ସୁରିନ୍ଦର କୌର | |
---|---|
Background information | |
ଜନ୍ମ ସମୟରେ ନାମ | ସୁରିନ୍ଦର କୌର |
Also known as | ପଞ୍ଜାବର ନାଇଟିଙ୍ଗେଲ |
ଜନ୍ମ | ଲାହୋର (Lahore), ପଞ୍ଜାବ ପ୍ରଦେଶ (Punjab), ବ୍ରିଟିଶ ଭାରତ (British India) | ୨୫ ନଭେମ୍ବର ୧୯୨୯
ମୃତ୍ୟୁ | ୧୪ ଜୁନ ୨୦୦୬ ନିଉ ଜର୍ସୀ (New Jersey), ଯୁକ୍ତରାଷ୍ଟ୍ର ଆମେରିକା | (ବୟସ ୭୬)
ଶୈଳୀ | ଲୋକ ସଙ୍ଗୀତ ଗାୟିକା |
ପେଷା | ପ୍ରଚ୍ଛଦପଟ ଗାୟିକା, କବିତା ଲେଖିକା |
କାର୍ଯ୍ୟକାଳ | ୧୯୩୪–୨୦୦୬ |
ଅନ୍ୟ ଅଂଶଗ୍ରହଣ | ପ୍ରକାଶ କୌର (Parkash Kaur) (ଭଗିନୀ), ଡଲି ଗୁଲେରିଆ (Dolly Guleria - ଝିଅ) |
ସୁରିନ୍ଦର କୌର (ଇଂରାଜୀ ଭାଷାରେ Surinder Kaur) (ପଞ୍ଜାବୀ: ਸੁਰਿੰਦਰ ਕੌਰ; ୨୫ ନଭେମ୍ବର ୧୯୨୯ – ୧୪ ଜୁନ ୨୦୦୬) ଜଣେ ଭାରତୀୟ ଗାୟିକା ଓ ଗୀତ ଲେଖିକା ଥିଲେ । ମୂଖ୍ୟତଃ ସେ ପଞ୍ଜାବୀ ଲୋକ ସଂଗୀତ ଗାଉଥିଲେ ଓ ସେହି ଶୈଳୀକୁ ଲୋକପ୍ରିୟ କରାଇବାରେ ଅଗ୍ରଣୀ ଥିଲେ; ସନ ୧୯୪୮ରୁ ୧୯୫୨ ପର୍ଯ୍ୟନ୍ତ ସେ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଚ୍ଚଦପଟ ଗାୟିକା ଭାବରେ କଣ୍ଠଦାନ କରିଥିଲେ । ପଞ୍ଜାବୀ ସଙ୍ଗୀତକୁ ଅବଦାନ ନିମନ୍ତେ ତାଙ୍କୁ ପଞ୍ଜାବ ନାଇଟିଙ୍ଗେଲ, ସନ ୧୯୮୪ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ସନ ୨୦୦୬ରେ ପଦ୍ମଶ୍ରୀ ସମ୍ମାନ ଦିଆଯାଇଥିଲା । [୧] [୨][୩]
ଦୀର୍ଘ ଛଅ ଦଶକର ଜୀବନରେ ସେ ପଞ୍ଜାବୀ ସୁଫି (Sufi), ବୁଲ୍ଲେହ ଶାହଙ୍କର (Bulleh Shah) କାଫି (Kafi) ଓ ସମସାମୟିକ ନନ୍ଦ ଲାଲ ନୂରପୁରି (Nand Lal Noorpuri), ଅମ୍ରିତା ପ୍ରିତମ (Amrita Pritam), ମୋହନ ସିଂହ ଓ ଶିବ କୁମାର ବଟଲଭି ଇତ୍ୟାଦି ଲୋକମାନଙ୍କ ସହିତ 'ମାଭନ ତେ ଧୀନ', 'ଜୁଟ୍ଟି କସୁରି', 'ମାଧନିୟାନ', 'ଏହନା ଆଖିୟାଁ ଚ ପାବନ କିବେନ କଜରା' ଓ ଘମନ ଦି ରାତ ଭଳି ଅନେକ ସ୍ମରଣୀୟ ସଂଗୀତ ଦେଇଥିଲେ । ପଞ୍ଜାବୀ ସଂସ୍କୃତିରେ (Punjabi culture) ତାଙ୍କର ବିବାହ ସଙ୍ଗୀତ 'ଲାଥେ ଦି ଚଦର', ସୁହେ ବେ ଚୀରେ ୱାଲେୟା ଓ କାଲା ଡୋରିଆ ଇତ୍ୟାଦି ଅଲିଭା ହୋଇ ରହିବ ।[୪]
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜୋଗିନ୍ଦର ସିଂହ ସୋଧି ନାମକ ଜଣେ ପ୍ରଫେସରଙ୍କୁ କୌର ବିବାହ କରିଥିଲେ । ଏହି ଯୋଡ଼ିଙ୍କର ତିନୋଟି ଝିଅ ହୋଇଥିଲେ, ବଡ଼ ଝିଅ ମଧ୍ୟ ଲୋକ ସଙ୍ଗୀତ ଗାୟୀକା ଅଟନ୍ତି । ସନ ୨୦୦୬ରେ ନିଉ ଜର୍ସୀରେ ଥିବା ସମୟରେ ଦୀର୍ଘ କାଳର ବେମାରୀ ପରେ କୌର ମୃତ୍ୟ ବରଣ କରିଥିଲେ ।
ବ୍ରିଟିଶ ଭାରତରେ (British India) ଥିବା ପଞ୍ଜାବ ପ୍ରଦେଶ (Punjab) ଅନ୍ତର୍ଗତ ଲାହୋର (Lahore) ସହରରେ ଥିବା ଏକ ପଞ୍ଜାବୀ ପରିବାରରେ ସୁରିନ୍ଦର କୌର ଜନ୍ମ ଗ୍ରହଣ କରିଥିଲେ । ଉଲ୍ଲେଖନୀୟ ପଞ୍ଜାବୀ ଗାୟିକା ପ୍ରକାଶ କୌରଙ୍କର ସେ ଭଉଣୀ ଓ ଡଲି ଗୁଲେରିଆଙ୍କର ମାଆ ଥିଲେ । ତାଙ୍କର ତିନୋଟି କନ୍ୟା ଥିଲେ ଓ ଡଲି ସବୁଠାରୁ ବଡ଼ ଥିଲେ ।[୫]
ସୁରିନ୍ଦର କୌର ତାଙ୍କର ପ୍ରଥମ ସଜୀବ ପେଷାଦାର ପ୍ରଦର୍ଶନ ଲାହୋର ରେଡିଓ ଷ୍ଟେସନରେ ସନ ୧୯୪୩ରେ ଦେଖାଇଥିଲେ ଓ ତା'ପର ବର୍ଷ ଅଗଷ୍ଟ ୩୧, ୧୯୪୩ରେ ସେ ଓ ତାଙ୍କ ଭଗିନୀ ପ୍ରକାଶ କୌର ସହିତ ଏକ ଦ୍ୱୈତ ସଙ୍ଗୀତ 'ମାଭନ ତେ ଧିନ ରାଲ ବିଥିଆନ'ଗୀତ ଏଚଏମଭି କମ୍ପାନୀ ନିମନ୍ତେ ଗାଇବା ପରେ ସେ ଭାରତ ଉପମହାଦେଶର ସୁପରସ୍ଟାର ହୋଇଯାଇଥିଲେ । [୪]
ସନ ୧୯୪୭ର ଭାରତ ବିଭାଜନ ପର କୌର ଓ ତାଙ୍କ ପିତାମାତା ଦିଲ୍ଲୀର ଘାଜିଆବାଦ Ghaziabad, ଦିଲ୍ଲୀରେ ବସବାସ କଲେ । ସନ ୧୯୪୮ରେ ସେ ପଞ୍ଜାବ ବିଶ୍ୱବିଦ୍ୟାଳରେ ଲେକଚରର ଥିବା ଜୋଗିନ୍ଦର ସିଂହ ସୋଧିଙ୍କୁ ବିବାହ କରିଥିଲେ । [୫] କୌରଙ୍କ ପ୍ରତିଭା ଦେଖି ସ୍ୱାମୀ ତାଙ୍କୁ ସହଯୋଗ କରିବାକୁ ଲାଗିଲେ ଓ ଅବିଳମ୍ବେ ବମ୍ବେରେ (Bombay) ସଙ୍ଗୀତ ନିର୍ଦ୍ଦେଶକ ଗୁଲାମ ହାଇଦର (Ghulam Haider) ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ (Hindi film industry) ତାଙ୍କୁ ପେଷାଦାର ପ୍ରଚ୍ଚଦପଟ ଗାୟିକା ଭାବରେ ଗାଇବା ସୁଯୋଗ ଦେଇଥିଲେ । ସନ ୧୯୪୮ରେ ତାଙ୍କ ଅଧୀନରେ ଶହୀଦ (Shaheed) ଚଳଚ୍ଚିତ୍ର ସେ ତିନୋଟି ଗୀତ ଗାଇଥିଲେ ଯାହାର ନାମ ବଦନାମ ନା ହୋ ଜାୟେ ମୋହବ୍ବତ କା ଫସାନା, ଆନା ହାଏ ତୋ ଆଯାଓ ଓ ତକଦୀର କି ଆନ୍ଧି ହମ କାହାଁ ଔର ତୁମ କାହାଁ । ତାଙ୍କର ପ୍ରକୃତ ଅନୁରାଗ ମଞ୍ଚରେ ଗାଇବା ଥିଲା ଓ ପଞ୍ଜାବୀ ଲୋକ ସଙ୍ଗୀତର ପୁନରୁଦ୍ଧାର କରିବାକୁ ସେ ସନ ୧୯୫୨ରେ ଦିଲ୍ଲୀ ଫେରିଆସିଥିଲେ ।
ସନ ୧୯୪୭ ମସିହାରେ ପଞ୍ଜାବ ଦୁଇ ଭାଗରେ ବିଭାଜିତ ହେବା ପରେ ସନ ୧୯୪୮ରେ କୌର ବିବାହ କରିଥିଲେ ।[୫] ତାଙ୍କ ସ୍ୱାମୀ ତାଙ୍କର ସଂଗୀତ ପେଷାକୁ ଆଗକୁ ବଢ଼େଇବା ନିମନ୍ତେ ଦିଗ୍ଦର୍ଶନ ଦେଇଥିଲେ । "ସେ ହିଁ ମୋତେ ଷ୍ଟାର କରିଦେଲେ", ଏହି କଥା କୌର ପଛକଥା ମନେ ପକେଇ କହିଛନ୍ତି । "ସେ ପସନ୍ଦ କରିଥିବା ସମସ୍ତ ଗୀତ ମୁଁ ଗାଇଥିଲି ଓ ଆମେ ଦୁହେଁ ମିଶି ସେ ସବୁର ସ୍ୱର ସଂଯୋଜନା କରିଥିଲୁ ।" 'ଚାନ କିଥେ ଗୁଜରି ଆଇ ରାତ', 'ଲାଥେ ଦି ଚାଦର', 'ଶୋଙ୍କନ ମେଲେ ଦି' ଓ 'ଗୋରୀ ଦିୟାଁ ଝାଞ୍ଜରନ' ଇତ୍ୟାଦି ପଞ୍ଜାବୀ ଶାସ୍ତ୍ରୀୟ ଗୀତ ସମୂହ ଗାଇବା ନିମନ୍ତେ କୌର ଓ ସୋଧି ଉଭୟ ମିଳିତ ଭାବରେ ବନ୍ଦବୋସ୍ତ କରିଥଲେ । ଏହି ଗୀତଗୁଡ଼ିକ ଅନେକ ଖ୍ୟାତନାମା ପଞ୍ଜାବୀ କବି ଲେଖିଥିଲେ କିନ୍ତୁ କୌର ସେହି ଗୀତଗୁଡ଼ିକୁ ଜନପ୍ରିୟ କରିଥିଲେ । ପୃଥିବୀର ଅନେକ ସ୍ଥାନ ଭ୍ରମଣ କରି ସେ ଲୋକ ଗୀତ ଗାଇବାଦ୍ୱାରା ପଞ୍ଜାବୀ ଲୋକ ସଂଗୀତ ଦୃତ ଜନପ୍ରିୟ ହୋଇପାରିଥିଲା ।
ମୋଟ ଦୁଇ ହଜାର ଗୀତ କୌର ରେକର୍ଡ଼ କରିଥିଲେ ଯାହା ଭିତରେ ଆଶା ସିଂହ ମସ୍ତାନା, କର୍ଣ୍ଣଲ ଗିଲ, ହରଚରଣ ଗ୍ରେୱାଲ, ରଙ୍ଗିଲା ଜାଟ୍ଟ ଓ ଦିଦାର ସନ୍ଧୁଙ୍କ ସହିତ ଡୁଏଟ ଗାଇଥିବା ରେକର୍ଡ଼ ମଧ୍ୟ ଅଛି । ସନ ୧୯୭୬ରେ ସୋଧିଙ୍କର ମୃତ୍ୟୁ ପରେ ସାହଚର୍ଯ୍ୟ କଟିଯାଇଥଲେ ମଧ୍ୟ ପରିବାରର ସର୍ଜନାକାରୀ ପରମ୍ପରାକୁ ଜାରି ରଖି ସେ ତାଙ୍କର ଝିଅ ତଥା ଶିଷ୍ୟାମାନଙ୍କ ସହିତ ଡୁଏଟ ଗାଇବାକୁ ଲାଗିଲେ । ତାଙ୍କର ଝିଅ ରୁପିନ୍ଦର କୌର ଗୁଲେରିଆ ବା ଡଲି ଗୁଲେରିଆ ଓ ନାତୁଣୀ ସୁନୟନୀ ମିଶି "ସୁରିନ୍ଦର କୌର ତିନି ପିଢ଼ି" ଧରି ସଙ୍ଗୀତ ପରିବେଷଣ କରିଥିଲେ । [୬]
ସନ ୧୯୮୪ରେ ପଞ୍ଜାବୀ ଲୋକ ସଙ୍ଗୀତ ନିମନ୍ତେ ଭାରତୀୟ ସଙ୍ଗୀତ, ନୃତ୍ୟ ଓ ଥିଏଟର ଏକାଡେମୀର ଜାତୀୟ ଏକାଡେମୀର ସଙ୍ଗୀତ ନାଟକ ଏକାଡେମୀ ତରଫରୁ ତାଙ୍କୁ ସଙ୍ଗୀତ ନାଟକ ପୁରସ୍କାର,[୭] ମିଲେନିଅମ ପଞ୍ଜାବୀ ଗାୟିକା ପୁରସ୍କାର, [୮] ଓ ସନ ୨୦୦୬ରେ ସଙ୍ଗୀତ କଳାକୁ ତାଙ୍କର ଅବଦାନ ନିମନ୍ତେ କୌର ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ।[୯] ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ତାଙ୍କୁ ସନ ୨୦୦୨ରେ ସମ୍ମାନ ଜନକ ଡକ୍ଟରେଟ ଡିଗ୍ରୀ ଦେଇଥିଲେ । [୪]
ନିଜ ମାଟି ସହିତ ସମ୍ପର୍କ ରଖିବା ଇଚ୍ଛାରେ କୌର ସନ ୨୦୦୪ରେ ପଞ୍ଚକୁଳରେ ବାସ କଲେ ଓ ଚଣ୍ଡିଗଡ଼ ପାଖରେ ଜିରକପୁରରେ ଏକ ଘର କରିବାକୁ ଇଚ୍ଛା ରଖିଥିଲେ । ପରେ ୨୨ ଡିସେମ୍ବର ୨୦୦୫ରେ ସେ ହୃଦ୍ଘାତର ଶିକାର ହେଲେ ଓ ପଞ୍ଚକୁଳ ଜେନେରାଲ ଡାକ୍ତରଖାନାରେ ଆଡମିସନ ହେଲେ । [୪] ଏହି ରୋଗର ଉପଶମ ପରେ ସେ ଜାନୁଆରୀ ୨୦୦୬ରେ ଦିଲ୍ଲୀ ଯାଇ ଲୋଭନୀୟ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କଲେ । ସେ ଏହି କାର୍ଯ୍ୟକ୍ରମରେ ଦୁଃଖୀ ଥିଲେ, ଏଇଥି ପାଇଁ ଯେ, ପଞ୍ଜାବୀ ସଙ୍ଗୀତ ପାଇଁ ତାଙ୍କର ଅଦ୍ୱିତୀୟ ଅବଦାନ ଥିଲେ ମଧ୍ୟ ଏହି ପୁରସ୍କାର ପାଇବାରେ ଅତ୍ୟଧିକ ଓ ଅହେତୁକ ବିଳମ୍ବ ହୋଇଥିବା ସେ ଅନୁଭବ କରୁଥିଲେ । ପ୍ରାୟ ପାଞ୍ଚ ଦଶକ ଧରି ଅବିଶ୍ରାନ୍ତ ଭାବରେ କାମ କରିଥିଲେ ମଧ୍ୟ ଏହି ପୁରସ୍କାର ସେ ପଞ୍ଜାବ ତରଫରୁ ନପାଇ ହରିଆନା ତରଫରୁ ପାଇବାରୁ ଅଧିକ ଦୁଃଖୀ ହୋଇଥିଲେ । [୮]
ଦୀର୍ଘକାଳୀନ ବେମାରୀରୁ ମୁକ୍ତି ପାଇବା ପାଇଁ ସେ ସନ ୨୦୦୬ରେ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିଲେ । ସେ ୧୪ ନଭେମ୍ବର ୨୦୦୬ରେ ୭୭ ବର୍ଷ ବୟସରେ ନିଉ ଜର୍ସୀ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ତନି ଝିଅଙ୍କ ମଧ୍ୟରୁ ବଡ଼ ଝିଅ ପଞ୍ଚକୁଳରେ ରହିଲେ ଓ ନିଉ ଜର୍ସୀରେ ଅନ୍ୟ ଦୁଇ ଜଣ ନନ୍ଦିନୀ ସିଂହ ଓ ପ୍ରମୋଦିନୀ ଜଗ୍ଗି ବାସ କଲେ । [୧୦] ତାଙ୍କ ମୃତ୍ୟୁରେ ଭାରତର ପ୍ରଧାନ ମନ୍ତ୍ରୀ ଡ: ମନମୋହନ ସିଂହ ତାଙ୍କୁ ପଞ୍ଜାବର ନାଇଟିଙ୍ଗେଲ ଓ ପଞ୍ଜାବୀ ଲୋକ ସଙ୍ଗୀତରେ ଓ ପଞ୍ଜାବୀ ମେଲୋଡ଼ିରେ ଏକ ଧାରା ପ୍ରବର୍ତ୍ତନକାରୀ ଭାବରେ ଅଭିହିତ କରଥିଲେ ।