ମୁସାମ୍ମତ ହୋସ୍ନେ ଅରା ସରିଫା ବେଗମ (୨ ସେପ୍ଟେମ୍ବର ୧୯୩୫ - ୨୦ ମଇ ୨୦୧୨)[୧] ଜଣେ ବଙ୍ଗଳାଦେଶୀ କଥାଚିତ୍ର ଅଭିନେତ୍ରୀ ଏବଂ ପ୍ରଯୋଜିକା ଥିଲେ ।[୨] ସେ ସୁଲତାନା ଜମାନ ଭାବରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ପରିଚିତା ଥିଲେ । ୨୦୦୯ ମସିହାରେ ତାଙ୍କୁ ୧୯୭୫ ମସିହାରୁ ଆରମ୍ଭ ହୋଇଥିବା ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଲାଇଫ୍-ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର ମିଳିଥିଲା ।[୩][୪]
ସୁଲତାନା ଜମାନ ୧୯୩୫ ମସିହା ସେପ୍ଟେମ୍ବର ମାସ ୨ ତାରିଖ ଦିନ ବ୍ରିଟିଶ ଇଣ୍ଡିଆ ଅନ୍ତର୍ଗତ ବାଂଲା ପ୍ରେସିଡେନ୍ସିର ନଥୋର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଅବଦୁର ରଜାକ୍ ନାଥୋର ଜିଲ୍ଲାର ଜଣେ ଜମିଦାରଙ୍କର ଅଫିସର ଥିଲେ ଏବଂ ମାଆ ହେଉଛନ୍ତି ରାହିମା ଖାତୁନ୍ ।[୨] ଜନ୍ମବେଳେ ସୁଲତାନାଙ୍କର ନାମ ଥିଲା ମୁସାମ୍ମତ ହୋସ୍ନେ ଅରା ସରିଫା ବେଗମ । ସେ ନାଥୋର ବାଳିକା ବିଦ୍ୟାଳୟରୁ ମାଧ୍ୟମିକ ଶିକ୍ଷା, ରାଜସାହି କଲେଜରୁ ଉଚ୍ଚ ଶିକ୍ଷା ଶେଷ କରିଥିଲେ ।[୨] ୧୯୫୬ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ସୁଲତାନା ଜମାନ ପୂର୍ବ ପାକିସ୍ତାନର ବାଂଲାଦେଶ ଚଳଚ୍ଚିତ୍ର ଉନ୍ନୟନ ସଂସ୍ଥାର ପ୍ରଥମ ମୁଖ୍ୟ ସଭାପତି କ୍ୟୁଏମ୍ ଜମାନଙ୍କୁ ବିବାହ କରିଥିଲେ । ତାଙ୍କ ପତି ଜଣେ ଚିତ୍ରତ୍ତୋଳକ ଥିଲେ, ଯିଏକି ଅନେକ ବଙ୍ଗଳା କଥାଚିତ୍ର ପାଇଁ କାମ କରିଥିଲେ ଏବଂ ତନ୍ମଧ୍ୟରୁ ୧୯୫୬ ମସିହାରେ ମୁକ୍ତିଲାଭ କରିଥିବା ପ୍ରଥମ ସମ୍ପୂର୍ଣ୍ଣ ବଙ୍ଗଳା ଚଳଚ୍ଚିତ୍ର ମୁଖ ଓ ମୁଖୋଶରେ ସେ କାମ କରିଥିଲେ ।
ସୁଲାତାନା ୧୯୫୯ ମସିହାରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ମାଟିର ପଥର, ଯାହାର ପ୍ରଯୋଜନା କରିଥିଲେ ଏସ୍ଏମ୍ ପର୍ଭେଜ୍ ଓ ମୋହିଉଦ୍ଦିନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୫][୬] ୧୯୬୪ ମସିହାରେ ସେ ଖାନ ଆତୁଆର ରହମାନଙ୍କ ନିର୍ଦ୍ଦେଶିତ ଅନେକ ଦିନର ଚେନା କଥାଚିତ୍ରରେ କାମ କରୁଥିବାବେଳେ ତାଙ୍କର ନାମ ବଦଳାଇ ସୁଲତାନା ଜମାନ ରଖିଥିଲେ ।[୨]
୧୯୭୮ ମସିହାରେ ସୁଲତାନା ଜମାନ ଜଣେ ପ୍ରଯୋଜିକା ଭାବରେ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ କରିଥିଲେ । ତାଙ୍କ ପ୍ରଯୋଜନା ସଂସ୍ଥା ୧୯୬୯ରେ ଭାନୁମତି ଏବଂ ଛଦ୍ମବେଶୀ ନାମକ ଦୁଇଟି ଚଳଚ୍ଚିତ୍ର ନିର୍ମାଣ କରିଥିଲା । ଅଭିନୟ ଏବଂ ପ୍ରଯୋଜନା ବ୍ୟତୀତ ସୁଲତାନା ବିଭିନ୍ନ କାର୍ଯ୍ୟକ୍ରମ ତଥା ରେଡ଼ିଓର ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ସେ ରେଡ଼ିଓରେ ଛାୟାଛନ୍ଦ ନାମକ ଏକ ବ୍ୟବସାୟିକ କାର୍ଯ୍ୟକ୍ରମର ଉପସ୍ଥାପିକା ଭାବରେ କରିଥିଲେ । ସୁଲତାନା କିଛି ରେଡ଼ିଓ ନାଟକରେ ମଧ୍ୟ କାମ କରିଥିଲେ । କ୍ରିତଦାସର ହସି, ତାଜମହଲ ଏବଂ ଜଫରାନ ଭଳି ନାଟକରେ ସେ କାମ କରିଥିଲେ ।[୨]
ସୁଲତାନାଙ୍କୁ ଚିତ୍ରକାଶ ପୁରସ୍କାର ମିଳିଥିଲା । ୨୦୦୯ ମସିହାରେ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ (ଜୀବନବ୍ୟାପି ସାଧନା) ପୁରସ୍କାର ମିଳିଥିଲା । ୨୦୧୧ ମସିହାରେ ବଙ୍ଗଳାଦେଶ ମହିଳା ପରିଷଦ ତରଫରୁ ସୁଲତାନାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା ।
୨୦୧୨ ମସିହା ମଇ ମାସ ୨୦ ତାରିଖରେ ଢାକାସ୍ଥିତ କାଣ୍ଟାନମେଣ୍ଟଠାରେ ସୁଲତାନାଙ୍କର ହେହାନ୍ତ ହୋଇଥିଲା । ବାର୍ଦ୍ଧକ୍ୟ କାରଣରୁ ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟ ହୋଇଥିଲା ।[୭]