ସିକନ୍ଦର ଆଲାମ | |
---|---|
ଜନ୍ମ | ମହମ୍ମଦ ସିକନ୍ଦର ଆଲାମ ୨୭ ଜୁଲାଇ ୧୯୩୯ |
ମୃତ୍ୟୁ | ୮ ଅଗଷ୍ଟ ୨୦୧୦ | (ବୟସ ୭୧)
ଜାତୀୟତା | ![]() |
ଅନ୍ୟ ନାମ | ଆଧୁନିକ ଓଡ଼ିଶାର ସାଲବେଗ |
ଶିକ୍ଷା | ସଂଗୀତ ବିଶାରଦ |
ଶିକ୍ଷାନୁଷ୍ଠାନ | ଖ୍ରୀଷ୍ଟ କଲେଜିଏଟ ସ୍କୁଲ, ଗନ୍ଧର୍ବ ମହାବିଦ୍ୟାଳୟ |
ପ୍ରସିଦ୍ଧି | ଓଡ଼ିଆ ଗାୟକ ଓ ସଙ୍ଗୀତକାର |
ବୈବାହିକ-ସାଥୀ | ନାଇମା ଆଲାମ |
ସନ୍ତାନ | ସୋଫିଆ ଆଲମ (ଝିଅ) |
ସିକନ୍ଦର ଆଲାମ, (୨୭ ଜୁଲାଇ ୧୯୩୯ - ୮ ଅଗଷ୍ଟ ୨୦୧୦) ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଚ୍ଛଦପଟ ଗାୟକ ।[୧][୨] ଏହା ସମେତ ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଯଥା ଜଗନ୍ନାଥ ଜଣାଣ, ଭଜନ, ଛାନ୍ଦ, ଚମ୍ପୂ, ଚଉପଦୀ ନିମନ୍ତେ ଓଡ଼ିଶାର ଘରେ ଘରେ ପରିଚିତ ।[୩] ତାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ମଧ୍ୟ କହାଯାଏ ।
ସିକନ୍ଦର ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, କଟକ ଜିଲ୍ଲା ବୟାଳିଶି ମୌଜା ବ୍ଳକର ରାଉତରାପୁରଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁରେ ହିଁ କଟିଥିଲା । ପରବର୍ତ୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ କଟକକୁ ଚାଲିଆସିଥିଲେ । କଟକର ଖ୍ରୀଷ୍ଟ କଲେଜିଏଟ ସ୍କୁଲରୁ ମାଟ୍ରିକ ଓ ଷ୍ଟିୱାର୍ଟ କଲେଜରୁ ବିଜ୍ଞାନରେ ଇଣ୍ଟରମିଡିଏଟ ପାସ କରିଥିଲେ । ତା'ପରେ ନିଜ ପିତା ଓ ବଡ଼ ଭାଇଙ୍କଠାରୁ ପ୍ରେରଣା ପାଇ[୪] ସଂଗୀତ ଶିକ୍ଷା କରିବା ପାଇଁ ସେ ପ୍ରସିଦ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ୱର ସହ ସଂଗୀତ ବିଶାରଦ ହାସଲ କରିଥିଲେ । [୫]
ସିକନ୍ଦର ୧୫ ଜୁନ ୧୯୬୫ ମସିହାରେ ବିବାହ କରିଥିଲେ । ତାଙ୍କ ପତ୍ନୀ ନାଇମା ଆଲାମ ମଧ୍ୟ ଜଣେ ଗାୟିକା ତଥା ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ୟରୁ ବଡ଼ ସୋଫିଆ ଆଲାମ ଜଣେ ଅଭିନେତ୍ରୀ ଓ ସାନ ନାଜିଆ ଆଲାମ ଜଣେ କଣ୍ଠଶିଳ୍ପୀ ।[୬]
ସିକନ୍ଦର ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ ଆକାଶବାଣୀ କଟକରେ ଗୀତ ଗାଇବା ଆରମ୍ଭ କରିଥିଲେ ।[୭] ଭଜନ, ଜଣାଣ, ଗଜଲ, ଆଧୁନିକ ଇତ୍ୟାଦି ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।[୮] ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର ଲକ୍ଷ୍ମୀରେ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଥିଲେ ।[୯] ଏହି ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିବା ଗୀତଟି , 'ଆରତ ସୁରେ ବାରେ', ବହୁ ଲୋକପ୍ରିୟତା ଅର୍ଜନ କରିଥିଲା । ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ । ସେ ମଧ୍ୟରୁ ଅମଡ଼ା ବାଟ, ଅଦିନ ମେଘ,ମାଣିକ ଯୋଡ଼ି, ମମତା, ସୂର୍ଯ୍ୟମୁଖୀ, ପୂଜା ପ୍ରଭୃତି ଅନ୍ୟତମ ।[୧୦] ଏତଦ ବ୍ୟତିତ, ସେ ବହୁ ଆଲବମ ପାଇଁ ମଧ୍ୟ କଣ୍ଠଦାନ କରିଥିଲେ । ନିଜ ପତ୍ନୀ ନାଇମା ଓ କନ୍ୟା ନାଜିଆ ଆଲାମଙ୍କ ସହ ମିଶି ସେ 'ଆଲ୍ଲା କେ ହୁଜୁର' ନାମରେ ଏକ ଆଲବମ ମଧ୍ୟ କରିଥିଲେ । ଦେଶ, ବିଦେଶରେ ସେ ବହୁବାର ନିମନ୍ତ୍ରିତ ହୋଇ ସଂଗୀତ ପରିବେଷଣ କରିଥିଲେ ।
ସିକନ୍ଦର ଆଲାମ, ରାଜ୍ୟ କୃଷି ବିଭାଗରେ ଜଣେ ଅଧିକାରୀ ଭାବରେ କାମ କରିଥିଲେ । ଏତଦ ବ୍ୟତିତ, ସେ ଓଡ଼ିଶା ରାଜ୍ୟ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଫାଉଣ୍ଡେସନର ସଭାପତି ପଦବୀ ମଧ୍ୟ ଅଳଙ୍କୃତ କରିଥିଲେ । [୧୧]
୮ ଅଗଷ୍ଟ ୨୦୧୦ ମସିହାରେ ୭୧ ବର୍ଷ ବୟସରେ ତାଙ୍କର ଭୁବନେଶ୍ବରରେ ତିରୋଧାନ ଘଟିଥିଲା ।[୧୨]
{{cite web}}
: Cite has empty unknown parameter: |1=
(help)
{{cite web}}
: Cite has empty unknown parameter: |1=
(help)
{{cite web}}
: Cite has empty unknown parameter: |1=
(help)
{{cite web}}
: Cite has empty unknown parameter: |1=
(help)
{{cite web}}
: Cite has empty unknown parameter: |1=
(help)
{{cite web}}
: Check date values in: |date=
(help)
{{cite web}}
: Cite has empty unknown parameter: |1=
(help)