ଭବାନୀ ଚରଣ ପଟ୍ଟନାୟକ | |
---|---|
ସଭ୍ୟ: ରାଜ୍ୟ ସଭା | |
କାର୍ଯ୍ୟକାଳ ୧୯୬୧-୧୯୭୨ | |
କାର୍ଯ୍ୟକାଳ ୧୯୭୮-୧୯୮୪ | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅଣ୍ଢିଆ, ନିମାପଡ଼ା | ୧୧ ମଇ ୧୯୨୨
ମୃତ୍ୟୁ | ୧୪ ମଇ ୨୦୨୦ ଭୁବନେଶ୍ୱର | (ବୟସ ୯୮)
ଜୀବନ ସାଥୀ | ବସନ୍ତ ମଞ୍ଜରୀ ପଟ୍ଟନାୟକ |
ସନ୍ତାନ | ୨ ପୁଅ ଓ ୩ ଝିଅ |
ବାପା/ବୋଉ | ନାରାୟଣ ପଟ୍ଟନାୟକ (ବାପା) କୁମୁଦିନୀ ଦେବୀ (ମାଆ) |
ପୁରସ୍କାର | ପଦ୍ମଶ୍ରୀ |
ଭବାନୀ ଚରଣ ପଟ୍ଟନାୟକ( ୧୧ ମଇ ୧୯୨୨ - ୧୪ ମଇ ୨୦୨୦) ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ତିନିଥର ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ ମଧ୍ୟ କରିଥିଲେ ।[୧][୨][୩] ୨୦୧୮ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଥିଲେ ।[୪] ଅଠାନବେ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ କାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲାବେଳେ ତାଙ୍କ ଦେହାନ୍ତ ହୋଇଥିଲା ।[୫][୬][୭]
ଭବାନୀ ଚରଣ ୧୯୨୨ ମସିହା ବୈଶାଖ ମାସ ବୁଦ୍ଧ ପୂର୍ଣ୍ଣିମା ତିଥୀରେ ପିତା ନାରାୟଣ ପଟ୍ଟନାୟକ ଓ ମାତା କୁମୁଦିନୀ ଦେବୀଙ୍କ ଅଷ୍ଟମ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଗ୍ରାମ ଥିଲା ନିମାପଡ଼ା ଅନ୍ତର୍ଗତ ଅଣ୍ଢେଇ ଗ୍ରାମ । ପିତା ନାରାୟଣ ଥିଲେ ଜଣେ ମୋହରିର । ପିତାଙ୍କ ଆଦର୍ଶ ଓ ପରପୋକାର ଏବଂ ମାତାଙ୍କ ଧର୍ମପରାୟଣାତାର ପ୍ରଭାବ ଭବାନୀଙ୍କୁ ବାଲ୍ୟକାଳରୁ ପ୍ରଭାବିତ କରିଥିଲା । ସେ ଜଣେ ଆଦର୍ଶ ଛାତ୍ର ଥିଲେ । ପାଠ, ଖେଳ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସେ ସବୁବେଳେ ଆଗଭର ଥିଲେ । ୧୯୩୮ମସିହାରେ ସେ ନିଜ ପିତାଙ୍କୁ ହରେଇଥିଲେ । ୧୯୪୮ ଜାନୁଆରୀ ୩୦ରେ ସେ କୁଷିକଣା ଗ୍ରାମର ଅଚ୍ୟୁତାନନ୍ଦ ମହାନ୍ତିଙ୍କ କନ୍ୟା ବସନ୍ତ ମଞ୍ଜରୀଙ୍କୁ ବିବାହ କରିଥିଲେ ।
ପିଲାଦିନରୁ ଭବାନୀ ଚରଣ ଦେଶସେବାପ୍ରତି ଆକୃଷ୍ଟ ଥିଲେ ଓ ଅନ୍ୟାନ୍ୟ ଅନୀତିର ବିରୋଧୀ ଥିଲେ । ୧୯୩୨ମସିହାରେ ନିମାପଡ଼ା ପ୍ରାକ୍ଟିସିଙ୍ଗ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢୁଥିବାବେଳେ, ତାଙ୍କ ବିଦ୍ୟାଳୟକୁ ଇଂଲଣ୍ଡ ସମ୍ରାଟ ପଞ୍ଚମ ଜଜ୍ ପରିଦର୍ଶନରେ ଆସିଥିଲେ । ସେଥିପାଇଁ ବିଦ୍ୟାଳୟର ଛାତ୍ରମାନଙ୍କୁ ନେଇ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ପଞ୍ଚମ ଜଜଙ୍କ ଜୟଧ୍ୱନୀ ପରିବର୍ତ୍ତେ ଭବାନୀ ଚରଣଙ୍କ ସହ ୨/୩ଜଣ ଛାତ୍ର ଗାନ୍ଧିଜୀଙ୍କ ଜୟଧ୍ୱନୀ ଦେଇ ସ୍କୁଲ ଶିକ୍ଷକଙ୍କଠାରୁ ଛାଟ ପ୍ରହାର ପାଇଥିଲେ । ୧୯୩୮ମସିହାରେ ଅନ୍ୟ ଏକ ଘଟଣାରେ, ସ୍କୁଲ ଖେଳ ପଡିଆକୁ ଜମିଦାରଙ୍କ ଜବରଦଖଲରୁ ମୁକୁଳାଇବାରେ ଭବାନୀ ଚରଣ ସଫଳ ହୋଇଥିଲେ । ଗାନ୍ଧୀ, ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭବାନୀ ଚରଣ ୨୦ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ୧୯୪୨ମସିହାରେ ଭବାନୀ ଚରଣଙ୍କ ନେତୃତ୍ୱରେ ନିମାପଡ଼ା ଥାନା ଦଖଲ କରାଯାଇଥିଲା । ସେଠାରେ ପୁଲିସ ଗୁଳିଚାଳନାରେ ୨୭ଜଣ କର୍ମୀ ରକ୍ତାକ୍ତ ଆହାତ ହୋଇଥିଲେ ଓ ୫୫ ବର୍ଷ ବୟସ୍କ ଉଚ୍ଛବ ମଲିକ ସହିଦ ହୋଇଥିଲେ । ଭବାନୀ ଚରଣଙ୍କୁ ସମେତ ୪୩ଜଣ କର୍ମୀ ଗିରଫ ହୋଇଥିଲେ । ତାଙ୍କୁ ୩ବର୍ଷ ୮ମାସ କାଳ ପୁରୀ ଓ କଟକ ଜେଲରେ ବନ୍ଦୀ କରି ରଖାଯାଇଥିଲା । ୧୯୪୨ ସେପ୍ଟେମ୍ବର ୨୦ତାରିଖରୁ, ୧୯୪୬ ମେ ୧ତାରିଖ ପର୍ଯ୍ୟନ୍ତ ସେ କାରାବରଣ କରିଥିଲେ ।[୮]
୧୯୪୮ ଜାନୁଆରୀ ୩୦ତାରିଖରେ ତାଙ୍କ ବିବାହ ଦିନରେ ହିଁ ଗାନ୍ଧିଜୀଙ୍କୁ ହତ୍ୟା କରାଯାଇଥିଲା । ସେହିଦିନଠାରୁ ହିଁ ଭବାନୀ ଚରଣ ପୁରୀ ଜିଲ୍ଲାର ବହୁ ମୁସଲମାନ ବସ୍ତି ବୁଲି ବୁଲି ସାମାଜିକ ସୌହାର୍ଦ୍ୟ ଓ ହିନ୍ଦୁ-ମୁସଲିମ ଭାତ୍ରୁଭାବ ବଜାୟ ରଖିବା ପାଇଁ ସଚେତନତା ସୃଷ୍ଟି କରିଥିଲେ । ତାଙ୍କ ପ୍ରଚେଷ୍ଟାରେ ନିଜ ଚାଷଜମି ହରେଇଥିବା ବହୁ ଚାଷୀ ମୂଲିଆ ନିଜ ଜମି ଫେରି ପାଇଥିଲେ । ବନ୍ୟା ବାତ୍ୟା, ଦୁର୍ଭିକ୍ଷ ସମୟରେ ସେ ପ୍ରପୀଡିତ ଅଞ୍ଚଳରେ ସାହାଯ୍ୟ ଧରି ପହଞ୍ଚୁଥିଲେ । ଭବାନୀ ଚରଣ କେବଳ ନିମାପଡ଼ା ଅଞ୍ଚଳରେ ନିଜକୁ ସୀମିତ ନରଖି, ସମଗ୍ର ଓଡ଼ିଶାର ଜଣେ ସମାଜସେବକ ଭାବରେ ଉଭା ହୋଇଥିଲେ । ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ୩ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୧ରୁ ୧୯୭୨ ଓ ୧୯୭୮ରୁ ୧୯୮୪ ପର୍ଯ୍ୟନ୍ତ ସେ ରାଜ୍ୟସଭାର ଏମପି ଭାବରେ କାର୍ଯ୍ୟ କରିଛନ୍ତି । ବହୁ ସାମାଜିକ ଅନୁଷ୍ଠାନ ଯଥା, ଓଡ଼ିଶା ସେବାଦଳର ମୁଖ୍ୟ ସଂଗଠକ, ଭାରତ ସେବକ ସମାଜର ପ୍ରଥମ ଛାତ୍ର ସଂଗଠକ, ସେଣ୍ଟ ଜୋନ୍ ଆମ୍ବୁଲାନ୍ସର ସଭାପତି, ଜୁନିୟର ରେଡକ୍ରସର ସଭାପତି, ଓଡ଼ିଶା ରେଡକ୍ରସ ସଂଗଠନର ସଂଗଠକ ଭାବରେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତିତ ସେ ଉଚ୍ଛବ ମଲ୍ଲିକ ଶହୀଦ ସ୍ମୃତି ସଂସଦର ସଭାପତି, ରାଜ୍ୟ ସରକାରଙ୍କ ସଂଗ୍ରାମୀ ପେନସନ ବୋର୍ଡ଼ର ସଭାପତି, କଳିଙ୍ଗ ଫାଉଣ୍ଡେସନର ଅଧ୍ୟକ୍ଷ[୯], ଗୋପବନ୍ଧୁ ଦରିଦ୍ର ନାରାୟଣ ଖଦୀ ଗ୍ରାମୋଦୟ ସଂଗଠନର କର୍ମକର୍ତ୍ତା ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।[୧୦]