ପରମାନନ୍ଦ ଆଚାର୍ଯ୍ୟ | |
---|---|
ଜନ୍ମ | ବୈଦ୍ୟପୁର, ଓଡ଼ିଶା, ଭାରତ | ୧୯ ଅଗଷ୍ଟ ୧୮୯୩
ମୃତ୍ୟୁ | ୧୧ ଅପ୍ରେଲ ୧୯୭୧ | (ବୟସ ୭୭)
ବୃତ୍ତି | ପ୍ରତ୍ନତତ୍ତ୍ୱବିତ୍ |
ସକ୍ରିୟ ବର୍ଷ | ୧୯୨୪ - ୧୯୭୧ |
ପ୍ରସିଦ୍ଧି | ଓଡ଼ିଶା ଇତିହାସ ଉପରେ ଗବେଷଣା |
ପୁରସ୍କାର | ପଦ୍ମଶ୍ରୀ |
ପରମାନନ୍ଦ ଆଚାର୍ଯ୍ୟ (୧୮୯୩ - ୧୯୭୧) ଓଡ଼ିଶାର ସର୍ବପ୍ରଥମ ପ୍ରତ୍ନତତ୍ତ୍ୱବିତ ଥିଲେ[୧] । ସେ ଓଡ଼ିଶାର ପୁରାତତ୍ତ୍ୱ ଉପରେ ଗବେଷଣା ଯୋଗୁ ଉଲ୍ଲେଖନୀୟ ହୋଇଥିଲେ ।[୨] ୧୯୬୪ ମସିହାରେ ଭାରତର ଚତୁର୍ଥ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ତାଙ୍କୁ ଭାରତ ସରକାର ଦେଇଥିଲେ ।[୩]
ପରମାନନ୍ଦ ଆଚାର୍ଯ୍ୟ ଭାରତର ଓଡ଼ିଶା ପ୍ରଦେଶର ବୈଦ୍ୟପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଅମର୍ଦା ଏମ.ଇ. ସ୍କୁଲ ଶିକ୍ଷା ଓ ବାରିପଦାରେ ହାଇସ୍କୁଲ ଶିକ୍ଷା ସମାପ୍ତ କରି ସେ କଲିକତା (ଏବେକାର କୋଲକାତା) ବିଶ୍ୱବିଦ୍ୟାଳୟରୁ ୧୯୨୩ରେ ସମ୍ମାନ ସହିତ ଉଦ୍ଭିଦ ବିଜ୍ଞାନରେ ସ୍ନାତକ ହୋଇଥିଲେ । [୨]
ତଦାନନ୍ତୀନ ମୟୂରଭଞ୍ଜ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ଉପଦେଶ ଅନୁସାରେ ସେ ମାସ୍ଟର ଡିଗ୍ରୀ ପଢ଼ିବା ତ୍ୟାଗ କରି ବିଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ରାଏ ବାହାଦୂର ରାମପ୍ରସାଦ ଚାନ୍ଦଙ୍କର ଟିମ୍ରେ ସନ ୧୯୨୪ରେ ଯୋଗ ଦେଲେ । ପୁରାତତ୍ତ୍ୱ ବିଷୟରେ ତାଙ୍କର କୌଣସି ଔପଚାରିକ ଶିକ୍ଷା ନ ଥିଲେ ମଧ୍ୟ ମୟୂରଭଞ୍ଜ ରାଜ୍ୟ ସ୍ଥାପିତ ପ୍ରତ୍ନତତ୍ତ୍ୱ ବିଭାଗରେ ସେ ସନ ୧୯୨୫ରେ ଯୋଗଦାନ କଲେ ଓ ଛାତ୍ର ଭାବରେ ଡିପାର୍ଟମେଣ୍ଟରେ ରହିଲେ ।[୨] ତାଙ୍କର ପ୍ରଥମ କାର୍ଯ୍ୟ ସ୍ଥଳ ଥିଲା ଖିଚିଂ ଓ କୀଚକେଶ୍ୱରୀ ମନ୍ଦିରର ରକ୍ଷଣାବେକ୍ଷଣ କାମ ହାତକୁ ନେଇଥିଲେ । ଏହାପରେ ସେ ପାହାଡ଼ପୁରରେ (ବର୍ତ୍ତମାନ ବଙ୍ଗଳାଦେଶରେ ) ପ୍ରତ୍ନତତ୍ତ୍ୱ ବାବଦରେ ଅଧିକ ପ୍ରଶିକ୍ଷଣ ଲାଭ କରିଥିଲେ । ସେଠାରୁ ଫେରି ସେ ଖିଚିଂ ପାଖାପାଖି ଅଞ୍ଚଳରେ ଖନନ କରି ଅନେକ ମଧ୍ୟଯୁଗୀୟ ପୁରାତନ ମୂର୍ତ୍ତୀ ଉଦ୍ଧାର କରିଥିଲେ । ସେସବୁ ମୂର୍ତ୍ତୀକୁ ନେଇ ଖିଚିଂ ସଂଗ୍ରହାଳୟ ଆରମ୍ଭ କରାଯାଇଥିଲା । ୧୯୨୮ରେ ସେ ସେହି ସଂଗ୍ରହାଳୟର ମୁଖ୍ୟ ବରିଷ୍ଠ ପ୍ରତ୍ନତତ୍ତ୍ୱବିତ ଭାବରେ ନିଯୁକ୍ତ ହୋଇଥିଲେ । ୧୯୩୦ ମସିହାରେ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ନିର୍ଦ୍ଦେଶରେ ସେ ହରିହରପୁର ପ୍ରାସାଦର ପୁନରୁଦ୍ଧାର ଦାୟିତ୍ୱ ନେଇଥିଲେ । ୧୯୪୯ ମସିହାରେ ମୟୁରଭଞ୍ଜ ରାଜ୍ୟ ଓଡ଼ିଶା ସହିତ ବିଲୟ ହେବାପରେ, ପରମାନନ୍ଦ ରେଭେନ୍ସା ମହାବିଦ୍ୟାଳୟରେ ଥିବା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ ଓ ୧୯୫୦ରେ ସେହି ପଦବୀରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଦାୟିତ୍ୱ ନେଇଥିଲେ । ୧୯୫୫ରେ ସେ ପୁନର୍ବାର ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକ୍ଷକ ଦାୟିତ୍ୱ ଗ୍ରହଣ କରିଥିଲେ ।[୪]