ରକ୍ତବାହୁ | |
---|---|
ଶାସନକାଳ | 793 - 814 CE |
ମାଦଳା ପାଞ୍ଜିର ତଥ୍ୟ ଅନୁଯାୟୀ ଜଗନ୍ନାଥ ମନ୍ଦିରକୁ ଆକ୍ରମଣ କରିବାରେ ରକ୍ତବାହୁ ହେଉଛି ପ୍ରଥମ ଯବନ ଆକ୍ରମଣକାରୀ ।[୧] ଏଥିରେ ଇପଲବ୍ଧ ତଥ୍ୟ ଅନୁଯାୟୀ ସେ ଓଡ଼ିଶାର ତତ୍କାଳୀନ ରାଜା ସୁବର୍ଣ୍ଣଦେବଙ୍କୁ ପରାସ୍ତ କରିବା ପରେ ଜଗନ୍ନାଥ ମନ୍ଦିରକୁ ଆକ୍ରମଣ କରିବାକୁ ସମର୍ଥ ହୋଇଥିଲେ ।[୧]
ମାଦଳା ପାଞ୍ଜିରେ ଉପଲବ୍ଧ ତଥ୍ୟ ଅନୁଯାୟୀ ରକ୍ତବାହୁଙ୍କ ଆକ୍ରମଣ ସମୟରେ ଓଡ଼ିଶାର ସୋଭନଦେବ ନାମକ ଜଣେ ରାଜା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତିକୁ ଉଦ୍ଧାର କରି ଅନ୍ୟତ୍ର ନେବାକୁ ସମର୍ଥ ହେଲେ । [୨] ଯବନ ଆକ୍ରମଣରୁ ରକ୍ଷା କରିବା ପାଇଁ ସୋନପୁର ନିକଟସ୍ଥ ଏକ ଗୁମ୍ଫାରେ ଚତୁର୍ଧା ମୂର୍ତ୍ତିକୁ ଲୁଚାଇ ରଖାଯାଇଥିଲା ।[୩] ଏହି ସମୟରେ ଚତୁର୍ଧା ମୁରତି ପାତାଳୀ ହୋଇଥିବାରୁ ଏହା ପାତାଳୀ ଶ୍ରୀକ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଛି ।
ରାଜା ଶୋଭନ ଦେବଙ୍କ ୨ୟ ଅଙ୍କରେ ରକ୍ତବାହୁ ନାମକ ଜଣେ ବିଦେଶୀ ପୁରୀ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ରକ୍ତବାହୁଙ୍କ ପରିଚୟ ନେଇ ବିଭିନ୍ନ ଐତିହାସିକ ଭିନ୍ନ ଭିନ୍ନ ମତ ପ୍ରଦାନ କରିଛନ୍ତି । ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ରକ୍ତବାହୁଙ୍କୁ ରାଷ୍ଟ୍ରକୂଟ ରାଜା ଗୋବିନ୍ଦ-୩ୟ (Govinda III)ଭାବେ ଚିହ୍ନଟ କରିଛନ୍ତି । ତାଙ୍କ ମତରେ ମାଦଳା ପାଞ୍ଜିରେ ବର୍ଣ୍ଣିତ ଶୋଭନଦେବ ହେଉଛନ୍ତି ଭୌମକର ରାଜା ଶୁଭଙ୍କର ଦେବ-ପ୍ରଥମ । ଐତିହାସିକ ଆର୍ ଡି ବାନାର୍ଜୀଙ୍କ ମତରେ ରକ୍ତବାହୁ କୁଶାଣ ରାଜ୍ୟର ଏକ ଯବନ ସେନାପତି । ଅନ୍ୟ କେତେକ ଐତିହାସିକମାନେ ମତ ଦେଇଛନ୍ତି ଯେ ରକ୍ତବାହୁ ଶ୍ରୀଲଙ୍କାରୁ ସମୁଦ୍ର ପଥରେ ଆସିଥିବା ଏକ ଆକ୍ରମଣକାରୀ, ଯିଏ ସମୁଦ୍ର ପଥରେ ପୁରୀକୁ ଆସିଥିଲେ ଏବଂ ଜଗନ୍ନାଥ ମନ୍ଦିର ଆକ୍ରମଣ କରି ଶ୍ରୀକ୍ଷେତ୍ରରେ ହଇଚଇ ସୃଷ୍ଟି କରିଥିଲେ । ଅନ୍ୟ କେତେକଙ୍କ ମତରେ ରକ୍ତବାହୁ ଏକ କାଳ୍ପନିକ ଚରିତ୍ର ।[୪]