୍ୟିକ |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତ |
ପୁରସ୍କାର | ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ସ୍ୱପ୍ନା ମହାପାତ୍ର |
ସନ୍ତାନ | ମୋହନ ମହାପାତ୍ର |
ଦସ୍ତଖତ | ![]() |
ଜୟନ୍ତ ମହାପାତ୍ର (୨୨ ଅକ୍ଟୋବର ୧୯୨୮ – ୨୭ ଅଗଷ୍ଟ ୨୦୨୩)[୧] ଓଡ଼ିଶାରେ ଜନ୍ମିତ ଜଣେ କବି ଥିଲେ । ସେ ଉଭୟ ଓଡ଼ିଆ ଏବଂ ଇଂରାଜୀରେ କବିତା ଲେଖୁଥିଲେ ।[୨][୩] ଇଂରାଜୀ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ କବି । ଆଧୁନିକ ଭାରତୀୟ ଇଂରାଜୀ ସାହିତ୍ୟରେ କ୍ଲାସିକ ଭାବରେ ବିବେଚନା କରାଯାଉଥିବା ଇଣ୍ଡିଆନ ସମର ଏବଂ ହଙ୍ଗର ଆଦି କବିତାର ସେ କବି । ୨୦୦୯ ମସିହାରେ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା ।[୪][୫] ଭାରତରେ ବଢୁଥିବା ଅସହିଷ୍ଣୁତା ବିରୋଧରେ ପ୍ରତିବାଦ କରିବା ପାଇଁ ସେ ୨୦୧୫ରେ ଏହି ପୁରସ୍କାର ଫେରାଇ ଦେଇଥିଲେ ।[୬] ତାଙ୍କର ମୋଟ ୨୭ଟି ଇଂରାଜୀ ଓ ୯ଟି ଓଡ଼ିଆ କବିତା ସଙ୍କଳନ ସହ ଏକ ଗପ ବହି ଏବଂ ଆତ୍ମଜୀବନୀ ପାହିନି ରାତି ପ୍ରକାଶିତ ହୋଇଛି ।
୨୦୨୩ ମସିହା ଅଗଷ୍ଟ ୨୭ ତାରିଖରେ ୯୫ ବର୍ଷ ବୟସରେ କଟକରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁର କିଛି ଦିନ ଆଗରୁ ସେ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ନିମୋନିଆ ପାଇଁ ଚିକିତ୍ସିତ ହେଉଥିଲେ ।[୭]
ଜୟନ୍ତ ମହାପାତ୍ର ୧୯୨୮ ମସିହା ଅକ୍ଟୋବର ମାସ ୨୨ତାରିଖ କଟକଠାରେ ଏକ ନିମ୍ନ ମଧ୍ୟବିତ୍ତ ଓଡ଼ିଆ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୮] ତାଙ୍କ ପିତାଙ୍କ ନାମ ଥିଲା ନେମୁଏଲ ମହାପାତ୍ର ଓ ମାତାଙ୍କ ନାମ ସୁଧାଂଶୁବାଳା ଦାଶ ।[୯] ତାଙ୍କ ବାପା ନେମୁଏଲ କାଠଯୋଡି ହଷ୍ଟେଲରେ ସୁପରିଟେଣ୍ଡେଣ୍ଟ ଥିଲେ ଓ ପରେ ସ୍କୁଲ ଇନ୍ସପେକ୍ଟର ହୋଇଥିଲେ । ସେ କଟକର ଷ୍ଟିୱାର୍ଟ ସ୍କୁଲରେ ପାଠପଢ଼ା ଆରମ୍ଭ କରି ପରେ ରେଭେନ୍ସା ମହାବିଦ୍ୟାଳୟ ଓ ପାଟଣା ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଥିଲେ । ସେ ସ୍ୱପ୍ନା ମହାପାତ୍ରଙ୍କୁ ବିବାହ କରିଥିଲେ ଓ ଦମ୍ପତ୍ତିଙ୍କ ଏକମାତ୍ର ସନ୍ତାନ ଥିଲେ । ତାଙ୍କ ପୁଅର ନାମ ଥିଲା ମୋହନ ମହାପାତ୍ର ।[୧୦] ୨୦୦୮ ମସିହାରେ ଜ୍ୟୋତ୍ସ୍ନା ମହାପାତ୍ରଙ୍କର କ୍ୟାନସର ରୋଗରେ ଓ ପୁଅ ମୋହନଙ୍କର ତା'ର ଏକ ଦଶନ୍ଧି ପରେ ଦେହାନ୍ତ ହୋଇଯାଇଥିଲା ।[୭] ଜେ ସରୋଜିନୀ ୫୦ ବର୍ଷ ଧରି ତାଙ୍କର ତତ୍ତ୍ୱାବଧାରିକା ଥିଲେ । ୨୦୨୨ ଡିସେମ୍ବରରେ ସରୋଜିନୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଜେ ଆଇଜାକ ଓ ବୋହୁ ଜେ ସନ୍ଧ୍ୟା ତତ୍ତ୍ୱବଧାନ ଦାୟିତ୍ୱ ନେଇଥିଲେ ।[୧୧]
ଉଚ୍ଚଶିକ୍ଷା ପରେ ରେଭେନ୍ସା କଲେଜରେ ସେ ପଦାର୍ଥ ବିଜ୍ଞାନ ଡେମନଷ୍ଟ୍ରେଟର ଭାବେ ଚାକିରି କରିଥିଲେ । ୧୯୪୯ ମସିହାରେ ସେ ରାଜ୍ୟର ଫକୀରମୋହନ କଲେଜ, ବାଲେଶ୍ୱର, ଗଙ୍ଗାଧର ମେହେର କଲେଜ, ସମ୍ବଲପୁର, ବି.ଜେ.ବି କଲେଜ, ଭୁବନେଶ୍ୱର ଏବଂ ରେଭେନ୍ସା କଲେଜ, କଟକ ଆଦି ସରକାରୀ କଲେଜରେ ପଦାର୍ଥ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ୧୯୮୬ରେ ଅବସର ଗ୍ରହଣ କରିଥିଲେ ।[୧୨]
୧୯୫୩ ମସିହାରେ ୩୮ ବର୍ଷ ବୟସରେ ସେ କବିତା ରଚନା କରିବା ଆରମ୍ଭ କଲେ ଏବଂ ୪୦ ବର୍ଷ ହେବା ପୂର୍ବରୁ ତାଙ୍କର ପ୍ରଥମ କବିତା ପ୍ରକାଶ ପାଇଥିଲା । ଓଡ଼ିଆରେ ତାଙ୍କର ପ୍ରଥମ କବିତା ସଂକଳନ ସ୍ୱୟଂବର ଏବଂ କବିତାସମୂହ ୧୯୭୧ରେ ଏବଂ ପରେ ଇଂରାଜୀରେ କ୍ଲୋଜ ଦି ସ୍କାଇ, ଟେନ ବାଇ ଟେନ ଆଦି କବିତା ପ୍ରକାଶ ପାଇଥିଲା । ତାଙ୍କର କବିତା ଗୁଚ୍ଛ ମଧ୍ୟରୁ ଏ ରେନ ଅଫ ରାଇଟ୍ସ, ଲାଇଫ ସାଇନସ ଏବଂ ଏ ୱାଇଟନେସ ଅଫ ବୋନ ଆଦି ପ୍ରକାଶିତ ହୋଇଥିଲା । ତାଙ୍କ କବିତା ସଂକଳନ ଦି ଲଙ୍ଗ ପଏମ ରିଲେସନସିପ ପାଠକମାନଙ୍କ ସବୁଠୁ ଅଧିକ ଆଦୃତି ଲାଭ କରିଥିଲା । ଏହି କବିତା ସଂକଳନ ପାଇଁ ସେ ୧୯୮୧ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ସେତେବେଳେ ସେ ପ୍ରଥମ ଭାରତୀୟ କବି ଭାବେ ଏହି ସଫଳତା ଅର୍ଜନ କରିଥିଲେ ।[୪] ସେ ୧୬ଟି କବିତା ସଂକଳନ ରଚନା କରିଥିଲେ ।[୧୩] ତାଙ୍କର ଅନ୍ୟାନ୍ୟ କବିତା ସଂକଳନ ମଧ୍ୟରେ ଶେଡ଼ୋ ସ୍ପେସ, ବେଆର ଫେସ ଏବଂ ରେଣ୍ଡୋମ ଡିସେଣ୍ଟ ଇତ୍ୟାଦି ଅନ୍ୟତମ । କବିତା ସହ ସେ ଅନେକ ପ୍ରବନ୍ଧ ମଧ୍ୟ ରଚନା କରିଥିଲେ । କିଛି କ୍ଷୁଦ୍ର ଗଳ୍ପ ଗୁଡ଼ିକୁ ନେଇ ସେ ଗ୍ରୀନ ଗାର୍ଡେନର ନାମକ ଏକ କ୍ଷୁଦ୍ରଗଳ୍ପ ସଂକଳନ ପ୍ରକାଶ କରିଥିଲେ । ସାହିତ୍ୟିକ ଦେବାନନ୍ଦ ଦାସଙ୍କ ସହ ମିଶି ସେ କଟକରୁ ପ୍ରକାଶିତ ସାହିତ୍ୟ ପତ୍ତିକା ଚନ୍ଦ୍ରଭାଗା ପତ୍ରିକା ଆରମ୍ଭ କରିଥିଲେ । ୨୦୨୨ ମସିହାରେ ଯାଏ ସେ ଏହାର ୧୯ତମ ସଂସ୍କରଣ ପ୍ରକାଶ ପାଇବା ପର୍ଯ୍ୟନ୍ତ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୧୧]
ଓଡ଼ିଆ[ସମ୍ପାଦନା]
|
ଇଂରାଜୀ[ସମ୍ପାଦନା]
|
୨୦୨୩ ଅଗଷ୍ଟ ୨୭ରେ ସ୍ନାୟବିକ ରୋଗ ଯୋଗୁଁ ୯୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ୨୦୨୩ ଅଗଷ୍ଟ ୪ରୁ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ ।[୨୦] ୨୦୦୮ ମସିହାରେ ସେ ନିଜର ଉଇଲ ମାଇଁ ଲାଷ୍ଟ ଉଇସ୍ ଲେଖିଥିଲେ ଓ ତାହା ସାହିତ୍ୟିକ ସୁସ୍ମିତା ରଥଙ୍କୁ ଦେଇଥିଲେ । ଏଥିରେ ସେ ତିନୋଟି ଜିନିଷ ଉଲ୍ଲେଖ କରିଥିଲେ । ପ୍ରଥମରେ, ମୃତ୍ୟୁପରେ ମରଶରୀରକୁ କଟକସ୍ଥିତ ଖାନନଗରର ବିଦ୍ୟୁତ ଚୁଲାରେ ଦାହ କରିବା ପାଇଁ ଲେଖିଥିଲେ । ଦ୍ୱିତୀୟରେ ତାଙ୍କ ମୃତ୍ୟୁ ପରେ ତାଙ୍କର ଜମି ଜେ ସରୋଜିନୀଙ୍କୁ ଦେବା ବିଷୟରେ ଉଲ୍ଲେଖ କରିଥିଲେ । ଶେଷରେ ତାଙ୍କ ଚିଠିପତ୍ର, ଦସ୍ତାବିଜ, ଅସଂପୂର୍ଣ୍ଣ ପାଣ୍ଡୁଲିପି ଆଦିକୁ ମୃତ୍ୟୁ ପରେ ପୋତି ଦେବା ପାଇଁ ଲେଖିଥିଲେ ।[୧୦]
{{cite news}}
: Missing or empty |title=
(help)[permanent dead link]