ପ୍ରଥମ ପ୍ରତିଶ୍ରୁତି | |
---|---|
ଲେଖକ | ଆଶାପୂର୍ଣ୍ଣା ଦେବୀ |
ମୂଳ ନାମ | প্রথম প্রতিশ্রুতি |
ଅନୁବାଦକ | ଇନ୍ଦିରା ଚୌଧୁରୀ(ଇଂରାଜୀ) ଚିତ୍ତରଞ୍ଜନ ଦାସ(ଓଡ଼ିଆ) |
ଦେଶ | ଭାରତ |
ଭାଷା | ବଙ୍ଗାଳୀ |
ବିଭାଗ | ନାରୀବାଦୀ ଉପନ୍ୟାସ |
ପ୍ରକାଶ ତାରିଖ | ୧୯୬୪ |
ପ୍ରଥମ ପ୍ରତିଶ୍ରୁତି ଆଶାପୂର୍ଣ୍ଣା ଦେବୀଙ୍କର ୧୯୬୪ ମସିହାରେ ପ୍ରକାଶିତ ଏକ ବଙ୍ଗଳା ଉପନ୍ୟାସ । ଲେଖିକାଙ୍କର ଏହା ଏକ ମହାନ କୃତି ଭାବରେ ବିବେଚନା କରାଯାଏ ଓ ଏଥିରେ ସେତେବେଳର ସମାଜର ରୀତିନୀତି, ସାମାଜିକ ଚଳଣି, ସମାଜରେ ମହିଳାଙ୍କର ସ୍ଥିତି ଇତ୍ୟାଦି ଖୁବ ନିଚ୍ଛକ ଭାବରେ ବର୍ଣ୍ଣନା କରାଯାଇଅଛି । କାହାଣୀର ମୁଖ୍ୟଚରିତ୍ର ସତ୍ୟବତୀକୁ ସାମାଜିକ ନୀତିନିୟମ ବଜାୟ ରଖିବା ପାଇଁ ଆଠ ବର୍ଷ ବୟସରେ ବିବାହ କରିଦିଆଯାଇଛି ଏବଂ ବ୍ରାହ୍ମଣ ସମାଜର ନିୟମଗୁଡିକ ମଧ୍ୟରେ କଡ଼ା ନଜରରେ ରଖାଯାଇଛି । ଏହି ଉପନ୍ୟାସରେ ପୁରୁଷ ପ୍ରଧାନ ସାମାଜ ବିରୁଦ୍ଧରେ ଲଢେଇ କରି ନାରୀମାନଙ୍କର ମର୍ଯ୍ୟାଦା ପ୍ରତିଷ୍ଠା କରିବା ପାଇଁ ସତ୍ୟବତୀର ସଂଗ୍ରାମ କଥା କୁହାଯାଇଅଛି । ଏହି ଉପନ୍ୟାସ ୧୯୬୫ରେ ରବୀନ୍ଦ୍ର ପୁରସ୍କାର ଏବଂ ୧୯୭୬ରେ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲା |
ମୁଁ ମୁଖ୍ୟତଃ ମହିଳାଙ୍କ ଉପରେ ଚିନ୍ତା କରେ ଏବଂ ଲେଖେ କାରଣ ମୁଁ ସେମାନଙ୍କ ବିବଶତା ଦେଖିଛି ଏବଂ ତାହାହିଁ ମୁଁ ଭଲଭାବରେ ଜାଣିଛି । କାଳକ୍ରମେ ମୋ ଭିତରେ ଚାପି ହୋଇରହିଥିବା ବିଦ୍ରୋହର ବାଦଲ, ଉପନ୍ୟାସର ନାୟିକା ସତ୍ୟବତୀ ଦେଇ ବର୍ଷିଯାଇଛି ।
— ଆଶାପୂର୍ଣ୍ଣା ଦେବୀ[୧]
ଶୀର୍ଷକ ପ୍ରଥମ ପ୍ରତିଶ୍ରୁତି ନାୟିକା ସତ୍ୟବତୀ ତା ଝିଅ ସୁବର୍ଣ୍ଣାକୁ ଶିକ୍ଷିତା କରିବା ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ବୁଝାଏ ଯଦିଓ ସେଥିରେ ସେ ବିଫଳ ହୋଇଛି | ସମାଲୋଚିକା ମାଧୁରୀ ଚାଟାର୍ଜୀ ଉଲ୍ଲେଖ କରିଛନ୍ତି ଯେ ଏହି ଆଖ୍ୟାକୁ ସକାରାତ୍ମକ ଶବ୍ଦରେ ମଧ୍ୟ ବ୍ୟାଖ୍ୟା କରାଯାଇପାରେ - ଘର ଛାଡି ଚାଲିଯିବାବେଳେ ସତ୍ୟବତୀ ମହିଳାଙ୍କ ସ୍ଥିତିକୁ ନେଇ ଯେଉଁ ପ୍ରତିଶ୍ରୁତିର ଉତ୍ତର ମାଗିଥିଲା, ଏହା ସେହି ପ୍ରତିଶ୍ରୁତିକୁ ବୁଝାଏ ।[୨]
୪୮ଟି ଅଧ୍ୟାୟ ବିଶିଷ୍ଟ ଏହି ଉପନ୍ୟାସରେ ପ୍ରାୟ ୫୦ଜଣ ଚରିତ୍ର ଅଛନ୍ତି |[୩] ମୁଖ୍ୟ ଚରିତ୍ରଗଣ ହେଲେ:[୪]
ଏହି ଉପନ୍ୟାସର ଘଟଣାବଳୀ ଗୁଡ଼ିକ ଉନବିଂଶ ଶତାବ୍ଦୀର ଶେଷ ଦଶନ୍ଧି ବେଳକୁ ପ୍ରଥମେ ଅବିଭକ୍ତ ବଙ୍ଗଳାର ଏକ ସୁଦୂର ଗାଁ ଏବଂ ତା’ପରେ କଲିକତାରେ ଘଟିଯାଇଅଛି | ଏହାର ବିଷୟବସ୍ତୁ ଏପରି ଏକ ସାମାଜିକ ଢାଞ୍ଚାକୁ କେନ୍ଦ୍ରକରି ଗଢ଼ାଯାଇଛି ଯାହା ଅନ୍ଧବିଶ୍ୱାସ, କୁସଂସ୍କାର ତଥା ମହିଳାଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଉପରେ ଆଧାରିତ | ସତ୍ୟବତୀ ମହିଳାଙ୍କୁ ତୁଚ୍ଛ ନଜରରେ ଦେଖୁଥିବା ପୁରୁଷପ୍ରଧାନ ଜଗତ ବିରୁଦ୍ଧରେ ବିଦ୍ରୋହ କରିବାପାଇଁ ସତତ ସକ୍ରିୟ ଭୂମିକା ଗ୍ରହଣ କରିଚି । ନିର୍ଭୀକ, ସ୍ପଷ୍ଚବାଦୀ ସତ୍ୟବତୀ ପିଲାଟିଦିନରୁ ସମାଜର ଅନ୍ୟାୟ ଅନୀତିକୁ ଦର୍ଶାଇ ନାରୀମାନଙ୍କର ସ୍ଥିତିକୁ ସମାଜରେ ମର୍ଯ୍ୟାଦାସମ୍ପନ୍ନ କରି ତୋଳିଛି |[୪]
କାହାଣୀର ଏକ ମୁଖ୍ୟ ଚରିତ୍ର, ଜଣେ ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଧିକାରୀ ତଥା ଆୟୁର୍ବେଦୀୟ ଚିକିତ୍ସକ ରାମକାଳୀ ଚାଟାର୍ଜୀଙ୍କର ବର୍ଦ୍ଧିତ ଯୌଥ ପରିବାରର ବିଧବା ମହିଳାଗଣ ସକାଳୁ ସନ୍ଧ୍ୟା ଯାଏଁ ଘରର ଯାବତୀୟ ସାଂସାରିକ ନୀତିନିୟମ ଗୁଡ଼ିକର ସଠିକ ଭାବରେ ପାଳନ ହେଉଛି କି ନାହିଁ ତାହା ତଦାରଖ କରନ୍ତି | ସେମାନେ ବିଧବାଙ୍କ ପାଇଁ ପାଳନୀୟ ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ମାନନ୍ତି, ଏବଂ ପରିବାରର ଅନ୍ୟ ମହିଳାମାନଙ୍କୁ ପୁରୁଷସମାଜର ନିୟମ ଗୁଡ଼ିକୁ ପାଳନ କରି ଶିଖିବାକୁ ବାଧ୍ୟ କରାନ୍ତି । ଏମାନଙ୍କ ମଧ୍ୟରୁ କେବଳ ସତ୍ୟବତୀ ଅନ୍ୟ ମହିଳାଙ୍କ ଭର୍ତ୍ସନା ସତ୍ତ୍ୱେ ରୀତିନୀତିକୁ ଉଲ୍ଲଙ୍ଘନ କରେ, ଯାହା ପଛରେ ଥାଏ ତା’ ପିତାଙ୍କର ନୀରବ ପ୍ରତ୍ସୋହନ । ରାମକାଳୀ ତାକୁ ନିଜର ଛାତ୍ରୀ ଭାବରେ ଗ୍ରହଣ କରନ୍ତି |[୪]
ଘରଯୋଗ୍ୟା ହେବାପରେ ସତ୍ୟବତୀ, ଯାହାର ନବକୁମାର ସହିତ ବହୁଆଗରୁ ବିବାହ ସରିଛି, ଶାଶୁଘରକୁ ବିଦା ହେଉଛି । ସେଠାରେ ତା’ର ରୋକ୍ଠୋକ୍ ବ୍ୟବହାର ଯୋଗୁଁ ତାକୁ ଶାଶୁଙ୍କଦ୍ୱାରା ବହୁ ପ୍ରକାରେ ନିର୍ଯାତିତ ହେବାକୁ ପଡ଼ିଛି | ବିଚରା ନବକୁମାର ସ୍ତ୍ରୀର ଏ ଦଶା ଦେଖିନପାରି ଭବତୋଷ ମାଷ୍ଟ୍ରଙ୍କଦ୍ୱାରା ପ୍ରବୁଦ୍ଧ ହୋଇ ରାମକାଳୀଙ୍କୁ ଝିଅକୁ ନେଇଯିବା ପାଇଁ ପତ୍ର ଲେଖିଥିଲା । କିନ୍ତୁ, ସତ୍ୟବତୀ ଯେତେ ଦୁର୍ବ୍ୟବହାର, ଅସଦାଚରଣ, ବିପଦଆପଦ ସତ୍ତ୍ୱେ ତାର ଅଧିକାର ପାଇଁ ସଂଗ୍ରାମ କରିବାକୁ ପସନ୍ଦ କରେ ବୋଲି କହି ବାପାଙ୍କୁ ଫେରାଇଦେଇଛି । ଯେତେବେଳେ ନବକୁମାର ଅସୁସ୍ଥ ହୋଇପଡ଼ିଛି, ସେତେବେଳେ ସତ୍ୟବତୀ ୟୁରୋପୀୟ ଡାକ୍ତର ଡକାଇ ଚିକିତ୍ସା କରାଇ ତା’ର ଜୀବନ ବଞ୍ଚାଇବାରେ ସଫଳ ହୋଇଛି | ତା’ପରେ ସେ ନବକୁମାରକୁ କଲିକତାରେ ଚାକିରୀ କରିବାପାଇଁ ପ୍ରରୋଚିତ କରିପାରିଛି , ଯାହାଦ୍ୱାରା ସେ ପିଲାଙ୍କ ଉତ୍ତମ ଶିକ୍ଷା ବ୍ୟବସ୍ଥା କରିପାରିଛି । ପରବର୍ତ୍ତୀ ସମୟରେ ସେ ମଧ୍ୟ ଏକ ବାଳିକା ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଜୀବନ ଆରମ୍ଭ କରିଛି । ଘଟଣାକ୍ରମରେ ତା’ର ଶଙ୍କରୀ ଓ ତା’ର ଅବୈଧ କନ୍ୟା ସୁହସିନୀ ସହିତ ଭେଟ ହୋଇଛି । ଶଙ୍କରୀର ଆତ୍ମହତ୍ୟା ପରେ ସୁହାସିନୀକୁ ଘରକୁ ଆଣି , ତାକୁ ପାଠ ପଢ଼ାଇ ସତ୍ୟବତୀ ଏକ ଦୃଢ଼ ବ୍ୟକ୍ତିତ୍ୱର ବିକାଶ କରାଇଛି |[୪]
ନବକୁମାର କିନ୍ତୁ ପରିବାର ବାହାରେ ପତ୍ନୀର ଏ ସମାଜସେବାକୁ ପସନ୍ଦ କରିପାରେନାହିଁ | ବିଳମ୍ବିତ ଜୀବନରେ ସତ୍ୟବତୀ ପୁନର୍ବାର ଗର୍ଭବତୀ ହୋଇ ଗୁରୁତର ଅସୁସ୍ଥ ହୋଇପଡିଛି | ତାର ସେବାଯତ୍ନ ପାଇଁ ସ୍ୱାମୀ ପରିତ୍ୟକ୍ତା ସମ୍ପର୍କୀୟା ନଣନ୍ଦ ସୌଦାମିନୀକୁ ଗାଁରୁ ଅଣାଯାଏ । ସୌଦାମିନୀର ସ୍ୱାମୀ ମୁକୁନ୍ଦ ସେଠାରେ ପହଞ୍ଚି ତାକୁ ଫେରାଇ ଆଣିବାକୁ ଇଚ୍ଛା କରେ ଏବଂ ସତ୍ୟବତୀ ମଧ୍ୟ ଏହାକୁ ସମ୍ମତି ଜଣାଏ । ପରିସ୍ଥିତି କ୍ରମେ ସତ୍ୟବତୀ ଭବତୋଷ ମାଷ୍ଟ୍ରଙ୍କୁ ସୁହାସିନୀକୁ ବିବାହ କରିବାକୁ ପରାମର୍ଶ ଦେଇଛି, ଯାହା ସେ କରନ୍ତି । ତାଙ୍କ ଯତ୍ନ ଏବଂ ତତ୍ତ୍ୱାବଧାନରେ ସୁହସିନୀ ଜଣେ ଶିକ୍ଷୟିତ୍ରୀ ହୋଇପାରିଛି | ସତ୍ୟବତୀର ଝିଅ ସୁବର୍ଣ୍ଣାଲତାକୁ ଆଠ ବର୍ଷ ପରେ ସୁହସିନୀ ଶିକ୍ଷାଦାନ କରୁଥିବା ବିଦ୍ୟାଳୟରେ ପଢ଼ିବାକୁ ପଠାଯାଇଥିବାବେଳେ ଦୁଇ ପୁଅ ଯଥାକ୍ରମେ ଜଣେ ଡାକ୍ତର ଓ ଓକିଲ ହୁଅନ୍ତି । ସତ୍ୟବତୀ ବଡ଼ପୁଅକୁ ଜଣେ ଶିକ୍ଷିତା ଝିଅ ସହିତ ବିବାହ କରିବାକୁ ପ୍ରବନ୍ଧ କରୁଥିବାବେଳେ ତାର ସ୍ୱାମୀ ଓ ଶାଶୁ ଷଡ଼ଯନ୍ତ୍ର କରି ସତ୍ୟବତୀର ଅଜାଣତରେ ବାଳିକା ସୁବର୍ଣ୍ଣାଲତାକୁ ବିବାହ କରାଇଦେଇଛନ୍ତି । ଏହାକୁ ବିରୋଧ କରି ସତ୍ୟବତୀ ପୁଅର ବିବାହରେ ଯୋଗଦେବାକୁ ମନା କରି ସେ ସ୍ଥାନ ଛାଡି କାଶୀବାସରେ ଥିବା ରାମକାଳୀଙ୍କ ପାଖକୁ ଯାଇ ଯାହା ଘଟିଯାଇଛି ସେ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାକୁ ଯୋଜନା କରିଛି ।[୪]
ପ୍ରଥମ ପ୍ରତିଶ୍ରୁତି ଆଶାପୁର୍ଣ୍ଣ ଦେବୀଙ୍କର ଏକ ଉଲ୍ଲେଖନୀୟ କୃତି[୩] ଏବଂ ବଙ୍ଗଳା ସାହିତ୍ୟର ଏକ ପ୍ରମୁଖ ଉପନ୍ୟାସ ଭାବରେ ପରିଗଣିତ ହୁଏ |[୪] ଏହା ୧୯୬୫ରେ ରବୀନ୍ଦ୍ର ପୁରସ୍କାର ଏବଂ ୧୯୭୬ରେ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ ହୋଇଥିଲା ।[୫]
ସମାଲୋଚକ ମୁକୁଳ ଗୁହା ଉପନ୍ୟାସକୁ ଏହାର "ବାସ୍ତବବାଦୀ ସଂଳାପ" ଏବଂ "ଚିତ୍ତାକର୍ଷକ କାହାଣୀ" ପାଇଁ ପ୍ରଶଂସା କରିଥିଲେ ।[୪] ସମାଲୋଚକ ମାଧୁରୀ ଚାଟାର୍ଜୀ ଏହାକୁ "ନାରୀବାଦୀ ରଚନା" ବୋଲି କହିଥିଲେ । କାରଣ ଏହାର ନାୟିକା ସତ୍ୟବତୀ ସର୍ବଦା ମହିଳାଙ୍କ ସ୍ଥିତିକୁ ନେଇ ସଚେତନତା ସୃଷ୍ଟି କରିଛି ଏବଂ ସେ ସମାଜର ମୂଲ୍ୟାଙ୍କନକୁ ସ୍ୱୀକାର କରିନାହିଁ ।[୨]
୨୦୦୪ରେ ଇନ୍ଦିରା ଚୌଧୁରୀଙ୍କଦ୍ୱାରା ପ୍ରଥମ ପ୍ରତିଶ୍ରୁତି ବଙ୍ଗାଳୀରୁ ଇଂରାଜୀକୁ ଅନୁବାଦିତ ହୋଇଥିଲା । [୬] ୧୯୮୭ରେ ସମାନ ନାମରେ ଏହା ହିନ୍ଦୀ ଟେଲିଭିଜନ ଧାରାବାହିକରେ ରୂପାନ୍ତରିତ ହୋଇଥିଲା[୭]
<ref>
tag; name "KMGeorge1997" defined multiple times with different content