ଭ୍ରାମରୀ | |
---|---|
ମହୁମାଛିଙ୍କର ଦେବୀ[୧] | |
Affiliation | ମହାଦେବୀ (Mahadevi), ଲକ୍ଷ୍ମୀ, ପାର୍ବତୀ |
ଭ୍ରାମରୀ ଜଣେ ହିନ୍ଦୁ ଦେବୀ ଓ ତାଙ୍କୁ ମହୁମାଛିଙ୍କର ଦେବୀ କୁହାଯାଏ । ସେ ଆଦି ଶକ୍ତିଙ୍କର ଏକ ଅବତାର ହୋଇଥିବା କୁହାଯାଏ,[୨][୩] ଓ ଲକ୍ଷ୍ମୀଙ୍କର ଏକ ଅବତାର ଭାବରେ ତାଙ୍କ ନାମ ପଞ୍ଚତନ୍ତ୍ରରେ ଲିପିବଦ୍ଧ ହୋଇଛି,[୪][୫] କିନ୍ତୁ ଶୈବ ଧର୍ମ ଅନୁସାରେ ପାର୍ବତୀଙ୍କର ଏକ ଅବତାର ମାନ୍ୟତା ତାଙ୍କୁ ଦିଆଯାଇଛି ।[୬]
ଭ୍ରାମରୀ ଶବ୍ଦର ଅର୍ଥ ମହୁମାଛିଙ୍କର ଦେବୀ ବା କଳା ମହୁମାଛିଙ୍କର ଦେବୀ ।[୭]
ମହୁମାଛି, ବିରୁଡ଼ି ଓ କୀଟମାନେ (Hornets) ତାଙ୍କ ଦେହ ସହିତ ସଂଯୁକ୍ତ ହୋଇ ରହିଥାଆନ୍ତି ଓ ତାଙ୍କ ଚତୁର୍ଭୁଜରୁ ସେଗୁଡ଼ିକ ବାହାରୁଥିବା କୁହାଯାଏ ।[୮]
ଦେବୀ ଭାଗବତ ପୁରାଣ (Devi Bhagavata Purana)ର ଦଶମ ଖଣ୍ଡ ଓ ତ୍ରୟୋଦଶ ଅଧ୍ୟାୟରେ ଦେବୀ ଭ୍ରାମରୀଙ୍କର ପରାକ୍ରମ ବିଷୟରେ ବିଷଦ ବର୍ଣ୍ଣନା କରାଯାଇଛି ।[୯] ଦୈତ୍ୟମାନଙ୍କ ସହରରେ ଅରୁଣାସୁର ନାମକ ଏକ ଶକ୍ତିଶାଳୀ ଅସୁର (asura) ବାସ କରୁଥିଲା । ସେ ଦେବତାମାନଙ୍କୁ ବହୁତ ଘୃଣା କରୁଥିଲା ଓ ସେମାନଙ୍କୁ ଯୁଦ୍ଧ କରି ପରାସ୍ତ କରିବାକୁ ଇଚ୍ଛା କରୁଥିଲା । ହିମାଳୟରୁ ବୋହି ଆସୁଥିବା ଗଙ୍ଗା ନଦୀ କୂଳରେ ସେ ମନ ଧ୍ୟାନ ଦେଇ ବ୍ରହ୍ମାଙ୍କର ତପସ୍ୟା କରିବାକୁ ଚାଲିଗଲା, ତାର ବିଶ୍ୱାସ ଥିଲା ବ୍ରହ୍ମା ହେଉଛନ୍ତି ଦୈତ୍ୟମାନଙ୍କର ସୁରକ୍ଷା କବଚ । ଅରୁଣାସୁରର ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ତାଙ୍କୁ ବର ଦେବାକୁ ଇଚ୍ଛା କଲେ । ଅସୁର ବ୍ରହ୍ମାଙ୍କୁ ଏହି ବର ମାଗିଲେ: ସେ କୌଣସି ଯୁଦ୍ଧରେ ମରିବନି, କୌଣସି ଅସ୍ତ୍ର ବା ଶସ୍ତ୍ରରେ ମରିବନି, କୌଣସି ନର ବା ନାରୀ ମାରିପାରିବେନି ଓ କୌଣସି ଦ୍ୱିପଦ ବା ଚତୁଷ୍ପଦ ପ୍ରାଣୀ ମାରିପାରିବେନି ।” ଏହି ବର ପାଇ ଅସୁର ଧରାକୁ ସରା ମନେକଲା । ତାର ଆତ୍ମ ବିଶ୍ୱାସ ଆସିଗଲା, ସେ ଦେବତାମାନକୁ ପରାସ୍ତ କରିପାରିବ । ସବୁ ଅସୁରମାନଙ୍କୁ ଡାକି ସବୁ କଥା କହିବା ପରେ ତାଙ୍କୁ ସମସ୍ତେ ରାଜା ମାନି ନମସ୍କାର କଲେ । ତୁରନ୍ତ ସେ ଇନ୍ଦ୍ରଲୋକରେ ଥିବା ଦେବତାଙ୍କ ପାଖକୁ ଯୁଦ୍ଧ କରିବାକୁ ଦୂତ ପଠେଇଲା । ଦୂତଠାରୁ ଯୁଦ୍ଧ ସନ୍ଦେଶ ପାଇ ଇନ୍ଦ୍ର ଥରିବାକୁ ଲାଗିଲେ । ଉପାୟ ଶୂନ୍ୟ ହୋଇ ଇନ୍ଦ୍ର ଗଲେ ବ୍ରହ୍ମାଙ୍କ ପାଖକୁ । ସବୁ କଥା ଶୁଣି ବ୍ରହ୍ମା ତାଙ୍କୁ ବୈକୁଣ୍ଠ ପୁରରେ ଥିବା ବିଷ୍ଣୁଙ୍କ ପାଖକୁ ପଠେଇ ଦେଲେ । ସେଠାରେ ସେମାନେ ଅସୁରଙ୍କୁ ହରେଇବା ଓ ମାରିବାର ଉପାୟ ବିଷୟରେ ଆଲୋଚନା କଲେ । ଦେବତାମାନେ କେଉଁ ଉପାୟ ଅବଲମ୍ବନ କରିବେ, ସେ ବିଷୟ ଚର୍ଚ୍ଚା କରିବା ସମୟ ମଧ୍ୟରେ ଅସୁରମାନେ ଯୁଦ୍ଧ କରି ଦେବଲୋକ ଅଧିକାର କରିନେଲେ । ଅରୁଣାସୁରର ପରବର୍ତ୍ତୀ ଲକ୍ଷ ଥିଲା କୈଳାସ ଆକ୍ରମଣ । ଶିବ ଓ ତାଙ୍କର ସନ୍ତାନମାନେ କୈଳାସ ପର୍ବତ ପାଦ ଦେଶରେ ଅସୁର ସାଥିରେ ଯୁଦ୍ଧ କରି ପରାସ୍ତ କରି ପାରିଲେନି । ସ୍ୱୟଂ ଶିବ ମଧ୍ୟ ତାଙ୍କୁ ଯୁଦ୍ଧରେ ହରେଇ ପାରିଲେନି । ଏତିକିବେଳେ ଆଦିଶକ୍ତି ଆସି ଶିବଙ୍କ ପୃଷ୍ଠ ଦେଶରେ ଠିଆ ହୋଇ ବିରାଟ ଆକାର ଧାରଣ କଲେ । ତାଙ୍କର ତିନି ଆଖି ସୂର୍ଯ୍ୟ ଭଳି ତେଜୀୟାନ୍ ହୋଇଗଲା ଓ ଆଖିରୁ ଅଗ୍ନି ସ୍ଫୁଲିଙ୍ଗ ବାହାରିଲା । ସେ ଆଖି ବନ୍ଦ କରି ନିଜର ଆକାର ବୃଦ୍ଧି କରିବାକୁ ଲାଗିଲେ । ସେ ଅସୀମ ସଂଖ୍ୟକ ମହୁମାଛି, ବିରୁଡ଼ି, ଉଈ, ମାଛି, ବୁଢିଆଣୀ, ମଶା ଓ ଅନ୍ୟାନ୍ୟ କୀଟ ପତଙ୍ଗମାନଙ୍କୁ ଆକାଶରୁ ଡକେଇଲେ । ସେମାନେ ଆସି ଦେବୀଙ୍କର ବିରାଟ ଶରୀରକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦିତ କରିଦେଲେ ଓ ସେତେବେଳ ତାଙ୍କ ଭ୍ରାମରୀ ନାମ ସାର୍ଥକ ହୋଇଗଲା । ବିରାଟ ଆକାର ଯୋଗୁ ଦୈତ୍ୟମାନଙ୍କର ଖଣ୍ଡା ଯୁଦ୍ଧରେ ଦେବୀଙ୍କର ଶରୀର ଭେଦ କରି ପାରିଲାନି । ଅନ୍ୟ ପକ୍ଷରେ ଦେବୀଙ୍କର ଅନ୍ୟ ହାତଗୁଡିକ ବିରାଟ ଅସୁର ସୈନ୍ୟବାହିନୀଙ୍କର ଅଶେଷ କ୍ଷତି ସାଧନ କରି ମାରି ପକେଇଲେ । ମହୁମାଛି, ବିରୁଡ଼ି, ଉଈ, ମାଛି, ବୁଢିଆଣୀ, ମଶା ଓ ଅନ୍ୟାନ୍ୟ କୀଟ ପତଙ୍ଗମାନ ଢେଉ ଆକାରରେ ଯାଇ ସମସ୍ତଙ୍କର ବିନାଶ ସାଧନ କରିଦେଲେ । କେବଳ ଅରୁଣାସୁର ବାକି ରହିଗଲା ଓ ତାକୁ ମାରିବାକୁ ପୋକମାନଙ୍କୁ ଦେବୀ ପଠେଇଲେ । ସେଗୁଡିକ ଯାଇ ଅସୁରର ଦେହର ସବୁ ସ୍ଥାନରେ ଲାଖିଗଲେ ଓ ଚିରି ପକେଇଲେ । ଅସୁର ମରିଗଲା ପରେ ପୋକମାନେ ଦେବୀଙ୍କ ପାଖକୁ ଫେରିଗଲେ ଓ ଦେବୀ ତାଙ୍କର ଭ୍ରାମରୀ ଆକାର ଧରିଲେ । ଅନ୍ୟ ଦେବୀମାନେ ବହୁତ ପ୍ରଶଂସା କରିବାକୁ ଲାଗିଲେ ଓ ଦେବତାମାନେ ପୁନଶ୍ଚ ତାଙ୍କର ସ୍ୱର୍ଗୀୟ ଭବନକୁ ଫେରିଗଲେ ।
ଦେବୀ ଭାଗବତ ପୁରାଣରେ ଭ୍ରାମରୀ ଦେବୀଙ୍କୁ ଦିଆଯାଇଥିବା ସମ୍ମାନକୁ ଲକ୍ଷ କଲେ ଦେଖାଯାଏ ଯେ ସେ ଧନର ଦେବୀ ଲକ୍ଷ୍ମୀ ଅଟନ୍ତି:[୧୦]
ଆପଣଙ୍କୁ ପ୍ରଣାମ ! ହେ ଭଗବତୀ ! ଆପଣ ହିଁ କ୍ଷୀର ସାଗରରୁ ଆବିର୍ଭାବ ହୋଇଥିଲେ । ଆପଣ ବୃତ୍ରାସୁର, ଚଣ୍ଡ ମୁଣ୍ଡ, ଧୂମ୍ରଲୋଚନ, ରକ୍ତ ବୀର୍ଯ୍ୟ, ଶୁମ୍ଭ ନିଶୁମ୍ଭ ଓ ଦାନବମାନଙ୍କୁ ନିପାତ କରିଥିଲେ ଓ ତାହାଦ୍ୱାରା ଦେବତାମାନଙ୍କର ବଡ଼ ଉପକାର କରିଥିଲେ ।
— ଦେବୀ ଭାଗବତ ପୁରାଣ, Book 10, Chapter 13
ଦେବୀ ମାହାତ୍ମ୍ୟରେ ତାଙ୍କ ବିଷୟରେ ସାମାନ୍ୟ ସୂଚନା ଦିଆଯାଇଛି ।[୧୧]
ଲକ୍ଷ୍ମୀ ତନ୍ତ୍ରରେ ନିଜକୁ ଭ୍ରାମରୀ କହିଛନ୍ତି ସ୍ୱୟଂ ଲକ୍ଷ୍ମୀ: [୧୨]
“ ଷାଠିଏ ଯୁଗ ସମୟରେ ଅରୁଣ ନାମକ ଏକ ଅସୁର ଥିବ ଯିଏ କି ମାନବ ଓ ଋଷିମାନଙ୍କର ବହୁତ କ୍ଷତି କରିବ । ସେତେବେଳେ ମୁଁ ଏକ ମହୁମାଛି ଆକାର ନେବି ଓ ମୋ ସାଥିରେ ଅସଂଖ୍ୟ ମହୁମାଛି ରହିବେ । ମୁଁ ସେହି ଅସୁରକୁ ମାରି ତିନି ଲୋକକୁ ଉଦ୍ଧାର କରିବି । ତା’ ପରଠାରୁ ଲୋକମାନେ ମୋତେ ଭ୍ରାମରୀ ନାମରେ ପୂଜା କରିବେ ।”
— Lakshmi Tantra, 9.41-43
ପ୍ରାଣାୟମ କରିବା ସମୟରେ ନାକ ବାଟେ ଏକ ନିର୍ଦ୍ଦିଷ୍ଟ ପ୍ରକାର ଶ୍ୱାସକ୍ରିୟା କଲାବେଳେ ମହୁମାଛି ଗୁଣୁଗୁଣୁ କଲା ଭଳି ଏକ ଶବ୍ଦ ନିର୍ଗତ ହୁଏ ଯାହାକୁ ଭ୍ରାମରୀ କୁହାଯାଏ ।[୧୩][୧୪]
ଏହି ଦେବୀଙ୍କୁ ଭ୍ରମରମ୍ବା ନାମରେ ପ୍ରଭୁ ଶିବଙ୍କ ସହିତ ଆନ୍ଧ୍ର ପ୍ରଦେଶର ଶ୍ରୀଶୈଳମ ସ୍ଥାନରେ ମଲ୍ଲିକାର୍ଜୁନ ମନ୍ଦିରରେ ପୂଜା କରାଯାଏ । ଏହା ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଓ ଅଠରଟି ମୁଖ୍ୟ ଶକ୍ତି ପୀଠରୁ ଗୋଟିଏ ଭାବରେ ପରିଚିତ । କଟିଲ (Kateel) ନାମକ ସ୍ଥାନରେ ମଧ୍ୟ ତାଙ୍କୁ ପୂଜା କରାଯାଏ ।