ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର | |
---|---|
![]() | |
ଜନ୍ମ | ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ୧୩ ଡିସେମ୍ବର ୧୮୩୫ ଖଣ୍ଡପଡ଼ା |
ମୃତ୍ୟୁ | ୧୧ ଜୁନ ୧୯୦୪ ପୁରୀ | (ବୟସ ୬୮)
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ପଠାଣି ସାମନ୍ତ |
ବୃତ୍ତି | ଜ୍ୟୋତିର୍ବିଦ |
ଉଲ୍ଲେଖନୀୟ କୃତି | ସିଦ୍ଧାନ୍ତ ଦର୍ପଣ |
ପିତାମାତା | ଶ୍ୟାମବନ୍ଧୁ ସିଂହ, ବିଷ୍ଣୁମାଳୀ ଦେବୀ |
ପୁରସ୍କାର | ମହାମହୋପାଧ୍ୟାୟ |
ସିଦ୍ଧାନ୍ତ ଦର୍ପଣରେ ଦସ୍ତଖତ | |
![]() |
ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର, ପଠାଣି ସାମନ୍ତ ନାମରେ ପରିଚିତ, ଜଣେ ଭାରତୀୟ ଜ୍ୟୋତିର୍ବିଦ, ଗଣିତଜ୍ଞ ଓ ବିଦ୍ୱାନ ଥିଲେ ।[୧][୨] ସେ ବାଉଁଶ ନଳୀ ସାହାଯ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ଗଣନା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବା ନିମନ୍ତେ ଜଣା। ସେ ନିଜ ଗବେଷଣା ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ରଚନା କରି ପ୍ରକାଶ କରିଥିଲେ । ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ନାମ ଏକ ପାଞ୍ଜି ପ୍ରଚଳିତ ।
ପଠାଣି ସାମନ୍ତ ୧୮୩୫ ମସିହା ଡିସେମ୍ବର ୧୩ତାରିଖ[୩] ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ା ରାଜବଂଶରେ ଜନ୍ମଗ୍ରହଣ କରିଥିଲେ । ଖଣ୍ଡପଡ଼ା ନିକଟସ୍ଥ ଖୁଣ୍ଟୁପଡ଼ା ଗ୍ରାମସ୍ଥିତ ମହାଦେବ ଚନ୍ଦ୍ରଶେଖରଙ୍କ ପ୍ରସାଦରୁ ସେ ଜନ୍ମନେଇଥିବା ବିଶ୍ୱାସ କରି ପିତାମାତା ତାଙ୍କର ନାମ ଚନ୍ଦ୍ରଶେଖର ରଖିଥିଲେ । ତାଙ୍କ ଆଗରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ମରିଯାଇଥିବାରୁ ସେମାନେ ତାଙ୍କର ଅପର୍ତ୍ତ୍ୟାଣି ନାମ ପଠାଣି ରଖିଥିଲର । ସେ ଗୁରୁ କୃତ୍ତିବାସ ରଥଙ୍କଠାରୁ ବାଲ୍ୟଶିକ୍ଷା ଓ ଗୁରୁ ପଣ୍ଡିତ ଆନନ୍ଦ ଖାଡ଼ଙ୍ଗାଙ୍କଠାରୁ ସଂସ୍କୃତ ଶିକ୍ଷାଲାଭ କରିଥିଲେ ।[୪] ତାଙ୍କ ବାପା ସେହି ସମୟରେ ଜଣେ ପ୍ରଧାନ ଗାଣିତିକ ଓ ଜ୍ୟୋତିଷ ଥିଲେ ଓ ସେ ବାପାଙ୍କଠାରୁ ଶାସ୍ତ୍ର ଆଲୋଚନା ମାଧ୍ୟମରେ ଶିକ୍ଷାଲାଭ କରିଥିଲେ । ସେ ପୁରାତନ ଜ୍ୟୋତିଷ ଶାସ୍ତ୍ରମାନ ଅଧ୍ୟୟନ କରି ତାରା ଜଗତର ଗତିବିଧି ଅନୁଧ୍ୟାନ କରିବା ସହ ସୂକ୍ଷ୍ମ ଯନ୍ତ୍ରମାନ ଉଦ୍ଭାବନ କରିଥିଲେ । ଦୁଇଗୋଟି ବାଉଁଶନଳୀ ସାହାଯ୍ୟରେ ଦୂରଦୂରାନ୍ତର ଗ୍ରହ ମଣ୍ଡଳର ନକ୍ଷତ୍ରମାନଙ୍କର ଗତି ଅବଲୋକନ କରି ସେ ଉପନୀତ ହୋଇଥିବା ସିଦ୍ଧାନ୍ତ ପୁରାତନ ସଂସ୍କୃତ ଜ୍ୟୋତିଷ ଶାସ୍ତ୍ରର ସିଦ୍ଧାନ୍ତ ସହିତ ଅନେକାଂରେ ଅସମାନ ଥିଲା । ତାଙ୍କର ସିଦ୍ଧାନ୍ତରୁ ପ୍ରମାଣିତ ହେଲା ଯେ ପୁରାତନ ଭାରତୀୟ ଜ୍ୟୋତିର୍ବିଦମାନଙ୍କ ଗଣନା ଦିବସରୁ ନକ୍ଷତ୍ର ଜଗତର ସ୍ଥିତି ଗତିର ବଦଳିଯାଇଛି । ତାଙ୍କ ନୂତନ ମୌଳିକ ଗଣନା ଅନୁଯାୟୀ ସେ ସିଦ୍ଧାନ୍ତ ଦର୍ପଣ ପୋଥି ରଚନା କରିଥିଲେ ।[୫]
ପଠାଣି ସାମନ୍ତ ୧୮୬୯ ମସିହା ମେଷ ସଂକ୍ରମଣ ଦିନ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥର ରଚନା ଆରମ୍ଭ କରିଥିଲେ । ୩୪ବର୍ଷ ବୟସରୁ ଆରମ୍ଭ କରିଥିବା ଏହି ଗ୍ରନ୍ଥ ମୁକୁନ୍ଦ ଦେବଙ୍କ ୧୪ଶ ଅଙ୍କ ମାର୍ଗଶୀର କୃଷ୍ଣ ନବମୀ ଶନିବାର ଅର୍ଥାତ ୧୮୯୨ ମସିହା ନଭେମ୍ବର ୧୨ତାରିଖ ଦିନ ସମାପ୍ତ ହୋଇଥିଲା । ଏଥିରେ ସଂସ୍କୃତରେ ପଦ୍ୟାବଳୀ ଭାବେ ୨୪ଟି ବିଭାଗ ଏବଂ ୨୫୦୦ଟି ଶ୍ଳୋକ ସ୍ଥାନିତ ହୋଇଛି । ଏଥିମଧ୍ୟରୁ ୨୨୮୪ଟି ଶ୍ଳୋକ ସାମନ୍ତଙ୍କଦ୍ୱାରା ରଚିତ ହୋଇଥିବା ବେଳେ ଅବଶିଷ୍ଟ ପୁରାତନ ସିଦ୍ଧାନ୍ତମାନଙ୍କରୁ ଗୃହୀତ । ଏହି ଗ୍ରନ୍ଥ ମଧ୍ୟାଧିକାର, ସ୍ଫୁଟାଧିକାର, ତ୍ରିପ୍ରଶ୍ନାଧିକାର, ଗୋଳାଧିକାର ଓ କାଳାଧିକାର ପରି ପଞ୍ଚ ଅଧିକାରରେ ବିଭକ୍ତ । ତାଳପତ୍ରରେ ସେ ଲେଖିଥିବା ମୂଳ ପୋଥିରୁ ଘନଶ୍ୟାମ ମିଶ୍ର କାଗଜକୁ ଉତ୍ତାରିଥିଲେ । ତତ୍କାଳୀନ କରଦରାଜ୍ୟ ସମୂହର ତଦନାନ୍ତୀନ ସହକାରୀ ସୁପରିଟେଣ୍ଡେଣ୍ଟ ସୁଦାମ ଚରଣ ନାୟକଙ୍କ ଉଦ୍ୟମରେ ଆଠମଲ୍ଲିକ ରାଜା ମହେନ୍ଦ୍ର ଦେଓ ଓ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଆର୍ଥିକ ସହାୟତା କ୍ରମେ କଲିକତାସ୍ଥିତ ଗିରୀଶ ବିଦ୍ୟାରତ୍ନ ମୁଦ୍ରଣାଳୟରେ ୧୮୯୪ ମସିହାରେ ଛାପାକାର୍ଯ୍ୟ ଆରମ୍ଭ ହୋଇଥିଲା ।[୬]
ଏହି ଗ୍ରନ୍ଥଟି ପାଖାପାଖି ୧୦୦ ବର୍ଷ ପର୍ଯ୍ୟନ୍ତ ଅନାଲୋଚିତ ହୋଇ ରହିଥିଲା । ଅଧ୍ୟାପକ ଯୋଗେଶଚନ୍ଦ୍ର ରାୟ ବିଦ୍ୟାନିଧି ନେଚର କଲେଜ ନାମକ ପତ୍ରିକାରେ ଏ ବିଷୟରେ ଏକ ଲେଖା ପ୍ରକାଶ କରି ଏହାକୁ ଲୋକଲୋଚନକୁ ଆଣିଥିଲେ । ପଦାର୍ଥବିଜ୍ଞାନୀ ଲକ୍ଷ୍ମୀଧର ଶତପଥି ଓ ପ୍ରହଲ୍ଲାଦ ଚନ୍ଦ୍ର ନାୟକ ମିଳିତ ଭାବେ ସାମନ୍ତଙ୍କ ସମ୍ବନ୍ଧରେ କେତୋଟି ପ୍ରବନ୍ଧ ପ୍ରକାଶ କରିଛନ୍ତି । କେତକ ଭାରତୀୟ ଓ ଅଣ-ଭାରତୀୟ ବୈଜ୍ଞାନିକଙ୍କ ଚେଷ୍ଟାରେ ତାଙ୍କ ସମ୍ବନ୍ଧରେ ବୌଦ୍ଧିକ ଅବଦାନ ନାମକ ପୁସ୍ତକ ପ୍ରକାଶିତ ହୋଇଛି ।[୭]
ପଠାଣି ସାମନ୍ତଙ୍କ ତିଆରି କେତୋଟି ଯନ୍ତ୍ର ମଧ୍ୟରୁ ଗୋଲଯନ୍ତ୍ର, ସୂର୍ଯ୍ୟଙ୍କ ଗତିକୁ ନେଇ ସମୟ ନିରୂପଣ ପାଇଁ ସୂର୍ଯ୍ୟଘଡ଼ି ବା ସୂର୍ଯ୍ୟଘଟିକା, ଶଙ୍କୁଦଣ୍ଡ, ଉଲମ୍ବୀ ଚକ୍ର, ମାନଯନ୍ତ୍ର ଓ ଖଗୋଳଯନ୍ତ୍ର ଆଦି ଅନ୍ୟତମ ।
ଲୋକମୁଖରେ କଥିତ ଯେ ନିଜର ଜାତକ ଗଣନା କରି ନିଜର ମୃତ୍ୟୁ ସମୟ ବହୁ ପୂର୍ବରୁ ଜାଣିପାରି ଅନ୍ତିମ କାଳରେ ସେ ପୁରୀରେ ଅବସ୍ଥାନ କରୁଥିଲେ । ସେଠାରେ ୧୯୦୪ ଜୁନ ୧୧ରେ ତାଙ୍କର ଦେହାନ୍ତ ହୋଇଥିଲା । ରାଧାନାଥ ରାୟ ତାଙ୍କର ପ୍ରତିଭା ଓ କୃତିକୁ ଲକ୍ଷ୍ୟକରି ଦରବାର କବିତାରେ ଲେଖିଥିଲେ,
ଉତ୍କଳମାତାର ଯୋଗ୍ୟତମ ସୂତ,
ତୁମ୍ଭ ଯୋଗୁଁ ଆମ୍ଭେ ସର୍ବେ ହେଲୁ ପୂତ,
ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ,
ନର ଦେହେଥିବ ଯାବତ ହୃଦୟ।
ତାଙ୍କୁ ସମ୍ମାନ ଜଣାଇ ଓଡ଼ିଶା ସରକାର ଭୁବନେଶ୍ୱରଠାରେ ପଠାଣି ସାମନ୍ତ ପ୍ଲାନେଟୋରିଅମ ତିଆରି କରିଥିଲେ । ୧୯୧୫ ମସିହା ଅଗଷ୍ଟ ମାସ ପହିଲାରେ ପୁରୀଠାରେ ଚନ୍ଦ୍ରଶେଖର ହଲ ପ୍ରତିଷ୍ଠା କରାଯାଇଥିଲା । ସେଠାରେ ଗୋପାଳ ଚନ୍ଦ୍ର ପ୍ରହରାଜ ଚନ୍ଦ୍ରଶେଖରଙ୍କ ସ୍ମୃତିତର୍ପଣ କରି କହିଥିଲେ, "ନିଜ ଦେଶରେ ନିଜ ଗ୍ରାମରେ, ଆପଣା ଜୀବିତ କାଳରେ ମହାପୁରୁଷମାନେ ସମ୍ମାନିତ ହେବାର ମହାପୁରୁଷମାନଙ୍କର ଜୀବନରେ କ୍ୱଚିତ୍ ଘଟିଥାଏ । ଆମ ଦେଶର 'ଗାଁ କନିଆଁ ସିଙ୍ଘାଣିନାକୀ' ଏବଂ 'ଗାଁ ବଳଦ ଗାଁରେ ବିକାଯାଏ ନାହିଁ' ପ୍ରଭୃତି ପ୍ରବଚନ ଏହି ଉକ୍ତିର ସତ୍ୟତା ପ୍ରତିପାଦନ କରୁଅଛି ।"
Mahamahopadhyaya Chandra Sekhar Simha Samanta Harichandan Mohapatra, popularly in Orissa as Pathani Samanta
He was born on 13/12/1835 at Khandapada