ପଦ୍ମଶ୍ରୀ ଡି ପ୍ରକାଶ ରାଓ | |
---|---|
ଜନ୍ମ | ଦେବରପଲ୍ଲୀ ପ୍ରକାଶ ରାଓ[୧] ୧୧ ନଭେମ୍ବର ୧୯୫୮ |
ମୃତ୍ୟୁ | ୧୩ ଜାନୁଆରୀ ୨୦୨୧ | (ବୟସ ୬୨)
ମୃତ୍ୟୁର କାରଣ | କରୋନାଭୂତାଣୁ ଜନିତ ମୃତ୍ୟୁ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସମାଜସେବା |
ବୈବାହିକ-ସାଥୀ | ବିଜୟଲକ୍ଷ୍ମୀ |
ସନ୍ତାନ | ହରିପ୍ରିୟା, ଭାନୁପ୍ରିୟା |
ପିତାମାତା(s) | ଡି କ୍ରୀଷ୍ଣମୂର୍ତ୍ତୀ, ଡି ଲକ୍ଷ୍ମୀ |
ଦେବରପଲ୍ଲୀ ପ୍ରକାଶ ରାଓ (ଡି ପ୍ରକାଶ ରାଓ ନାମରେ ଜଣା) (୧୧ ନଭେମ୍ବର ୧୯୫୮ - ୧୩ ଜାନୁଆରୀ ୨୦୨୧) ଓଡ଼ିଶାର ଜଣେ ସମାଜସେବୀ ଥିଲେ । ସେ କଟକରେ ବିଭିନ୍ନ ବସ୍ତିରେ ରହୁଥିବା ଗରିବ ଓ ଅନାଥ ଶିଶୁମାନଙ୍କ ପାଇଁ ଶିକ୍ଷାଦାନର ବ୍ୟବସ୍ଥା ଓ ରକ୍ତଦାନ ଭଳି ସମାଜସେବା ନିମନ୍ତେ ୨୦୧୯ ମସିହାରେ ଭାରତର ସାଧାରଣତନ୍ତ୍ର ଦିବସରେ ତତ୍କାଳୀନ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ବୃତ୍ତିରେ ସେ ଜଣେ ଚା' ବିକାଳି ଥିଲେ ।
୨୦୨୧ ମସିହା ଜାନୁଆରୀ ୧୩ ତାରିଖରେ ସେ କରୋନାଭୂତାଣୁଦ୍ୱାରା ଆକ୍ରାନ୍ତ ହୋଇ ୬୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଡି ପ୍ରକାଶ ରାଓ କଟକଠାରେ ୧୯୫୮ ମସିହା ନଭେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପିତା ଡି କୃଷ୍ଣମୂର୍ତ୍ତୀ ଓ ସେ ବ୍ରିଟିଶ ସେନାରେ ସୈନିକ ଥିଲେ । ମାତାଙ୍କ ନାମ ଥିଲା ଡି ଲକ୍ଷ୍ମୀ । ମାତାପିତାଙ୍କ ତିନିଟି ସନ୍ତାନ ମଧ୍ୟରୁ ପ୍ରକାଶ ଜ୍ୟେଷ୍ଠ ଥିଲେ ।[୨] ରାଓଙ୍କ ଅଣଜେଜେ ଡି ଆପାଲସ୍ୱାମୀ ଆନ୍ଧ୍ର ପ୍ରଦେଶର କାକିନାଡ଼ାରୁ ଆସି କଟକରେ ରହୁଥିଲେ । ତାଙ୍କ ଜେଜେବାପା ଡି ଆଦି ନାରାୟଣ ସ୍ୱାମୀ ଥିଲେ ମଧୁବାବୁଙ୍କର ଜଣେ ନିକଟତମ ବ୍ୟକ୍ତି ଓ ସେ ଉତ୍କଳ ଟ୍ୟାନେରୀର ପରିଚାଳକ ଥିଲେ । ତାଙ୍କ ପିତା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସେ ଇଂରେଜମାନଙ୍କ ତରଫରୁ ଜାପାନ ବିରୋଧରେ ଯୁଦ୍ଧ କରିଥିଲେ । ବିଶ୍ୱଯୁଦ୍ଧ ପରେ ସେ କଟକରେ ଏକ ଖବରକାଗଜ ସଂସ୍ଥାରେ କାମ କରୁଥିଲେ । ସେଠାରୁ ଚାକିରି ଯିବାପରେ ତାଳଚେର ରାଜାଙ୍କଠୁ ୫ଟଙ୍କା ସାହାଯ୍ୟ ପାଇ ନିଜ ଚା ଦୋକାନ ଆରମ୍ଭ କରିଥିଲେ । ପିତାଙ୍କ ଦେହାନ୍ତ ପରେ ଡି ପ୍ରକାଶ ରାଓ ସେହି ଚା ଦୋକାନ ସମ୍ଭାଳୁଥିଲେ ।[୩] ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ଜଣେ ନର୍ସ ଭାବେ କାମ କରନ୍ତି । ରାଓ ଦମ୍ପତ୍ତିଙ୍କ ଦୁଇ ଝିଅ ହରିପ୍ରିୟା ଏବଂ ଭାନୁପ୍ରିୟା ଅଛନ୍ତି ।
ରାଓ "ଆଶା ଓ ଅନୁସନ୍ଧାନ" ନାମକ ଏକ ସ୍କୁଲ ସ୍ଥାପନା କରିଥିଲେ । ସ୍ଥାନୀୟ ବସ୍ତିଗୁଡ଼ିକରେ ଛୋଟ ପିଲାମାନେ ଶିକ୍ଷାଲାଭରୁ ବଞ୍ଚିତ ହୋଇ ମଦ୍ୟପାନ ଓ ଛୋଟବଡ଼ ଅପରାଧରେ ନିବୃତ୍ତ ହେବା ଦେଖି ସେ ଏହି ସ୍କୁଲ ଆରମ୍ଭ କରିଥିଲେ । ନିଜେ ସ୍କୁଲ ଅଧାରୁ ବନ୍ଦ କରିଥିଲେ ମଧ୍ୟ ସେ ଏହି ସ୍କୁଲରେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଯାଏଁ ପିଲାଙ୍କୁ ସେଠାରେ ଶିକ୍ଷାଦାନର ବନ୍ଦୋବସ୍ତ କରାଇଥିଲେ ।[୪] ବର୍ତ୍ତମାନ ସେଠାରେ ୭୫ଜଣ ଛାତ୍ର ପାଠ ପଢୁଛନ୍ତି ।[୫] ଚା' ଦୋକାନରୁ ହେଉଥିବା ଆୟର ଅଧା ସେ ଏହି ସ୍କୁଲ ପରିଚାଳନାରେ ଖର୍ଚ୍ଚ କରୁଥିଲେ ।[୬] ସେ ସକାଳୁ ବକ୍ସି ବଜାରସ୍ଥିତ ନିଜ ଚା ଦୋକାନରେ ବିକ୍ରିବଟା ସାରି କଟକ ବଡ଼ ଡାକ୍ତରଖାନାକୁ ସବୁଦିନ ଯାଉଥିଲେ । ସେଠାରେ ରୋଗୀମାନଙ୍କର ଯେକୌଣସି ଆବଶ୍ୟକୀୟ ସେବା ସେ ନିଜ ସାଧ୍ୟମତେ କରୁଥିଲେ । ସେ ୨୧୭ଥର ରକ୍ତଦାନ କରିସାରିଥିଲେ ।[୭] ମୃତ୍ୟୁପରେ ନିଜ ଶରୀରଦାନ କରିବାକୁ ମଧ୍ୟ ସଂକଳ୍ପ ମଧ୍ୟ ନେଇଥିଲେ ।
କରୋନାଭୂତାଣୁ ରୋଗ ୨୦୧୯ରେ ପୀଡ଼ିତ ହୋଇ, ରାଓଙ୍କର କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ଅବସ୍ଥାରେ ୨୦୨୧ ମସିହା ଜାନୁଆରୀ ୧୩ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।[୧୦]