ବୁଢ଼ାରାଜା ଓଡ଼ିଶାର ସମ୍ବଲପୁରଠାରେ ଅବସ୍ଥିତ ଏକ କ୍ଷୁଦ୍ର ପାହାଡ଼ ।[୧] ଏହି ପାହାଡ଼ର ଶୀର୍ଷରେ ଏକ ଶିବ[୨] ମନ୍ଦିର ଅଛି ।[୩] ଆଗରୁ ମନ୍ଦିରକୁ ଯିବାକୁ ପାହାଚ ସବୁ ଥିଲେ ମଧ୍ୟ, ମନ୍ଦିରର ପୂର୍ବପଟେ ଥିବା ବୁଢ଼ାରାଜା ଅଞ୍ଚଳରୁ ଏକ ସୁନ୍ଦର କଂକ୍ରିଟ ରାସ୍ତା ନିର୍ମିତ ହୋଇଛି , ଯାହା ଦେଇ ମନ୍ଦିର ପ୍ରାଙ୍ଗଣ ଯାଏଁ ଯାନ ବାହାନ ଚଳାଚଳ କରିପାରେ । ମନ୍ଦିର ସନ୍ନିକଟ ଅଞ୍ଚଳରେ ଠିଆ ହୋଇ ଚତୁର୍ଦିଗରେ ସମ୍ବଲପୁର ସହରର ଦୃଶ୍ୟ ସହ ହୀରାକୁଦ ଜଳଭଣ୍ଡାର ମଧ୍ୟ ପରିଲକ୍ଷିତ ହେଇଥାଏ । ସନ୍ଧ୍ୟା ସମୟରେ ଅସ୍ତମିତ ସୂର୍ଯ୍ୟର ଦୃଶ୍ୟ ସେଠାରୁ ଖୁବ ଉପଭୋଗ୍ୟ । ସମ୍ବଲପୁରରେ ସ୍ୱାଧୀନତା ସଂଗ୍ରାମର ବହ୍ନି ମଧ୍ୟ ଏହି ବୁଢ଼ାରାଜା ପାହାଡ଼ର ପାଦଦେଶରୁ ଜଳି ଉଠିଥିଲା ।[୪]
ପ୍ରବାଦ କଥନ ଅଛି ଯେ ବୁଢ଼ାରାଜା ପାହାଡ଼ ଉପରେ ଥିବା ମନ୍ଦିର ସନ୍ନିକଟ ଏକ ଗଭୀର କୂପ ମଧ୍ୟ ଦେଇ ଏକ ସୁଢଙ୍ଗ ରହିଛି ଯାହାକି ବହୁ ପୂର୍ବରୁ ରାଜାଙ୍କଦ୍ୱାରା ନିର୍ମିତ ହେଇଥିଲା । ଏହି ସୁଢଙ୍ଗର ଅପର ପାର୍ଶ୍ୱ ମହାନଦୀ ନିକଟସ୍ଥ ତତ୍କାଳୀନ ରାଜପ୍ରସାଦ ଯାଏଁ ଲମ୍ବିଥିଲା । ତେବେ ପ୍ରତ୍ନତତ୍ତ୍ୱ ନିରୀକ୍ଷଣ ଅଭାବରୁ ଏହା ବର୍ତ୍ତମାନ ସିଦ୍ଧ ହେଇ ପାରି ନାହିଁ ।
ବୁଢାରାଜା ପାହାଡର ଅବସ୍ଥିତି ସମ୍ବଲପୁର ରୋଡ ରେଳ ସ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ । ସମ୍ବଲପୁର ସ୍ଟେଶନରୁ ଅଇଣ୍ଠାପାଳି ଆଡେ ଯାଇଥିବା ମୁଖ୍ୟ ରାସ୍ତାରେ ଗଲେ ପ୍ରଥମେ ବୁଢାରାଜ ପାହାଡ ଉପରକୁ ଯାଇଥିବା ପୁରାତନ ପ୍ରସ୍ତରରେ ଖୋଦେଇ ହେଇଥିବା ପାଉଞ୍ଚ ସବୁ ଅବସ୍ଥିତ । ତେବେ ନିକଟରେ ସେଠାରୁ ଆହୁରି ୫୦୦ ମିଟର ଗଲେ ମୁଖ୍ୟ ରାସ୍ତାରୁ ବୁଢାରାଜା ମନ୍ଦିର ଯାଏ ଏକ ସୁନ୍ଦର ପିଚୁ ରାସ୍ତା ନିର୍ମିତ ହେଇଛି , ଯାହା ଦେଇ ଗାଡିଦ୍ୱାରା ମନ୍ଦିର ପ୍ରାଙ୍ଗଣ ପର୍ଯ୍ୟନ୍ତ ଯାଇ ହୁଏ ।
ଏକଦା ଘଞ୍ଚ ଅରଣ୍ୟ ଥିବା ବୁଢାରାଜା ପାହାଡ ବିଭାଗୀୟ ଦେଖଣା ଅଭାବରୁ କାଳକ୍ରମେ ବୃକ୍ଷ୍ୟହୀନ ହେଇପଡିଥିଲା । ଲୋକମାନେ ଏଥିରୁ ଅବାରିତ ଭାବେ ଜାଳେଣୀ କଥା ସଂଗ୍ରହ କରିବାରୁ ଏହା ସଂପୂର୍ଣ୍ଣ ନଣ୍ଡା ପାହାଡରେ ପରିବର୍ତ୍ତନ ହେଇ ଯାଇଥିଲା । ତେବେ ଗତ ଦଶନ୍ଧିରେ କିଛି ପ୍ରକୃତିପ୍ରେମୀ ନାଗରିକଙ୍କ ଉଦ୍ୟମ ଫଳରେ ବୁଢାରାଜ ଜଙ୍ଗଲ ସୁରକ୍ଷ୍ୟା ସମିତି ଗଠନ ହେଇ ବୁଢାରାଜ ପାହାଡ ତଥା ଶେଠୀକୁ ଯାଇଥିବା ରାସ୍ତା କଡାରେ ବୃକ୍ଷ ରୋପଣ ହେଇ ତାହାର ଦେଖା ଶୁଣା ହେବାରୁ ବର୍ତ୍ତମାନ ପାହାଡ ଓ ରାସ୍ତା ଘଞ୍ଚ ଅରଣ୍ୟ ପରି ହେଇ ସେ ସ୍ଥାନର ସୋଭା ବର୍ଧନ କରୁଛି । [୫]